ସୁସ୍ଥ ଶରୀର ପାଇଁ ନିଦ କାହିଁକି ଜରୁରୀ? ସୁନିଦ୍ରା ପାଇଁ କ’ଣ କ’ଣ ଟିପ୍ସ ରହିଛି? ଏନେଇ ବିସ୍ତୃତ ଭାବରେ କହିଛନ୍ତି ମାନସିକ ରୋଗ ବିଶେଷଜ୍ଞ ଡାକ୍ତର ସୁଜିତ କୁମାର କର।

ଜଣେ ବ୍ୟକ୍ତି ତା’ର ଜୀବନକାଳରେ ଏକ ତୃତୀୟାଂଶରୁ ଏକ ଚତୁର୍ଥାଂଶ ସମୟ ଶୋଇବାରେ ବିତେଇଥାଏ। ଅର୍ଥାତ୍‌ ଜଣେ ବ୍ୟକ୍ତି ତା’ର ୬୦ ବର୍ଷର ଜୀବନକାଳ ମଧ୍ୟରେ ୨୦ରୁ ୨୫ ବର୍ଷ ଶୋଇବା ଅବସ୍ଥାରେ ବିତାଇଥାଆନ୍ତି। ତେଣୁ ଶୋଇବା ନିହାତି ଜରୁରୀ। ଶୋଇବା ବେଳେ ଶରୀରରେ ବିଭିନ୍ନ ପ୍ରକାରର ହରମୋନ୍‌ ଓ କେମିକାଲ କ୍ଷରିତ ହୋଇଥାଏ, ଯାହାକି ଉଭୟ ଶାରୀରିକ ଓ ମାନସିକ ବିକାଶରେ ସାହାଯ୍ୟ କରିଥାଏ।

ଗୋଟେ ଛୋଟ ଛୁଆ ପାଖାପାଖି ୧୨ରୁ ୧୬ ଘଣ୍ଟା କିମ୍ବା ୧୮ ଘଣ୍ଟା ଯାଏଁ ଶୋଇଥାଏ । ବୟସ ବଢ଼ିବା ସହିତ ଶୋଇବାର ସମୟ ମଧ୍ୟ କମି କମିଯାଏ। ଯୁବାବସ୍ଥାରେ ଜଣେ ଲୋକ ୬ରୁ ୮ ଘଣ୍ଟା ଶୋଇଥିବା ବେଳେ ପୌଢ଼ ଅବସ୍ଥାରେ ଶୋଇବାର ସମୟ ଓ ଗୁଣବତ୍ତା କମିଯାଏ।

ଅଧିକ ପଢ଼ନ୍ତୁ – ସୁନିଦ୍ରା ପାଇଁ ଆପଣାନ୍ତୁ ଏହି ୧୦ ଟିପ୍ସ

ନିଦ୍ରାହୀନତାର କାରଣ କ’ଣ? (Cause of Insomnia in Odia)

ଜଣେ ବ୍ୟକ୍ତିଙ୍କୁ କିଛି ସପ୍ତାହ ତଥା କିଛି ମାସ ଧରି ନିଦ୍ରାଜନିତ ସମସ୍ୟା ଲାଗିରହେ ଏବଂ ତା’ଦ୍ୱାରା ତା’ର ଦୈନନ୍ଦିନ ଜୀବନରେ ସମସ୍ୟା ସୃଷ୍ଟି ହୁଏ, ତା’ହେଲେ ଭାବିବା ଯେ ବ୍ୟକ୍ତିଜଣକ ଗୋଟେ ପ୍ରକାର ରୋଗଆଡ଼କୁ ଗତି କରୁଛି।

ନିଦ୍ରାହୀନତା ଦୁଇ ଭାଗରେ ବିଭକ୍ତ କରାଯାଇଛି। ପ୍ରାଇମେରି ନିଦ୍ରାହୀନତା ଓ ସେକେଣ୍ଡାରୀ ନିଦ୍ରାହୀନତା।

ପ୍ରାଇମେରି ନିଦ୍ରାହୀନତା – ବ୍ୟକ୍ତିଙ୍କୁ କେବଳ ନିଦ୍ରାଜନିତ ସମସ୍ୟା ଛଡ଼ା ଆଉ କୌଣସି ସମସ୍ୟା ନାହିଁ। ଏହାସହ ନିଦ୍ରାଜନିତ ସମସ୍ୟା ପଛରେ କୌଣସି ରୋଗ କିମ୍ବା ମାନସିକ ସମସ୍ୟା ନଥିବ।

