ଗ୍ୟାସ୍ ସମସ୍ୟା ଏକ ସାଧାରଣ ସମସ୍ୟା। ବର୍ତ୍ତମାନ ସମୟରେ ଏହା ସବୁ ବୟସର ଲୋକଙ୍କଠାରେ ଦେଖିବାକୁ ମିଳୁଛି। ହେଲେ କାହିଁକି ଚିନ୍ତାର ବିଷୟ ଗ୍ୟାସ୍ ସମସ୍ୟା? ଏନେଇ ବିଶିଷ୍ଟ ପେଟ ରୋଗ ବିଶେଷଜ୍ଞ ଡାକ୍ତର ଗିରିଶ୍ କୁମାର ପତିଙ୍କଠାରୁ ଅଧିକ ଜାଣନ୍ତୁ।
- ଗ୍ୟାସ୍ – କାହିଁକି ଚିନ୍ତାର ବିଷୟ?
- ଗ୍ୟାସ୍ ସମସ୍ୟାର କାରଣ
- ଗ୍ୟାସ୍ ସମସ୍ୟାର ଲକ୍ଷଣ
- ଗ୍ୟାସ୍ ପାଇଁ ମନଇଛା ଔଷଧ ଖାଆନ୍ତୁ ନାହିଁ
- ଗ୍ୟାସ୍ ସମସ୍ୟାର ଚିକିତ୍ସା
- ଗ୍ୟାସ୍ ସମସ୍ୟାର ନିରାକରଣ
ଗ୍ୟାସ୍ – କାହିଁକି ଚିନ୍ତାର ବିଷୟ? (Why Gas is a problem in Odia)
ସାଧାରଣତଃ ପେଟରେ ଏସିଡ୍ ସିକ୍ରେସନ୍ ବଢ଼ିଗଲେ ଗ୍ୟାସ୍ ସମସ୍ୟା ହୋଇଥାଏ। ଏହାଛଡ଼ା ମାନସିକ ଚାପ ଯୋଗୁଁ ମଧ୍ୟ ଗ୍ୟାସ୍ ଓ ଏସିଡିଟି ହୋଇଥାଏ।
ଗ୍ୟାସ୍ ସମସ୍ୟାର କାରଣ (Cause of Gas problem in Odia)
ଗ୍ୟାସ୍ ସମସ୍ୟାର ବହୁତ ଗୁଡ଼ିଏ କାରଣ ରହିଛି। ମାନସିକ ଚାପ, ଖାଦ୍ୟଶୈଳୀ ଯୋଗୁଁ ବର୍ତ୍ତମାନ ଗ୍ୟାସ୍ ସମସ୍ୟା ବଢ଼ିବାରେ ଲାଗିଛି। ଆଜିକାଲି ଲୋକେ ସକାଳୁ ଡେରିରେ ଉଠୁଛନ୍ତି, ସକାଳ ୭ଟାରୁ ନ ଖାଇ ୧୦ଟା କିମ୍ବା ୧୧ଟା ବେଳକୁ ବ୍ରେକ୍ଫାଷ୍ଟ କରିଥାଆନ୍ତି। କିନ୍ତୁ, ମଣିଷର ପାକସ୍ଥଳୀ ପାଖାପାଖି ୪-୫ ଘଣ୍ଟାରେ ଥରେ ଖାଦ୍ୟ ଦରକାର କରିଥାଏ। ଯଦି ଜଣେ ବ୍ୟକ୍ତି ୬ ଘଣ୍ଟା କିମ୍ବା ୮ ଘଣ୍ଟା ଅନ୍ତରାଳେ ଖାଦ୍ୟ ଖାଇବେ, ତାହେଲେ ଶରୀରରେ ଏସିଡ୍ର ମାତ୍ରା ବଢ଼ିଯାଏ।
ସେହିପରି ଆଜିକାଲ ପିଲାମାନେ ଫାଷ୍ଟଫୁଡ୍, ଆମିଷ, ନୁଡୁଲ୍ସ, ଚିପ୍ସ, ପ୍ୟାକେଟ୍ ଫୁଡ୍, ଛଣାଛଣି ଅଧିକ ପରିମାଣରେ ଖାଉଛନ୍ତି। ଫଳରେ ଏସିଡିଟି, ଗ୍ୟାସ୍ ଭଳି ସମସ୍ୟା ସୃଷ୍ଟି ହେଉଛି।
