ଫାଇବ୍ରଏଡ୍ସ କାହିଁକି ହୁଏ? ଏହାକୁ ଚିହ୍ନିବେ କେମିତି? ଆସନ୍ତୁ ବିଶିଷ୍ଟ ପ୍ରସୂତୀ ଓ ସ୍ତ୍ରୀ ରୋଗ ବିଶେଷଜ୍ଞ ଡାକ୍ତର ଜିଏସଏସ ମହାପାତ୍ରଙ୍କଠାରୁ ଫାଇବ୍ରଏଡସ ବିଷୟରେ ଅଧିକ ଜାଣିବା।
ମହିଳାଙ୍କ ଗର୍ଭାଶୟରେ ହେଉଥିବା ଟ୍ୟୁମରକୁ ଫାଇବ୍ରଏଡ୍ସ ବା ଲିଓମିୟୋମା ବୋଲି କୁହାଯାଏ। ସାଧାରଣତଃ ଏହି ଟ୍ୟୁମର କ୍ୟାନସର ସୃଷ୍ଟି କରିନଥାଏ। ହେଲେ ଠିକ୍ ସମୟରେ ଫାଇବ୍ରଏଡସର ଚିକିତ୍ସା କରାନଗଲେ ଏହା କ୍ୟାନସରର ରୂପ ନେଇପାରେ।
ଫାଇବ୍ରଏଡ୍ସ ଗର୍ଭାଶୟର ଯେକୌଣସି ସ୍ତରରେ ସୃଷ୍ଟି ହୋଇପାରେ। ଏହି ଫାଇବ୍ରଏଡ୍ସ୍ର ଆକାର ୧ମିଲିମିଲରରୁ ଆରମ୍ଭ କରି ୩୦ ସେଣ୍ଟିମିଟର ଯାଏଁ ହୋଇପାରେ। ଅଧିକାଂଶ ରୋଗୀ ତାଙ୍କ ଗର୍ଭାଶୟରେ ଫାଇବ୍ରଏଡ୍ସ୍ ଥିବା କଥା ଜାଣିପାରନ୍ତି ନାହିଁ।
ଅଧିକ ପଢ଼ନ୍ତୁ: କାହିଁକି ହୁଏ ବନ୍ଧ୍ୟାଦୋଷ?
ଫାଇବ୍ରଏଡ୍ସ୍ ହେବାର କାରଣ ଓ ଲକ୍ଷଣ (Causes and symptoms of fibroids in Odia)
ଗର୍ଭାଶୟର ମାଂସପେଶୀ କୋଷ ସବୁଠାରୁ ନରମ। ଯଦି ଗର୍ଭାଶୟର କୌଣସି ଗୋଟିଏ ସ୍ତରରେ ମାଂସପିଣ୍ଡୁଳା ଭଳି ସୃଷ୍ଟି ହୁଏ, ତାହାକୁ ଫାଇବ୍ରଏଡ୍ସ୍ କୁହାଯାଏ। ଗର୍ଭାଶୟରେ ସୃଷ୍ଟି ହେଉଥିବା ସମସ୍ତ ଫାଇବ୍ରଏଡ୍ସ୍ ସମସ୍ୟା ସୃଷ୍ଟି କରନ୍ତି ନାହିଁ ଓ ସବୁ ଫାଇବ୍ରଏଡ୍ସ୍କୁ ଔଷଧରେ ଚିକିତ୍ସା ବା ସର୍ଜରି ଦରକାର କରନ୍ତି ନାହିଁ।
