ରିଜେକ୍ସନ୍ ବା ପ୍ରତ୍ୟାଖ୍ୟାନ ତଥା ନା ଶୁଣିବାକୁ ଅନେକ ପସନ୍ଦ କରନ୍ତି ନାହିଁ। ହେଲେ ଜୀବନରେ ସମସ୍ତଙ୍କୁ କୌଣସି ନା କୌଣସି କ୍ଷେତ୍ରରେ ନା ଶୁଣିବାକୁ ମିଳିଥାଏ। କ୍ୟାରିୟର, ଚାକିରି, ସମ୍ପର୍କ କ୍ଷେତ୍ରରେ ନା’ଶୁଣିବା ତଥା ପ୍ରତ୍ୟାଖ୍ୟାନ ପରିସ୍ଥିତିକୁ ସାମ୍ନା କରିବାକୁ ହୋଇଥାଏ। କେତେକ ଲୋକ ଏଭଳି ସ୍ଥିତିରେ ଏକପ୍ରକାର ନକରାତ୍ମକ ଭାବନା ରଖିଥା’ନ୍ତି। ସେମାନେ କୌଣସି ପ୍ରକାର ପ୍ରତ୍ୟାଖ୍ୟାନର ସାମ୍ନା କରିବାକୁ ଭୟ କରନ୍ତି। ଡାକ୍ତରୀ ଭାଷାରେ ଏହାକୁ ରିଜେକସନ୍ ସେନସିଟିଭ ଡିସଫୋରିଆ (ଆରଏସଡି) ବୋଲି କୁହାଯାଏ।
ବିଶେଷଜ୍ଞଙ୍କ କହିବା ଅନୁସାରେ, ଏହା ଗଭୀର ଭାବନାତ୍ମକ ପ୍ରତିକ୍ରିୟା। ଏଥିରେ ଆକ୍ରାନ୍ତ ବ୍ୟକ୍ତି ମନେମନେ ଭାବି ନିଅନ୍ତି ଯେ ସେ ନିଜେ ଅନ୍ୟମାନଙ୍କୁ କୌଣସି କ୍ଷେତ୍ରରେ ନିରାଶ କରିଛନ୍ତି। ତେଣୁ ଲୋକେ ମଧ୍ୟ ସ୍ନେହ, ସମ୍ମାନ ଦେବା ବନ୍ଦ କରିଦେଲେଣି। ଏଭଳି ଭାବନା ଭିତରେ ବ୍ୟକ୍ତିଜଣକ ନିଜ ଇଚ୍ଛା ପୂରଣ ନ କରିପାରିଲେ ତାଙ୍କ ମନର ପ୍ରତିକ୍ରିୟା ଖୁବ୍ ଯନ୍ତ୍ରଣାଦାୟକ ହୋଇଯାଏ। ଆରଏସଡି ଅନେକ କ୍ଷେତ୍ରରେ ଆଟେନସନ୍ ଡେଫିସିଟ ହାଇପରଆକ୍ଟିଭ ଡିସଅର୍ଡର ବା ଧ୍ୟାନାଭାବ ଏବଂ ଅତି ସକ୍ରିୟତା ବିକାର ସମସ୍ୟା ସହିତ ଆକ୍ରାନ୍ତ କରେ। ଭାବନାତ୍ମକ ସ୍ତରରେ ଏଭଳି ସ୍ଥିତି ଉଭୟ ପିଲା ଏବଂ ବୟସ୍କଙ୍କୁ ପ୍ରଭାବିତ କରିଥାଏ।
ଲକ୍ଷଣ:
ଏହି ରୋଗର ଲକ୍ଷଣ ବାରିବା କଷ୍ଟକର। କାରଣ ଏହା ଅନ୍ୟାନ୍ୟ ମାନସିକ ଅସୁସ୍ଥତା ଯଥା-ଅବସାଦ, ପର୍ସନାଲିଟି ଡିସଅର୍ଡର, ପୋଷ୍ଟ ଟ୍ରମାଟ୍ରିକ ଷ୍ଟ୍ରେସ ଡିସଅର୍ଡର, ବର୍ଡର ଲାଇନ ବ୍ୟକ୍ତିତ୍ୱ ବିକାର, ସୋସିଆଲ ଫୋବିଆ ଆଦି ସହ ସମାନ ଭଳି ଲାଗେ। ଏହାର ମୁଖ୍ୟ ଲକ୍ଷଣ ମଧ୍ୟରେ ନିଜର ସମାଲୋଚନା କିମ୍ବା କୌଣସି କଥା ଅସ୍ୱୀକାର କରାଯିବାରେ ପ୍ରବଳ କ୍ରୋଧ ଆସିବା ସବୁଠୁ ଅଧିକ ଦେଖାଯାଏ। ସେହିପରି ସହଜରେ ଲଜ୍ଜିତ ହୋଇଯିବା, ଅତ୍ୟଧିକ ରାଗିଯିବା, ନିଜର ଆତ୍ମସମ୍ମାନ ହାନି ହୋଇଥିବାର ଅନୁଭବ କରିବା, ଚିନ୍ତିତ ରହିବା ତଥା ସାମାଜିକ ସ୍ତରରେ ନିଜକୁ ପୃଥକ ହୋଇଯାଇଥିବାର ଅନୁଭବ କରିବା ଭଳି ଲକ୍ଷଣ ଦେଖାଯାଏ।
ଚିକିତ୍ସା:
ଏଭଳି ରୋଗାକ୍ରାନ୍ତ ବ୍ୟକ୍ତିଙ୍କ ପାଇଁ ଡାକ୍ତର ଔଷଧ ସହିତ ଜୀବନଶୈଳୀରେ ପରିବର୍ତ୍ତନ ଭଳି ଉପଚାର ପରାମର୍ଶ ଦେଇଥା’ନ୍ତି। ସେମାନଙ୍କ ପାଇଁ ସୁଷମ ଖାଦ୍ୟ ଖାଇବା, ପର୍ଯ୍ୟାପ୍ତ ବିଶ୍ରାମ ନେବା, ନିୟମିତ ବ୍ୟାୟାମ କରିବା ଖୁବ୍ ଉପଯୋଗୀ ହୋଇଥାଏ। ଏସବୁ ସହିତ କୌଣସି ପ୍ରକାର ନକରାତ୍ମକ ଏବଂ ସକାରାତ୍ମକ ଉତ୍ତରକୁ ସ୍ୱାଭାବିକ ଭାବେ ଗ୍ରହଣ କରିବା, ପ୍ରତ୍ୟେକ କଥାକୁ ସକରାତ୍ମକ ଦିଗରେ ଚିନ୍ତା କରିବା, ଭଲ ଲୋକଙ୍କ ସହିତ ଆଲୋଚନା କରିବା ସହ ବହି ପଢ଼ିବା ଜରୁରୀ।
All you need to know about the symptoms and treatment of Rejection sensitive dysphoria.