କାହିଁକି ହୁଏ ୟୁରିନ୍ ଇନଫେକ୍ସନ୍? ଏହାର ଲକ୍ଷଣ, ଚିକିତ୍ସା ଓ ନିରାକରଣ ବିଷୟରେ ବିଶିଷ୍ଟ କିଡ୍ନି ରୋଗ ବିଶେଷଜ୍ଞ ଡାକ୍ତର ମାନସ ରଞ୍ଜନ ପ୍ରଧାନଙ୍କଠାରୁ ଆସନ୍ତୁ ଜାଣିବା।
- ୟୁରିନ୍ ଇନଫେକ୍ସନ୍ କ’ଣ?
- ୟୁରିନ୍ ଇନଫେକ୍ସନର ଆଶଙ୍କା କାହାକୁ ଅଧିକ?
- ୟୁରିନ୍ ଇନ୍ଫେକ୍ସନ୍ କାହିଁକି ହୁଏ?
- ୟୁରିନ୍ ଇନଫେକ୍ସନର ଲକ୍ଷଣ କ’ଣ?
- ୟୁରିନ୍ ଇନଫେକ୍ସନର ଜଟିଳତା
- ୟୁରିନ୍ ଇନ୍ଫେକ୍ସନ୍ର ଚିକିତ୍ସା
- କେମିତି ରୋକିବେ ୟୁରିନ୍ ଇନଫେକ୍ସନ୍?
- ୟୁରିନ୍ ଇନଫେକ୍ସନ୍ ରୋକିବା ପାଇଁ ପାଣିର ଭୂମିକା
- ଡାକ୍ତରଙ୍କ ପରାମର୍ଶ
ୟୁରିନ୍ ଇନଫେକ୍ସନ୍ କ’ଣ? (What is Urine infection in odia)
ମଣିଷ ଶରୀରରେ ସବୁଠୁ ଅଧିକ ଦେଖାଦେଉଥିବା ସମସ୍ୟା ଭିତରେ ୟୁରିନ୍ ଇନଫେକ୍ସନ୍ ବା ମୂତ୍ରମାର୍ଗ ସଂକ୍ରମଣ ଅନ୍ୟମତ। ମୂତ୍ରାଶୟ କିମ୍ବା ମୂତ୍ରନଳୀରେ ଜୀବାଣୁ ସଂକ୍ରମଣ ହେଲେ ୟୁରିନ୍ ଇନଫେକ୍ସନ୍ ହୋଇଥାଏ। ପୁରୁଷଙ୍କ ଅପେକ୍ଷା ମହିଳାମାନଙ୍କଠାରେ ୟୁରିନ୍ ଇନଫେକ୍ସନ୍ ସମସ୍ୟା ଅଧିକ ଦେଖାଯାଏ।
ପରିସ୍ରା ତିଆରି ହେବା ପରେ ୟୁରିନାରି ବ୍ଲାଡର ବା ପରିସ୍ରା ଥଳିରେ ପରିସ୍ରା ଜମା ହୁଏ। ସେଠାରୁ ଗୋଟେ ପାଇପ୍ ଯୋଗେ ମୂତ୍ର ବାହାରକୁ ଆସେ, ଯାହାକୁ ମୂତ୍ରମାର୍ଗ ବା ୟୁରେଟର ବୋଲି କହିଥାଉ। ଉକ୍ତ ପାଇପ୍ ଭିତରେ ଜୀବାଣୁ ପଶି ସଂକ୍ରମଣ କଲେ ମୂତ୍ରମାର୍ଗ ସଂକ୍ରମଣ ବା ୟୁରିନ୍ ଇନ୍ଫେକ୍ସନ୍ ବୋଲି କହିଥାଉ।
