ପ୍ରତିବର୍ଷ ମେ’ ୩୧ରେ ବିଶ୍ୱ ତମାଖୁ ବର୍ଜନ ଦିବସ ଭାବେ ପାଳନ କରାଯାଏ। ଏହା ମାଧ୍ୟମରେ ତମାଖୁ ସେବନ ଦ୍ୱାରା ହେଉଥିବା କ୍ଷତି ବିଷୟରେ ଲୋକଙ୍କୁ ସଚେତନ କରାଯାଏ। 

ଫିଲ୍ମ ଆରମ୍ଭ ପୂର୍ବରୁ କିମ୍ବା ଟେଲିଭିଜନରେ ବିଭିନ୍ନ ସମୟରେ ଏକ ବାର୍ତ୍ତା ଆସିଥାଏ ଯେ ‘ତମାଖୁ ସ୍ୱାସ୍ଥ୍ୟ ପାଇଁ କ୍ଷତିକାରକ’। ଟିଭି, ପୋଷ୍ଟର, ବ୍ୟାନର ମାଧ୍ୟମରେ ସବୁବେଳେ ତମାଖୁ କ୍ଷତିକାରକ ଗୁଣ ସମ୍ପର୍କରେ ସଚେତନ କରାଯାଏ। ତମାଖୁ ଆମ ପାଇଁ କିପରି ସାଂଘାତିକ ହୋଇପାରେ ସେ ବିଷୟରେ ଲୋକଙ୍କୁ ସଚେତନ କରିବା ପାଇଁ ପ୍ରତିବର୍ଷ ମେ’ ୩୧ରେ ବିଶ୍ୱ ତମାଖୁ ବର୍ଜନ ଦିବସ ଭାବେ ପାଳନ କରାଯାଏ। ଚଳିତ ବର୍ଷ ଏହି ଦିବସର ଥିମ୍‌ ରହିଛି, ‘Protecting youth from industry manipulation and preventing them from tobacco and nicotine use’।

ତମାଖୁ ସେବନ ଦ୍ୱାରା ହେଉଥିବା ମୃତ୍ୟୁ ସାରା ବିଶ୍ୱର ସବୁଠୁ ବଡ଼ ମହାମାରୀଗୁଡ଼ିକ ମଧ୍ୟରେ ଅନ୍ୟତମ। ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନର ରିପୋର୍ଟ ଅନୁସାରେ ପ୍ରତିବର୍ଷ ଏହାଯୋଗୁଁ ସାରା ବିଶ୍ୱରେ ୮ ନିୟୁତରୁ ଅଧିକ ଲୋକଙ୍କର ପ୍ରାଣହାନି ଘଟୁଛି। ଏଥିମଧ୍ୟରୁ ୭ ନିୟୁତ ଲୋକ ସିଧାସଳଖ ଭାବେ ତମାଖୁ ଜାତୀୟ ଉତ୍ପାଦ ବ୍ୟବହାର କରିଥା’ନ୍ତି। ବାକି ୧.୨ ନିୟୁତ ଲୋକେ ସେମାନଙ୍କ ସଂପର୍କରେ ଆସିବା ଯୋଗୁଁ ରୋଗଗ୍ରସ୍ତ ହୋଇ ପ୍ରାଣ ହରାଉଛନ୍ତି। ସେହିପରି ତମାଖୁ ଜାତୀୟ ଉତ୍ପାଦ ବ୍ୟବହାର କରୁଥିବା ଲୋକମାନଙ୍କ ମଧ୍ୟରୁ ୮୦ ପ୍ରତିଶତ ନିମ୍ନ ଏବଂ ମଧ୍ୟମ ଧରଣର ରୋଜଗାର ଥିବା ଦେଶରେ ରହୁଛନ୍ତି। ସେଠାରେ ତମାଖୁ ସେବନ ଜନିତ ମୃତ୍ୟୁ ସଂଖ୍ୟା ଅଧିକ ହେଉଛି। ଚୀନ୍‌ର ଲୋକମାନେ ସବୁଠୁ ଅଧିକ ତମାଖୁ ଜାତୀୟ ଉତ୍ପାଦ ବ୍ୟବହାର କରିଥାନ୍ତି। ଭାରତ ତା’ ପଛରେ ରହିଛି। ବିଶ୍ୱର ୧୨% ତମାଖୁ ବ୍ୟବହାରକାରୀ ଭାରତରେ ରହୁଛନ୍ତି।

