ଦାନ୍ତର ସଠିକ ଯତ୍ନ ନ ନେଲେ ଦାନ୍ତ ପୋକ ଖାଇବାଠାରୁ ଆରମ୍ଭ କରି ମୁଖ ଗହ୍ୱର କର୍କଟ ରୋଗ ଯାଏଁ ବିଭିନ୍ନ ରୋଗର ଶିକାର ହୋଇପାରନ୍ତି ଆପଣ। ତେବେ କେମିତି ନେବେ ଦାନ୍ତର ଯତ୍ନ? ଏନେଇ ଡାକ୍ତର ରାଜୀବ ସେଠୀ କ’ଣ କହୁଛନ୍ତି ଆସନ୍ତୁ ଜାଣିବା।

ଦାନ୍ତ ଆମ ଶରୀରର ଏକ ମୁଖ୍ୟ ଅଙ୍ଗ। ଦାନ୍ତର ସଠିକ ଭାବେ ଯତ୍ନ ନ ନେଲେ ଦାନ୍ତ ପୋକ ଖାଇବାଠାରୁ ଆରମ୍ଭ କରି ମୁଖ ଗହ୍ୱର କର୍କଟ ରୋଗ ଯାଏଁ ବିଭିନ୍ନ ରୋଗର ଶିକାର ହୋଇପାରନ୍ତି। ଦାନ୍ତ ଜନିତ ସାଧାରଣ ରୋଗ ହେଉଛି ପାଇରିଆ।

ଆମେ ଯେଉଁ ଖାଦ୍ୟ ଖାଉଛେ ତା’ର ଖାଦ୍ୟ କଣିକାଗୁଡ଼ିକ ଜମା ହୋଇ ଦାନ୍ତରେ ଆବରଣ ସୃଷ୍ଟି କରେ। ଧୀରେ ଧୀରେ ଏହା ମାଢ଼ି ଓ ଦାନ୍ତ ମଧ୍ୟରେ ପଥର ଆକାର ନେଇଥାଏ। ଫଳରେ ଦାନ୍ତ ମାଢ଼ି ଢିଲା ହୋଇ ସେଥିରୁ ରକ୍ତ ବାହାରିଥାଏ। ଏହାଦ୍ୱାରା ମୁହଁରୁ ଦୁର୍ଗନ୍ଧ ବାହାରିଥାଏ ଓ ଦାନ୍ତ ହଲିବା ଆରମ୍ଭ କରେ। ଏହାର ସଠିକ୍‌ ଚିକିତ୍ସା ନ ହେଲେ ଦାନ୍ତ ଉପୁଡ଼ି ବି ଯାଇପାରେ।

ଦାନ୍ତ ଅଧିକ ସଂକ୍ରମଣ ହୋଇ ମାଢ଼ି ନଷ୍ଟ କରିଦେଇଥିଲେ ସର୍ଜରୀ ଦ୍ୱାରା ଚିକିତ୍ସା କରାଯାଏ।

କାହିଁକି ହୁଏ ଦାନ୍ତ ରୋଗ? (Causes of Dental Problem in Odia)

ପାନ, ଗୁଟ୍‌ଖା, ତମାଖୁ ସେବନ ଓ ଧୂମପାନ ଯୋଗୁଁ ଦାନ୍ତ ରୋଗ ହୋଇଥାଏ। ପାନ, ଗୁଟ୍‌ଖା ଚୋବାଇଲେ ମାଢ଼ି ଉପରେ ଅଧିକ ପ୍ରଭାବ ପଡ଼ିଥାଏ। ଏହା ଦାନ୍ତର ମାଢ଼ିକୁ ଢିଲା କରିଦିଏ ଫଳରେ ସେଥିରୁ ରକ୍ତ ବାହାରିଥାଏ। ଫଳରେ ଦାନ୍ତ ହଲିବା ଆରମ୍ଭ କରେ ଓ ଉପୁଡ଼ିଯିବାର ଆଶଙ୍କା ଥାଏ।