ମଣିଷ ଶରୀରରେ ଦୁଇଟି କିଡ୍ନି ରହିଛି। କିଡ୍ନିରୁ ପରିସ୍ରା ତିଆରି ହୋଇ ଦୁଇଟା ପାଇପ୍ (ୟୁରେଟର) ଯୋଗେ ୟୁରିନାରି ବ୍ଲାଡର୍ରେ ଜମା ହୋଇକି ରହେ। ଫଳରେ ବ୍ୟକ୍ତିଙ୍କୁ ପରିସ୍ରା ଲାଗିଥାଏ। କିଡ୍ନି, ୟୁରେଟର, ୟୁରିନାରି ବ୍ଲାଡର ଏବଂ ୟୁରେଥ୍ରାରେ ସଂକ୍ରମଣ ହେଲେ ତାକୁ ୟୁରିନାରି ଟ୍ରାକ୍ ଇନ୍ଫେକ୍ସନ୍ କୁହାଯାଏ। ଅଧିକାଂଶ କ୍ଷେତ୍ରରେ ୟୁରିନାରି ବ୍ଲାଡର (ପରିସ୍ରା ଥଳି )ଓ ୟୁରେଟର (ପରିସ୍ରା ପାଇପ୍)ରେ ସଂକ୍ରମଣ ହୋଇଥାଏ।
ୟୁରିନ୍ ଇନଫେକ୍ସନର ଆଶଙ୍କା କାହାକୁ ଅଧିକ? (Who is more at risk of urinary tract infections in Odia)
ମହିଳାମାନଙ୍କ କ୍ଷେତ୍ରରେ ୟୁରିନ୍ ଇନ୍ଫେକ୍ସନ୍ ଅଧିକ ଦେଖାଦିଏ। ୫୦ରୁ ୬୦ ପ୍ରତିଶତ ମହିଳାଙ୍କୁ ତାଙ୍କ ଜୀବନକାଳ ମଧ୍ୟରେ କେବେ ନା କେବେ ୟୁରିନ୍ ଇନ୍ଫେକ୍ସନ୍ ହୋଇପାରେ। ପ୍ରାପ୍ତ ବୟସ୍କଙ୍କ ଛଡ଼ା ଛୋଟ ଛୁଆଙ୍କଠାରେ ଓ ବୟସ୍କ ଲୋକଙ୍କଠାରେ ମୂତ୍ରମାର୍ଗ ସଂକ୍ରମଣ ଅଧିକ ହୋଇଥାଏ। ତା’ଛଡ଼ା ଯେଉଁ ଲୋକଙ୍କର ରୋଗ ପ୍ରତିରୋଧକ ଶକ୍ତି କମ୍ ଥାଏ, ମଧୁମେହ, ଉଚ୍ଚରକ୍ତଚାପ, କ୍ୟାନ୍ସର ରୋଗୀ ଯେଉଁମାନେ କେମୋଥେରାପି ନେଉଛନ୍ତି ସେମାନଙ୍କଠାରେ ୟୁରିନ୍ ଇନ୍ଫେକ୍ସନ୍ ହେବାର ଆଶଙ୍କା ଥାଏ।
ୟୁରିନ୍ ଇନ୍ଫେକ୍ସନ୍ କାହିଁକି ହୁଏ? (Causes of urine infection in Odia)
ମଣିଷ ଶରୀରର ଚାରିଆଡ଼େ ଜୀବାଣୁ ଥାଆନ୍ତି। ନଖ କଣରୁ ଆରମ୍ଭ କରି ମୁଣ୍ଡର କେଶ ପର୍ଯ୍ୟନ୍ତ ସବୁଠି ଜୀବାଣୁ ଅଛନ୍ତି। ପରିସ୍ରା ରାସ୍ତାରେ ମଧ୍ୟ ଜୀବାଣୁ ଥାଆନ୍ତି କିନ୍ତୁ ସମସ୍ତଠାରେ ସଂକ୍ରମଣ ହୁଏ ନାହିଁ। ରୋଗ ପ୍ରତିରୋଧକ ଶକ୍ତି ଦୁର୍ବଳ ଥିବା ଲୋକଙ୍କ ଶରୀରରେ ଜୀବାଣୁ ସହଜରେ ପ୍ରବେଶ କରିପାରନ୍ତି। ଏହି ଜୀବାଣୁ ପରିସ୍ରା ଦ୍ୱାର ଦେଇ ପଶି ସଂକ୍ରମଣ କଲେ ୟୁରିନ୍ ଇନ୍ଫେକ୍ସନ୍ ହୋଇଥାଏ।
