ସ୍ତନ୍ୟପାନ ଦ୍ୱାରା ଉଭୟ ମା’ ଏବଂ ଶିଶୁ ବେଶ ଉପକୃତ ହୋଇଥାଆନ୍ତି। ସ୍ତନ୍ୟପାନକୁ ଉତ୍ସାହିତ କରିବା ଉଦ୍ଦେଶ୍ୟରେ ପ୍ରତିବର୍ଷ ଅଗଷ୍ଟ ୧ରୁ ୭ ତାରିଖକୁ ସ୍ତନ୍ୟପାନ ସପ୍ତାହ ଭାବେ ପାଳନ କରାଯାଏ।

mother breastfeedingସ୍ତନ୍ୟପାନ। ଶୁଣିବାକୁ ସାଧାରଣ ଲାଗୁଥିଲେ ମଧ୍ୟ ଶିଶୁ ଏବଂ ମା’ ସ୍ୱାସ୍ଥ୍ୟ ପାଇଁ ଉପାଦେୟ ହୋଇଥାଏ। ମା’ କ୍ଷୀର ଶିଶୁର ଉନ୍ନତ ସ୍ୱାସ୍ଥ୍ୟ ପାଇଁ ବଳିଷ୍ଠ ଉତ୍ସ। ବିଶେଷ କରି ଶିଶୁ ଜନ୍ମ ହେବା ପରେ ମା’ର ପ୍ରଥମ କ୍ଷୀର ଶିଶୁ ପାଇଁ ଲାଭଦାୟକ ହୋଇଥାଏ। ପ୍ରଥମ କିଛି ଦିନର ମା’ କ୍ଷୀରରେ ବିଭିନ୍ନ ପୋଷକ ତତ୍ୱ ଏବଂ କୋଲେଷ୍ଟ୍ରମ ରହିଥାଏ, ଯାହାକି ଶିଶୁ ପାଇଁ ବେଶ ଉପକାରୀ। ମା’ କ୍ଷୀର ଶିଶୁର ଶାରୀରିକ ଏବଂ ମାନସିକ ବିକାଶ ଦିଗରେ ସହାୟ ହୋଇଥାଏ। ସ୍ତନ୍ୟପାନ କରାଇବା ଫଳରେ ଶିଶୁର ରୋଗ ପ୍ରତିରୋଧକ ଶକ୍ତି ବୃଦ୍ଧି ହୋଇଥାଏ। କେବଳ ଶିଶୁ ପାଇଁ ସ୍ତନ୍ୟପାନର ଗୁରୁତ୍ୱ ରହିଛି ତାହା ନୁହେଁ, ମା’ମାନେ ମଧ୍ୟ ଏଥିରୁ ଉପକୃତ ପାଇ ଥାଆନ୍ତି।

ପ୍ରଥମ ୬ ମାସ ଶିଶୁକୁ ସ୍ତନ୍ୟପାନ କରାନ୍ତୁ

ଜନ୍ମର ଏକ ଘଣ୍ଟା ପରେ ଶିଶୁକୁ ମା’ କ୍ଷୀର ଦେବା ଜରୁରୀ। ସେହି କ୍ଷୀରରେ ବିଭିନ୍ନ ଭିଟାମିନ ମିଳିଥାଏ ଯାହା ଶିଶୁର ବିକାଶ ଦିଗରେ ସାହାଯ୍ୟ କରିଥାଏ। ଶାରୀରିକ ଅଭିବୃଦ୍ଧି ଏବଂ ମାନସିକ ବିକାଶ ପାଇଁ ଜନ୍ମ ପର ୬ ମାସ ପର୍ଯ୍ୟନ୍ତ ଶିଶୁକୁ ମା’ କ୍ଷୀର ପିଆଇବା ଆବଶ୍ୟକ।

