ଡାକ୍ତର ସଞ୍ଜୀବ କୁମାର ମିଶ୍ର

ପୁରୁଷଙ୍କଠାରେ ଫୁସ୍‌ଫୁସ୍‌ କର୍କଟ ଏବଂ ମହିଳାଙ୍କଠାରେ ଜରାୟୁ ଓ ସ୍ତନ କର୍କଟ।

ଭାରତରେ ଯେଉଁ କର୍କଟ ରୋଗ ଦେଖାଯାଏ ସେମଧ୍ୟରୁ ସବୁଠୁ ଅଧିକ ଫୁସଫୁସ କର୍କଟ। ଏହା ସାଧାରଣତଃ ପୁରୁଷଙ୍କ ମଧ୍ୟରେ ଦେଖାଯାଉଛି। ସେହିପରି ମହିଳାମାନଙ୍କ କ୍ଷେତ୍ରରେ ସର୍ଭିକ୍ସ କ୍ୟାନସର ବା ଜରାୟୁ କର୍କଟ ସବୁଠୁ ଅଧିକା ଦେଖାଯାଉଛି। ସର୍ଭିକ୍ସ କ୍ୟାନସର ପରେ ସ୍ତନ କର୍କଟ ଭାରତୀୟ ମହିଳାଙ୍କଠାରେ ସବୁଠୁ ଅଧିକା ଦେଖାଯାଉଛି।

ମେଟ୍ରୋ ସିଟିମାନଙ୍କରେ ମହିଳାମାନଙ୍କଠାରେ ସ୍ତନ କର୍କଟ ଅଧିକ ରହିଥାଏ। ଚାପଯୁକ୍ତ ଜୀବନ, ବିଳମ୍ବରେ ବିବାହ କରିବା, ବିଳମ୍ବରେ ସନ୍ତାନ ପ୍ରସବ, ଗୋଟିଏ ପିଲା ଥିବା ଏସବୁ ହେଉଛି ଯେଉଁଥିପାଇଁ ସ୍ତନ କର୍କଟର ସାଧାରଣ କାରଣ। ବର୍ତ୍ତମାନ ଦେଖିବାକୁ ମିଳୁଛି ଯେ, ମହିଳାମାନେ ପ୍ରାୟତଃ ସେମାନଙ୍କ ପିଲାଙ୍କୁ ମା’ କ୍ଷୀର ଖୁଆଉବାକୁ ପସନ୍ଦ କରୁନାହାନ୍ତି। ସ୍ତନ କର୍କଟ ରୋଗର ଏହା ହେଉଛି ଏକ ଗୁରୁତ୍ୱପୂର୍ଣ୍ଣ କାରଣ।

Dr Sanjib Kumar Mishra, Oncology, Utkal Hospital

ପୂର୍ବରୁ ମହିଳାଙ୍କଠାରେ ଜରାୟୁ କର୍କଟ ଅଧିକ ଦେଖିବାକୁ ମିଳୁଥିଲା। ଏହାର ବଡ଼ କାରଣ ହେଉଛି ପରିଚ୍ଛନ୍ନତାର ଅଭାବ। ବର୍ତ୍ତମାନ ଲୋକେ ଶିକ୍ଷିତ ହେଲେଣି, ଲୋକଙ୍କ ଜୀବନଧାରଣାର ମାନ ବଢ଼ିଲାଣି, ଲୋକେ ସଚେତନ ହେଲେଣି। ଏବେ ଗ୍ରାମୀଣ ଅଞ୍ଚଳରେ କିଛିଟା ଜରାୟୁ କର୍କଟ ଦେଖାଦେଉଛି। ସହରାଞ୍ଚଳରେ ଏହାର ପରିମାଣ ବହୁତ କମିଗଲାଣି। ସହରାଞ୍ଚଳରେ ଜରାୟୁ କର୍କଟ ଆମେ କ୍ୱଚିତ ଦେଖିବାକୁ ପାଉଛୁ।

ପୁରୁଷଙ୍କ କ୍ଷେତ୍ରରେ ଆମେ ପ୍ରାୟତଃ ଫୁସଫୁସ କର୍କଟ ଦେଖିଥାଉ। ଧୂମପାନ କରିବା ଏବଂ ବାୟୁ ପ୍ରଦୂଷଣ ହେଉଛି ଏହାର କାରଣ। ବର୍ତ୍ତମାନ ଦିଲ୍ଲୀ, ବମ୍ବେ ଭଳି ମେଟ୍ରୋ ସିଟିରେ ପ୍ରବଳ ପ୍ରଦୂଷଣ ଦେଖିବାକୁ ମିଳିଛି। ଦିନକୁ ୨୦ଟି ସିଗାରେଟ ପିଇବା ଏବଂ ଦିଲ୍ଲୀରେ ଗୋଟିଏ ଦିନ ରହିବା ମଧ୍ୟରେ ବୋଧହୁଏ କୌଣସି ଫରକ ନାହିଁ। ତେଣୁ ଫୁସଫୁସ କର୍କଟ ପାଇଁ ବାୟୁ ପ୍ରଦୂଷଣ ଏକ ପ୍ରମୁଖ କାରଣ। ଏହାଛଡ଼ା ଧୂମପାନ କରିବା ଏବଂ ଅନ୍ୟ କାରଣ ଯୋଗୁଁ ପୁରୁଷମାନଙ୍କଠାରେ ଫୁସଫୁସ କର୍କଟ ଦେଖାଯାଉଛି।