କାହାକୁ ଓ କେଉଁ ପରିସ୍ଥିତିରେ ଗଣ୍ଠି ପ୍ରତିରୋପଣ ଦରକାର ହୁଏ? ଏନେଇ ବିଶିଷ୍ଟ ଅସ୍ଥିଶଲ୍ୟ ବିଶେଷଜ୍ଞ ଡାକ୍ତର ପରେଶ ଚନ୍ଦ୍ର ଦେ’ କ’ଣ କହୁଛନ୍ତି ଆସନ୍ତୁ ଜାଣିବା।
- ଆଣ୍ଠୁଗଣ୍ଠି ପ୍ରତିରୋପଣ କାହିଁକି କରାଯାଏ?
- କାହିଁକି ଜଣେ ଆଣ୍ଠୁ ପ୍ରତିରୋପଣ କରିବେ?
- ଆଣ୍ଠୁ ପ୍ରତିରୋପଣ ପାଇଁ ୫ଟି ସଙ୍କେତ
- ସମ୍ପୂର୍ଣ୍ଣ ଆଣ୍ଠୁ ପ୍ରତିରୋପଣ କ’ଣ?
- ଗଣ୍ଠି ପ୍ରତିରୋପଣର ପାର୍ଶ୍ୱ ପ୍ରତିକ୍ରିୟା
- ଗଣ୍ଠି ପ୍ରତିରୋପଣକୁ ଡରନ୍ତୁ ନାହିଁ
ଗଣ୍ଠି ପ୍ରତିରୋପଣ ସାଧାରଣତଃ ଆଣ୍ଠୁଗଣ୍ଠି, କାନ୍ଧ ଗଣ୍ଠି, ବଳା ଗଣ୍ଠି, କଚୋଟି ଗଣ୍ଠି ଏବଂ ଅଣ୍ଟା ଗଣ୍ଠିରେ କରାଯାଏ। ୯୦ ପ୍ରତିଶତ କ୍ଷେତ୍ରରେ ପ୍ରତିରୋପଣ ଆଣ୍ଠୁଗଣ୍ଠିରେ କରାଯାଏ, ୯ରୁ ୧୦ ଭାଗ ଅଣ୍ଟା ଗଣ୍ଠିରେ କରାଯାଏ ଏବଂ ୧ ପ୍ରତିଶତ କ୍ଷେତ୍ରରେ କାନ୍ଧ ଗଣ୍ଠିରେ କରାଯାଏ।
ଆଣ୍ଠୁଗଣ୍ଠି ପ୍ରତିରୋପଣ କାହିଁକି କରାଯାଏ? (Why do you need a knee replacement in Odia)
୯୦ ପ୍ରତିଶତ କ୍ଷେତ୍ରରେ ବୟସଜନିତ କାରଣରୁ ଆଣ୍ଠୁଗଣ୍ଠି କ୍ଷୟ ହୋଇଥାଏ ଏବଂ ୧୦ ପ୍ରତିଶତ କ୍ଷେତ୍ରରେ ବିଭିନ୍ନ ରୋଗ ଯୋଗୁଁ ଆଣ୍ଠୁଗଣ୍ଠି କ୍ଷୟ ହେଉଛି। ରୋଗ ଭିତରେ ରୁମାଟୋଏଡ୍ ଆର୍ଥ୍ରାଇଟିସ୍, ଆଙ୍କାଇଲୋଜିଂ ସ୍ପଣ୍ଡିଲାଇଟିସ୍, ଗାଉଟି ଆର୍ଥାଇଟିସ୍ ଭଳି ଅନେକ ରୋଗ କାରଣରୁ ଆଣ୍ଠୁଗଣ୍ଠି କ୍ଷୟ ହୋଇଥାଏ। ଯେତେବେଳେ ପୂରା ଗଣ୍ଠି ନଷ୍ଟ ହୋଇଯାଇଥିବ, ସେତେବେଳେ ଆଣ୍ଠୁ ପ୍ରତିରୋପଣ ଦରକାର ହୋଇଥାଏ।
କାହିଁକି ଜଣେ ଆଣ୍ଠୁ ପ୍ରତିରୋପଣ କରିବେ? (Why would someone do a joint replacement in Odia)
ଜଙ୍ଗ ହାଡ଼, ନଳୀ ହାଡ଼ ଓ ଚକି ହାଡ଼ ମିଶି ଆଣ୍ଠୁଗଣ୍ଠି ତିଆରି ହୋଇଛି। ବୟସ ବଢ଼ିବା ସହିତ କାର୍ଟିଲେଜ୍ ଧୀରେ ଧୀରେ ଖାଇଯାଏ। ଫଳରେ ହାଡ଼ ହାଡ଼ ମଧ୍ୟରେ ଘର୍ଷଣ ହୁଏ ଓ ଯନ୍ତ୍ରଣା ହୁଏ, ଯାହାକୁ ଅର୍ଥାଇଟିସ୍ ବୋଲି କୁହାଯାଏ। ବୟସ ଯୋଗୁଁ ଆର୍ଥାଇଟିସ୍ ହେଲେ ତାକୁ ଅଷ୍ଟିଓଆର୍ଥାଇଟିସ୍ ଏବଂ ଗଣ୍ଠିବାତ ଯୋଗୁଁ ହେଲେ ରୁମାଟଏଡ୍ ଆର୍ଥାଇଟିସ୍ ଏବଂ ୟୁରିକ୍ ଏସିଡ୍ଜନିତ ହେଲେ ଗାଉଟ୍ ଆର୍ଥାଇଟିସ୍ ବୋଲି କୁହାଯାଏ।
