ଆଜି ହେଉଛି ବିଶ୍ୱ ଶ୍ୱାସ ରୋଗ ଦିବସ। ଶ୍ୱାସ ରୋଗର କାରଣ, ନିରାକରଣ, ପ୍ରତିକାର, ସଚେତନତା ସୃଷ୍ଟି କରିବା ହେଉଛି, ଏହି ଦିବସର ମୂଳ ଲକ୍ଷ୍ୟ। ଚଳିତବର୍ଷ ଶ୍ୱାସରୋଗର ବିଷୟବସ୍ତୁ ରହିଛି ଶ୍ୱାସରୋଗ ଭ୍ରାନ୍ତିର ଅନାବରଣ।

ଆସ୍ଥମା ରୋଗ, ସାଧାରଣରେ ଏହାକୁ ଆଜମା ବୋଲି ମଧ୍ୟ କୁହାଯାଏ। ଆଜ୍‌ମା ହେଉଛି ଏକ ଫୁସଫୁସ ରୋଗ। ଏହି ରୋଗ ହେବା ଫଳରେ ଶ୍ୱାସକ୍ରିୟାରେ ବାଧା ସୃଷ୍ଟି ହୋଇଥାଏ ଏବଂ ରୋଗୀ ନିଶ୍ୱାସ ପ୍ରଶ୍ୱାସ ନେବାରେ ଅସୁବିଧା ଅନୁଭବ କରିଥାଏ।

ଯେକୌଣସି ବୟସରେ ଆଜ୍‌ମା ରୋଗ ହୋଇପାରେ। ଜଣେ ବ୍ୟକ୍ତିଙ୍କୁ ଥରେ ଆଜ୍‌ମା ହେଲେ ଏହା ଜୀବନସାରା ଭୋଗିବାକୁ ପଡ଼ିଥାଏ। ହେଲେ ଚିକିତ୍ସା ଦ୍ଵାରା ନିୟନ୍ତ୍ରଣ କରିବାକୁ ପଡ଼େ।

asthma treatment

ଅଧିକ ପଢ଼ନ୍ତୁ: କାହିଁକି ହୋଇଥାଏ ଆସ୍ଥମା ରୋଗ?

ଆଜ୍‌ମାର କାରଣ

ଆଜ୍‌ମା ହେବାର ସବୁଠୁ ସାଧାରଣ କାରଣ ହେଲା ଆଲର୍ଜି। ଯେପରିକି ଧୂଳି ଯୋଗୁଁ ଆଲର୍ଜି ହେବା, କୌଣସି ଖାଦ୍ୟ ଯୋଗୁଁ ଆଲର୍ଜି ହେବା, ଘରେ ଯଦି ଅସରପା ପଡ଼ି ରହିଥିବେ, ଛୋଟ ପିଲା ତା’ର ସଂସ୍ପର୍ଶରେ ଆସିଲେ ଆଲର୍ଜି ହୋଇଥାଏ। ଏହାଛଡ଼ା କୌଣସି ଫ୍ଲୁ କିମ୍ବା ସଂକ୍ରମଣ  ଯୋଗୁଁ ଆସ୍ଥମା ହେବାର ଆଶଙ୍କା ଥାଏ। ଆସ୍ଥମାର ଆଉ ଏକ କାରଣ ହେଉଛି ଧୂମପାନ। ଧୂମପାନ କରୁଥିବା ବ୍ୟକ୍ତି କିମ୍ବା ଧୂମପାନରୁ ବାହାରୁଥିବା ଧୂଆଁର ସଂସ୍ପର୍ଶରେ ଆସୁଥିବା ବ୍ୟକ୍ତିଙ୍କୁ ଆସ୍ଥମା ହେବାର ଆଶଙ୍କା ଅଛି। କିନ୍ତୁ, ଧୂମପାନ ବନ୍ଦ କରିଦେଲେ ଆସ୍ଥମା ଭଲ ହୋଇଯିବାର ସମ୍ଭାବନା ରହିଛି।

ଆଜ୍‌ମାର ଆଉ ଏକ କାରଣ ହେଉଛି ପ୍ରଦୂଷଣ। କେତେକ ଲୋକଙ୍କର ମାନସିକ ଚାପ ଯୋଗୁଁ ଆଜ୍‌ମା ହୋଇପାରେ। କେତେକ ଲୋକଙ୍କର ୫ରୁ ୧୦ ମିନିଟ୍‌ ବ୍ୟାୟାମ କଲେ ଆଜ୍‌ମା ସମସ୍ୟା ସୃଷ୍ଟି ହୋଇଥାଏ ଓ କିଛି ସମୟ ଆରାମ କଲାପରେ ଠିକ୍‌ ହୋଇଯାଏ।

