ପ୍ରତିବର୍ଷ ଜୁନ୍‌ ୧୪ରେ ବିଶ୍ୱ ରକ୍ତଦାତା ଦିବସ ଭାବେ ପାଳନ କରାଯାଏ। ଏହି ଦିବସର ମୂଳ ଲକ୍ଷ୍ୟ ହେଉଛି ଜନସାଧାରଣଙ୍କୁ ରକ୍ତଦାନ ବିଷୟରେ ସଚେତନ କରିବା ଏବଂ ସ୍ୱେଚ୍ଛାକୃତ ରକ୍ତଦାନ କରିବାକୁ ଉତ୍ସାହିତ କରିବା।

ରକ୍ତର କୌଣସି ବିକଳ୍ପ ନାହିଁ। ଏହା କେବଳ ଶରୀରରୂପି କାରଖାନାରେ ତିଆରି ହୋଇଥାଏ। କୌଣସି କାରଣରୁ ଯଦି ଜଣେ ମଣିଷର ଶରୀରରେ ରକ୍ତ ଚଢ଼େଇବା ଆବଶ୍ୟକ ହୁଏ, ତାହାହେଲେ ତାହା କେବଳ ଆଉ ଜଣେ ବ୍ୟକ୍ତିଙ୍କ ରକ୍ତ ଦ୍ୱାରା ପୂରଣ କରିବା ସମ୍ଭବ। ରକ୍ତଦାନ ଜୀବନ ଦାନ କରିବା ସହିତ ସମାନ ହୋଇଥିବାରୁ ଏହାକୁ ମହତ ଦାନ ବୋଲି କୁହାଯାଏ। ବିଶେଷଜ୍ଞଙ୍କ ମତରେ ଜଣେ ଲୋକ ରକ୍ତ ଦାନ କରି ଏକ ସଙ୍ଗେ ତିନି ଜଣଙ୍କୁ ଜୀବନ ଦାନ ଦେଇପାରିବ। ହେଲେ, ବିଡ଼ମ୍ବନାର ବିଷୟ ଏହା ଯେ ରକ୍ତଦାନ କରିବା ଏକ ସରଳ ଓ ସୁରକ୍ଷିତ ପ୍ରକ୍ରିୟା ହୋଇଥିଲେ ମଧ୍ୟ ଅଧିକାଂଶ ଲୋକ ରକ୍ତଦାନ ସମ୍ବନ୍ଧୀୟ ଭ୍ରମ ଧାରଣାର ବଶବର୍ତ୍ତୀ ହୋଇ ରକ୍ତଦାନ ଭଳି ମହତ କାର୍ଯ୍ୟ କରିବାଠାରୁ ଦୂରେଇ ରହୁଛନ୍ତି। ଫଳରେ ରକ୍ତ ଅଭାବରୁ ଅନେକ ଲୋକଙ୍କ ଜୀବନହାନୀ ହେଉଛି। ଜନସାଧାରଣଙ୍କୁ ରକ୍ତଦାନ ବିଷୟରେ ସଚେତନ କରିବା ପାଇଁ, ସ୍ୱେଚ୍ଛାକୃତ ରକ୍ତଦାନ କରିବାକୁ ଉତ୍ସାହିତ କରିବା ପାଇଁ ତଥା ରକ୍ତଦାତାଙ୍କୁ ସେମାନଙ୍କ ମହତ କାର୍ଯ୍ୟ ପାଇଁ ଧନ୍ୟବାଦ ଜ୍ଞାପନ କରିବା ପାଇଁ ପ୍ରତିବର୍ଷ ଜୁନ୍‌ ୧୪ ତାରିଖରେ ବିଶ୍ୱ ରକ୍ତଦାତା ଦିବସ ବା ୱାର୍ଲଡ୍‌ ବ୍ଲଡ୍‌ ଡୋନେସନ୍‌ ଡେ’ ପାଳନ କରାଯାଉଛି। ଆସନ୍ତୁ ଆଜିର ଏହି ଦିନରେ ବିଶ୍ୱ ରକ୍ତଦାତା ଦିବସ ସମ୍ବନ୍ଧୀୟ କେତେକ ତଥ୍ୟ ବିଷୟରେ ଜାଣିବା:

