କୋଭିଡ୍ ସଂକ୍ରମଣ ନିୟନ୍ତ୍ରଣ ପାଇଁ ସମସ୍ତଙ୍କୁ ଅଧିକ ସତର୍କ ହେବାକୁ ପଡ଼ିବ ଓ ନିୟମ ମାନି ଚଳିବାକୁ ହେବ ବୋଲି ଆରଏମଆରସି ନିର୍ଦ୍ଦେଶିକା ଡାକ୍ତର ସଂଘମିତ୍ରା ପତି ପରାମର୍ଶ ଦେଇଛନ୍ତି।
କୋଭିଡ୍ର ପ୍ରଥମ ଲହର ଅପେକ୍ଷା ଦ୍ୱିତୀୟ ଲହର ଦ୍ରୁତ ବେଗରେ ବ୍ୟାପି ଚାଲିଛି। ତେଣୁ ସମସ୍ତଙ୍କୁ ଅଧିକ ସତର୍କ ହେବାର ବେଳ ଆସିଛି। ସତର୍କତା, ସଞ୍ଜମତା ଏବଂ ଧୈର୍ଯ୍ୟ ରଖିଲେ ହିଁ ଆମେ କୋଭିଡ୍ ମହାମାରୀର ନିୟନ୍ତ୍ରଣ କରିପାରିବା ବୋଲି ଭୁବନେଶ୍ୱରସ୍ଥିତ ରିଜିଓନାଲ ମେଡିକାଲ ରିସର୍ଚ୍ଚ ସେଣ୍ଟରର (ଆରଏମଆରସି) ନିର୍ଦ୍ଦେଶିକା ଡାକ୍ତର ସଂଘମିତ୍ରା ପତି କହିଛନ୍ତି।
କୋଭିଡ୍ ମହାମାରୀକୁ ସାହସର ସହ କିପରି ସାମ୍ନା କରିବା ସେନେଇ ରାଜ୍ୟ ସରକାରଙ୍କ ସୂଚନା ଓ ଲୋକ ସମ୍ପର୍କ ବିଭାଗ ପକ୍ଷରୁ କୋଭିଡ୍ ସଚେତନତା ପରାମର୍ଶ କାର୍ଯ୍ୟକ୍ରମ ଆୟୋଜନ କରାଯାଇଥିଲା। ଏଥିରେ ଭାଗ ନେଇଥଲେ ଆରଏମଆରସି ନିର୍ଦ୍ଦେଶିକା ଡାକ୍ତର ସଂଘମିତ୍ରା ପତି। ଏହି କାର୍ଯ୍ୟକ୍ରମରେ ଉପସ୍ଥିତ ରହି ସେ ବିଭିନ୍ନ ସଚେତନତାମୂଳକ ପରାମର୍ଶ ଦେବା ସହିତ ସାଧାରଣ ଲୋକଙ୍କ ମନରେ କୋଭିଡକୁ ନେଇ ଉଠୁଥିବା ପ୍ରଶ୍ନର ଉତ୍ତର ଦେଇଥିଲେ।
ଦ୍ୱିତୀୟ ଲହର କୋଭିଡ୍ ଭାଇରସ୍ କାହିଁକି ଅଧିକ ବେଗରେ ବ୍ୟାପୁଛି?
ବିଗତ ଦିନରେ ଯେତେ ସବୁ ମହାମାରୀ ଆସିଛି ତାକୁ ଯଦି ଆମେ ଅନୁଶୀଳନ କରିବା ତାହାଲେ ଦେଖିବାକୁ ପାଇବା ଯେ, ପ୍ରଥମ ଲହରଠାରୁ ଦ୍ୱିତୀୟ ଲହର ଅଧିକ ବେଗରେ ବ୍ୟାପିଥାଏ। ତେଣୁ କୋଭିଡ୍ କ୍ଷେତ୍ରରେ ମଧ୍ୟ ସେଇୟା ଦେଖିବାକୁ ମିଳୁଛି। ଦ୍ୱିତୀୟ ଲହରରେ ନୂଆ ଷ୍ଟ୍ରେନ ଚିହ୍ନଟ ହେଉଛି। ପ୍ରଥମ ପର୍ଯ୍ୟାୟ କୋଭିଡ୍ ସମୟରେ ଜନସାଧାରଣ ଅଧିକ ସତର୍କ ରହୁଥିଲେ। ଜରୁରୀ ନଥିଲେ ବାହାରକୁ ଯାଉନଥିଲେ। ସଠିକ୍ ଭାବରେ ମାସ୍କ ପିନ୍ଧିବା ସହ ସାମାଜିକ ଦୂରତା ମଧ୍ୟ ରକ୍ଷା କରୁଥିଲେ। ବର୍ତ୍ତମାନ ପରିସ୍ଥିତିରେ ଜନସାଧାରଣଙ୍କୁ ଆହୁରି ଅଧିକ ସତର୍କ ହେବାର ଆବଶ୍ୟକତା ରହିଛି। ସଂକ୍ରମଣ ଚେନ୍କୁ ଭାଙ୍ଗିବାକୁ ହେଲେ ସମସ୍ତଙ୍କର ସହଯୋଗ ଆବଶ୍ୟକ।
ଜଣେ ବ୍ୟକ୍ତି କୋଭିଡ୍ ଆକ୍ରାନ୍ତଙ୍କ ସଂସ୍ପର୍ଶରେ ଆସିଲେ କେତେ ସମୟ ଭିତରେ ପରୀକ୍ଷା କରିବାକୁ ହୋଇଥାଏ?