ମହିଳାମାନଙ୍କର ପରିସ୍ରା ଦ୍ୱାର ଓ ମଳ ଦ୍ୱାର ମଧ୍ୟରେ ଦୂରତା କମ୍। ସେମାନଙ୍କର ମଳଦ୍ୱାରରୁ ଜୀବାଣୁ ଯାଇ ପରିସ୍ରା ଦ୍ୱାରରେ ପଶି ସଂକ୍ରମଣ କରିଥାଆନ୍ତି। ତେଣୁ ପୁରୁଷଙ୍କ ଅପେକ୍ଷା ମହିଳାଙ୍କର ମୂତ୍ରମାର୍ଗ ସଂକ୍ରମଣ ବେଶୀ ହୁଏ।
ପୁରୁଷମାନେ ପବ୍ଲିକ୍ ଟଏଲେଟ୍ ବ୍ୟବହାର କଲେ ଯେତିକି ସଂକ୍ରମଣ ହୁଏ ନାହିଁ, ମହିଳାଙ୍କୁ ଅଧିକ ହୋଇଥାଏ। ତା’ଛଡ଼ା ଲମ୍ବା ସମୟ ଧରି ପରିସ୍ରାକୁ ଚାପି ରଖିଲେ, କୋଷ୍ଠକାଠିନ୍ୟ ସମସ୍ୟା ଥିବା ଲୋକଙ୍କଠାରେ, ମଧୁମେହ ରୋଗୀଙ୍କଠାରେ ୟୁରିନ୍ ଇନ୍ଫେକ୍ସନ ହେବାର ଆଶଙ୍କା ଅଧିକ।
ୟୁରିନ୍ ଇନ୍ଫେକ୍ସନର ଲକ୍ଷଣ କ’ଣ? (Symptoms of urinary tract infections in Odia)
- ପରିସ୍ରାରେ ଜ୍ୱଳାପୋଡ଼ା ହେବା
- ପରିସ୍ରା ବାରମ୍ବାର ଲାଗିବା
- ପରିସ୍ରା କରିବାକୁ ଯିବାବେଳେ କପଡ଼ାରେ ପରିସ୍ରା ହୋଇଯିବା
- ଜ୍ୱର ହେବା
- କେତେକଙ୍କର ପରିସ୍ରାରେ ରକ୍ତ ପଡ଼ିପାରେ
ୟୁରିନ୍ ଇନ୍ଫେକ୍ସନ୍ ସମସ୍ୟା ଗୁରୁତର ହେଲେ କିଡ୍ନି ପ୍ରଭାବିତ ହୋଇଥାଏ। କିଡ୍ନି ସଂକ୍ରମଣ ହେଲେ ଏହିସବୁ ଲକ୍ଷଣମାନ ଦେଖାଦିଏ। ଯେପରିକି:
- ବାନ୍ତି ହେବା
- ପିଠିରେ, ଅଣ୍ଟାରେ ବ୍ୟଥା ହେବା
- ପ୍ରବଳ ଜ୍ୱର ହେବା
- ରୋଗୀ ଅଚେତ ହୋଇପାରନ୍ତି
ୟୁରିନ୍ ଇନଫେକ୍ସନର ଜଟିଳତା (Complications of urinary tract infections in Odia)
ୟୁରିନ୍ ଇନ୍ଫେକ୍ସନର ଚିକିତ୍ସା ଠିକ୍ ସମୟରେ ନ କଲେ ଏହା ଅନ୍ୟ ସମସ୍ୟା ସୃଷ୍ଟି କରିପାରେ। ଏହି ସଂକ୍ରମଣ କିଡ୍ନିକୁ ଗଲେ ପୂରା ଦେହରେ ସଂକ୍ରମଣ ହୋଇ ସେପ୍ଟିସିମିଆ ହୋଇପାରେ। ସେପ୍ଟିସିମିଆ ହେଲେ ବ୍ୟକ୍ତି ସିଭିୟର ୟୁରିନ୍ ଇନ୍ଫେକ୍ସନ୍ରେ ମୃତ୍ୟୁମୁଖରେ ପଡ଼ିପାରନ୍ତି। ତା’ଛଡ଼ା ପିଲାଙ୍କଠାରେ ବାରମ୍ବାର ୟୁରିନ୍ ହେଲେ ଏହା କିଡ୍ନି ଖରାପ କରିପାରେ।
