ମହିଳାଙ୍କଠାରେ ଅତ୍ୟଧିକ କେଶ କାହିଁକି ହୁଏ? ଏହାକୁ କେମିତି ହଟାଇବେ? ଏନେଇ ବିସ୍ତୃତ ଭାବେ ଆଲୋଚନା କରିଛନ୍ତି ବିଶିଷ୍ଟ ଚର୍ମରୋଗ ବିଶେଷଜ୍ଞ ଡାକ୍ତର ଶୁଭ୍ରାଂଶୁ ଶେଖର ପଟ୍ଟନାୟକ।

ପୁରୁଷଙ୍କ ମୁହଁରେ ନିଶ ଏବଂ ଦାଢ଼ି ବାହାରିବା ସ୍ୱାଭାବିକ କଥା। ହେଲେ ମହିଳାଙ୍କ ମୁହଁରେ ବେଶୀ ମାତ୍ରାରେ ଓ ବଡ଼ ବଡ଼ କେଶ ଉଠିଲେ ତାହା ମହିଳାଙ୍କ ସୌନ୍ଦର୍ଯ୍ୟ ଉପରେ ପ୍ରଭାବ ପକାଇଥାଏ, ଯାହାକୁ ଅଦରକାରୀ କେଶ ବା ଲୋମଶ କୁହାଯାଏ।  

ମହିଳାଙ୍କଠାରେ ଅଦରକାରୀ କେଶ କାହିଁକି ହୁଏ? (Causes of unwanted hair in Odia)

ଅଦରକାରୀ କେଶ ହେବାର ମୁଖ୍ୟ କାରଣ ହେଉଛି ହରମୋନ ଅସନ୍ତୁଳନ। ପିସିଓଡି ସମସ୍ୟା ଥିଲେ ମହିଳାଙ୍କ ଶରୀରରେ ଏଣ୍ଡ୍ରୋଜେନ୍‌ ନାମକ ହରମୋନ୍‌ ବୃଦ୍ଧି ପାଇଥାଏ। ଫଳରେ କେଶ ଝଡ଼ିବା, ବ୍ରଣ ବାହାରିବା, ଅଦରକାରୀ କେଶ ଉଠିବା, ମୁଣ୍ଡର ମଝି ଭାଗରେ କେଶ ଝଡ଼ିବା ଭଳି ସମସ୍ୟା ଦେଖାଦେଇଥାଏ। ମହିଳାଙ୍କର ଓଠର ଉପର ଭାଗ, ଥୋଡ଼ିରେ, ଛାତିରେ ଗାଲରେ ଅତ୍ୟଧିକ କେଶ ଉଠିଥାଏ।

ଅଦରକାରୀ କେଶ ପାଇଁ ମହିଳାମାନେ କ’ଣ କରିଥାଆନ୍ତି? (What do women do for unwanted hair in Odia)

ଅତ୍ୟଧିକ କେଶ ହଟାଇବା ପାଇଁ ମହିଳାମାନେ ପାର୍ଲର ଯାଇ ଓ୍ୱାକ୍ସିଂ, ଥ୍ରେଡିଂ କରନ୍ତି। ଓ୍ୱାକ୍ସିଂ କରିବା ଦ୍ୱାରା ମାସେ ପର୍ଯ୍ୟନ୍ତ କେଶ ଉଠି ନଥାଏ ଓ ପୁଣି ଧୀରେ ଧୀରେ କେଶ ବୃଦ୍ଧି ପାଇଥାଏ। ଏହାଛଡ଼ା ବଜାରରେ କେତେଗୁଡ଼ିକ କ୍ରିମ୍‌ ମିଳୁଛି, ଯାହାକୁ ବ୍ୟବହାର କରି କେଶ ହଟାଯାଏ।

ଅଦରକାରୀ କେଶର ଚିକିତ୍ସା କ’ଣ? (Treatment of unwanted hair in Odia)

ଅଦରକାରୀ କେଶ ହଟାଇବା ପୂର୍ବରୁ ଦେଖାଯାଏ ଯେ, କେଉଁ କାରଣ ଯୋଗୁଁ ଦେହରେ ଅତ୍ୟଧିକ କେଶ ଉଠୁଛି। ଏହା ହରମୋନ୍‌, ବଂଶଗତ ବା କୌଣସି କ୍ରିମ୍‌ ଲଗାଇବା ଯୋଗୁଁ ହୋଇପାରିଥାଏ। ଯଦି ପିସିଓଡି ଯୋଗୁଁ ଅତ୍ୟଧିକ କେଶ ଉଠୁଛି, ତେବେ ସ୍ତ୍ରୀ ଓ ପ୍ରସୂତି ରୋଗ ବିଶେଷଜ୍ଞଙ୍କ ସହ ପରାମର୍ଶ କରିବାକୁ କୁହାଯାଏ।