ଜଣେ ବ୍ୟକ୍ତି ପ୍ରଥମେ ଜାଣିବା ଦରକାର ଯେ, ସେ କୋଭିଡ୍ ଆକ୍ରାନ୍ତଙ୍କ ସଂସ୍ପର୍ଶରେ କେତେ ଥର ଆସିଛନ୍ତି। ଏହା ହିଁ ସବୁଠୁ ଗୁରୁତ୍ୱପୂର୍ଣ୍ଣ। ଯଦି ଆପଣଙ୍କ ଶରୀରରେ କିଛି ଲକ୍ଷଣ ଦେଖା ଦେଉଛି ତାହାଲେ ସଙ୍ଗେସଙ୍ଗେ ପରୀକ୍ଷା କରାଇନେବା ଠିକ୍ ରହିବ। ଯଦି ସଙ୍ଗେସଙ୍ଗେ ପରୀକ୍ଷା କରୁ ନାହାନ୍ତି ତାହାଲେ ତିନିରୁ ପାଞ୍ଚ ଦିନ ମଧ୍ୟରେ ଯାଇ ଟେଷ୍ଟ କରିନିଅନ୍ତୁ।
କୋଭିଡ୍ ନମୁନା ସଂଗ୍ରହ ଦିନଠାରୁ ରିପୋର୍ଟ ଆସିବା ଯାଏଁ ଯେଉଁ ବ୍ୟବଧାନ ରହୁଛି, ସେହି ସମୟ ଭିତରେ ଜଣେ କ’ଣ କରିବା ଦରକାର?
ଆପଣ କୋଭିଡ୍ ପରୀକ୍ଷା ପାଇଁ ନମୁନା ଦେବା ମାତ୍ରେ ଆପଣଙ୍କ ମୋବାଇଲକୁ ଏସ୍ଆରଏଫ ଆସିଯିବ। ରିପୋର୍ଟ ନଆସିବା ପର୍ଯ୍ୟନ୍ତ ଆପଣ ନିଜକୁ ସଙ୍ଗରୋଧରେ ରଖନ୍ତୁ ବୋଲି ଏଥିରେ ଦର୍ଶାଯାଇଥିବ। ସେହି ଅନୁସାରେ ଆପଣ ନିଜକୁ ସଙ୍ଗରୋଧରେ ରଖିବା ସହ ମୁହଁରେ ମାସ୍କ ମଧ୍ୟ ପିନ୍ଧନ୍ତୁ।
କୋଭିଡ୍ର ଡବଲ ଡୋଜ ଟିକା ନେଇ ସାରିବା ପରେ ଯଦି ଜଣେ ବ୍ୟକ୍ତି କୋଭିଡ୍ ରୋଗୀଙ୍କ ସଂସ୍ପର୍ଶରେ ଆସନ୍ତି ତାହାଲେ କ’ଣ କରିବାକୁ ପଡ଼ିବ?
କୋଭିଡ୍ର ଟିକା ନେଇଥିଲେ ମଧ୍ୟ ସଂକ୍ରମିତ ହେବାର ଆଶଙ୍କା ରହିଛି। ତେଣୁ ଲକ୍ଷଣ ଅନୁସାରେ ନିଜକୁ ଆଇସୋଲେଟ୍ କରିବା ସହ ପୁଣିଥରେ ପରୀକ୍ଷା କରିନେବା ଜରୁରୀ।
ଯଦି କୌଣସି ବ୍ୟକ୍ତିଙ୍କର କୋଭିଡ୍ ରିପୋର୍ଟ ନେଗେଟିଭ୍ ଆସିବା ପରେ କିଛି ଲକ୍ଷଣ ଦେଖାଦେଉଛି ସେ କ୍ଷେତ୍ରରେ କ’ଣ କରାଯିବା ଦରକାର?