ୟୁରିନ୍ ଇନ୍ଫେକ୍ସନ୍ର ଚିକିତ୍ସା (Treatment of urinary tract infections in Odia)
ପରିସ୍ରା କଲାବେଳେ ଜ୍ୱଳାପୋଡ଼ା ହେଉଛି, ବାରମ୍ବାର ପରିସ୍ରା ଯିବାକୁ ପଡ଼ୁଛି, ପରିସ୍ରାକୁ ରୋକି ହେଉନାହିଁ, ତଳି ପେଟରେ ଯନ୍ତ୍ରଣା ହେଉଛି, ଜ୍ୱର ହେଉଛି, ବାନ୍ତି ହେଉଛି, ପରିସ୍ରାରେ ରକ୍ତ ଆସୁଛି ତେବେ ଜାଣିବେ ଏହା ୟୁରିନ୍ ଇନ୍ଫେକ୍ସନ୍ର ଲକ୍ଷଣ। ସେତେବେଳେ ୟୁରୋଲୋଜିଷ୍ଟଙ୍କୁ ପରାମର୍ଶ କରନ୍ତୁ।
ପରିସ୍ରା ପରୀକ୍ଷା କରି ରୋଗକୁ ଚିହ୍ନଟ କରାଯାଇଥାଏ। ଏହାର ମୁଖ୍ୟ ଚିକିତ୍ସା ହେଉଛି ଆଣ୍ଟିବାୟୋଟିକ୍। ଏହାକୁ ଟାବ୍ଲେଟ୍ ଓ ଇଞ୍ଜେକ୍ସନ୍ ମାଧ୍ୟମରେ ଦିଆଯାଏ। ରୋଗୀଙ୍କର ସମସ୍ୟା ପ୍ରାଥମିକ ଅବସ୍ଥାରେ ଥିଲେ ଆଣ୍ଟିବାୟୋଟିକ୍ ଟାବ୍ଲେଟ୍ ଖାଇବାକୁ ପରାମର୍ଶ ଦିଆଯାଏ। ମହିଳାମାନଙ୍କ କ୍ଷେତ୍ରରେ ୩ରୁ ୫ ଦିନ ଯାଏଁ ଔଷଧ ଖାଇବାକୁ ଦିଆଯାଏ ଓ ପୁରୁଷମାନଙ୍କ କ୍ଷେତ୍ରରେ ୧୦ରୁ ୧୪ ଦିନ ପର୍ଯ୍ୟନ୍ତ ଆଣ୍ଟିବାୟୋଟିକ୍ ଖାଇବାକୁ ଦିଆଯାଏ।
ଯଦି ରୋଗୀଙ୍କ ଅବସ୍ଥା ଗୁରୁତର ହୋଇଥାଏ କିମ୍ବା ରକ୍ତଚାପ ହ୍ରାସ ପାଇଥାଏ କିମ୍ବା ବହୁତ ଜ୍ୱର କିମ୍ବା ବାନ୍ତି ହୁଏ ତେବେ ରୋଗୀଙ୍କୁ ଟାବ୍ଲେଟ୍ ନ ଦେଇ ଆଣ୍ଟିବାୟୋଟିକ୍ ଇଞ୍ଜେକ୍ସନ୍ ଦିଆଯାଏ। କେତେକ କ୍ଷେତ୍ରରେ ରୋଗୀଙ୍କୁ ହସ୍ପିଟାଲରେ ଆଡ୍ମିଟ୍ କରିବାକୁ ପଡ଼ିଥାଏ। ଏହାଛଡ଼ା ରୋଗୀଙ୍କର ଅଲଟ୍ରାସାଉଣ୍ଡ, ସିଟି ସ୍କାନ କରାଯାଏ।
କେମିତି ରୋକିବେ ୟୁରିନ୍ ଇନଫେକ୍ସନ୍? (How to prevent urinary tract infections in Odia)