ତମାଖୁରେ ଥିବା ନିକୋଟିନ୍‌ ଗାଲର ଭିତର ପାର୍ଶ୍ୱକୁ ପ୍ରଭାବିତ କରିଥାଏ। ଗାଲର ଭିତର ପାଖରେ ଧଳା ରଙ୍ଗର ପ୍ୟାଚ୍‌ ଭଳି ସୃଷ୍ଟି ହୁଏ। ଏହାର ଚିକିତ୍ସା ନ କଲେ କ୍ୟାନ୍‌ସର ହେବାର ଆଶଙ୍କା ରହିଥାଏ। ଏହାଛଡ଼ା ତମାଖୁ ଖାଇଲେ ମୁଖ ଗହ୍ୱର କର୍କଟ ହେବାର ଆଶଙ୍କା ଅଧିକ। ତେଣୁ ତମାଖୁ ସେବନ, ଧୂମପାନଠାରୁ ନିବୃତ୍ତ ରହନ୍ତୁ।

baby brushing teeth

ଛୋଟ ପିଲାଙ୍କ ଦାନ୍ତର ଯତ୍ନ (How to take care of young children’s teeth in Odia)

ଆମ ଶରୀରରେ ଦୁଇ ପ୍ରକାର ଦାନ୍ତ ଥାଏ, କ୍ଷୀର ଦାନ୍ତ ଏବଂ ସ୍ଥାୟୀ ଦାନ୍ତ। ଛୋଟ ଛୁଆଙ୍କ କ୍ଷୀର ଦାନ୍ତ ଥରେ ପଡ଼ିଲେ ଆଉଥରେ ଉଠିଥାଏ। କିନ୍ତୁ ସ୍ଥାୟୀ ଦାନ୍ତ ଥରେ ଉପୁଡ଼ିଲେ ଆଉ ଉଠେ ନାହିଁ।

ଛୋଟ ଛୁଆଙ୍କ ଦାନ୍ତର ସଠିକ୍‌ ଯତ୍ନ ନେବା ଦରକାର। ଛୋଟ ଛୁଆମାନେ ବୋତଲରେ କ୍ଷୀର ଖାଇବା ବେଳେ ବୋତଲ ପାଟିରେ ଚାପି କରି ଶୋଇପଡ଼ନ୍ତି। ଫଳରେ ଖାଦ୍ୟ ଦାନ୍ତରେ ପଶି ରହିଯାଏ। ଯଦି ଦାନ୍ତର ସଠିକ୍‌ ଯତ୍ନ ନ ନେବା ଭବିଷ୍ୟତରେ ତାହା ସଂକ୍ରମଣ ହୋଇ ମାଢ଼ି ଫୁଲିଯାଏ। ଫଳରେ ଦାନ୍ତ ଉପାଡ଼ିବାକୁ ପଡ଼ିଥାଏ। ଦାନ୍ତ ଉପାଡ଼ିବା ପାଇଁ ଠିକ୍‌ ସମୟ ହୋଇ ନଥିଲେ ସ୍ଥାୟୀ ଦାନ୍ତ ତେଢ଼ା ହୋଇପାରେ।

ଖାଇସାରିବା ପରେ ଛୋଟ ପିଲାଙ୍କୁ ବ୍ରସ୍‌ କରିବା ଦରକାର। ଦିନକୁ ଅତିକମ୍‌ରେ ଦୁଇଥର ଦାନ୍ତ ଘଷିବା ଦରକାର। ଶୋଇବା ପୂର୍ବରୁ ଛୁଆମାନଙ୍କୁ କୁଳକୁଚା କରାଇବା ଦରକାର। ନଚେତ୍‌ ସ୍ଥାୟୀ ଦାନ୍ତ ଉଠିବା ବେଳକୁ ସମସ୍ୟା ଦେଖାଦେଇପାରେ।

Teeth_Cavity

କେମିତି ନେବେ ଦାନ୍ତର ଯତ୍ନ? (How to take care of teeth in Odia)

ଶୋଇବା ସମୟରେ ଆମ ପାଟିରେ ଅଧିକ ଜୀବାଣୁ ସୃଷ୍ଟି ହୋଇଥା’ନ୍ତି। ଏଥିପାଇଁ ଶୋଇବା ସମୟରେ ହିଁ ଦାନ୍ତ ରୋଗ ହେବାର ଆଶଙ୍କା ଅଧିକ। ତେଣୁ ଶୋଇବା ପୂର୍ବରୁ ପାଟି ଓ ଦାନ୍ତକୁ ଭଲ ଭାବରେ ସଫା କରି ଶୋଇବା ଭଲ। ଖାଇ ସାରିବା ପରେ ସଠିକ୍‌ ଭାବେ କୁଳକୁଜା କରିବା ଦରକାର। କୁଳକୁଜା କରିବା ଫଳରେ ୫୦ ପ୍ରତିଶତ ଖାଦ୍ୟକଣିକା ଦାନ୍ତରୁ ବାହାରି ଯାଏ। ଏହାସହ ଭଲ ଭାବେ ଦାନ୍ତକୁ ଘଷିବା ଆବଶ୍ୟକ। କିନ୍ତୁ ବ୍ରସ୍‌କୁ ମାଢ଼ିରେ ଜୋରରେ ଘଷନ୍ତୁ ନାହିଁ କାରଣ ଏହା ଦ୍ୱାରା ଦନ୍ତ କ୍ଷୟ ହେବାର ଅଧିକ ଆଶଙ୍କା ଥାଏ, ମାଢ଼ି ଫୁଲିପାରେ ଓ ଦାନ୍ତରୁ ରକ୍ତ ମଧ୍ୟ ପଡ଼ିଥାଏ। ନରମ ବ୍ରସ୍‌ ସାହାଯ୍ୟରେ ଧୀରେ ଧୀରେ କରି ଉପର ତଳୁ କରି ଗୋଲେଇ ଆକାରରେ ଦାନ୍ତକୁ ଘଷିବା ଦରକାର।