କେଉଁ କାରଣ ଯୋଗୁଁ ଆଜ୍‌ମା ହେଉଛି ଜାଣିପାରିଲେ, ଏହାକୁ ରୋକିବା ସମ୍ଭବ ହୋଇଥାଏ।

ଆଜ୍‌ମାର ଲକ୍ଷଣ

ଆଜ୍‌ମା ହେଲେ ମୁଖ୍ୟତଃ ବ୍ୟକ୍ତିଙ୍କୁ କାଶ ହୁଏ,

କଫ ହେବା,

ଧଇଁସଇଁ ଲାଗେ,

ଛାତି ଦରଜ ହେବା,

ଶ୍ୱାସକ୍ରିୟାରେ ସମୟରେ ବାରମ୍ବାର ହୁଇସିଲ୍‌ ଶବ୍ଦ ଶୁଣାଯାଏ,

ନିଶ୍ୱାସ ପ୍ରଶ୍ୱାସ ନେବାରେ ଅସୁବିଧା ହେବା ଭଳି ଲକ୍ଷଣ ଦେଖାଦିଏ।

ସିଭିୟର ଆଜ୍‌ମା ହେଲେ ତ୍ୱଚା ନୀଳ ପଡ଼ିଯାଏ। ଯଦି କୌଣସି ଆଲର୍ଜି ଯୋଗୁଁ ଆସ୍ଥମା ହୁଏ, ତେବେ ଏହାକୁ ଷ୍ଟେଥୋସ୍କୋପ ମାଧ୍ୟମରେ ପରୀକ୍ଷା କରି ଜଣାଯାଏ।

asthma

ଆଜ୍‌ମା ରୋଗୀଙ୍କ ପାଇଁ ଇନ୍‌ହେଲର

ଆଜ୍‌ମାର ସବୁଠୁ ଭଲ ଚିକିତ୍ସା ହେଉଛି ଇନ୍‌ହେଲର। ଲୋକଙ୍କ ମନରେ ଭ୍ରାନ୍ତ ଧାରଣା ଥାଏ ଯେ, ଇନ୍‌ହେଲର ଦେହ ପାଇଁ ଖରାପ। ହେଲେ ଆସ୍ଥମା ରୋଗୀଙ୍କ ପାଇଁ ଇନ୍‌ହେଲର ନେବା ସବୁଠୁ ଭଲ। ଇନ୍‌ହେଲର ଦ୍ଵାରା ଔଷଧ ସିଧାସଳଖ ଫୁସ୍‌ଫୁସ୍‌କୁ ଯାଇଥାଏ। ଏହି ଔଷଧ ହାର୍ଟ, ଲିଭର, କିଡ୍‌ନି ବା ରକ୍ତକୁ ଯାଏ ନାହିଁ। ଇନ୍‌ହେଲର କେବଳ ଶ୍ୱାସନଳୀ ପାଇଁ କାର୍ଯ୍ୟ କରିଥାଏ, ଅନ୍ୟ ଅଙ୍ଗ ଉପରେ ଏହାର କୌଣସି ପ୍ରଭାବ ପଡ଼ିନଥାଏ।

ଶ୍ୱାସ ରୋଗୀଙ୍କୁ କରୋନା ହେଲେ କ’ଣ କରିବେ?

ଯଦି ଶ୍ୱାସରୋଗୀ କୋଭିଡ୍‌ ସଂକ୍ରମିତ ହୁଅନ୍ତି, ତାହେଲେ ସେମାନେ ଶ୍ୱାସରୋଗର ଚିକିତ୍ସା ବନ୍ଦ କରନ୍ତୁ ନାହିଁ। ଡାକ୍ତରଙ୍କ ପରାମର୍ଶ କ୍ରମେ ଇନ୍‌ହେଲର ବ୍ୟବହାର କରନ୍ତୁ।

ଶ୍ୱାସରୋଗୀମାନେ ମଧ୍ୟ କୋଭିଡ୍‌ ଟିକା ନିଅନ୍ତୁ। କୌଣସି ପ୍ରକାର ଗୁଜବ ଉପରେ ବିଶ୍ୱାସ ନ କରି ସମସ୍ତଙ୍କ ଭଳି କୋଭିହ୍‌ ଟିକା ନେଇପାରିବେ।

ଆସ୍ଥମା ରୋଗର ନିରାକରଣ

ଆସ୍ଥମା ହେବାର କାରଣ ଯେପରିକି ଧୂମପାନ ଯୋଗୁଁ ଆଲର୍ଜି ହେଉଛି, ତେବେ ଧୂମପାନରୁ ଦୂରେଇ ରହନ୍ତୁ। କୌଣସି ଖାଦ୍ୟ ଯୋଗୁଁ ଆଲର୍ଜି ହେଲେ, ତାହାକୁ ଖାଇବା ସମ୍ପୂର୍ଣ୍ଣ ବନ୍ଦ କରିଦିଅନ୍ତୁ। ବ୍ୟାୟାମ କରିବା ଯୋଗୁଁ ଆସ୍ଥମା ହେଉଛି, ତେବେ ଇନ୍‌ହେଲର ନେବା ଜରୁରୀ। ଏହାଛଡ଼ା ଏକ୍ସରସାଇଜ୍‌ ମଝିରେ ମଝିରେ ଆରାମ ନେବେ।

ଧୂଳିକଣା ଯୋଗୁଁ ଆଲର୍ଜି ହେଉଥିଲେ, ଘରକୁ ସଫା ରଖୁଥିବେ, ତକିଆ, ବେଡ୍‌ସିଟ୍‌ ସଫା ରଖିବେ।