ରକ୍ତଦାତା ଦିବସର ସଂକ୍ଷିପ୍ତ ଇତିହାସ

ସମଗ୍ର ବିଶ୍ୱରେ ରକ୍ତ ଅଭାବ ପୂରଣ କରିବା ଉଦ୍ଦେଶ୍ୟରେ ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ ଆନୁକୂଲ୍ୟରେ ୨୦୦୪ ମସିହାରୁ ପ୍ରତିବର୍ଷ ଜୁନ୍‌ ୧୪ତାରିଖରେ ବିଶ୍ୱ ରକ୍ତଦାତା ଦିବସ ପାଳନ କରାଯାଉଛି। ଏହା ମଧ୍ୟ ହେଉଛି ନୋବେଲ୍‌ ପୁରସ୍କାର ବିଜେତା କାର୍ଲ ଲେଣ୍ଡଷ୍ଟେନର୍‌ଙ୍କ ଜନ୍ମଦିନ। କାର୍ଲ ଲେଣ୍ଡଷ୍ଟେନର୍‌ ସର୍ବପ୍ରଥମେ ରକ୍ତର ବର୍ଗୀକରଣ (ABO ବ୍ଲଡ୍‌ ଗ୍ରୁପ୍‌ ସିଷ୍ଟମ) କରିବାରେ ସଫଳ ହୋଇଥିଲେ। ABO ବ୍ଲଡ୍‌ ଗ୍ରୁପ୍‌ର ସନ୍ଧାନ ରକ୍ତ ସଂଚାରଣ ବା ବ୍ଲଡ୍‌ ଟ୍ରାନ୍ସଫ୍ୟୁଜନ୍‌ କାମକୁ ତ୍ୱରାନ୍ୱିତ କରିଥିଲା। କାର୍ଲ ଲେଣ୍ଡଷ୍ଟନର୍‌ଙ୍କୁ ସମ୍ମାନ ପ୍ରଦର୍ଶନ କରିବା ପାଇଁ ତାଙ୍କ ଜନ୍ମଦିନ ଜୁନ୍‌ ୧୪ତାରିଖରେ ବିଶ୍ୱ ରକ୍ତଦାତା ଦିବସ ପାଳନ କରାଯାଉଛି।

ରକ୍ତଦାନ କରିବାର ଲାଭ (Health benefits of donating blood in Odia)

ଅଧିକାଂଶ ଲୋକଙ୍କ ଏହି ଧାରଣା ରହିଛି ଯେ ରକ୍ତଦାନ କରିବା ଦ୍ୱାରା ଶରୀର ଦୁର୍ବଳ ହୋଇଯାଏ ତଥା ଶରୀରର ରୋଗ ପ୍ରତିରୋଧକ ଶକ୍ତି ହ୍ରାସ ପାଇଥାଏ। କିନ୍ତୁ ଏହା ଠିକ୍‌ ନୁହେଁ। ରକ୍ତଦାନ କରିବା ଦ୍ୱାରା ଅନେକ ସ୍ୱାସ୍ଥ୍ୟଗତ ଫାଇଦା ମିଳିଥାଏ। ଯେପରିକି-

ରକ୍ତଦାନ କରିବା ଦ୍ୱାରା ହୃଦ୍‌ଘାତର ଆଶଙ୍କା କମ୍‌ ହୋଇଥାଏ। ନିୟମିତ ରକ୍ତଦାନ କରିବା ଫଳରେ ରକ୍ତରେ ଆଇରନ୍‌ର ପରିମାଣ ବୃଦ୍ଧି ପାଏ ନାହିଁ ଓ ରକ୍ତ ପତଳା ହୋଇଥାଏ, ଯାହା ହୃଦୟକୁ ସୁସ୍ଥ ରଖିବାରେ ସହାୟକ ହୋଇଥାଏ।

