ପ୍ରତିବର୍ଷ ଅକ୍ଟୋବର ୨୦ରେ ବିଶ୍ୱ ଅଷ୍ଟିଓପୋରୋସିସ୍ ଦିବସ ଭାବେ ପାଳନ କରାଯାଏ। ଅଷ୍ଟିଓପୋରୋସିସ୍ ହେବାର କାରଣ, ପ୍ରତିରୋଧ ଏବଂ ଚିକିତ୍ସା ବିଷୟରେ ସଚେତନତା ସୃଷ୍ଟି କରିବା ହିଁ ଏହି ଦିବସର ମୂଳ ଉଦ୍ଦେଶ୍ୟ।
ବୟସ ବଢ଼ିବା ସହିତ ଆମ ଶରୀରର ହାଡ଼ଗୁଡ଼ିକରେ ଛୋଟ ଛୋଟ ଛିଦ୍ର ହେବା ଯୋଗୁଁ ଏହା ଫମ୍ପା ହୋଇଯାଏ। ଫଳରେ ହାଡ଼ଗୁଡ଼ିକରେ ଆଉ ପୂର୍ବ ଭଳି ଶକ୍ତି ରହେ ନାହିଁ। ସାମାନ୍ୟ ଆଘାତ ଲାଗିଲେ କିମ୍ବା ପଡ଼ିଗଲେ ହାଡ଼ ଭାଙ୍ଗିଯିବାର ଆଶଙ୍କା ରହିଥାଏ। ଏହି ସମସ୍ୟାକୁ ଅଷ୍ଟିଓପୋରସିସ୍ ବୋଲି କୁହାଯାଏ।
ଅଷ୍ଟିପୋରୋସିସ୍ କାରଣରୁ ଅଣ୍ଟା, ମେରୁଦଣ୍ଡ ଓ କଚୋଟିର ହାଡ଼ ଭାଙ୍ଗିଯିବାର ଆଶଙ୍କା ଥାଏ। ଉଭୟ ପୁରୁଷ ଓ ମହିଳାମାନେ ଏହି ରୋଗରେ ପ୍ରଭାବିତ ହୁଅନ୍ତି।
ଲକ୍ଷଣ
ଯଦିଓ ଅଷ୍ଟିଓପୋରୋସିସକୁ ନିରବ ରୋଗ ବୋଲି କୁହାଯାଇଥାଏ ତେବେ କିଛି ଲକ୍ଷଣକୁ ଚିହ୍ନଟ କରି ଆପଣ ରୋଗ ସଂପର୍କରେ ଜାଣିପାରିବେ। ତା’ ହେଲେ ଲଗାତର ଥକ୍କା ଅନୁଭବ କରିବା, ହାତ, ଗୋଡ଼ ଏବଂ ଅଣ୍ଟା ଦରଜ ହେବା, ପିଠି ଯନ୍ତ୍ରଣା। ସାମାନ୍ୟ ଆଘାତ ଲାଗିଲେ ମଧ୍ୟ ହାଡ଼ ଭାଙ୍ଗଯିବା, ସକାଳୁ ସକାଳୁ ଦୁର୍ବଳ ଅନୁଭବ କରିବା, କାମ କରିବାକୁ ଇଚ୍ଛା ନ ହେବା, ସମୟ ସହିତ ଗେଡ଼ା ଦେଖାଯିବା ଇତ୍ୟାଦି।
ଅଷ୍ଟିଓପୋରୋସିସ୍ର କାରଣ
ମଣିଷ ଶରୀରରେ ପ୍ରତିଦିନ ହାଡ଼ ତିଆରି ହୁଏ ଓ କ୍ଷୟ ମଧ୍ୟ ହୋଇଥାଏ। ପାଖାପାଖି ୩୦ରୁ ୩୫ ଯାଏଁ ହାଡ଼ ତିଆରି ଅଧିକ ହୋଇଥାଏ ଓ କ୍ଷୟ ସଂଖ୍ୟା କମ୍ ହୋଇଥାଏ। ହେଲେ ୩୫ ବର୍ଷ ପରେ ହାଡ଼ ତିଆରି ହେବା ଧୀରେ ଧୀରେ କମିଥାଏ ଓ ହାଡ଼ କ୍ଷୟ ଅଧିକ ହୋଇଥାଏ।
ମେନୋପଜ୍ ଯୋଗୁଁ ମହିଳାଙ୍କଠାରେ ଏହି ସମସ୍ୟା ଅଧିକ ଦେଖାଯାଏ। ଏହାଛଡ଼ା ମଦ୍ୟପାନ, ଧୂମପାନ କରୁଥିବା ବ୍ୟକ୍ତିଙ୍କର ଅଷ୍ଟିଓପୋରୋସିସ୍ ସମସ୍ୟା ହେବାର ଆଶଙ୍କା ଅଧିକ।
କିଭଳି ରକ୍ଷାପାଇବେ?