ଷ୍ଟେଜ୍-୧ରେ କାର୍ଟିଲେଜ୍ ଓ ମିନିସ୍କସ୍ ଅଳ୍ପ ଅଳ୍ପ ଖାଇଥାଏ। ଷ୍ଟେଜ୍-୨ରେ ଆଉ ଟିକିଏ ଅଧିକ ଖାଇଯାଇଥାଏ ଏବଂ ଷ୍ଟେଜ୍-୪ରେ କାର୍ଟିଲେଜ୍ ପୂରା ଖାଇ ହାଡ଼କୁ ହାଡ଼ ଘର୍ଷଣ ହୋଇଥାଏ।
ଆଣ୍ଠୁ ପ୍ରତିରୋପଣ ପାଇଁ ୫ଟି ସଙ୍କେତ (5 signs you need a knee replacement in Odia)
ଯଦି ଆଣ୍ଠୁଗଣ୍ଠି ଯନ୍ତ୍ରଣା ଅସହ୍ୟ ଭାବେ ହେଉଛି ଏବଂ ଯନ୍ତ୍ରଣାକୁ କମ୍ କରିବା ପାଇଁ ଆପଣଙ୍କୁ ପେନ୍ କିଲର ଖାଇବାକୁ ପଡ଼ୁଛି। ତେବେ ଏହା ଆଣ୍ଠୁ ପ୍ରତିରୋପଣର ପ୍ରଥମ ସଙ୍କେତ ହୋଇଥାଏ। କାରଣ ପେନ୍ କିଲର ଖାଇବା ଦ୍ୱାରା କିଡ୍ନି ଖରାପ ହୋଇପାରେ, ଏସିଡିଟି ହୋଇପାରେ, ପେଟରେ ଅଲସର ହୋଇପାରେ।
ଯଦି ନିୟମିତ କାର୍ଯ୍ୟକଳାପ ଯେପରିକି ପାଖ ଜାଗାକୁ ଚାଲିକି ଯିବା, ରୋଷେଇ କରିବା, ବାଥରୁମ୍ ଯିବା ଭଳି ଅନ୍ୟାନ୍ୟ କାର୍ଯ୍ୟ କରିପାରୁ ନାହାନ୍ତି, ତେବେ ଏହା ଆଣ୍ଠୁ ପ୍ରତିରୋପଣର ଦ୍ୱିତୀୟ ସଙ୍କେତ।
ଛିଡ଼ା ହୋଇକି କୌଣସି କାମ କରିପାରୁ ନାହାନ୍ତି, ତେବେ ଆଣ୍ଠୁ ପ୍ରତିରୋପଣ କରିବା ଆବଶ୍ୟକ।
ବିଶ୍ରାମ ନେବା ବେଳେ ଆଣ୍ଠୁ ପୀଡ଼ା ହେବା। ରାତିରେ ଶୋଇଥିବା ବେଳେ ଯନ୍ତ୍ରଣା ହେବା, କଡ଼ ଲେଉଟିବା ବେଳେ ଆଣ୍ଠୁରେ ପୀଡ଼ା ହେଲେ ଆଣ୍ଠୁ ପ୍ରତିରୋପଣ ଦରକାର ପଡ଼ିଥାଏ।
ସମ୍ପୂର୍ଣ୍ଣ ଆଣ୍ଠୁ ପ୍ରତିରୋପଣ କ’ଣ? (What is a total knee replacement in Odia)
ଅଧିକାଂଶ ଲୋକ ଭାବନ୍ତି ଯେ, ଆଣ୍ଠୁ ପ୍ରତିରୋପଣରେ ପୂରା ଗଣ୍ଠିକୁ କାଟି ନୂଆ ଗଣ୍ଠି ଲଗାଯାଏ। ହେଲେ ତାହା ଭୁଲ। ସମ୍ପୂର୍ଣ୍ଣ ଆଣ୍ଠୁ ପ୍ରତିରୋପଣର ଅର୍ଥ ହେଉଛି ଦୁଇ ଆଣ୍ଠୁ ମଧ୍ୟରେ କାର୍ଟିଲେଜ୍ ନଷ୍ଟ ହୋଇଯାଇଛି, ହାଡ଼ ଉପରେ ହାଡ଼ ଘର୍ଷଣ ହେଉଛି, ତେବେ ସେହି ଘର୍ଷଣ ନ ହେବା ପାଇଁ କାର୍ଟିଲେଜ୍ ସ୍ଥାନରେ କୋବାଲ୍ଟ କ୍ରୋମ୍ ଲଗାଯାଏ। ଫଳରେ ହାଡ଼ ମଧ୍ୟରେ ଘର୍ଷଣ ହେବ ନାହିଁ ଏବଂ ଯନ୍ତ୍ରଣା ହେବ ନାହିଁ।
