ରୋଗୀର କିଡ୍‌ନି ଠିକ୍ ଭାବରେ କାମ ନ କଲେ ଡାକ୍ତର ଡାଏଲିସିସ୍ କରିବା ପାଇଁ ପରାମର୍ଶ ଦେଇଥାନ୍ତି। କିଡ୍‌ନିର କାର୍ଯ୍ୟକୁ ଡାଏଲିସିସ୍ କୃତ୍ରିମ ଉପାୟରେ କରିଥାଏ। ରୋଗୀ ପଞ୍ଚମ ଷ୍ଟେଜରେ ପହଞ୍ଚିଲେ ସେମାନଙ୍କୁ ଡାକ୍ତର ଡାଏଲିସିସ କରିବା ପାଇଁ ପରାମର୍ଶ ଦେଇଥାନ୍ତି। ସାଧାରଣତଃ ସପ୍ତାହକୁ ତିନିଥର ଡାଏଲିସିସ କରାଯାଇଥାଏ। କିଡ୍‌ନି ରୋଗୀ ଏହାକୁ କେବେ ବନ୍ଦ କରିବା ଉଚିତ ନୁହେଁ। ତେବେ କିଡ୍‌ନି ରୋଗ ଚିହ୍ନଟ ହେବା ପରେ ଓ ବିଶେଷ କରି ଡାଏଲିସିସ୍ ଚାଲିବା ପରେ ଆମ ଖାଦ୍ୟପେୟ ଅଲଗା ହୋଇଥାଏ।

dialysis

ଜଣେ ରୋଗୀର ଡାଏଲିସିସ୍ ଆରମ୍ଭ ହେବା ପରେ ସେ କ’ଣ କ’ଣ ଖାଇବେ ବା ନ ଖାଇବେ ସେ ସମ୍ପର୍କରେ ଆଲୋଚନା କରିବା।

ପ୍ରୋଟିନ: ଡାଏଲିସିସ୍ ଚାଲିଲେ ଶରୀରରୁ ପ୍ରୋଟିନ କମିଥାଏ। ତେଣୁ ଅଧିକର ଅଧିକ ପ୍ରୋଟିନ ଖାଇବା ଦରକାର। ଯେଉଁମାନେ ସାକାହାରୀ ସେମାନେ ଡାଲି, ସୋୟାବିନ୍‌, ପନିର ଖାଇପାବେ। କିଡନି ଖରୀପ ହେଲେ ଡାଲି ଖାଇବାକୁ ଡାକ୍ତର ମନା କରିଥାନ୍ତି। କିନ୍ତୁ ଯଦି ଡାଏଲିସିସ୍ ହେଉଛି ତେବେ ଡାଲି ଖାଆନ୍ତୁ। ଯେଉଁମାନେ ମାଂସାହାରୀ ସେମାନେ ପ୍ରୋଟିନ ପାଇଁ ଅଣ୍ଡା କିମ୍ବା ମାଛ ଖାଇପାରିବେ।

fruit

ପୋଟାସିୟମ: ପୋଟାସିୟମ ଯୁକ୍ତ ଖାଦ୍ୟ ଖାଇବା ଅନୁଚିତ। ଆପଣମାନେ ଅଧିକାଂଶ ସମୟରେ ଶୁଣିଥିବେ କି ଶରୀରରେ ପୋଟାସିୟମ ବଢିଯାଇଛି। କିଡ୍‌ନି ରୋଗୀଙ୍କର ଶରୀରରୁ ପୋଟାସିୟମ ନିର୍ଗତ ହୋଇପାରି ନଥାଏ। ଡାଏଲିସିସ୍ କରିବା ଦିନ ପୋଟାସିୟମର ମାତ୍ରା କମିଯାଏ। କିନ୍ତୁ ଆଗାମୀ ଡାଏଲିସିସ୍ କରିବା ଯାଏଁ ପୋଟାସିୟମର ମାତ୍ରା ପୁଣି ବଢିଯାଏ। ତେଣୁ ଏହି ସମୟ ମଧ୍ୟରେ ପୋଟାସିୟମ ଯୁକ୍ତ ଖାଦ୍ୟ କମ ଖାଇବା ଉଚିତ୍।

ବିଶେଷ କରି ଖଟା ଜାତୀୟ ଫଳ ଖାଇବେ ନାହିଁ। ଯେପରିକି ଲେମ୍ବୁ, କମଳା, ମୌସୁମୀ, ଅଁଳା ଇତ୍ୟାଦି। ସବୁଜ ପରିବାରେ ପୋଟାସିୟମ ମାତ୍ରା ଅଧିକ ଥାଏ। କିନ୍ତୁ ଏହାକୁ ତ ଖାଇବା ଜରୁରୀ। ତେଣୁ ପ୍ରଥମେ ଏଗୁଡିକୁ ସିଝାଇ ଦେଇ ଏହାର ପାଣିକୁ ଫୋପାଡି ଦିଅନ୍ତୁ। ଏହି ପାଣିରେ ପୋଟାସିୟମ ଥାଏ। ସେହିପରି ଫଳରସ ଓ ସୁପ ପିଅନ୍ତୁ ନାହିଁ।

ଲୁଣ: କମ୍ ଲୁଣ ଖାଆନ୍ତୁ। କିଡ୍‌ନି ରୋଗୀ କିମ୍ବା ଡାଏଲିସିସ୍ ରେ ଥିବା ରୋଗୀ ଅଧିକ ଲୁଣ ଖାଇବେ ତାଙ୍କ ରକ୍ତଚାପ ଅଧିକ ରହିଥାଏ। କିଡ୍‌ନିର କାମ ହେଉଛି ରକ୍ତଚାପକୁ ନିୟନ୍ତ୍ରଣରେ ରଖିବା। ଲୁଣ କମ ସେବନ ଦ୍ୱାରା ଏହାକୁ କିଛି ମାତ୍ରାରେ ନିୟନ୍ତ୍ରଣ ରଖାଯାଇପାରେ।

drinking water for health

ପାଣି: ଆପଣଙ୍କର କେତେ ଥର ପରିଶ୍ରା ହେଉଛି ତାହା ଅନୁଯାୟୀ ପାଣି ପିଅନ୍ତୁ। ଦୀର୍ଘ ଦିନ ଡାଏଲିସିସ୍ ଚାଲିଲେ ରୋଗୀର ପରିଶ୍ରା କମି କମି ଯାଇଥାଏ। ଡାଏଲିସିସ୍ ରୋଗୀ ଦିନକୁ ୭୦୦ରୁ ଏକ ଲିଟର ଭିତରେ ପାଣି ପିଅନ୍ତୁ। ତେବେ ଡାଏଲିସିସ୍ ନିୟମିତ କରୁଛନ୍ତି କି ନାହିଁ ତା ଉପରେ ନିର୍ଭର କରିଥାଏ ଆପଣ କେତେ ପାଣି ପିଇବେ। କିଡ୍‌ନି ରୋଗୀ ଡାକ୍ତରଙ୍କ ସହ ନିୟମିତ ପରାମର୍ଶ କରି ଔଷଧ ଖାଆନ୍ତୁ। ଡାକ୍ତର ଡାଏଲିସିସ୍ କରିବାକୁ କହିଥିଲେ ତାକୁ ବନ୍ଦ କରନ୍ତୁ ନାହିଁ।