ସେକେଣ୍ଡାରୀ ନିଦ୍ରାହୀନତା – ଶାରୀରିକ ତଥା ମାନସିକ ରୋଗ ଯୋଗୁଁ ନିଦ୍ରାହୀନତା ସମସ୍ୟା ଦେଖାଦେଲେ, ତାକୁ ସେକେଣ୍ଡାରୀ ନିଦ୍ରାହୀନତା କୁହାଯାଏ। ଶାରୀରିକ ସମସ୍ୟା ଯେପରିକି ଅନିୟନ୍ତ୍ରିତ ରକ୍ତ ଶର୍କରା, ଲିପିଡ୍‌ ପ୍ରୋଫାଇଲ୍‌ ଓ ଉଚ୍ଚ ରକ୍ତଚାପ ଥିଲେ ନିଦ୍ରାଜନିତ ସମସ୍ୟା ହୋଇପାରେ। ଅଧିକାଂଶ ସମୟରେ ମାନସିକ ରୋଗ ଯୋଗୁଁ ନିଦ୍ରାଜନିତ ସମସ୍ୟା ହୋଇପାରେ।

ନିଦ୍ରାହୀନତାର ଲକ୍ଷଣ (Symptoms of Insomnia in Odia)

  • ନିଦ ନ ହେବା
  • ଅଧାରୁ ନିଦ ଭାଙ୍ଗିଯିବା
  • ନିଦ ଭାଙ୍ଗିଗଲା ପରେ ପୁଣି ନିଦ ନ ହେବା
  • ସକାଳୁ ଉଠିଲା ପରେ ସତେଜ ଲାଗିନଥାଏ
  • କୌଣସି କାର୍ଯ୍ୟରେ ଏକାଗ୍ରତା ଆସିନଥାଏ
  • ଚିଡ୍‌ଚିଡା ଲାଗିବା
  • ଥକ୍କାପଣ
sleeplessness

ସୁନିଦ୍ରା ପାଇଁ ସ୍ଲିପ୍ ହାଇଜିନ୍ (Sleep Hygiene Tips for Good Sleep in Odia)

ନିଦ୍ରାହୀନତା ହେଉଛି ଏକ ଜୀବନଶୈଳୀ ରୋଗ। ତେଣୁ ଜୀବନଶୈଳୀରେ କିଛି ପରିବର୍ତ୍ତନ କଲେ ନିଦ୍ରାହୀନତାକୁ ଏଡ଼ାଇପାରିବା। ଯେତେବେଳେ ଶରୀର ଥକ୍କିଯାଏ, ତାକୁ ଆରାମର ଆବଶ୍ୟକତା ପଡ଼ିଥାଏ। ସେଥିପାଇଁ ନିଦର ଆବଶ୍ୟକତା ଥାଏ। ଶାରୀରିକ ପରିଶ୍ରମ, ବ୍ୟାୟାମ ଆଦି ନ କରିବା ଦ୍ୱାରା ଶରୀରକୁ ଥକ୍କା ଲାଗି ନଥାଏ। ଫଳରେ ଶରୀର ଶୋଇବା ପାଇଁ ଆବଶ୍ୟକତା କରେ ନାହିଁ, ଯାହାକି ନିଦ୍ରାହୀନତାର କାରଣ।

ଭଲ ନିଦ ପାଇଁ ପ୍ରତିଦିନ ବ୍ୟାୟାମ କରନ୍ତୁ ଅଥବା ଶାରୀରିକ ପରିଶ୍ରମ କରନ୍ତୁ। ଏହାଦ୍ୱାରା ଶରୀରକୁ ଥକ୍କା ଲାଗିଥାଏ ଓ ଭଲ ନିଦ ହୋଇଥାଏ।

ଏହାଛଡ଼ା ଯେଉଁ ଲୋକମାନେ ଦିନରେ ଶୋଇଯାଆନ୍ତି, ସେମାନଙ୍କର ରାତିର ନିଦର ଗୁଣବତ୍ତା କମିଯାଏ।

ସେତେବେଳେ ବିଛଣାକୁ ଯାଆନ୍ତୁ, ଯେତେବେଳେ ଆପଣଙ୍କୁ ଶୋଇବାର ଅଛି। ବିଛଣାରେ ଅନ୍ୟ କାର୍ଯ୍ୟ ଯେପରିକି ପଢ଼ାପଢ଼ି, ଖାଇବା ଆଦି କାମ କରନ୍ତୁ ନାହିଁ।