ଅଷ୍ଟିଓପୋରୋସିସରୁ ରକ୍ଷା ପାଇବା ଲାଗି ଶାରୀରିକ ଭାବେ ଫିଟ୍ ରହିବା ଏବଂ ବ୍ୟାୟାମ କରିବା ଜରୁରୀ। ଶରୀରର ଯେଉଁ ଅଙ୍ଗ ସକ୍ରିୟ ରହିଥାଏ, ସେଠାରେ କ୍ୟାଲସିୟମ୍ ଏବଂ ମିନେରାଲ ଅଧିକ ସୃଷ୍ଟି ହୋଇଥାଏ, ଫଳରେ ହାଡ଼ ମଜଭୁତ ହୁଏ। ତେଣୁ ନିୟମିତ ଭାବେ ବ୍ୟାୟାମ କରିବାକୁ ଭୁଲନ୍ତୁ ନାହିଁ।
ନିଜର ଡେଲି ରୁଟିନରେ କ୍ୟାଲସିୟମ ଏବଂ ପ୍ରୋଟିନ୍ ଯୁକ୍ତ ଖାଦ୍ୟ ସାମିଲ କରନ୍ତୁ। ପ୍ରୋଟିନ୍ ପାଇଁ ଡାଏଟ ମାଛ, ସୋୟାବିନ୍, ଗଜାଖାଦ୍ୟ, ଡାଲି, ବିନ୍ସ ଆଦି ଖାଆନ୍ତୁ। କ୍ୟାଲସିୟମ୍ ପାଇଁ କ୍ଷୀର ଏବଂ କ୍ଷୀରଜାତ ଦ୍ରବ୍ୟ ଯେପରିକି ପନିର. ଦହି, ଛେନା ଇତ୍ୟାଦି ଅଧିକ ମାତ୍ରାରେ ଖାଆନ୍ତୁ।
ଓଜନ ଉପରେ ନିୟନ୍ତ୍ରଣ ରଖନ୍ତୁ। ଦୁର୍ବଳ ଶରୀର ଅଧିକ ଓଜନ ସହିପାରେ ନାହିଁ। ତେଣୁ ବାରମ୍ବାର ହାଡ଼ ଭାଙ୍ଗେ। ଏଥିଲାଗି ଓଜନ ବଢିବାକୁ ଦିଅନ୍ତୁ ନାହିଁ।
ପ୍ରତିଦିନ ଦିନକୁ ୧୫-୨୦ ମିନିଟ୍ ନିଶ୍ଚିତ ଭାବେ ସୂର୍ଯ୍ୟକିରଣରେ ବସନ୍ତୁ।
ନିଜେ ଡାକ୍ତର ହେବାକୁ ପ୍ରୟାସ କରନ୍ତୁ ନାହିଁ। ଗଣ୍ଠି ସ୍ଥାନରେ ଦରଜ ହେଉଥିଲେ ଡାକ୍ତରଙ୍କ ସହ ପରାମର୍ଶ କରନ୍ତୁ।
କ୍ୟାଲସିୟମ୍ଯୁକ୍ତ ଖାଦ୍ୟ ଖାଆନ୍ତୁ। ଡାକ୍ତରଙ୍କ ପରାମର୍ଶ କ୍ରମେ କ୍ୟାଲସିୟମ୍ ସେବନ କରନ୍ତୁ।
ଭିଟାମିନ୍ ଡି ଆପଣଙ୍କ ଶରୀରର କ୍ୟାଲସିୟମ୍ ଶୋଷିବା କ୍ଷମତାକୁ ଉନ୍ନତ କରିଥାଏ, ହାଡ଼କୁ ମଜଭୁତ କରିଥାଏ। ପ୍ରତିଦିନ ସକାଳେ ସୂର୍ଯ୍ୟକିରଣରେ ଚାଲନ୍ତୁ। ଭିଟାମିନ୍ ଡି ପାଇଁ ଅଣ୍ଡା, ମାଂସ କଲିଜା ଖାଇପାରିବେ।
ଧୂମପାନ ହାଡ଼, ହାର୍ଟ ଓ ଫୁସ୍ଫୁସ୍କୁ ଖରାପ କରିଦିଏ। ମଦ୍ୟପାନ ମଧ୍ୟ କଙ୍କାଳ ପାଇଁ କ୍ଷତିକାରକ।
ଅଷ୍ଟିଓପୋରୋସିସ୍ ରୋଗୀ ଏହା କରନ୍ତୁ ନାହିଁ
ଅଷ୍ଟିଓପୋରୋସିସ୍ ରୋଗୀ ହଠାତ୍ ତଳକୁ ଝୁଙ୍କନ୍ତୁ ନାହିଁ। ଅଷ୍ଟିଓପୋରୋସିସ୍ ରୋଗୀ ହଠାତ୍ ନଇଁ କୌଣସି ଜିନିଷ ଉଠାଇବା ବେଳକୁ ଅଣ୍ଟା ଭାଙ୍ଗି ଯିବାର ଆଶଙ୍କା ଥାଇପାରେ।