ନିୟମିତ ଭାବେ ରକ୍ତଦାନ କରିବା ଦ୍ୱାରା ଅସ୍ଥିମଜ୍ଜାରେ ନୂଆ ଲୋହିତ ରକ୍ତ କଣିକା ଜାତ ହୋଇଥାଏ ଯାହା ଶରୀରକୁ ସୁସ୍ଥ ରିଖିବାରେ ପ୍ରମୁଖ ଭୂମିକା ଗ୍ରହଣ କରିଥାଏ।

ଏକ ନୂତନ ଅଧ୍ୟୟନରୁ ଜଣା ପଡ଼ଛି ଯେ ରକ୍ତଦାନ କରିବା ଦ୍ୱାରା ଶରୀରର ବିଷାକ୍ତ ପଦାର୍ଥ ବାହାରକୁ ବାହାରି ଯାଏ, ଯାହା କ୍ୟାନ୍‌ସର୍‌ର ଆଶଙ୍କା କମ୍‌ କରିଥାଏ।

ଲିଭର୍‌କୁ ସୁସ୍ଥ ରଖିବାରେ ମଧ୍ୟ ରକ୍ତଦାନ ସହାୟକ ହୋଇଥାଏ। ଶରୀରରେ ଆଇରନ୍‌ର ମାତ୍ରା ବୃଦ୍ଧି ହେଲେ ଲିଭର୍‌ ପ୍ରଭାବିତ ହୋଇଥାଏ। ରକ୍ତଦାନ କରିବା ଦ୍ୱାରା ଆଇରନ୍‌ର ପରିମାଣ ସନ୍ତୁଳିତ ସ୍ତରରେ ରହିଥାଏ।

ରକ୍ତଦାନ କଲେ କ୍ୟାଲୋରୀ ବର୍ଣ୍ଣ ହେଉଥିବାରୁ ଏହା ଓଜନ ହ୍ରାସ କରିବାରେ ମଧ୍ୟ ସହାୟକ ହୋଇଥାଏ।

ରକ୍ତଦାନ ପାଇଁ ଆସିଥିବା ବ୍ୟକ୍ତିଙ୍କର ନିଶୁଳ୍କ ଡାକ୍ତରୀ ଯାଞ୍ଚ କରାଯାଏ। ରକ୍ତଦାନ କରିବା ପୂର୍ବରୁ ସମ୍ଭାବ୍ୟ ରକ୍ତଦାତାଙ୍କର ଓଜନ, ବ୍ଲଡ୍‌ ପ୍ରେସର, ହେମୋଗ୍ଲୋବିନ୍‌ ଓ ବ୍ଲଡ୍‌ଗ୍ରୁପ୍‌ ଆଦି ଯାଞ୍ଚ କରାଯାଏ। ସେହିପରି ରକ୍ତ ଦାନ କରିସାରିବା ପରେ ଏଚ୍‌ଆଇବି, ମ୍ୟାଲେରିଆ, ଏଚ୍‌ବିଏସ୍‌ଏଜି, ଏଚ୍‌ସିବି, ବିଡିଆର୍‌ଏଲ୍‌ ଓ ଆଣ୍ଟିବଡି ସ୍କ୍ରିନିଂ ଆଦି ଯାଞ୍ଚ କରାଯାଇଥାଏ। ଏଣୁ ରକ୍ତଦାତାଙ୍କର ଏହା ମଧ୍ୟରୁ କୌଣସି ସ୍ୱାସ୍ଥ୍ୟଗତ ସମସ୍ୟା ରହିଥିଲେ ତାହା ଏହି ସମୟରେ କରାଯାଉଥିବା ଡାକ୍ତରୀ ଯାଞ୍ଚ ବେଳେ ରକ୍ତଦାତା ଜାଣିପାରିବେ ତଥା ରୋଗର ନିଦାନ ପାଇଁ ଉପଯୁକ୍ତ ପଦକ୍ଷେପ ଗ୍ରହଣ କରିପାରିବେ।