ଯଦି ଆପଣଙ୍କୁ ବିଛଣାର ଶୋଇବାର ୨୦ ମିନିଟ୍‌ ଯାଏଁ ନିଦ ଲାଗୁନାହିଁ, ତାହେଲେ ବିଛଣାରୁ ଉଠିଯାଆନ୍ତୁ ଏବଂ କିଛି ପଢ଼ାପଢ଼ି କରନ୍ତୁ। ଏହାଦ୍ୱାରା ମାନସିକ ଭାବେ ସକ୍ରିୟ ରହିବେ ଓ ଧୀରେ ଧୀରେ ଆପଣଙ୍କୁ ନିଦ ଲାଗିବ।

ବର୍ତ୍ତମାନ ସମୟରେ ଲୋକମାନେ ଅଧିକ ମାତ୍ରାରେ ମୋବାଇଲ ବ୍ୟବହାର କରୁଛନ୍ତି। ଶୋଇବା ବେଳେ ମୋବାଇଲ ବ୍ୟବହାର ହେତୁ ମୋବାଇଲରୁ ବାହାରୁଥିବା ଆଲୋକ ମସ୍ତିଷ୍କକୁ ପ୍ରଭାବିତ କରିଥାଏ। ଫଳରେ ମସ୍ତିଷ୍କରେ ମେଲାଟୋନିନ୍‌ର କ୍ଷରଣ କମିଯାଏ, ଯାହାକି ନିଦ୍ରାହୀନତାର କାରଣ ହୋଇଥାଏ। ଶୋଇବା ବେଳେ ରୁମ୍‌ର ଲାଇଟ୍‌ ବନ୍ଦ କରିଦିଅନ୍ତୁ। ଅନ୍ଧାର ଗୃହରେ ମେଲାଟୋନିନ୍‌ କ୍ଷରଣ ଅଧିକ ହୋଇଥାଏ, ଫଳରେ ଭଲ ନିଦ ହୋଇଥାଏ।

sleepless night

ନିଦ୍ରାହୀନତାର ଚିକିତ୍ସା (Treatment of Insomnia in Odia)

ନିଦ୍ରାହୀନତାର ଚିକିତ୍ସା ପାଇଁ ପ୍ରଥମେ ଏହାର କାରଣ ଜାଣିବାକୁ ପଡ଼ିଥାଏ। ଯଦି କୌଣସି ଶାରୀରିକ ତଥା ମାନସିକ କାରଣ ଯୋଗୁଁ
 ନିଦ ହେଉନାହିଁ, ତେବେ ତା’ର ଚିକିତ୍ସା କରିବା ଆବଶ୍ୟକ। ଯଦି ବିନା କୌଣସି କାରଣ ଯୋଗୁଁ ନିଦ୍ରା ଜନିତ ସମସ୍ୟା ରହିଛି, ତାହେଲେ କେତେକ ଔଷଧ ପରାମର୍ଶ କରାଯାଏ, କାଉନସିଲିଂର ଆବଶ୍ୟକତା ପଡ଼ିପାରେ ଏବଂ ବ୍ୟକ୍ତି ଯଦି ତାଙ୍କର ସ୍ଲିପ୍‌ ହାଇଜିନ୍‌କୁ ଠିକ୍‌ ଭାବେ ପାଳନ କରନ୍ତି, ତେବେ ନିଦ୍ରାଜନିତ ସମସ୍ୟାକୁ ଏଡ଼ାଯାଇପାରିବ।

ଡାକ୍ତରଙ୍କ ପରାମର୍ଶ (Doctor’s advice in Odia)

ପ୍ରତିଦିନ ବ୍ୟାୟାମ କରନ୍ତୁ।

ସୂର୍ଯ୍ୟ ନମସ୍କାର, ଯୋଗ, ପ୍ରାଣାୟାମ ଆଦି ନିଜ ଜୀବନଶୈଳୀରେ ସାମିଲ କରନ୍ତୁ।

ଦ୍ୱିପହରେ ଶୁଅନ୍ତୁ ନାହିଁ।

(ସ୍ୱାସ୍ଥ୍ୟ ଓ ଜୀବନଶୈଳୀ ଉପରେ ଆଧାରିତ ଓଡ଼ିଆ ଡିଜିଟାଲ୍‌ ପ୍ଲାଟଫର୍ମ ‘ସ୍ୱାସ୍ଥ୍ୟ ପ୍ଲସ୍’ ସହିତ ଡାକ୍ତର ସୁଜିତ କୁମାର କରଙ୍କ ସ୍ୱତନ୍ତ୍ର ସାକ୍ଷାତକାରକୁ ନେଇ ପ୍ରସ୍ତୁତ।)

Note: This information on Insomnia, in Odia language, is based on an extensive interview with Psychiatrist Dr Sujit kumar Kar.