ସକାଳୁ ଉଠିବା ପରେ ଓ ରାତିରେ ଶୋଇବା ପୂର୍ବରୁ ଦାନ୍ତ ଘଷିବା ଦରକାର। ଅତିକମ୍‌ରେ ୨ ଥର ଦାନ୍ତ ଘଷିବା ଆବଶ୍ୟକ।

teeth filling

ଦାନ୍ତ ରୋଗର ଚିକିତ୍ସା (Treatment of dental disease in Odia)

ଚିନି ଜାତୀୟ ଖାଦ୍ୟ ଖାଇବା ଦ୍ୱାରା ଏହା ଆମ ଦାନ୍ତରେ ଅଠା ଭଳି ଲାଗିଯାଏ। ପାଟିରେ ଥିବା ଅଣୁଜୀବ ଏହା ସଂସ୍ପର୍ଶରେ ଆସି ଏକ ଏସିଡ୍‌ ପ୍ରସ୍ତୁତ କରନ୍ତି। ଏହି ଏସିଡ୍‌ ଦାନ୍ତର ଏନାମେଲ୍‌ରୁ ମିନେରାଲ ଓ କ୍ୟାଲସିୟମ୍‌କୁ ଅଲଗା କରିଦିଏ। ଫଳରେ ଦାନ୍ତରେ ଏକ ଛୋଟ କ୍ୟାଭିଟି ସୃଷ୍ଟି ହୁଏ ଓ ଏଥିରେ ଖାଦ୍ୟ ଜମା ହୋଇଯାଏ। ଧୀରେ ଧୀରେ ଏହି ଖାଦ୍ୟ ଦାନ୍ତର ଡେଣ୍ଟିନ୍‌କୁ ପ୍ରଭାବିତ କରିଥାଏ। ଫଳରେ ଥଣ୍ଡା ଖାଦ୍ୟ ଓ ଗରମ ଖାଦ୍ୟ ଖାଇଲେ ଦାନ୍ତ ବିନ୍ଧା ହୋଇଥାଏ। ଏହାକୁ ସାଧାରଣତଃ ଦାନ୍ତ ପୋକ ଖାଇବା ବୋଲି କୁହାଯାଏ।

ଦାନ୍ତ ପୋକ ଖାଇଲେ ଦାନ୍ତ ଓପାଡ଼ିବା ଏକ ମାତ୍ର ଚିକିତ୍ସା ନୁହେଁ। ବରଂ ରୁଟ୍‌ କେନାଲ କରି ଆପଣ ଦାନ୍ତକୁ ଠିକ୍‌ କରିପାରିବେ। ଦାନ୍ତରେ ସଂକ୍ରମଣ ହୋଇଥିଲେ ଏହାର ମଞ୍ଜକୁ ସଫା କରି ବାହାର କରାଯାଏ। ଏଥିରେ କ୍ୟାପ୍‌ ଲାଗିବା ପରେ ଦାନ୍ତ ପୂର୍ବ ଅବସ୍ଥାକୁ ଫେରିଯାଏ। ସଠିକ୍‌ ଭାବେ ରୁଟ୍‌ କେନାଲ ହୋଇଥିଲେ ଦାନ୍ତ ଆଉ ବିନ୍ଧି ନଥାଏ।