ତମାଖୁ ସେବନ ଯୋଗୁଁ କେଉଁ ରୋଗ ହୋଇଥାଏ? (Diseases caused by all forms of Tobacco in Odia)

କର୍କଟ: ପ୍ରତିବର୍ଷ ଆମ ଦେଶରେ ବହୁତ ଲୋକ ଫୁସଫୁସ୍ କର୍କଟ ଯୋଗୁଁ ପ୍ରାଣ ହରାଇଥାନ୍ତି। ଧୂମପାନ କରିବା ଏହି କର୍କଟ ରୋଗର ମୁଖ୍ୟ କାରଣ। ଏହାଛଡ଼ା ତମାଖୁ ଜାତୀୟ ଅନ୍ୟ ଉତ୍ପାଦ ଯୋଗୁଁ ଲୋକମାନଙ୍କର ପାଟି, ସ୍ୱର ତନ୍ତ୍ରୀ, ଗଳା, କିଡ୍‌ନି, ସର୍ଭିକ୍ସ, ଲିଭର, ବ୍ଲାଡର, ପାନକ୍ରିୟାଜ୍‌ରେ କର୍କଟ ରୋଗ ହୋଇଥାଏ।

ଫୁସଫୁସ୍ ରୋଗ: ଧୂମପାନ କରିବା ଯୋଗୁଁ ଫୁସଫୁସରେ କର୍କଟ ଭଳି ଅନ୍ୟ ଗୁରୁତର ରୋଗ ବି ହୋଇଥାଏ। ଧୂମପାନକାରୀ ମାନେ କ୍ରୋନିକ୍ ଅବଷ୍ଟ୍ରକ୍ଟିଭ୍ ପଲମୋନାରି ଡିଜିଜ୍‌(ସିଓପିଡି) ଦ୍ୱାରା ପ୍ରଭାବିତ ହେବାର ଆଶଙ୍କା ରହିଥାଏ। ଚିନ୍ତାର ବିଷୟ ହେଲା ଏହି ରୋଗର କୌଣସି ଉପଚାର ନାହିଁ। ତେବେ ଧୂମପାନ ଛାଡ଼ିଦେଲେ ଏହା ନିୟନ୍ତ୍ରଣରେ ରହିଥାଏ। ଅନ୍ୟପଟେ ଧୂମପାନ ନ୍ୟୁମୋନିଆ ଓ ଆସ୍ଥମା ଭଳି ରୋଗକୁ ଆହୁରି ଜଟିଳ କରିଦେଇଥାଏ।

ହୃଦରୋଗ: ହୃଦରୋଗ ସହିତ ଧୂମପାନର ଖୁବ୍ ଅଧିକ ସଂପର୍କ ରହିଛି। ହୃଦରୋଗରେ ମୃତ୍ୟୁବରଣ କରୁଥିବା ପ୍ରତି ୫ ଜଣ ଲୋକଙ୍କ ମଧ୍ୟରୁ ଜଣେ ଧୂମପାନ କରିଥାନ୍ତି। ସିଗାରେଟ୍‌ରେ ଥିବା ନିକୋଟିନ୍ ଆମ ଶରୀରରେ ଥିବା ଧମନୀକୁ ଶକ୍ତ କରି ଦେଇଥାଏ। ଏହାଦ୍ୱାରା ହୃଦ୍‌ସ୍ପନ୍ଦନ ବୃଦ୍ଧି ପାଇବା ସହିତ ରକ୍ତଚାପ ବଢ଼ିଯାଇଥାଏ। ଫଳରେ ହୃଦଘାତର ଆଶଙ୍କା ରହେ।