ୟୁରିନ୍ ଇନ୍ଫେକ୍ସନ୍ ରୋକିବା ପାଇଁ ପରିଷ୍କାର ପରିଚ୍ଛନତା ଉପରେ ଗୁରୁତ୍ୱ ଦେବା ଦରକାର।
ଅପରିଷ୍କାର ଟଏଲେଟ୍ ବ୍ୟବହାର କରିବା କଥା ନୁହେଁ।
ଅନ୍ତଃବସ୍ତ୍ରକୁ ନିୟମିତ ବ୍ୟବଧାନରେ ବଦଳେଇବା ଦରକାର।
ମହିଳାମାନେ ପରିସ୍ରା ଜାଗାରେ ସାବୁନ୍ ଲଗାଇବା କଥା ନୁହେଁ।। ସାବୁନ୍ ଲଗାଇବା ଦ୍ୱାରା ସେ ସ୍ଥାନର pH ଅସନ୍ତୁଳିତ ହୁଏ।
ବର୍ତ୍ତମାନ pH ବାଲାନ୍ସକୁ ସନ୍ତୁଳିତ ରଖିବା ଭଳି ସାମ୍ପୋ ମିଳୁଛି। ତାକୁ ପରିସ୍ରା ଜାଗାକୁ ସଫା କରିବା ପାଇଁ ବ୍ୟବହାର କରିପାରିବେ। ଏହୀ ସାମ୍ପୋକୁ ଡାକ୍ତରଙ୍କ ପରାମର୍ଶରେ ବ୍ୟବହାର କରନ୍ତୁ।
ସହବାସ ପରେ ପରିସ୍ରା କରି ଶୋଇବା ଦରକାର। ସହବାସ ବେଳେ କିଛି ଜୀବାଣୁ ପରିସ୍ରା ରାସ୍ତା ଭିତରକୁ ପଶି ଯାଆନ୍ତି। ତେଣୁ ଏହାପରେ ପରିସ୍ରା କରି ସେ ସ୍ଥାନ ସଫା କରି ଶୋଇବା ଦରକାର।
ତା’ଛଡ଼ା ମଧୁମେହ, ଉଚ୍ଚ ରକ୍ତଚାପକୁ ନିୟନ୍ତ୍ରଣରେ ରଖିବା ଦରକାର।
ସୁଷମ ଖାଦ୍ୟ ଖାଇବା ଜରୁରୀ। ଦହି, କାନ୍ବେରି ଓ ଅନ୍ୟ କେତେକ ବେରି ଖାଇଲେ ଏହା ୟୁରିନ୍ ଇନ୍ଫେକ୍ସନକୁ କମ୍ କରିବାରେ ସାହାଯ୍ୟ କରିଥାଏ।
ତେଲମସଲା, ଜଙ୍କଫୁଡ୍ ଖାଆନ୍ତୁ ନାହିଁ।
ନିୟମିତ ବ୍ୟାୟାମ କରନ୍ତୁ।
ୟୁରିନ୍ ଇନଫେକ୍ସନ୍ ରୋକିବା ପାଇଁ ପାଣିର ଭୂମିକା (The role of water in preventing urinary tract infections in Odia)
କେତେକ ଲୋକ ଅଳ୍ପ ପାଣି ପିଉଛନ୍ତି ତ କେତେକ ଲୋକ ବେଶୀ ପାଣି ପିଇବା ପାଇଁ ୧୦ରୁ ୧୨ ଲିଟର ପାଣି ପିଅନ୍ତି। ଜଣେ ସୁସ୍ଥ ଲୋକ ୨ରୁ ଅଢ଼େଇ ଲିଟର ପାଣି ପିଇବା ଆବଶ୍ୟକ। ଅଳ୍ପ ପାଣି ପିଇବା ଦ୍ଵାରା ୟୁରିନ୍ ଇନ୍ଫେକ୍ସନ୍ ହୋଇପାରେ ଏବଂ ବହୁତ ପାଣି ପିଇବା କିଡ୍ନି ପାଇଁ ଖରାପ ହୋଇଥାଏ।