ରୁଟ୍‌ କେନାଲ ହେଲେ ଦାନ୍ତ ଆଉ ଖରାପ ହେବନି ବୋଲି ଭାବିବା ଭୁଲ। ଏହାର ସଠିକ୍‌ ଭାବେ ଯତ୍ନ ନ ନେଲେ ଏହା ନଷ୍ଟ ହୋଇଯାଇପାରେ।

brush your teeth before bed

ଦାନ୍ତ କାଠିରେ ଦାନ୍ତ ଘଷିବା କେତେ ଠିକ୍

ଦାନ୍ତର ଉପରେ ଥିବା ପତଳା ସ୍ତରକୁ ଏନାମେଲ କହନ୍ତି। କିଛି ଲୋକ ପାଉଁଷ ଓ ବାଲିରେ ଦାନ୍ତ ଘଷିଥା’ନ୍ତି। କିନ୍ତୁ ଏହାଦ୍ୱାରା ଦାନ୍ତର ଏନାମେଲ ନଷ୍ଟ ହୋଇଯାଏ ଯାହାକି ପରବର୍ତ୍ତୀ ସମୟରେ ଦାନ୍ତ ବିନ୍ଧାର କାରଣ ହୋଇଥାଏ। ଦାନ୍ତ କାଠିରେ ଦାନ୍ତ ଘଷିଲେ ମାଢ଼ି ଉପରେ ପ୍ରଭାବ ପଡ଼ିଥାଏ। ଫଳରେ ମାଢ଼ି ଢିଲା ହୋଇ ଏଥିରେ ଖାଦ୍ୟ ଜମେ ଓ ପାଟି ଦୁର୍ଗନ୍ଧ ହୁଏ। ଅନେକ ସମୟରେ ଦାନ୍ତରୁ ରକ୍ତ ବାହାରିଥାଏ।

ଦାନ୍ତ କାଠିରୁ ଦୂରେଇ ରହନ୍ତୁ। କୋମଳ ବ୍ରସ୍ ବ୍ୟବହାର କରନ୍ତୁ।

ଟୁଥ୍‌ ବ୍ରସ୍‌କୁ କେତେ ଦିନରେ ବଦଳାଇବେ? (How frequently should toothbrush be replaced on Odia)

ପ୍ରାୟ ଲୋକ ଗୋଟିଏ ବ୍ରସ୍‌କୁ ୨ ମାସରୁ ୩ ମାସ ଧରି ବ୍ୟବହାର କରିଥା’ନ୍ତି। କିନ୍ତୁ ଏହା ସମ୍ପୂର୍ଣ୍ଣ ଭୁଲ। ପ୍ରତି ଦୁଇ ସପ୍ତାହକୁ ଥରେ ବ୍ରସ୍‌ ବଦଳାଇବା ଜରୁରୀ। ବ୍ରସ୍‌ ଯଦି ଟାଣ ବା ମେଲା ହୋଇଯାଉଛି, ସେହି ବ୍ରସ୍‌କୁ ବ୍ୟବହାର ନ କରି ଆଉ ନୂଆ ବ୍ରସ୍‌ ବ୍ୟବହାର କରନ୍ତୁ। ଟାଣ ବ୍ରସ୍‌ରେ ଦାନ୍ତ ଘଷିଲେ ମାଢ଼ି ଉପରେ ପଭାବ ପଡ଼ିଥାଏ।

କିଛି ଲୋକ ଦାନ୍ତକୁ ଅଧିକ ସମୟ ଧରି ମାଡ଼ି ମାଡ଼ି ଘଷିଥା’ନ୍ତି, ହେଲେ ଏହା ଦାନ୍ତ ଓ ମାଢ଼ିକୁ ଖରାପ କରିଦିଏ। ୫ରୁ ୭ ମିନିଟ୍‌ ଯାଏଁ ଦାନ୍ତକୁ ଗୋଲୋଇ ଗୋଲେଇ ଘଷିବା ଦରକାର।

 

(ସ୍ୱାସ୍ଥ୍ୟ ଓ ଜୀବନଶୈଳୀ ଉପରେ ଆଧାରିତ ଓଡ଼ିଆ ଡିଜିଟାଲ୍‌ ପ୍ଲାଟଫର୍ମ ‘ସ୍ୱାସ୍ଥ୍ୟ ପ୍ଲସ୍’ ସହିତ ଡାକ୍ତର ରାଜୀବ ସେଠୀଙ୍କ ସ୍ୱତନ୍ତ୍ର ସାକ୍ଷାତକାରକୁ ନେଇ ପ୍ରସ୍ତୁତ।)

Note: A brief medical advice, in Odia language, causes of Dental problems and about tooth care and oral hygiene, based on the interview with Dr. Rajiv Sethi, Dental Surgeon.