ଗଣ୍ଠି ପ୍ରତିରୋପଣର ପାର୍ଶ୍ୱ ପ୍ରତିକ୍ରିୟା (Side effects of joint replacement in Odia)
ଡାଏବେଟିସ୍ ରୋଗୀଙ୍କ ରକ୍ତ ଶର୍କରାକୁ ନିୟନ୍ତ୍ରଣ ନ କରି ଆଣ୍ଠୁ ପ୍ରତିରୋପଣ ସର୍ଜରି କରିବା ଦ୍ଵାରା ସଂକ୍ରମଣ ହୋଇଥାଏ। ଅଷ୍ଟିଓପୋରଟିକ୍ ହାଡ଼ରେ ଦୁଇ ମାସ ପୂର୍ବରୁ ଟେରିପାରାଟାଇଡ୍ ଇଞ୍ଜେକ୍ସନ୍, କ୍ୟାଲ୍ସିୟମ୍, ନ୍ୟୁରୋଭିଟାମିନ୍ ଭଳି ଅନ୍ୟାନ୍ୟ ସପ୍ଲିମେଣ୍ଟ ଦେଇ ହାଡ଼କୁ ମଜଭୁତ କରାଯାଏ। ଦୁଇରୁ ତିନି ମାସ ପରେ ପ୍ରତିରୋପଣ କରାଯାଏ। ଏହାଦ୍ଵାରା ଚିକିତ୍ସାରେ ସୁଫଳ ମିଳିଥାଏ।
ଗଣ୍ଠି ପ୍ରତିରୋପଣକୁ ଡରନ୍ତୁ ନାହିଁ (Don’t be afraid of joint replacement in odia)
ସାଧାରଣ ଲୋକଙ୍କ ମନରେ ଡର ଥାଏ ଯେ ଗଣ୍ଠି ପ୍ରତିରୋପଣ କଲେ ସଫଳ ହେବ ନା ନାହିଁ। ପୃଥିବୀରେ ଦ୍ୱିତୀୟ ସଫଳ ଚିକିତ୍ସା ମଧ୍ୟରେ ଆଣ୍ଠୁଗଣ୍ଠୁ ପ୍ରତିରୋପଣ ସବୁଠୁ ସଫଳ ଚିକିତ୍ସା। ଯଦି ସଠିକ୍ ଭାବେ ଚିକିତ୍ସା କରାଯାଏ, ତେବେ ସଫଳତା ମିଳିଥାଏ।
(ସ୍ୱାସ୍ଥ୍ୟ ଓ ଜୀବନଶୈଳୀ ଉପରେ ଆଧାରିତ ଓଡ଼ିଆ ଡିଜିଟାଲ୍ ପ୍ଲାଟଫର୍ମ ‘ସ୍ୱାସ୍ଥ୍ୟ ପ୍ଲସ୍’ ସହିତ ଡାକ୍ତର ପରେଶ ଚନ୍ଦ୍ର ଦେ’ ଙ୍କ ସ୍ୱତନ୍ତ୍ର ସାକ୍ଷାତକାରକୁ ନେଇ ପ୍ରସ୍ତୁତ।)
Note: This information on Joint Replacement, in Odia language, is based on an extensive interview with an Arthroscopy and Joint replacement Surgeon Dr PC Dey.
ଡାକ୍ତର ପରେଶ ଚନ୍ଦ୍ର ଦେ’ ହେଉଛନ୍ତି ଓଡ଼ିଶାର ଜଣେ ଜଣାଶୁଣା ଏଣ୍ଡୋସ୍ପାଇନ ଆଣ୍ଡ ସ୍ପୋର୍ଟସ ଇଞ୍ଜୁରୀ ସର୍ଜନ। ଗଣ୍ଠିବାତ ରୋଗ, ଆଣ୍ଡୁ ପ୍ରତିରୋପଣ ତଥା ସ୍ପୋର୍ଷ୍ଟସ୍ ଇଞ୍ଜୁରୀର ଅତ୍ୟାଧୁନିକ ଚିକିତ୍ସା କ୍ଷେତ୍ରରେ ତାଙ୍କର ରହିଛି ଦୀର୍ଘ ଦିନର ଅନୁଭୂତି। ବର୍ତ୍ତମାନ ଡାକ୍ତର ଦେ’ ଭୁବନେଶ୍ଵରରେ ରହି ଚିକିତ୍ସା କରୁଛନ୍ତି। ତାଙ୍କ ସହ ଯୋଗାଯୋଗ କରିବା ପାଇଁ 9438800020 ନମ୍ବରରେ କଲ୍ କରିପାରିବେ।