ଡାକ୍ତରଙ୍କ ପରାମର୍ଶ (Doctors Advice in Odia)
ପୁରୁଷଙ୍କ ଅପେକ୍ଷା ମହିଳାଙ୍କର ୟୁରିନ୍ ଇନ୍ଫେକ୍ସନ୍ ବେଶୀ ହୋଇଥାଏ। ହେଲେ ବୟସ୍କ ଲୋକଙ୍କର ପ୍ରୋଷ୍ଟେଟ୍ ସମସ୍ୟା ଥିଲେ ୟୁରିନ୍ ଇନ୍ଫେକ୍ସନ୍ ହୋଇପାରେ। ଯଦି ପରିସ୍ରା ଥଳି ସମ୍ପୂର୍ଣ୍ଣ ଭାବରେ ଖାଲି ନ ହୁଏ ବା ଜମା ହୋଇକରି ରହେ, ତେବେ ସଂକ୍ରମଣ ହୋଇପାରେ।
ମେନୋପଜ୍ ପରେ ୟୁରିନ୍ ଇନ୍ଫେକ୍ସନ୍ ହେବାର ଆଶଙ୍କା ଥାଏ। ସେମାନେ ଡାକ୍ତରଙ୍କୁ ଦେଖାଇ ହରମୋନାଲ୍ ଚିକିତ୍ସା କରିବା ଆବଶ୍ୟକ।
ଛୋଟ ଛୁଆଙ୍କର ବାରମ୍ବାର ୟୁରିନ୍ ଇନ୍ଫେକ୍ସନ୍ ହେଲେ, ତାଙ୍କର ଅଲଟ୍ରା ସାଉଣ୍ଡ କରି କାରଣ ଜାଣିବା ଦରକାର।
ମହିଳା ହୁଅନ୍ତୁ ବା ପୁରୁଷ ୨୪ ଘଣ୍ଟା ମଧ୍ୟରେ ୨ରୁ ଅଢ଼େଇ ଲିଟର ପାଣି ପିଇବା ଦରକାର।
ନିୟମିତ ବ୍ୟବଧାନରେ ଅନ୍ତଃବସ୍ତ୍ର ବଦଳାଇବା ଦରକାର।
ଜରୁରୀ ନଥିଲେ ବାହାର ଶୈାଚାଳୟରେ ପରିସ୍ରା କରନ୍ତୁ ନାହିଁ।
ଗାଧୋଇବା ବେଳେ ପରିସ୍ରା ସ୍ଥାନରେ ସାବୁନ ଲଗାନ୍ତୁ ନାହିଁ।
ସୁଷମ ଖାଦ୍ୟ ଖାଇବେ, ବ୍ୟାୟାମ କରିବେ ଓ ୭ରୁ ୮ ଘଣ୍ଟା ଶୋଇବା ଦରକାର। ଏହାଦ୍ୱାରା ରୋଗ ପ୍ରତିରୋଧକ ଶକ୍ତି ବୃଦ୍ଧି ପାଇଥାଏ। ଫଲରେ ବିଭିନ୍ନ ସଂକ୍ରମଣକୁ ରୋକିପାରିବେ।
(ସ୍ୱାସ୍ଥ୍ୟ ଓ ଜୀବନଶୈଳୀ ଉପରେ ଆଧାରିତ ଓଡ଼ିଆ ଡିଜିଟାଲ୍ ପ୍ଲାଟଫର୍ମ ‘ସ୍ୱାସ୍ଥ୍ୟ ପ୍ଲସ୍’ ସହିତ ଡାକ୍ତର ମାନସ ରଞ୍ଜନ ପ୍ରଧାନଙ୍କ ସ୍ୱତନ୍ତ୍ର ସାକ୍ଷାତକାରକୁ ନେଇ ପ୍ରସ୍ତୁତ।)
Note: This information on Urinary Tract Infection, in Odia language, is based on an extensive interview with Urologist Dr Manas Ranjan Pradhan.