ଏହାଛଡ଼ା ଲୋକେମାନେ ଡାଏବେଟିସ୍, ହାଇବ୍ଲଡ୍ପ୍ରେସର୍, କୋଲେଷ୍ଟ୍ରୋଲ ତଥା ଅନ୍ୟାନ୍ୟ ରୋଗ ପାଇଁ ଔଷଧ ସେବନ କରୁଛନ୍ତି। ଏହାଦ୍ଵାରା ମଧ୍ୟ ଗ୍ୟାସ୍ ହୋଇଥାଏ।
ଏଥିସହ ଅନିଦ୍ରା କାରଣ ଯୋଗୁଁ ଗ୍ୟାସ୍ ଓ ଏସିଡିଟି ଭଳି ସମସ୍ୟା ସୃଷ୍ଟି ହୋଇଥାଏ।
ଅଧିକ ପଢ଼ନ୍ତୁ: ପତଳା ଝାଡ଼ା, ପେଟ ଯନ୍ତ୍ରଣା ବି ହୋଇପାରେ କୋଭିଡ୍ର ଲକ୍ଷଣ
ଗ୍ୟାସ୍ ସମସ୍ୟାର ଲକ୍ଷଣ (Symptoms of Gas problem in Odia)
ବଦ୍ହଜମୀ ଲାଗିବା, ତଣ୍ଟି ପୋଡ଼ିବା, ଛାତି ପୋଡ଼ିବା, ପେଟ ଦରଜ ହେବା, ଉପର ପେଟ ଦରଜ ହେବା, ନାହି ପାଖରେ ଯନ୍ତ୍ରଣା ହେବା, ବାନ୍ତି ଲାଗିବା, ଅଳ୍ପ ଖାଇଲେ ପେଟ ଭରିଯିବା, ପେଟ ଫୁଲେଇଦେଉଥିବ, ଝାଡ଼ା ପରିଷ୍କାର ନ ହେବା, ଖାଇଲା ପରେ ପେଟ ଯନ୍ତ୍ରଣା ଅଧିକା ହେବା ହେଉଛି ଗ୍ୟାସ୍ଜନିତ ଲକ୍ଷଣ। ଏଭଳି ଲକ୍ଷଣ ଦେଖାଦେଲେ ଜାଣିବେ ଗ୍ୟାସ୍ ସମସ୍ୟା ହୋଇଛି।
ଗ୍ୟାସ୍ ପାଇଁ ମନଇଛା ଔଷଧ ଖାଆନ୍ତୁ ନାହିଁ (Don’t take medicines without consulting a doctor in Odia)
କୌଣସି ରୋଗକୁ ଅବହେଳା କରନ୍ତୁ ନାହିଁ। ଆଜିକାଲି ରୋଗୀମାନେ ଡାକ୍ତରଙ୍କୁ ପରାମର୍ଶ ନ କରି ପାଖ ମେଡିସିନ୍ ଷ୍ଟୋରରୁ ଔଷଧ ଆଣି ଖାଉଦେଉଛନ୍ତି। ହେଲେ ଏହା ସମ୍ପୂର୍ଣ୍ଣ ଭୁଲ।
ମନେକର, ଯଦି ଜଣେ ବ୍ୟକ୍ତିଙ୍କର ପେଟରେ ଯନ୍ତ୍ରଣା ହେଉଛି ଏବଂ ତା’ର କାରଣ ନ ଜାଣି ବ୍ୟକ୍ତି ଜଣକ ପାଖ ମେଡିସିନ୍ ଦୋକାନରୁ ବିନ୍ଧା ମେଡିସିନ୍ ଆଣି ଖାଉଛନ୍ତି ଏବଂ ମେଡିସିନ୍ ଖାଇଲା ପରେ ବି ପେଟ ଯନ୍ତ୍ରଣା କମୁନାହିଁ ଓ ପରେ ଡାକ୍ତରଙ୍କ ପାଖରେ ପରୀକ୍ଷା କରିବା ପରେ ଷ୍ଟୋମାକ୍ କ୍ୟାନସର ବୋଲି ଜଣାପଡ଼ୁଛି। ତେଣୁ ଛୋଟ ଛୋଟ ଯନ୍ତ୍ରଣାକୁ ଅଣଦେଖା ନ କରି ଏବଂ ମନଇଛା ଔଷଧ ନ ଖାଇ ଡାକ୍ତରଙ୍କୁ ପରାମର୍ଶରେ ଚିକିତ୍ସା କରନ୍ତୁ।
ଅଧିକ ପଢ଼ନ୍ତୁ: ହଜମଶକ୍ତିକୁ ବଢ଼ାଇବେ କିପରି?