ମଧୁମେହ: ନିକଟରେ କରାଯାଇଥିବା ଏକ ଗବେଷଣାରୁ ଜଣାପଡ଼ିଛି ଯେ ଧୂମପାନ କରୁଥିବା ଲୋକଙ୍କୁ ଅନ୍ୟମାନଙ୍କ ଅପେକ୍ଷା ଟାଇପ-୨ ମଧୁମେହ ହେବାର ଆଶଙ୍କା ୩୦/୪୦% ଅଧିକ ଥାଏ। ପୁଣି ଯଦି ଆପଣଙ୍କୁ ମଧୁମେହ ଥାଏ ଏବଂ ଆପଣ ଧୂମପାନ କରୁଥାନ୍ତି ତାହେଲେ ସୁଗର ସ୍ତରକୁ ନିୟନ୍ତ୍ରଣରେ ରଖିବା କଷ୍ଟକର ହୋଇପଡ଼େ। ଏହାର କାରଣ ହେଲା ଧୂମପାନ କରିବା ଯୋଗୁଁ ରକ୍ତରେ ଶର୍କରାର ସ୍ତର ବଢ଼ିଯାଇଥାଏ। ଏହାଯୋଗୁଁ ଇନସୁଲିନ୍ ପ୍ରସ୍ତୁତ କରିବା ଲାଗି ଶରୀରର କ୍ଷମତା କମିଯାଏ।

ଟିବି: ଧୂମପାନ ଟ୍ୟୁବରକୁଲୋସିସ୍‌(ଟିବି)ର ଅନ୍ୟତମ ପ୍ରମୁଖ କାରଣ। ଏହି ରୋଗ ବିଶ୍ୱର ମୋଟ ଜନସଂଖ୍ୟାର ଏକ ଚତୁର୍ଥାଂଶକୁ ପ୍ରଭାବିତ କରିଥାଏ। ତମାଖୁ ଜାତୀୟ ଉତ୍ପାଦ ବ୍ୟବହାର କରିବା ଦ୍ୱାରା ଫୁସଫୁସ୍ କ୍ଷତିଗ୍ରସ୍ତ ହୋଇଥାଏ। ସେହିପରି ଶରୀରର ରୋଗ ପ୍ରତିରୋଧକ ଶକ୍ତି ବି କମିଯାଏ। ଏହାଯୋଗୁଁ ଧୂମପାନକାରୀ ମାନେ ଟିବି ସଂକ୍ରମଣର ଅଧିକ ଶିକାର ହୋଇଥାନ୍ତି।

ତମାଖୁ ଛାଡ଼ିବାର ଉପକାରିତା

  • ମାତ୍ର ୨୦ ମିନିଟ୍ ମଧ୍ୟରେ ରକ୍ତଚାପ କମିଯିବ
  • ୧୨ ଘଣ୍ଟା ପରେ ରକ୍ତରେ ଥିବା କାର୍ବନ୍ ମନୋକ୍ସାଇଡ୍‌ର ସ୍ତର ସାଧାରଣ ହୋଇଯିବ
  • ଦୁଇରୁ ୧୨ ସପ୍ତାହ ପରେ ରକ୍ତ ସଞ୍ଚାଳନରେ ଉନ୍ନତି ହେବ, ଫୁସଫୁସର କାର୍ଯ୍ୟଦକ୍ଷତା ବଢ଼ିବ
  • ଏକରୁ ନଅ ମାସ ପରେ କାଶିବା ଏବଂ ଅଣନିଃଶ୍ୱାସୀ ହେବା କମିଯିବ
  • ବର୍ଷକ ପରେ ହୃଦରୋଗର ଆଶଙ୍କା ଅଧା ହୋଇଯିବ
  • ୫ରୁ ୧୫ ବର୍ଷ ପରେ ହୃଦଘାତର ଆଶଙ୍କା କମିଯିବ
  • ୧୦ ବର୍ଷ ପରେ ଫୁସଫୁସ୍ କର୍କଟ ଦ୍ୱାରା ପ୍ରଭାବିତ ହେବାର ଆଶଙ୍କା ଅଧା କମିଯିବ

smoking: say no to smoke

ତମାଖୁ ଛାଡ଼ିବେ କିପରି? (How to quit smoking in Odia)