ସ୍ତନ୍ୟପାନ ଦ୍ୱାରା ଶିଶୁର ଉପକାର

ଶିଶୁ ପାଇଁ ମା’ କ୍ଷୀର ହିଁ ସର୍ବୋତ୍ତମ ଖାଦ୍ୟ। ମା’ କ୍ଷୀରରେ ଆଣ୍ଟିବଡି ରହିଥିବାରୁ ଏହା ଶିଶୁକୁ ଅନେକ ରୋଗ କବଳରୁ ରକ୍ଷା କରିଥାଏ। ମା’ କ୍ଷୀର ଶିଶୁମାନଙ୍କ ଉପରେ କୌଣସି କୁପ୍ରଭାଵ ପକାଏ ନାହିଁ। ମା’ କ୍ଷୀର ପିଇବା ଫଳରେ ଶିଶୁକୁ ଡାଇରିଆ ଏବଂ ନିମୋନିଆ ରୋଗ ହେବାର ଆଶଙ୍କା କମ ହୋଇଥାଏ।

ଶିଶୁର ପ୍ରଥମ ଛଅ ମାସ ପର୍ଯ୍ୟନ୍ତ ଆବଶ୍ୟକ ହେଉଥିବା ପୃଷ୍ଟିକର ଯଥା ସ୍ନେହସାର, ପୃଷ୍ଟିସାର, ଭିଟାମିନ, ଲୌହ, କ୍ୟାଲସିୟମ ଏବଂ ଫସଫେଟ ଆଦି ମା’ କ୍ଷୀରରେ ଭରପୂର ମିଳିଥାଏ।

ଏହା ବାହାର ଶିଶୁଖାଦ୍ୟ ତୁଳନାରେ ସହଜରେ ହଜମ ହୋଇପାରେ। ଫଳରେ ଶିଶୁ ନିକଟରେ କୌଣସି ପେଟଜନିତ ସମସ୍ୟା ଦେଖାଦେଇନଥାଏ।

ପ୍ରଥମ କଷ କ୍ଷୀରରେ ଥିବା ଗ୍ରୋଥ ଫ୍ୟାକ୍ଟର ଶିଶୁର ଖାଦ୍ୟନଳୀର କାର୍ଯ୍ୟ କ୍ଷମତା ବୃଦ୍ଧି କରିଥାଏ। ଫଳରେ ହଜମ ପ୍ରକ୍ରିୟା ତ୍ୱରିତ ହୋଇଥାଏ।

ମା’ କ୍ଷୀର ପିଇବା ଦ୍ୱାରା ଶିଶୁକୁ ଜଣ୍ଡିସ ହେବାର ଆଶଙ୍କା କମ ହୋଇଥାଏ।

ସ୍ତନ୍ୟପାନ ମା’ ଏବଂ ଶିଶୁ ମଧ୍ୟରେ ଉତ୍ତମ ସମ୍ପର୍କ ଗଢ଼ିବାରେ ସାହାଯ୍ୟ କରିଥାଏ।

ସ୍ତନ୍ୟପାନ ଦ୍ୱାରା ମା’ର ଉପକାର

ପ୍ରସବ ପରେ ସ୍ତନ୍ୟପାନ ସମୟରେ ମା’ ମସ୍ତିଷ୍କରୁ ଏକ ପ୍ରକାର ହରମୋନ କ୍ଷରଣ ହୋଇଥାଏ ଯାହା ପ୍ରଭାବରେ ପ୍ରସବ ପରବର୍ତ୍ତୀ ରକ୍ତସ୍ରାବ କମ ହୋଇଥାଏ।

ଶିଶୁକୁ ସ୍ତନ୍ୟପାନ କରାଇବା ଫଳରେ ସ୍ତନ ଏବଂ ଗର୍ଭାଶୟ କର୍କଟ ହେବାର ଆଶଙ୍କା କମ ହୋଇଥାଏ।

ସ୍ତନ୍ୟପାନ କରାଇବା ଦ୍ୱାରା ମା’ ଶରୀରରୁ ଚର୍ବି କେତେକାଂଶରେ କମିଯାଇଥାଏ।

ମହିଳାମାନେ ପ୍ରସବ ପରେ ମାନସିକ ଅବସାଦର ଶିକାର ହୋଇଥାନ୍ତି। ଶିଶୁକୁ ସ୍ତନ୍ୟପାନ କରାଇବା ଫଳରେ ଏହି ସମସ୍ୟାରୁ ଉପଶମ ମିଳିଥାଏ।