ବିଶ୍ୱ ରକ୍ତଦାତା ଦିବସ ଅବସରରେ ଆସନ୍ତୁ ଜାଣିବା ‘ଆମେ କାହିଁକି ରକ୍ତଦାନ କରିବା?

  • ପ୍ରତି ଦୁଇ ସେକେଣ୍ଡରେ ଜଣଙ୍କୁ ରକ୍ତ ଦେବା ଆବଶ୍ୟକ ହୋଇଥାଏ।
  • ସିକିଲ୍‌ସେଲ୍‌, ଥାଲେସେମିଆ, ହେମୋଫିଲିଆ ଆଦି ରୋଗୀମାନଙ୍କ ଜୀବନ ବଞ୍ଚେଇବା ପାଇଁ ନିୟମିତ ବ୍ୟବଧାନରେ ରକ୍ତ ଦେବାକୁ ହୋଇଥାଏ।
  • ସଡ଼କ ଦୁର୍ଘଟଣାରେ ଗମ୍ଭୀର ଭାବେ ଆହତ ହୋଇଥିବା ଜଣେ ବ୍ୟକ୍ତିଙ୍କୁ ପ୍ରାୟ ୧୦୦ ୟୁନିଟ ରକ୍ତ ଚଢ଼େଇବା ଆବଶ୍ୟକ ହୋଇଥାଏ।
  • ପ୍ରତିବର୍ଷ ପ୍ରାୟ ୧୦ଲକ୍ଷ ଲୋକ କ୍ୟାନସର୍‌ରେ ଆକ୍ରାନ୍ତ ହେଉଥିବା ବେଳେ ସେମାନଙ୍କ ପାଇଁ ମଧ୍ୟ ରକ୍ତ ଆବଶ୍ୟକ।
  • ଏସବୁ ବ୍ୟତୀତ ପ୍ରତିଦିନ ସଡ଼କ ଦୁର୍ଘଟଣା, ପ୍ରାକୃତିକ ବିପର୍ଯ୍ୟୟରେ ଗମ୍ଭୀର ଭାବେ ଆହତ ହୋଇଥିବା ଲୋକଙ୍କ ପାଇଁ ମଧ୍ୟ ରକ୍ତ ଆବଶ୍ୟକ ପଡୁଛି।
  • ଭାରତରେ ପ୍ରସବକାଳୀନ ଜଟିଳତା ହାର ଅଧିକ ହୋଇଥିବାରୁ ଏଥିପାଇଁ ମଧ୍ୟ ବହୁପରିମାଣରେ ରକ୍ତ ଆବଶ୍ୟକ ହୋଇଥାଏ। ସେହିପରି ନବଜାତ ଶିଶୁଙ୍କ ଜୀବନ ବଞ୍ଚାଇବା ପାଇଁ ରକ୍ତ ଆବଶ୍ୟକ ହୋଇଥାଏ।
  • O ନେଗେଟିଭ୍‌ ରକ୍ତ ସମସ୍ତ ରକ୍ତ ଗ୍ରୁପ୍‌ର ରୋଗୀମାନଙ୍କୁ ଚଢାଯାଇ ପାରିବ। ଅତ୍ୟନ୍ତ ଜରୁରୀ ପରିସ୍ଥିତିରେ, ରୋଗୀର ରକ୍ତ ଗ୍ରୁପ୍‌ ନିର୍ଦ୍ଧାରଣ ହୋଇ ନପାରିଲେ ରୋଗୀଙ୍କ ଜୀବନ ବଞ୍ଚାଇବା ପାଇଁ O ନେଗେଟିଭ୍‌ ରକ୍ତ ଚଢାଯାଏ। ଏଣୁ ଏହାର ଚାହିଦା ସବୁବେଳେ ଅଧିକ। ହେଲେ, O ନେଗେଟିଭ୍‌ ଗ୍ରୁପ୍‌ ରକ୍ତର ଅଭାବ ରହିଛି।
  • ଏସବୁ ବାଦ୍‌ ରକ୍ତଦାନ ଦ୍ୱାରା ହୃଦୟ ସ୍ୱାସ୍ଥ୍ୟ, ଲିଭର୍‌ ସ୍ୱାସ୍ଥ୍ୟରେ ଉନ୍ନତି ହୋଇଥାଏ। ମନୁଷ୍ୟ ଚାପମୁକ୍ତ ହୋଇଥାଏ।
  • ରକ୍ତର କୌଣସି ବିକଳ୍ପ ନାହିଁ। ମନୁଷ୍ୟ ଶରୀର ବ୍ୟତୀତ ଅନ୍ୟ କୌଣସି ସ୍ଥାନରେ ରକ୍ତ ପ୍ରସ୍ତୁତ କରାଯାଇ ପାରିବନାହିଁ। ଏଣୁ ଜଣଙ୍କ ଠାରେ ଦେଖାଦେଉଥିବା ରକ୍ତାଭାବ କେବଳ ଅନ୍ୟ ଜଣଙ୍କ ରକ୍ତ ଦ୍ୱାରା ହିଁ ପୂରଣ କରାଯାଇ ପାରିବ।
  • ଏକ ୟୁନିଟ ରକ୍ତ ଦାନ କରି ଆପଣ ତିନିଜଣ ରୋଗୀଙ୍କ ଜୀବନ ବଞ୍ଚାଇ ପାରିବେ ବା ଆମେ ଏପରି କହି ପାରିବା ଯେ ଯଦି ଜଣେ ବ୍ୟକ୍ତି ସାଧାରଣ ଭାବେ ରକ୍ତ ଦାନ କରନ୍ତି (ପ୍ରତି ୩ମାସ ବା ୪ ମାସରେ ଥରେ) ତାହାହେଲେ ଏକ ବର୍ଷରେ ପ୍ରାୟ ୯ ରୁ ୧୨ ଜଣଙ୍କ ଜୀବନ ବଞ୍ଚାଇବାର ପୂଣ୍ୟ ଅର୍ଜନ କରିପାରିବା ସହିତ ମାନସିକ ସନ୍ତୁଷ୍ଟି ପାଇପାରିବେ। ଏହା ଠାରୁ ଅଧିକ କଣ ଦରକାର?
  • ରକ୍ତଦାନ କରିବା ଏକ ସରଳ ପ୍ରକ୍ରିୟା। ଏକ ୟୁନିଟ୍‌ ରକ୍ତ ସଂଗ୍ରହ କରିବାକୁ କେବଳ ୧୦-୧୨ ମିନିଟ୍‌ ସମୟ ଲାଗିଥାଏ।
  • ମନେରଖନ୍ତୁ, ପ୍ରତି ମୁହୂର୍ତ୍ତରେ ଆପଣଙ୍କ ରକ୍ତ ଜଣଙ୍କର ଜୀବନ ବଞ୍ଚାଇ ପାରିବ। ଆସନ୍ତୁ ତାହାହେଲେ ଆଜିର ଏହି ବିଶ୍ୱ ରକ୍ତଦାତା ଦିବସର ଆହ୍ୱାନକୁ ସ୍ୱୀକାର କରିବା, ରକ୍ତଦାନ କରିବା, ରକ୍ତଦାତାଙ୍କୁ ଧନ୍ୟବାଦ ଜଣାଇବା।