ଭାରତରେ କରୋନା ଭୂତାଣୁ ଆକ୍ରାନ୍ତଙ୍କ ସଂଖ୍ୟା ୧୦୦ ଟପିଛି। ଓଡିଶାରେ ପ୍ରଥମ କରୋନା ରୋଗୀ ଚିହ୍ନଟ ହୋଇଛନ୍ତି। ଏସବୁ ଭିତରେ ସମସ୍ତଙ୍କ ମନରେ ପ୍ରଶ୍ନ ଉଠିବା ସ୍ୱାଭାବିକ ଯେ, ଚୀନର ଉହାନରୁ ଆରମ୍ଭ ହୋଇଥିବା ଏହି କରୋନା ପ୍ରଭାବ ଏବେ ସାରା ବିଶ୍ୱରେ ବଢିବଢି ଚାଲିଛି? ଆସନ୍ତୁ ନଜର ପକାଇବା କରୋନାକୁ ନେଇ କେଉଁ ଦେଶରେ କି ପ୍ରକାରର ଚିତ୍ର ରହିଛି।

coronavirus

ଇଏ ହେଉଛି କରୋନା ସଂକ୍ରମଣକୁ ନେଇ ବିଶ୍ୱ ସ୍ୱାସ୍ଥ୍ୟ ସଙ୍ଗଠନ ଜାରି କରିଥିବା ତାଜା ଚିତ୍ର, ଯେଉଁଠି ପ୍ରତି ମୁହୂର୍ତ୍ତରେ ବଢ଼ି ଚାଲିଛି କମଳା ରଙ୍ଗର ସଙ୍କେତ। ଏହି କମଳା ଚିହ୍ନ ଦର୍ଶାଉଛି, କେଉଁ କେଉଁ ଦେଶ ହେଉଛି କରୋନା କବଳରେ ପ୍ରଭାବିତ।

ଚୀନରେ କରୋନା ଭୂତାଣୁ ଆକ୍ରାନ୍ତଙ୍କ ସଂଖ୍ୟା ୮୧ ହଜାର ୭୭ରେ ପହଁଚିଛି। ସରକାରୀ ଭାବେ  ମୃତକଙ୍କ ସଂଖ୍ୟା ୩ ହଜାର ୨୦୪ ଟପିଛି। ସବୁଠାରୁ ବଡ଼ କଥା ହେଉଛି ଚୀନରେ ଆକ୍ରାନ୍ତ ଓ ମୃତକଙ୍କ ସଂଖ୍ୟା ଏବେ ନିୟନ୍ତ୍ରଣକୁ ଆସୁଛି। ହେଲେ ସେପଟେ ଇଉରୋପରେ କରୋନା ମହାମାରୀର ରୂପ ନେଉଛି।

ଆଜି ପୃଥିବୀରେ କରୋନାକୁ ନେଇ ସ୍ଥିତି ଏମିତି ହୋଇଛି ଯେ ବିଶ୍ୱ ସ୍ୱାସ୍ଥ୍ୟ ସଙ୍ଗଠନ ନିକଟରେ ଏହାକୁ ବିଶ୍ୱ ମହାମାରୀ ବା ପାନ୍‌ଡେମିକ୍‌ ଭାବେ ଘୋଷଣା କରିଛନ୍ତି। ବିଶେଷକରି ଇଉରୋପରେ ସ୍ଥିତି ଅଣାୟତ ହେବାରେ ଲାଗିଛି।

ଇଟାଲିରେ ୨୪ ହଜାର ୭୪୭ରେ ପହଁଚିଛି କରୋନା ଆକ୍ରାନ୍ତଙ୍କ ସଂଖ୍ୟା। ସେଠାରେ କରୋନା ନେଲାଣି ୧ ହଜାର ୨୬୮ରୁ ଅଧିକ ଜୀବନ। ଇଉରୋପୀୟ ଦେଶମାନଙ୍କ ଭିତରେ ସ୍ପେନ ଓ ଫ୍ରାନ୍ସରେ ସ୍ଥିତି ଜଟିଳ ହୋଇପଡ଼ିଛି।

ଅନ୍ୟପଟେ ଇରାନରେ ସର୍ବାଧିକ ୧୩ ହଜାର ୯୮୩ ଜଣ କରୋନା ଭୂତାଣୁରେ ସଂକ୍ରମିତ ହେଲେଣି। ସେଠାରେ କରୋନା ମୃତକଙ୍କ ସଂଖ୍ୟା ୭୦୦ ଟପିଯାଇଛି।

ଆମେରିକା ଓ ଇଂଲଣ୍ଡ ଭଳି ବିକଶିତ ଦେଶରେ ବି ଆତଙ୍କ ସୃଷ୍ଟି କରିଛି କରୋନା ଭାଇରସ। ଆମେରିକାରେ ୧ ହଜାର ୬୭୮ଜଣ କରୋନାରେ ସଂକ୍ରମିତ ହୋଇଥିବା ବେଳେ ମୃତକଙ୍କ ସଂଖ୍ୟା ୪୧ରେ ପହଁଚିଛି। ସେହିପରି ଇଂଲଣ୍ଡରେ ୧ ହଜାର ୩୭୬ଜଣ କରୋନାରେ ଆକ୍ରାନ୍ତ ହୋଇଥିବା ବେଳେ ୩୫ ଜଣଙ୍କ ଜୀବନ ନେଲାଣି ଏହି ଭାଇରସ।

ଇତି ମଧ୍ୟରେ ୧୪୬ଟି ଦେଶକୁ ସଂକ୍ରମିତ ହୋଇଛି କରୋନା ଭୂତାଣୁ। ସାରା ବିଶ୍ୱରେ ୧ଲକ୍ଷ ୬୪ ହଜାରରୁ ଅଧିକ ଲୋକ କରୋନାରେ ଆକ୍ରାନ୍ତ ହୋଇଥିବା ବେଳେ ୬ ହଜାର ଟପିଛି ମୃତକଙ୍କ ସଂଖ୍ୟା। ଏହା ସ୍ଫଷ୍ଟ କରିଦେଇଛି ଯେ, କରୋନା ବା କୋଭିଡ୍‌-୧୯ ଭୂତାଣୁ କେତେ ବେଗରେ ଗୋଟିଏ ପରେ ଗୋଟିଏ ଅଞ୍ଚଳକୁ ସଂକ୍ରମିତ କରି ଚାଲିଛି।