ରକ୍ତଦାନ ସମ୍ବନ୍ଧୀୟ ଭ୍ରାନ୍ତ ଧାରଣା (Myths about blood donation in Odia)

  • ରକ୍ତଦାନ କଲେ ଶରୀର ଦୁର୍ବଳ ହୋଇଯାଏ:
  • ଅଧିକାଂଶ ଲୋକଙ୍କ ଧାରଣା ଯେ ରକ୍ତଦାନ କାରଣରୁ ଶରୀରର ଦୁର୍ବଳ ହୋଇଯାଏ। ହେଲେ, ଏହା ଭୂଲ୍‌ ଧାରଣା। ରକ୍ତଦାନ କରି ସାରିବା ପରେ ଆପଣ ଚିକିତ୍ସକଙ୍କ ନିର୍ଦ୍ଦେଶର ଅନୁପାଳନ କରନ୍ତୁ। ରକ୍ତଦାନ କରିବା ପରେ କିଛି ସମୟ ବିଶ୍ରାମ କରନ୍ତୁ। କିଛି ଘଣ୍ଟା ମଧ୍ୟରେ ଫଳ ରସ ଓ ତରଳ ପାନୀୟ ପିଅନ୍ତୁ। ଶରୀରରେ ନୂତନ କୋଷିକାର ନିର୍ମାଣ ଦ୍ରୁତ ଗତିରେ ହୋଇଥାଏ। ୨୧ ଦିନ ମଧ୍ୟରେ ଶରୀରରେ ଯେତିକି ରକ୍ତ ଦାନ କରାଯାଇଛି, ତାହା ପ୍ରସ୍ତୁତ ହୋଇଯାଏ।
  • ରକ୍ତଦାନ ଏକ ସମୟ ସାପେକ୍ଷ ପୀଡ଼ା ଦାୟକ ପ୍ରକ୍ରିୟା:
  • ରକ୍ତଦାନ ଏକ ସମୟ ସାପେକ୍ଷ ଓ ପୀଡ଼ା ଦାୟକ ପ୍ରକ୍ରିୟା ବୋଲି ଅନେକ ଭାବନ୍ତି। ବାସ୍ତବରେ ସମ୍ପୂର୍ଣ୍ଣ ରକ୍ତଦାନ ପ୍ରକ୍ରିୟା ଶେଷ ହେବା ପାଇଁ ଏକ ଘଣ୍ଟା ବା କମ୍‌ ସମୟ ଲାଗିଥାଏ। ଆଉ ଯେତେଦୂର ପର୍ଯ୍ୟନ୍ତ ରକ୍ତଦାନ ଜନିତ ପୀଡ଼ା କଥା ଉଠୁଛି, ତେବେ ଜାଣି ରଖନ୍ତୁ ପିଲାବେଳେ ଇଂଜେକ୍ସନ୍‌ ନେବାବେଳେ ଯେତିକି କଷ୍ଟ ଅନୁଭବ ହେଉଥିଲା ଏଥିରେ ମଧ୍ୟ ସେତିକି କଷ୍ଟ ଅନୁଭବ ହୋଇଥାଏ।
  • ଶାକାହାରୀମାନେ ରକ୍ତଦାନ କରିବା ଅନୁଚିତ”
  • ଶାକାହାରୀମାନେ ରକ୍ତଦାନ କରିବା ଅନୁଚିତ ବୋଲି ଅନେକ ଭାବନ୍ତି। ହେଲେ, ରକ୍ତଦାନ କରିବା ପାଇଁ ଜଣେ ମାଂସାହାରୀ ହେବା ଆବଶ୍ୟକ ନାହିଁ। ଆପଣଙ୍କ ଶରୀରରେ ରକ୍ତର ପରିମାଣ ଆଇରନ୍‌ ଉପରେ ନିର୍ଭର କରିଥାଏ। ଆଉ ଶାକାହାରୀ ଭୋଜନ ଦ୍ୱାରା ମଧ୍ୟ ଶରୀରକୁ ପର୍ଯ୍ୟାପ୍ତ ଆଇରନ୍‌ ମିଳିପାରିବ।
  • ପତଳା ବ୍ୟକ୍ତିମାନେ ରକ୍ତଦାନ କରିବା ଅନୁଚିତ:
  • ପତଳା ବ୍ୟକ୍ତିମାନେ ସାଧାରଣତଃ ରକ୍ତଦାନ କରିବା ଠାରୁ ଦୂରେଇ ରହିବା ଦେଖାଯାଏ। ହେଲେ, ରକ୍ତଦାନ ସହିତ ପତଳା ବା ମୋଟା ଶରୀରର କୌଣସି ସମ୍ବନ୍ଧ ନାହିଁ। କାରଣ ଜଣଙ୍କ ଶରୀରରେ ମୋଟ ରକ୍ତର ପରିମାଣ ସେମାନଙ୍କ ଶାରୀରିକ ଗଠନ ଉପରେ ନିର୍ଭର କରିନଥାଏ। ବରଂ ସେମାନଙ୍କ ସ୍ୱାସ୍ଥ୍ୟାବସ୍ଥା ଉପରେ ନିର୍ଭର କରିଥାଏ।
  • ମହିଳାମାନେ ରକ୍ତଦାନ କରିପାରିବେ ନାହିଁ:

ଜଣେ ସୁସ୍ଥ ମହିଳା ଜଣେ ସୁସ୍ଥ ପୁରୁଷ ଭଳି ରକ୍ତଦାନ କରିପାରିବେ।

ରକ୍ତଦାନ କେଉଁମାନେ କରିପାରିବେ କେଉଁମାନେ କରିପାରିବେ ନାହିଁ

NACO ମୁତାବକ ରକ୍ତଦାନ କରିବା ପାଇଁ- –

– ବୟସ ୧୮-୬୫ ବର୍ଷ ମଧ୍ୟରେ ହେବା ଆବଶ୍ୟକ।

– ଓଜନ ୪୫ କେଜିରୁ ଅଧିକ ହୋଇଥିବା ଆବଶ୍ୟକ। ୪୫-୫୫ କେଜି ଓଜନ ବର୍ଗରେ ୩୫୦ ଏମ୍‌ଏଲ୍‌ ଓ ୫୫ରୁ ଅଧିକ ଓଜନ ହୋଇଥିଲେ ୪୫୦ ଏମ୍‌ଏଲ୍‌ ରକ୍ତଦାନ କରିପାରିବେ।

-ଶରୀରରେ ଆଇରନ୍‌ ପର୍ଯ୍ୟାପ୍ତ ପରିମାଣରେ ରହିବା ଆବଶ୍ୟକ।

-ହେମୋଗ୍ଲୋବିନ୍‌ ପରିପାଣ ୧୨.୫.୫ କିମ୍ବା ତା’ଠାରୁ ଅଧିକ ହୋଇଥିବ।

-ବ୍ଲଡ୍‌ ପ୍ରେସର୍‌ ସାଧାରଣ ରହିବା ଆବଶ୍ୟକ।

– ରକ୍ତଦାତା ହେପାଟାଇଟିସ୍‌ ଏ ଓ ସି, ଏଚ୍‌ଆଇଭି ଦ୍ୱାରା ସଂକ୍ରମଣ ମୁକ୍ତ ହୋଇଥିବା ଆବଶ୍ୟକ।

-ଜଣେ ପୁରୁଷ ପ୍ରତି ୩ମାସ ବ୍ୟବଧାନରେ ଓ ଜଣେ ମହିଳା ପ୍ରତି ୪ମାସ ବ୍ୟବଧାନରେ ରକ୍ତଦାନ କରିପାରିବେ।

ତେଣୁ ଆଜିଠାରୁ ସଂକଳ୍ପ କରନ୍ତୁ ନିଶ୍ଚିତ ଭାବେ ନିୟମିତ ବ୍ୟବଧାନରେ ରକ୍ତଦାନ କରିବେ ଏବଂ ଜଣଙ୍କ ଜୀବନ ବଞ୍ଚାଇବାରେ ସହାୟକ ହେବେ।