ପ୍ରଫେସର୍‌ ଜ୍ୟୋତି ରଞ୍ଜନ ପରିଡ଼ା

ପ୍ରତିବର୍ଷ ମେ’ ୧୦ ତାରିଖକୁ ‘ବିଶ୍ୱ ଲୁପସ୍‌ ଦିବସ’ ଭାବରେ ପାଳନ କରାଯାଏ।

ଲୁପସ୍‌ ଏକ ପ୍ରକାର ରୋଗ ଯେଉଁଥିରେ ରୋଗ ପ୍ରତିରୋଧକ ଶକ୍ତି ମଣିଷ ଶରୀରକୁ ସୁରକ୍ଷା ଦେବା ପରିବର୍ତ୍ତେ ବିଭିନ୍ନ ଅଙ୍ଗ ପ୍ରତ୍ୟେଙ୍ଗକୁ ଭୁଲବଶତଃ ଆକ୍ରମଣ କରି ପ୍ରଦାହ ଘଟାଏ ଏବଂ କ୍ଷତିକରେ। ଏହା ଚର୍ମଠାରୁ ଆରମ୍ଭ କରି ବୃକକ, ମସ୍ତିଷ୍କ, ସ୍ନାୟୁ, ଅନ୍ତନଳୀ, ଦୃଦ୍‌ପିଣ୍ଡ ଆଦିକୁ ପ୍ରଭାବିତ କରି ବିଭିନ୍ନ ଅଙ୍ଗକୁ ଅଚଳ କରିପାରେ। ଠିକ୍‌ ସମୟରେ ରୋଗ ଚିହ୍ନଟ କରି ଚିକିତ୍ସା ଆରମ୍ଭ କଲେ ଏହି ରୋଗ ସହ ରୋଗୀ ସାଧାରଣ ଜୀବନଯାପନ କରିପାରେ। କିନ୍ତୁ ଅବହେଳା ବା ଡେରି କଲେ ରୋଗୀ ମୃତ୍ୟୁବରଣ କରିବାର ମଧ୍ୟ ଆଶଙ୍କା ଥାଏ। ତେଣୁ ସମାଜରେ ଏହି ରୋଗ ବିଷୟରେ ସଚେତନତା ସୃଷ୍ଟି କରି କିପରି ଏହି ରୋଗୀମାନଙ୍କୁ ସାମାନ୍ୟ ଲକ୍ଷଣ ଦେଖାଦେବା ମାତ୍ରେ ସଠିକ୍‌ ଚିକିତ୍ସା ସୁବିଧା କରାଯାଇ ପାରିବ ଓ ଲୁପସ୍‌ ରୋଗୀମାନଙ୍କୁ ଶାରୀରିକ ଓ ମାନସିକ ଭାବେ ସୁଦୃଢ଼ କରି ଉତ୍ସାହିତ କରାଯାଇପାରିବ, ତାହା ହିଁ ଏହି ଦିବସର ମୂଳ ଲକ୍ଷ୍ୟ।

ଲୁପସ୍‌ ରୋଗ କ’ଣ? (What is Lupus in Odia)

ଏହା ଏକ ଅଟୋ ଇମ୍ୟୁନ୍‌ ରୋଗ। ଯେଉଁଥିରେ ଶରୀରର ରୋଗ ପ୍ରତିରୋଧକାରୀ ଶକ୍ତି ଭୁଲବଶତଃ ନିଜ ଶରୀରର ଅଙ୍ଗପ୍ରତ୍ୟେଙ୍ଗକୁ ଆଘାତ କରିଥାଏ, ଏହାକୁ ଏସ୍‌ଏଲ୍‌ଇ ବା ସିଷ୍ଟମିକ୍‌ ଲୁପସ୍‌ ଏରିଦ୍‌ମାଟୋସସ୍‌ ନାମରେ ଜଣାଯାଏ।

ଲୁପସ୍‌ ରୋଗର ଲକ୍ଷଣ କିପରି ଦେଖାଯାଏ? (Symptoms of Lupus in Odia)