ଗର୍ଭାଶୟର ତିନୋଟି ସ୍ତର ରହିଛି। ପ୍ରଥମ ହେଲା ଗର୍ଭାଶୟର ଭିତର ସ୍ତର, ଯାହା ଋତୁଚକ୍ର ବେଳେ ଝଡ଼ିଯାଏ, ତାହାକୁ ଏଣ୍ଡୋମାଟ୍ରିୟମ୍ କହିଥାଉ। ଏହାର ଠିକ୍ ବାହାର ବା ମଝି ସ୍ତର ବା ମାଂସପେଶୀ ସ୍ତରକୁ ମାୟୋମେଟ୍ରିୟମ୍ କହୁ ଏବଂ ଗର୍ଭାଶୟର ବାହାର ସ୍ତରକୁ ପେରିମେଟ୍ରିୟମ୍ କହୁ। ଏଣ୍ଡୋମେଟ୍ରିୟମ୍ରେ ଫାଇବ୍ରଏଡ୍ ହେବାକୁ ସବ୍ମ୍ୟୁକୋସାଲ ଫାଇବ୍ରଏଡ୍ସ୍ ବୋଲି କୁହାଯାଏ। ଯେତେବେଳେ ଫାଇବ୍ରଏଡ୍ ମଝି ସ୍ତର ବା ମାୟେମେଟ୍ରିୟମ୍ରେ ହୁଏ, ତାହାକୁ ଇଣ୍ଟ୍ରାନ୍ୟୁରାଲ ଫାଇବ୍ରଏଡ୍ସ କୁହାଯାଏ। ବାହାର ସ୍ତରରେ ଫ୍ରାଇବ୍ରଏଡ୍ସ୍ ହେଲେ, ତାହାକୁ ସବ୍ସେରସ୍ ଫାଇବ୍ରଏଡ୍ସ୍ ବୋଲି କୁହାଯାଏ।
ଏଣ୍ଡୋମେଟ୍ରିୟମ୍ରେ ୧ ବା ୧.୫ ସେଣ୍ଟିମିଟରର ଫାଇବ୍ରଏଡ୍ ହେଲେ ଋତୁଚକ୍ରର ଦ୍ଵିତୀୟ କିମ୍ବା ତୃତୀୟ ଦିପରେ ଅତ୍ୟଧିକ ରକ୍ତସ୍ରାବ ହେବା ସହ ପେଟ ଯନ୍ତ୍ରଣା ଅଧିକ ହୋଇଥାଏ। ଯଦି ସମାନ ଆକାର ବା ୧୫ ସେଣ୍ଟିମିଟରର ଫାଇବ୍ରଏଡ୍ ଗର୍ଭାଶୟର ବାହାର ସ୍ତରରେ ହୁଏ, ତେବେ ତାହା ରକ୍ତସ୍ରାବ କରାଇବ ନାହିଁ। ମଝି ସ୍ତରରେ ଫାଇବ୍ରଏଡ୍ସ୍ ହେଲେ ରକ୍ତସ୍ରାବ ହୋଇପାରେ ନ ବି ହୋଇପାରେ। ଏହା ହେଲେ କେବଳ ଯନ୍ତ୍ରଣା ହୋଇପାରେ।
ହେଲେ ଗର୍ଭାଶୟର ବାହାର ସ୍ତରରେ ବଡ଼ ଆକାରର ସବ୍ସେରସ୍ ଫାଇବ୍ରଏଡ୍ ହେଲେ ରୋଗୀଙ୍କୁ ବାରମ୍ବାର ପରିସ୍ରା ଲାଗିପାରେ, ପରିସ୍ରା ଯିବା ପରେ ବି କିଛି ରହିଗଲା ପରି ଲାଗେ, ଝାଡ଼ା ସଫା ନ ହୋଇପାରେ, କୋଷ୍ଠକାଠିନ୍ୟ ସମସ୍ୟା ହେଲା ଭଳି ଲାଗିଥାଏ।
କେତେକ କ୍ଷେତ୍ରରେ ଫାଇବ୍ରଏଡ୍ସ୍ଗୁଡ଼ିକ ସଢ଼ିଯାଇପାରନ୍ତି।
ଅଧିକ ପଢ଼ନ୍ତୁ: ଗର୍ଭାବସ୍ଥାରେ ମୋଟାପଣକୁ ନିୟନ୍ତ୍ରଣ କେମିତି କରିବେ?