ଗ୍ୟାସ୍ ସମସ୍ୟାର ଚିକିତ୍ସା (Treatment of Gas problem in Odia)
ଗ୍ୟାସ୍ ଜନିତ ଲକ୍ଷଣ ଦେଖାଦେଲେ ତୁରନ୍ତ ଡାକ୍ତରଙ୍କ ପରାମର୍ଶ କରନ୍ତୁ। ଗ୍ୟାସ୍ ଅଛି କି ନାହିଁ ଜାଣିବା ପାଇଁ ଅଲଟ୍ରାସାଉଣ୍ଡ, ଏଣ୍ଡୋସ୍କୋପି, କଲୋନୋସ୍କୋପି ଆଦି ପରୀକ୍ଷା କରାଯାଏ। ଏହି ପରୀକ୍ଷା ଦ୍ୱାରା ରୋଗ ନିରୂପଣ କରାଯାଇ ଚିକିତ୍ସା କରାଯାଇପାରିବ।
ଗ୍ୟାସ୍ ସମସ୍ୟାର ନିରାକରଣ (Prevention of Gas problem in Odia)
- ମାନସିକ ଚାପରୁ ଦୂରେଇ ରହନ୍ତୁ।
- ଯଥେଷ୍ଟ ପରିମାଣର ଶୁଅନ୍ତୁ।
- ବ୍ୟାୟାମ କରନ୍ତୁ।
- ଖାଇବାର ଅଧଘଣ୍ଟା ଯାଏଁ ପାଣି ପିଅନ୍ତୁ ନାହିଁ।
- ଖାଇବାର ୩୦ ମିନିଟ୍ ଯାଏଁ ଚଳପ୍ରଚଳ ହୁଅନ୍ତୁ।
- ଖାଇବାର ଅଧଘଣ୍ଟା ଭିତରେ ଶୁଅନ୍ତୁ ନାହିଁ।
- ଅରୂଆ ଭାତ, କୋବି, ଶାଗ, ମୁଗଡାଲି, ଚୂଡ଼ା, ମୁଢ଼ି, ଖଟା, ଲଙ୍କା, ଲେମ୍ବୁ ଭଳି ଖାଦ୍ୟ କମ୍ କରନ୍ତୁ।
- ଦିନକୁ ୪ଟି ମିଲ୍ ଖାଆନ୍ତୁ। ସବୁବେଳେ ବ୍ରେକ୍ଫାଷ୍ଟ ପେଟ ପୂର୍ଣ୍ଣ କରି ଖାଆନ୍ତୁ ଏବଂ ରାତିରେ କମ୍ ମାତ୍ରାରେ ଖାଆନ୍ତୁ।
- ଗ୍ୟାସ୍ ସମସ୍ୟା ଥିଲେ ବେଲ୍ଟ ଟାଇଟ୍ କରି ପିନ୍ଧନ୍ତୁ ନାହିଁ।
- ଓବେସିଟି ମଧ୍ୟ ଗ୍ୟାସ୍ ସମସ୍ୟାର କାରଣ। ତେଣୁ ଓଜନ କମ୍ କରନ୍ତୁ।
- ଦିନକୁ ୩ ଲିଟର ପାଣି ପିଅନ୍ତୁ।
- ଫାଷ୍ଟଫୁଡ୍ ବର୍ଜନ କରନ୍ତୁ।
- ନିଶାଦ୍ରବ୍ୟରୁ ନିବୃତ୍ତ ରହନ୍ତୁ।
- ମେଡିଟେସନ୍ କରନ୍ତୁ।
(ସ୍ୱାସ୍ଥ୍ୟ ଓ ଜୀବନଶୈଳୀ ଉପରେ ଆଧାରିତ ଓଡ଼ିଆ ଡିଜିଟାଲ୍ ପ୍ଲାଟଫର୍ମ ‘ସ୍ୱାସ୍ଥ୍ୟ ପ୍ଲସ୍’ ସହିତ ଡାକ୍ତର ଗିରିଶ କୁମାର ପତିଙ୍କ ସ୍ୱତନ୍ତ୍ର ସାକ୍ଷାତକାରକୁ ନେଇ ପ୍ରସ୍ତୁତ।)
Note: This information on Gastric Problem, in Odia language, is based on an extensive interview with Gastroenterologist Dr Girish Kumar Pati.