ଖରାକୁ ବାହାରିଲେ ମୁହଁ ଲାଲ ପଡ଼ିବା, ପାଟି ଉପର ତାଳୁରେ ଘା’ ହେବା, ଅତିଶୟ ଚୁଟି ଝଡ଼ିବା, ଦୀର୍ଘ ଦିନ ଧରି ଜ୍ଵର ନ ଛାଡ଼ିବା, ଗଣ୍ଠି ଯନ୍ତ୍ରଣା ହେବା, ରକ୍ତହୀନତା ଦେଖାଦେବା, ପରିସ୍ରାରେ ପ୍ରୋଟିନ୍‌ ଯିବା, ଅତିଶୟ କ୍ରାନ୍ତ ଲାଗିବା ହେଉଛି ଲୁପସ୍‌ ରୋଗର ଲକ୍ଷଣ।

ଲୁପସ୍‌ ରୋଗକୁ ଚିହ୍ନିବା କିପରି? (Diagnosis of Lupus in Odia)

ଭିନ୍ନ ଭିନ୍ନ ଲୋକଙ୍କଠାରେ ଭିନ୍ନ ଭିନ୍ନ ଲକ୍ଷଣମାନ ଜଣାପଡ଼ିଥାଏ। କେବଳ ଗୋଟିଏ ଲକ୍ଷଣ ବା ରକ୍ତ ପରୀକ୍ଷା ଦ୍ୱାରା ଏହି ରୋଗ ଚିହ୍ନଟ ହୋଇପାରେ ନାହିଁ। ଲୁପସ୍‌ର ସମସ୍ତ ଲକ୍ଷଣ ପ୍ରକାଶ ପାଇଲେ ଡାକ୍ତର ଲୁପସ୍‌ ରୋଗ ସନ୍ଦେହ କରି ରକ୍ତ ପରୀକ୍ଷା କରିଥାଆନ୍ତି।

ଲୁପସ୍‌ ରୋଗ ଚିହ୍ନଟ ପାଇଁ ଏଏନ୍‌ଏ ଟେଷ୍ଟ କରାଯାଏ। ଏଏନ୍‌ଏ ଟେଷ୍ଟ ପଜିଟିଭ୍‌ ବାହାରିଲେ ଆଣ୍ଟି ଡିଏସ୍‌ଡିଏନ୍‌ଏ ଆଣ୍ଟିବଡି, ଏସ୍‌ଏମ୍‌ ଆଣ୍ଟିବଡି ଆଦି ପରୀକ୍ଷା କରି ଏହି ରୋଗ ନିରୂପଣ କରାଯାଏ।

କେଉଁ ବୟସରେ ଅଧିକ ଦେଖାଦିଏ? (At what age does Lupus starts in odia)

ସାଧାରଣତଃ ଏହି ରୋଗ ୧୫ରୁ ୪୫ ବର୍ଷ ବୟସ୍କ ମହିଳାମାନଙ୍କ ମଧ୍ୟରେ ଅଧିକ ଦେଖାଦିଏ। ପ୍ରତି ୧୦ ଜଣ ଲୁପସ୍‌ ରୋଗୀଙ୍କ ମଧ୍ୟରେ ୯ ଜଣ ମହିଳା ଥାଆନ୍ତି। ଛୋଟ ପିଲାଙ୍କଠାରେ ମଧ୍ୟ ଏହା ହୋଇପାରେ।

ଚିକିତ୍ସା (Treatment of Lupus in Odia)

ମଧୁମେହ, ଉଚ୍ଚ ରକ୍ତଚାପ ଭଳି ଲୁପସ୍‌ ଏକ ଦୀର୍ଘସ୍ଥାୟୀ ରୋଗ। ରୋଗର ଲକ୍ଷଣ ପ୍ରକାଶ ପାଇଲେ ସଙ୍ଗେ ସଙ୍ଗେ ରୁମାଟୋଲୋଜି ଡାକ୍ତରଙ୍କୁ ଯୋଗାଯୋଗ କରିବା ଆବଶ୍ୟକ। ଏହି ରୋଗକୁ ପ୍ରାଥମିକ ଅବସ୍ଥାରେ ଅଟକାଇ ହେବ, ଯଦ୍ୱାରା ଶରୀରର ଅଙ୍ଗ ଯେପରିକି ବୃକକ୍, ଅନ୍ତନଳୀ, ହୃଦ୍‌ପିଣ୍ଡ ଆଦି ସୁରକ୍ଷିତ ରହିବ ଏବଂ ରୋଗୀ ସାଧାରଣ ଜୀବନଯାପନ କରିପାରିବେ।