ଫାଇବ୍ରଏଡ୍ସ ଯୋଗୁଁ କର୍କଟ ହୁଏ କି? (Do fibroids cause cancer in Odia)
ଫାଇବ୍ରଏଡ୍ସ ଯୋଗୁଁ କର୍କଟ ହେବାର ଆଶଙ୍କା ଅଛି। ଯଦି ଫାଇବ୍ରଏଡ୍ସ ଯୋଗୁଁ କ୍ୟାନ୍ସର ହୁଏ, ତାକୁ ଲିଓମାୟୋସାର୍କୋମା ବୋଲି କୁହାଯାଏ। ରକ୍ତବାହୀ ନଳୀ ଦ୍ୱାରା କ୍ୟାନ୍ସର ଅଧିକ ଶୀଘ୍ର ବ୍ୟାପିପାରେ।
ଫାଇବ୍ରଏଡ୍ସର ଚିକିତ୍ସା (Treatment of fibroids in Odia)
ଗର୍ଭାଶୟର ମଝି ସ୍ତରରେ ଫାଇବ୍ରଏଡ୍ସ ହୋଇଥିଲେ ଓ ଏହାର ଆକାର ୧ରୁ ୩ ସେଣ୍ଟିମିଟର ଭିତରେ ଥାଏ ଓ କୌଣସି ଲକ୍ଷଣ ପରିଲିକ୍ଷିତ ହେଉ ନାହିଁ, ତେବେ ଏଥିପାଇଁ କୌଣସି ସର୍ଜରୀ ଏବଂ ଔଷଧର ଆବଶ୍ୟକତା ନାହିଁ। ଏଥିପାଇଁ ବର୍ଷକୁ ଥରେ ଅଲଟ୍ରାସାଉଣ୍ଡ କରି ଏହି ଫାଇବ୍ରଏଡ୍ସର ପରୀକ୍ଷା କରୁଥିବେ। ଯଦି ହଠାତ୍ ଫାଇବ୍ରଏଡ୍ସର ଆକାର ବଡ଼ ହୁଏ, ତେବେ ତାହାର ସର୍ଜରୀ କରାଯିବ। ଯଦି ୧-୩ ସେଣ୍ଟିମିଟର ଫାଇବ୍ରଏଡ୍ସ ଗର୍ଭାଶୟର ଭିତର ସ୍ତରରେ ହୋଇଛି, ତେବେ ଏହାର ସର୍ଜରୀ ନିହାତି ଦରକାର। କାରଣ ଏହି ଫାଇବ୍ରଏଡ୍ସ ଯୋଗୁଁ ଅଧିକ ରକ୍ତସ୍ରାବ ଓ ଯନ୍ତ୍ରଣାଦାୟକ ହୋଇଥାଏ। ଯଦି ମଝି ସ୍ତର ବା ବାହାର ସ୍ତରରେ ଫାଇବ୍ରଏଡ୍ସ ହୁଏ ଓ ଏହାର ଆକାର ୪ ସେଣ୍ଟିମିଟରରୁ ଅଧିକ ଏବଂ ଲକ୍ଷଣଯୁକ୍ତ, ତେବେ ରୋଗୀଙ୍କ ବୟସକୁ ଦୃଷ୍ଟିରେ ରଖି ଚିକିତ୍ସା କରାଯାଏ। ଉଦାହରଣସ୍ୱରୁପ ରୋଗୀଙ୍କ ବୟସ ଅଳ୍ପ ବା ରୋଗୀଙ୍କର ଗୋଟିଏ ପିଲା ହୋଇଛି ଓ ଦ୍ୱିତୀୟ ସନ୍ତାନ ପାଇଁ ଯୋଜନା କରୁଛନ୍ତି, ଏଭଳି କ୍ଷେତ୍ରରେ କେବଳ ଫାଇବ୍ରଏଡ୍ସକୁ ବାହାର କରିଦିଆଯାଏ। ଏହି ଚିକିତ୍ସା ପେଟକୁ ଚିରି କରି ବା ଲାପ୍ରୋସ୍କୋପି ଜରିଆରେ କରିହୁଏ। ହେଲେ ଲାପ୍ରୋସ୍କୋପି ଜରିଆରେ ଚିକିତ୍ସା କରିବା ଅଧିକ ସୁବିଧାଜନକ। ଯଦି ଗର୍ଭାଶୟରେ ଫ୍ରାଇବ୍ରଏଡ୍ ଛଡ଼ା ଆଉ କୌଣସି ସମସ୍ୟା ଥାଏ, ତେବେ ଗର୍ଭାଶୟକୁ ସମ୍ପୂର୍ଣ୍ଣ କାଢ଼ିଦେଉ। ଗର୍ଭାଶୟ କାଢ଼ିବା ଦ୍ୱାରା ଶରୀରରେ ହରମୋନ୍ରେ କୌଣସି ପରିବର୍ତ୍ତନ ହୋଇନଥାଏ।
(ସ୍ୱାସ୍ଥ୍ୟ ଓ ଜୀବନଶୈଳୀ ଉପରେ ଆଧାରିତ ଓଡ଼ିଆ ଡିଜିଟାଲ୍ ପ୍ଲାଟଫର୍ମ ‘ସ୍ୱାସ୍ଥ୍ୟ ପ୍ଲସ୍’ ସହିତ ଡାକ୍ତର ଜିଏସଏସ ମହାପାତ୍ରଙ୍କ ସ୍ୱତନ୍ତ୍ର ସାକ୍ଷାତକାରକୁ ନେଇ ପ୍ରସ୍ତୁତ।)
Note: This information on Uterine Fibroids, in Odia language, is based on an extensive interview with obstetrician and gynecologist Dr GSS Mohapatra.