ତମାଖୁ ଛାଡ଼ିବା ପାଇଁ ଦୃଢ଼ ମନୋବଳ ଆବଶ୍ୟକ। ତମାଖୁର ଭୟାବହତାକୁ ଅନୁଭବ କରି ନିଜକୁ ଏଥିପାଇଁ ପ୍ରସ୍ତୁତ କରନ୍ତୁ।

ଅଫିସ୍ ପାର୍ଟି, ସାମାଜିକ ଉତ୍ସବ, ବନ୍ଧୁମେଳ ବା ଅନ୍ୟ କୌଣସି ସମସ୍ୟା କେଉଁ ସମୟରେ ଆପଣ ତମାଖୁ ପ୍ରତି ଦୁର୍ବଳ ହୋଇପଡ଼ୁଛନ୍ତି ତାହା ଲକ୍ଷ୍ୟ କରନ୍ତୁ। ସେ ସମୟରେ ନିଜକୁ କିପରି ନିୟନ୍ତ୍ରଣରେ ରଖିବେ ସେହି ଯୋଜନା କରନ୍ତୁ।

ଧୂମପାନକାରୀମାନେ ଡାକ୍ତରଙ୍କ ପରାମର୍ଶ ଅନୁସାରେ ନିକୋଟିନ୍ ଗମ୍‌, ନାଜାଲ ସ୍ପ୍ରେ ବା ଇନହେଲର ବି ନେଇପାରିବେ। ତେବେ ଏହା ଦୀର୍ଘଦିନ ଧରି ବ୍ୟବହାର କରିବା ଅନୁଚିତ୍।

ତମାଖୁ ଜାତୀୟ ଉତ୍ପାଦଠାରୁ ପ୍ରଥମେ ୧୦ ମିନିଟ୍‌, ୨୦ ମିନିଟ୍‌, ଗୋଟିଏ ଓଳି ଏହିଭଳି ଦୂରେଇ ରହିବାକୁ ଉଦ୍ୟମ କରନ୍ତୁ। ଅନ୍ୟମାନଙ୍କ ସହ ମିଳାମିଶା କରି ସେହି ସମୟକୁ ଗଡ଼ାଇ ଚାଲନ୍ତୁ। ଏହି ସାଧାରଣ କଥା ଆପଣଙ୍କର ତମାଖୁ ସେବନର ନିଶାକୁ କମାଇଦେବ।

ତମାଖୁ ଅଭ୍ୟାସ ମନେ ନ ପଡ଼ିବା ଲାଗି ପାଟିରେ ଲବଙ୍ଗ, ପାନମଧୁରୀ, ଗୁଜୁରାତି ଇତ୍ୟାଦି ପକାଇବା ଅଭ୍ୟାସ କରନ୍ତୁ। ନ ହେଲେ ଚକୋଲେଟ୍ ବି ଖାଇପାରିବେ।

ଶାରୀରିକ ପରିଶ୍ରମ ଜାରି ରଖନ୍ତୁ। ଏହାଦ୍ୱାରା ଆପଣଙ୍କର ମନୋବଳ ବୃଦ୍ଧି ହେବା ସହିତ ତମାଖୁ ଖାଇବାର ଅଭ୍ୟାସ ବି ରହିବ ନାହିଁ। ଏସବୁ ବ୍ୟତୀତ ଯୋଗ କିମ୍ବା ଧ୍ୟାନ ଆପଣଙ୍କର ଏକାଗ୍ରତାକୁ ଆହୁରି ବୃଦ୍ଧି କରିବ।

ଆବଶ୍ୟକ ହେଲେ କାଉନସିଲିଂର ସହାୟତା ନେଇପାରିବେ। ଏଥିପାଇଁ ଆପଣଙ୍କୁ ପରିବାର ଲୋକଙ୍କଠାରୁ ଆରମ୍ଭ କରି ଅନ୍ୟମାନେ ସହାୟତା କରିପାରିବେ।

World No Tobacco Day is observed around the world every year on 31 May. know how tobacco damage your body. Health Tips in Odia. #WorldNoTobaccoDay  #SayNoToTobacco