ଅଧିକାଂଶ ସମୟରେ ବାଥରୁମରୁ ଖସି ପଡ଼ି ଲୋକମାନେ ଦୁର୍ଘଟଣାଗ୍ରସ୍ତ ହେଉଥିବାର ଶୁଣିବାକୁ ମିଳେ। କିଛି କ୍ଷେତ୍ରରେ ଏହାଯୋଗୁ ଲୋକମାନଙ୍କର ହୋଡ଼, ହାତ ଭାଙ୍ଗୁଥିବାବେଳେ ଆଉ କିଛି କ୍ଷେତ୍ରରେ ଲୋକମାନଙ୍କର ପ୍ରାଣହାନି ବି ହୋଇଯାଏ। ତେଣୁ ବାଥରୁମ ବ୍ୟବହାର ସମୟରେ ସତର୍କ ରହିବା ଜରୁରୀ।

bathroom accident

ବାଥରୁମରେ କ’ଣ ପାଇଁ ଦୁର୍ଘଟଣା ଘଟିଥାଏ ଏ ସଂପର୍କରେ ଚିନ୍ତା କରିବା ଖୁବ ଜରୁରୀ। ଦୁର୍ଘଟଣାର ମୁଖ୍ୟ କାରଣ ହୋଇଥାଏ ପାଦ ଖସିବା। ଅନେକ ଲୋକଙ୍କ ଘରେ ବାଥରୁମ ପ୍ରାୟତଃ ଓଦା ରହୁଥିବାରୁ ଏପରି ଘଟିଥାଏ। କିଛି କ୍ଷେତ୍ରରେ ଲୋକଙ୍କର ବାଥରୁମରେ ପାଣି ନିଷ୍କାସନ ହେବାର ଠିକ୍ ଭାବେ ବ୍ୟବସ୍ଥା କରାଯାଇନଥାଏ। ତେଣୁ ସାବୁନ ପାଣି ଭଲ ଭାବେ ବାହାରି ନ ପାରି ସନ୍ତସନ୍ତିଆ ଅବସ୍ଥାରେ ରହେ। ପରବର୍ତ୍ତୀ ସମୟରେ ଏହି ସନ୍ତସନ୍ତିଆ ଅବସ୍ଥା ହିଁ ଦୁର୍ଘଟଣାର କାରଣ ପାଲଟେ। ତେଣୁ ପରିବାରର ସବୁ ସଦସ୍ୟ ବାଥରୁମ ବ୍ୟବହାର କରି ସାରିବା ପରେ ପାଣିକୁ ଭଲ ଭାବେ ବାହାର କରିବା ଆବଶ୍ୟକ।

plastic stool for washroomବାଥରୁମରେ ବସିବା ପାଇଁ ଯେଉଁ ପ୍ଲାଷ୍ଟିକ କିମ୍ବା କାଠର ଷ୍ଟୁଲ ରଖାଯାଇଥାଏ ତାହା ଅନେକ ସମୟରେ ଭଙ୍ଗା ହୋଇଥାଏ। ସେଥିରେ ବସିବା କିମ୍ବା ଉଠିବା ସମୟରେ ଲୋକମାନେ ସନ୍ତୁଳନ ହରାଇବାର ଆଶଙ୍କା ଥାଏ। ବାଥରୁମରେ ସାବୁନକୁ ସବୁବେଳେ ତାର ସ୍ଥାନରେ ରଖନ୍ତୁ। କେବେହେଲେ ତଳେ ଚଟାଣରେ ରଖନ୍ତୁ ନାହିଁ। ତଳେ ରଖିବା ଦ୍ୱାରା ସାବୁନର ଚିକିଣିଆ ଅଂଶ ଯୋଗୁ ପାଦ ଖସିଥାଏ।

light ventilation in washroomବାଥରୁମକୁ ଯେପରି ପର୍ଯ୍ୟାପ୍ତ ପରିମାଣରେ ଆଲୋକ ଆସିପାରିବ ତାର ବ୍ୟବସ୍ଥା କରନ୍ତୁ। କାରଣ ଡ୍ରଇଂରୁମ ଅପେକ୍ଷା ବାଥରୁମରେ ଆଲୋକର ଅଧିକ ଆବଶ୍ୟକତା ରହିଛି। ଅନେକ ଲୋକ ବାଥରୁମରେ ଜିରୋ ପାୱାର ବଲବ ଲଗାଇଥାନ୍ତି। କିନ୍ତୁ ତା ବଦଳରେ ଅଧିକ ଆଲୋକ ବିଚ୍ଛୁରିତ କରୁଥିବା ବଲ୍ବ ଲଗାନ୍ତୁ। ବାଥରୁମକୁ ବାଥରୁମ ରହିବାକୁ ଦିଅନ୍ତୁ। ଘରର ଅଦରକାରୀ ଜିନିଷପତ୍ରକୁ ସେଠାରେ ଷ୍ଟୋର କରନ୍ତୁ ନାହିଁ।

bathroom accidentବାଥରୁମର ଚପଲକୁ ନିୟମିତ ବ୍ୟବଧାନରେ ବଦଳାନ୍ତୁ। କାରଣ ଚପଲ ଯୋଗୁ ଅନେକ ସମୟରେ ଦୁର୍ଘଟଣା ଘଟିଥାଏ। ଚପଲରେ ଶିଉଳି ଜମିବା ଯୋଗୁ ସେଥିରେ ପାଦ ପକାଇଲେ ତାହା ଖସିଯାଏ। ଘରେ ଛୋଟ ପିଲା ଥିଲେ କବାଟ ବନ୍ଦ ନ କରି ଆଉଜାଇ ବାଥରୁମ ଯିବାକୁ କୁହନ୍ତୁ। ଯେପରିକି କିଛି ଦୁର୍ଘଟଣା ଘଟିଲେ ଆପଣ ତୁରନ୍ତ ପଦକ୍ଷେପ ନେଇପାରିବେ। ସେହିପରି ବୟସ୍କ ଲୋକମାନେ ବାଥରୁମ ଯିବା ସମୟରେ ମଧ୍ୟ ସେମାନଙ୍କୁ ଜଗନ୍ତୁ। ଆବଶ୍ୟକସ୍ଥଳେ ରାତି ସମୟରେ ବାଥରୁମର ଲାଇଟକୁ ଅନ୍ ରଖନ୍ତୁ।