ଏହାସହ ଲେଜର ଚିକିତ୍ସା ଓ କ୍ରିମ୍‌ ଲଗାଇବାକୁ ପରାମର୍ଶ ଦିଆଯାଏ।

ଲେଜର ଚିକିତ୍ସା ୮ରୁ ୧୨ଟି ଅଧିବେଶନରେ କରାଯାଇଥାଏ। ପ୍ରତି ଅଧିବେଶନ ମଧ୍ୟରେ ମାସେ ମାସେ ବ୍ୟବଧାନ ରହିଥାଏ। ଗୋଟେ ଅଧିବେଶନ କରିବା ପରେ କେଶ ଅବିବୃଦ୍ଧି କମିଯାଏ, ପତଳା କେଶ ଉଠେ, ରଙ୍ଗରେ ପରିବର୍ତ୍ତନ ହୁଏ ଓ ଧୀରେ ଧୀରେ ମୁହଁର ରଙ୍ଗ ସହ ମିଶିଯାଏ।

ଲେଜର ଚିକିତ୍ସା କେମିତି ହୁଏ? (Laser treatment for unwanted hair in Odia)

ଅତ୍ୟଧିକ କେଶ ହଟାଇବା ପାଇଁ ଦୁଇ ପ୍ରକାରର ଲେଜର ଚିକିତ୍ସା କରାଯାଏ।

୧- ଡାଓଡ୍‌ ଲେଜର, ୨- ଆଇପିଏଲ୍‌ ଲାଇଟ୍‌

ଲେଜର ଚିକିତ୍ସା ପୂର୍ବରୁ ରୋଗୀଙ୍କୁ ସମସ୍ତ ପଦ୍ଧତି ବିଷୟରେ ଅବଗତ କରାଯାଏ। ପ୍ରଥମେ ଅଦରକାରୀ କେଶ ଉଠିଥିବା ସ୍ଥାନରେ ଆନେସ୍‌ଥେସିଆ କ୍ରିମ୍‌ ଲଗାଯାଏ। ବଧିରା ହୋଇଯିବା ପରେ କେଶଗୁଡ଼ିକୁ ସେଭିଂ କରି ହଟାଯାଇଥାଏ। ଏହାପରେ ଲେଜର ଲାଇଟ୍‌ ବା ଆଇପିଏଲ୍‌ ଲାଇଟ୍ ପକାଯାଇଥାଏ। ଏହି ଲାଇଟ୍‌ କେଶର ମୂଳ ଉପରେ ପଡ଼ିଥାଏ, ଫଳରେ ପୁଣି ଯେଉଁ କେଶ ବୃଦ୍ଧି ପାଏ ତାହାର ମାନ, ରଙ୍ଗ ଓ ଅଭିବୃଦ୍ଧି କମିଯାଏ। ଏଭଳି ଭାବରେ ୮ରୁ ୧୨ ଥର କରିବା ପରେ କେଶ ଆଉ ଉଠିନଥାଏ।

ଲେଜର ଚିକିତ୍ସାର ପାର୍ଶ୍ୱ ପ୍ରତିକ୍ରିୟା କ’ଣ? (Side effects of laser treatment in Odia)

 ଲେଜରର କୌଣସି ପାର୍ଶ୍ଵପ୍ରତିକ୍ରିୟା ନଥାଏ। ଦୁଇରୁ ତିନୋଟି ଅଧିବେଶନ କରିବା ପରେ ଚର୍ମରେ ନାଲି ନାଲି ପଡ଼ିପାରେ। ଏଥିପାଇଁ କ୍ରିମ୍‌ ଲଗାଇବାକୁ ଦିଆଯାଏ। ଦୁଇରୁ ତିନି ଦିନ ଲଗାଇବା ପରେ ଲାଲ ଦାଗ କମିଯାଏ।

ଡାକ୍ତରଙ୍କ ପରାମର୍ଶ (Doctor’s advice in Odia)

ଯଦି ଅଦରକାରୀ କେଶ ଅଳ୍ପ ମାତ୍ରାରେ ଉଠୁଛି, ତେବେ ପାର୍ଲରରେ ଯାଇ ଓ୍ୱାକ୍ସିଂ କିମ୍ବା ଥ୍ରେଡିଂ କରିପାରିବେ। କିନ୍ତୁ, କେଶ ଅତ୍ୟଧିକ ହେଉଛି, ଯାହା ଆପଣଙ୍କ ଜୀବନଶୈଳୀକୁ ପ୍ରଭାବିତ କରୁଛି ଏବଂ ଓ୍ୱାକ୍ସିଂ କରିବା ପରେ ବି ଅଧିକରୁ ଅଧିକ କେଶ ଉଠୁଛି, ତେବେ ଚର୍ମ ରୋଗ ବିଶେଷଜ୍ଞଙ୍କୁ ପରାମର୍ଶ କରିପାରିବେ।

(ସ୍ୱାସ୍ଥ୍ୟ ଓ ଜୀବନଶୈଳୀ ଉପରେ ଆଧାରିତ ଓଡ଼ିଆ ଡିଜିଟାଲ୍‌ ପ୍ଲାଟଫର୍ମ ‘ସ୍ୱାସ୍ଥ୍ୟ ପ୍ଲସ୍’ ସହିତ ଡାକ୍ତର ଶୁଭ୍ରାଂଶୁ ଶେଖର ପଟ୍ଟନାୟକଙ୍କ ସ୍ୱତନ୍ତ୍ର ସାକ୍ଷାତକାରକୁ ନେଇ ପ୍ରସ୍ତୁତ।)

Note: This information on Unwanted Hair, in Odia language, is based on an extensive interview with a Dermatologist Dr Subhransu Sekhar Pattnaik.