ଅନେକ ସମୟରେ ବାପା ମା’ ଛୋଟ ପିଲାଙ୍କୁ ସେମାନଙ୍କର ମନପସନ୍ଦର ଖାଦ୍ୟ ଓ ପାନୀୟ ଦେଇ ଦେଇଥାନ୍ତି। ତେବେ ସ୍ନେହବଶତଃ ଯଦି ଆପଣ ନିଜର ଛୋଟ ପିଲାକୁ ଫ୍ରୁଟ ଜୁସ ପିଇବାକୁ ଦେଉଥାନ୍ତି ଏବଂ ଏହା ତା’ ପାଇଁ ଭଲ ବୋଲି ଭାବୁଥାନ୍ତି ତା ହେଲେ ସତର୍କ ହୋଇଯାଆନ୍ତୁ। ଛୋଟ ପିଲାଙ୍କ ପାଇଁ ବିଶେଷ କରି ୩ ବର୍ଷରୁ କମ୍ ପିଲାଙ୍କ ପାଇଁ ଏହା ଆଦୌ ସ୍ୱାସ୍ଥ୍ୟକର ନୁହେଁ।
ଡାକ୍ତରମାନଙ୍କ ଅନୁସାରେ ଫ୍ରୁଟ ଜୁସ ବା ଫଳରସରେ ଫାଇବର ନଥାଏ। ତା’ ବଦଳରେ ପ୍ରଚୁର ପରିମାଣରେ ଗ୍ଲୁକୋଜ ରହିଥାଏ। ଯାହାକି ଖୁବ୍ କମ ବୟସରୁ ପିଲାକୁ ମୋଟାପାରେ ପୀଡ଼ିତ କରାଏ। ଏହାଯୋଗୁ ଶିଶୁର ବିକାଶ ଠିକ ଭାବେ ହୋଇପାରେନାହିଁ। କେବଳ ସେତିକି ନୁହେଁ, ଫଳରସରେ ଚିନିର ମାତ୍ରା ଅଧିକ ରହିଥିବାରୁ ଏହା ଶିଶୁର ଦାନ୍ତ କ୍ଷୟର କାରଣ ପାଲଟିଥାଏ। ଏହା ବଦଳରେ ଆପଣ ପିଲାକୁ ତାଜା ଫଳ ଦେଇପାରିବେ। ସେଥିରେ ଫାଇବର ଥିବାରୁ ତାହା ସହଜରେ ହଜମ ହେବା ସହିତ ଅତ୍ୟଧିକ ଶର୍କରା ଅଂଶ ଶିଶୁର ଦେହକୁ ଯାଏନାହିଁ। ସେହିପରି ଫଳ ଖାଇଲେ ପିଲାର ପେଟ ପୂରିଗଲା ପରି ଲାଗେ। ତେଣୁ ସେ ବାରମ୍ବାର ଖାଦ୍ୟ ଖାଇବାକୁ ଅଳି କରେନାହିଁ।
ଶିଶୁର ଶରୀରରେ ଜଳୀୟ ଅଂଶ ପୂରଣ କରିବା ଲାଗି ଆପଣ ଫଳରସ ବଦଳରେ ପାଣି ଓ କ୍ଷୀର ଦେଇପାରିବେ। ଏହାଦ୍ୱାରା ତାର ଶରୀରକୁ ଅନେକ ପରିମାଣରେ ଭିଟାମିନ ଏବଂ କ୍ୟାଲସିୟମ ମଧ୍ୟ ଯିବ। ଯାହାକି ଫଳରସରେ ନଥାଏ। ଅନ୍ୟପଟେ କେବଳ ଫଳରସ ନୁହେଁ, ଶିଶୁଙ୍କୁ ବାସ୍ନାଯୁକ୍ତ ଡ୍ରିଙ୍କସ, ଏନର୍ଜି ଡ୍ରିଙ୍କସଠାରୁ ମଧ୍ୟ ଦୂରେଇ ରଖିବା ଆବଶ୍ୟକ। ସେହିସବୁ ଡ୍ରିଙ୍କସରେ ଇ.କୋଲି ବ୍ୟାକ୍ଟେରିଆ ଥାଏ ଯାହାକି ଶିଶୁକୁ କ୍ଷତି ପହଞ୍ଚାଏ।