ଜନ୍ମର ଏକ ଘଣ୍ଟା ମଧ୍ୟରେ ଶିଶୁକୁ ସ୍ତନ୍ୟପାନ କରାଇବା ଜରୁରୀ। କେବଳ ସେତିକି ନୁହେଁ, ସ୍ତନ୍ୟପାନ କରାଇବା ପାଇଁ ମା’ମାନଙ୍କୁ ପ୍ରୋତ୍ସାହିତ କରିବା ଉଚିତ।

breastfeedingପ୍ରସବ ପରେ ତୁରନ୍ତ ସଦ୍ୟଜାତ ଶିଶୁକୁ ମା’କୁ ଧରିବାକୁ ଦିଆଯିବ ଆବଶ୍ୟକ। ମା’ ଶରୀର ସହ ଶିଶୁ ଲାଗିକରି ରହିବା ଉଚିତ ଓ ଜନ୍ମର ଏକ ଘଣ୍ଟା ମଧ୍ୟରେ ଶିଶୁକୁ ସ୍ତନ୍ୟପାନ କରିବା ଦ୍ୱାରା ଉଭୟ ମା’ ଏବଂ ଶିଶୁ ଉପକୃତ ହୋଇଥାଆନ୍ତି।

ଜନ୍ମର ୧ ଘଣ୍ଟା ମଧ୍ୟରେ ଶିଶୁକୁ ମା’ର ସ୍ତନ୍ୟ ସହିତ ସଂଲଗ୍ନ କରାନ୍ତୁ। ମା’ର ଗାଢ଼ ହଳଦିଆ କ୍ଷୀର ବା କୋଲେଷ୍ଟ୍ରୋମ ଶିଶୁ ନିଶ୍ଚିତ ଭାବେ ଖୁଆଇବା ଉଚିତ।

କୋଲେଷ୍ଟ୍ରୋମ ଶିଶୁକୁ ଅନେକ ରୋଗ ଦାଉରୁ ରକ୍ଷା କରିଥାଏ।

ପ୍ରଥମ ଛଅ ମାସ ମା’ କ୍ଷୀର ହିଁ ଶିଶୁ ପାଇଁ ସବୁଠାରୁ ଭଲ ଖାଦ୍ୟ ପାନୀୟ ଅଟେ। ଏହି ସମୟରେ ଅନ୍ୟ କୌଣସି ଖାଦ୍ୟ ବା ପାନୀୟର ଯେପରିକି ପାଣିର ଆବଶ୍ୟକତା ନାହିଁ।

ମା’ କ୍ଷୀର ଶିଶୁକୁ ଗୁରୁତର ଅବସ୍ଥାରୁ ରକ୍ଷା କରିଥାଏ। ଏହା ମଧ୍ୟ ମା’ ଓ ଶିଶୁ ମଧ୍ୟରେ ସ୍ୱତନ୍ତ୍ର ବନ୍ଧନ ତିଆରି କରେ।

୬ ମାସ ପରେ ଶିଶୁ ଅନ୍ୟାନ୍ୟ ଖାଦ୍ୟ ଆରମ୍ଭ କଲେ ମଧ୍ୟ ମା’ ୨ ବର୍ଷ ପର୍ଯ୍ୟନ୍ତ ସ୍ତନ୍ୟପାନ ଜାରି ରଖିବା ଆବଶ୍ୟକ। କାରଣ ଏହା ଶିଶୁକୁ ସମସ୍ତ ପୋଷକ ତତ୍ୱ ଯୋଗାଇ ଥାଏ। ମା’ କ୍ଷୀର ଶିଶୁ ଆବଶ୍ୟକ କରୁଥିବା ଶକ୍ତିର ଏକ ଉତ୍ସ ହେବା ସହ ଶିଶୁକୁ ଭୋକ ଦାଉରୁ ରକ୍ଷା କରିଥାଏ।

ଶିଶୁ କାନ୍ଦିବା ତାକୁ ଭୋକ ଲାଗିବାର ଲକ୍ଷଣ ହୋଇନପାରେ। ଶିଶୁକୁ ଭୋକ ଲାଗିବାର ପ୍ରାରମ୍ଭିକ ଲକ୍ଷଣଗୁଡ଼ିକ ହେଲା-

ଅସ୍ଥିରତା

ମୁହଁ ଖୋଲିବା ଏବଂ ମୁଣ୍ଡ ଏପଟ ସେପଟ କରିବା

ଜିଭ ଭିତର ବାହାର କରିବା

ହାତ ଆଙ୍ଗୁଠି ଏବଂ ଗୋଡ଼ ଆଙ୍ଗୁଠି ଚୁଚୁମିବା

ଏସବୁ ଲକ୍ଷଣ ପ୍ରତି ସଜାଗ ରହି ଶିଶୁକୁ ସ୍ତନ୍ୟପାନ କରାଇବା ଉଚିତ।

ଶିଶୁକୁ ସ୍ତନ୍ୟପାନ କରାଉଥିବା ବେଳେ ମା’ମାନେ ଦିନକୁ ୩ ଥର ପୂର୍ଣ୍ଣ ଭୋଜନ ସହ ୨ ଥର ଜଳଖିଆ ଖାଇବା ଆବଶ୍ୟକ।

ପ୍ରାୟ ସବୁ ମା’ ସଫଳ ଭାବେ ସ୍ତନ୍ୟପାନ କରାଇପାରିବେ। ସବୁ ମା’ ବିଶେଷ କରି ମନୋବଳ କମ ଥିବା ମା’ ମାନଙ୍କୁ ଉତ୍ସାହିତ କରିବା ସଙ୍ଗେ ସଙ୍ଗେ ପିତା ଓ ପରିବାର ଲୋକମାନେ ତାଙ୍କୁ ଏହି ଦିଗରେ ସାହାଯ୍ୟ କରିବା ଆବଶ୍ୟକ। ସ୍ୱାସ୍ଥ୍ୟକର୍ମୀ, ଗୋଷ୍ଠୀକର୍ମୀ, ମହିଳା ସଂଗଠନ ଏବଂ କର୍ମଚାରୀମାନେ ସ୍ତନ୍ୟପାନକୁ ପ୍ରୋତ୍ସାହିତ କରିବା ସହ ସହଯୋଗ କରିବା ଆବଶ୍ୟକ।

(ସୌଜନ୍ୟ- ଜାତୀୟ ସ୍ୱାସ୍ଥ୍ୟ ମିଶନ ପକ୍ଷରୁ ପ୍ରକାଶିତ ପୁସ୍ତିକା)