ବର୍ତ୍ତମାନ ଚିକିତ୍ସା ବିଭାଗର ଅଗ୍ରଗତି ସାଙ୍ଗରେ ଲୁପସ୍‌ ରୋଗର ସଫଳ ଚିକିତ୍ସା ସମ୍ଭବ ହୋଇପାରୁଛି।

ଲୁପସ୍‌ ରୋଗୀମାନେ କ’ସବୁ ସାବଧାନତା ଅବଲମ୍ବନ କରିବେ? (What precautions do Lupus patients take in Odia)

ସୂର୍ଯ୍ୟକିରଣରେ ଥିବା ଅଲଟ୍ରାଭାଓଲେଟ୍‌ ରଶ୍ମୀ (UV light) ଲୁପସ୍‌ ରୋଗୀଙ୍କ ପାଇଁ କ୍ଷତିକାରକ। ତେଣୁ ଲୁପସ୍‌ ରୋଗୀ ଖରାକୁ ନ ଯିବା ଆବଶ୍ୟକ ଏବଂ ପରେ ସନ୍‌ସ୍କ୍ରିନ୍‌ ମଲମ ବା କଳାରଙ୍ଗର ଛତା ନେଇ ବାହାରକୁ ଯାଆନ୍ତୁ।

ଧୂମପାନ ବର୍ଜନ କରିବା ସହ ଚାପମୁକ୍ତ ରହିବା ଦ୍ୱାରା ମଧ୍ୟ ଏମାନଙ୍କୁ ଲାଭ ମିଳିଥାଏ।

ଲୁପସ୍‌ ରୋଗୀ କୋଭିଡ୍‌ ସମୟରେ କିଭଳି ସାବଧାନ ରହିବେ? (How to be careful during covid-19 in Odia)

କୋଭିଡ୍‌ ସମୟରେ ଲୁପସ୍‌ ରୋଗୀଙ୍କୁ ବିଭିନ୍ନ ପ୍ରକାର ସଂକ୍ରମଣ ହେବାର ଆଶଙ୍କା ଥାଏ। ତେଣୁ ସମସ୍ତଙ୍କ ଭଳି ଏମାନେ ମଧ୍ୟ କୋଭିଡ୍‌ ନିୟମ ଯେପରିକି ମାସ୍କ ପିନ୍ଧିବା, ହାତ ଧୋଇବା, ସାମାଜିକ ଦୂରତା ଭଳି ନିୟମକୁ ପାଳନ କରିବା ଆବଶ୍ୟକ। ଯଦି କୌଣସି କୋଭିଡ୍‌ ଲକ୍ଷଣ ଦେଖାଦିଏ ତୁରନ୍ତ ଡାକ୍ତରୀ ପରାମର୍ଶ ନେବା ଆବଶ୍ୟକ।

ଲୁପସ୍‌ ରୋଗୀ କରୋନା ଟିକା ନେଇପାରିବେ କି? (Can Lupus patients get the Covid-19 Vaccine in Odia)

ବର୍ତ୍ତମାନ ଭାରତରେ ବ୍ୟବହୃତ ଦୁଇଟି କରୋନା ଟିକା କୋଭିସିଲ୍ଡ ଏବଂ କୋଭାକ୍ସିନ୍‌, ଲୁପସ୍‌ ରୋଗୀଙ୍କ ବ୍ୟବହାର ନିମନ୍ତେ ସୁରକ୍ଷିତ। କେବଳ ଯେଉଁମାନେ ଅଧିକ ଡୋଜ୍‌ର ଷ୍ଟେରୋଏଡ୍‌ ବା ବିଭିନ୍ନ ଇମ୍ୟୁନୋ ସପ୍ରେସିଭ୍‌ ଔଷଧ ସେବନ କରୁଛନ୍ତି, ସେମାନେ ଡାକ୍ତରଙ୍କ ପରାମର୍ଶ କ୍ରମେ ଟିକା ନେବା ଦରକାର।