ମା’ ସୁସ୍ଥ ହେଲେ ଶିଶୁ ହେବ ସୁସ୍ଥ। ମା’ ସୁଷମ ଖାଦ୍ୟ ଖାଇଲେ ଗର୍ଭସ୍ଥ ଶିଶୁକୁ ଉପଯୁକ୍ତ ପୋଷଣ ମିଳିପାରିବ।

ଗର୍ଭାବସ୍ଥାରେ ସୁଷମ ଖାଦ୍ୟ ପ୍ରତ୍ୟେକ ମହିଳାଙ୍କ ପାଇଁ ଜରୁରୀ। ଏହା ଗର୍ଭସ୍ଥ ଶିଶୁର ଶାରୀରିକ ଓ ମାନସିକ ବିକାଶରେ ସାହାଯ୍ୟ କରେ।

ଗର୍ଭାବସ୍ଥାରେ ସୁଷମ ଓ ପୁଷ୍ଟିକର ଖାଦ୍ୟ ନ ଖାଇଲେ, ଅଳ୍ପ ଓଜନର ଶିଶୁ ଜନ୍ମ ହୋଇଥାଏ, ଗର୍ଭସ୍ଥ ଶିଶୁର ଶାରୀରିକ ବିକାଶ ହୋଇନଥାଏ, ଗର୍ଭବତୀ ମହିଳାମାନେ କୁପୋଷଣର ଶିକାର ହୋଇଥାଆନ୍ତି, ରକ୍ତହୀନତାର ଶିକାର ହୋଇଥାଆନ୍ତି। ଶରୀରକୁ ଉପଯୁକ୍ତ ପୋଷଣ ନ ମିଳିଲେ ଶରୀରରେ କ୍ୟାଲସିୟମ୍ ଅଭାବ ଦେଖାଦେଇଥାଏ। ଫଳରେ ଅଣ୍ଟାବ୍ୟଥା, ଗୋଡ଼ ବ୍ୟଥା ଭଳି ସମସ୍ୟା ହୋଇଥାଏ।

pregnancy

ଗର୍ଭବତୀ ମହିଳାମାନେ କ’ଣ ଖାଇବେ ଓ କ’ଣ ନାହିଁ?

  • ଗର୍ଭାବସ୍ଥାରେ ଭାତ, ଡାଲି, ଶାଗ, ସବୁଜପନିପରିବା, ଫଳମୂଳ ଖାଇବା ଦରକାର। ଗର୍ଭବତୀ ମହିଳାମାନେ ସବୁବେଳେ ଘରେ ତିଆରି ଓ ସତେଜ ଖାଦ୍ୟ ଖାଇବା ଦରକାର।
  • ତିନୋଟି ମୁଖ୍ୟ ମିଲ୍ରେ ସାଲାଡ୍ ଓ ପନିପରିବାକୁ ସାମିଲ କରନ୍ତୁ।
  • ଦହି, ପନିର, ଛେନା, ଘୋଳ ଦହି ଖାଦ୍ୟରେ ସାମିଲ କରନ୍ତୁ। ଏହାଦ୍ୱାରା ଶରୀରକୁ କ୍ୟାଲ୍‌ସିୟମ୍‌, ପ୍ରୋଟିନ୍‌ ଓ ଭିଟାମିନ୍‌ ବି-୧୨ ପ୍ରଚୁର ମାତ୍ରାରେ ମିଳିଥାଏ।
  • ଚିକେନ୍‌, ଅଣ୍ଡା, ମାଛ ଏବଂ ଡାଲିଜାତୀୟ ଖାଦ୍ୟକୁ ସାମିଲ କରନ୍ତୁ। ସପ୍ତାହକୁ ଦୁଇଥର ମାଛ ଖାଆନ୍ତୁ ଓ ଚୂନା ମାଛ ଖାଇବା ବେଶ୍ ଭଲ।
  • ଦିନକୁ ଗୋଟେ ଗ୍ଲାସ୍ କ୍ଷୀର ପିଅନ୍ତୁ।
  • ଦିନକୁ ଅତିକମ୍‌ରେ ୪ ଲିଟର ପାଣି ପିଅନ୍ତୁ।
  • ଗର୍ଭବତୀ ମହିଳାମାନେ ଉପବାସ କରନ୍ତୁ ନାହିଁ।
  • ଗର୍ଭାବସ୍ଥାରେ ବାହାର ଖାଦ୍ୟ ଯେପରିକି ଫାଷ୍ଟଫୁଡ୍, ଜଙ୍କଫୁଡ୍, ଅଧିକ ତେଲ ମସଲାଯୁକ୍ତ ଖାଦ୍ୟ ଖାଆନ୍ତୁ ନାହିଁ। କାରଣ ଏହା ଖାଇବା ଦ୍ବାରା ଏସିଡିଟି ହୋଇପାରେ।
  • ଗର୍ଭାବସ୍ଥାର ପ୍ରଥମ ୩ ମାସ ଅମୃତଭଣ୍ଡା ଖାଆନ୍ତୁ ନାହିଁ।
  • ମହିଳାଙ୍କର ଥାଇରଏଡ୍ ସମସ୍ୟା ଥିଲେ ବନ୍ଧାକୋବି ଖାଆନ୍ତୁ ନାହିଁ।
  • ଅଧିକ ପରିମାଣର ଚା’, କଫି ପିଅନ୍ତୁ ନାହିଁ। ଅଭ୍ୟାସ ଥିଲେ ଗୋଟେ କିମ୍ବା ଦୁଇ କପ୍ ପିଇପାରିବେ।
  • କେତେକ ଲୋକଙ୍କର କିଛିଟା ଖାଦ୍ୟ ପ୍ରତି ଆଲର୍ଜି ଥାଏ। ଏଭଳି କ୍ଷେତ୍ରରେ ଗର୍ଭାବସ୍ଥାରେ ସେସବୁ ଖାଦ୍ୟ ଖାଆନ୍ତୁ ନାହିଁ।
  • ଗର୍ଭଧାରଣର ପ୍ରଥମାର୍ଦ୍ଧରେ କେତେକ ମହିଳାଙ୍କୁ ଭୋକ ଲାଗିନଥାଏ। ଏହି ସମୟରେ ଅଧିକାଂଶ ମହିଳାଙ୍କୁ ଖାଇବାକୁ ଇଛା ହୋଇନଥାଏ, ଯାହା ଖାଇଲେ ବାନ୍ତି ହୋଇଥାଏ। ଭୋକ ନ ଲାଗିଲେ ବି ଶିଶୁ ପାଇଁ ନିୟମିତ ବ୍ୟବଧାନରେ ଅଳ୍ପ ଅଳ୍ପ କରି ଖାଇବା ଦରକାର।