ଯଦି କୌଣସି ବ୍ୟକ୍ତିଙ୍କର କୋଭିଡ୍ ରିପୋର୍ଟ ନେଗେଟିଭ୍ ଆସିବା ପରେ ଲକ୍ଷଣ ଦେଖାଦେଉଛି ତାହାଲେ ତାଙ୍କୁ ପ୍ରଥମେ ଡାକ୍ତରଙ୍କ ସହ ପରାମର୍ଶ କରିବାକୁ ପଡ଼ିବ। ଡାକ୍ତର ଯେଉଁ ପରାମର୍ଶ ଦେବେ ସେହି ଅନୁସାରେ ସେ ଔଷଧ ଖାଇବେ। ଏ କ୍ଷେତ୍ରରେ ଆଉ ଥରେ କୋଭିଡ୍ ପରୀକ୍ଷା ମଧ୍ୟ କରିନେବା ଉଚିତ।
କୋଭିଡ୍ ପଜିଟିଭ୍ ବ୍ୟକ୍ତି କେବେ ବା କେଉଁ ସମୟ ମଧ୍ୟରେ ଅନ୍ୟକୁ ସଂକ୍ରମଣ କରିପାରିବେ?
ସଂକ୍ରମଣର ଦୁଇ ଦିନ ପୂର୍ବରୁ ଏବଂ ସଂକ୍ରମଣ ହେବାର ୭ରୁ ୯ ଦିନ ପର୍ଯ୍ୟନ୍ତ ଜଣେ କୋଭିଡ୍ ସଂକ୍ରମିତ ଅନ୍ୟକୁ ସଂକ୍ରମଣ କରିବାର ବେଶି ସମ୍ଭାବନା ରହିଛି। କିନ୍ତୁ ଏହା ରୋଗୀର ରୋଗ ପ୍ରତିରୋଧକ ଶକ୍ତି ଉପରେ ନିର୍ଭର କରିଥାଏ। ଏକ୍ଷେତ୍ରରେ ନିଜକୁ ଆଇସୋଲେଟ୍ କରିଦେବା ଭଲ।
ଯଦି ଗୋଟିଏ ପରିବାରର ସମସ୍ତ ସଦସ୍ୟ ପଜିଟିଭ୍ ଚିହ୍ନଟ ହୁଅନ୍ତି, ତେବେ ସେହି କ୍ଷେତ୍ରରେ ସେମାନେ ଏକାଠି ରହିପାରିବେ ନା ଅଲଗା ଅଲଗା ରହିବାକୁ ପଡ଼ିବ?
ସେମାନେ ଗୋଟିଏ ଘରେ ପରସ୍ପରଠାରୁ ଅଳ୍ପ ଦୂରତାରେ ରହିପାରିବେ। କିନ୍ତୁ ସମସ୍ତେ ମୁହଁରେ ମାସ୍କ ପିନ୍ଧିବା ଜରୁରୀ।
କୋଭିଡ୍ ଲକ୍ଷଣ ଥିବା ବ୍ୟକ୍ତି ପରୀକ୍ଷା ପାଇଁ ନମୁନା ଦେଇ ସଙ୍ଗରୋଧରେ ରହିଛନ୍ତି। ପରେ ତାଙ୍କ ରିପୋର୍ଟ ନେଗେଟିଭ୍ ଆସିଛି, କିନ୍ତୁ ଲକ୍ଷଣ ସବୁ ରହିଛି। ସେ କ’ଣ କରିବା ଦରକାର?
ଯଦି ଆପଣଙ୍କର ରିପୋର୍ଟ ନେଗେଟିଭ୍ ଆସିଛି ଏବଂ ଲକ୍ଷଣ ସବୁ ରହିଛି, ସେ କ୍ଷେତ୍ରରେ ଡାକ୍ତରଙ୍କ ପରାମର୍ଶ ନିଅନ୍ତୁ। ନିଜକୁ ସଙ୍ଗରୋଧରେ ରଖନ୍ତୁ। ଯଦି ଲକ୍ଷଣରେ କିଛି ପରିବର୍ତ୍ତନ ହେଉନାହିଁ, ତେବେ ଦୁଇ ଦିନପରେ ପୁଣିଥରେ ଡାକ୍ତରଙ୍କ ପରାମର୍ଶ କ୍ରମେ ଆରଟିପିସିଆର ଟେଷ୍ଟ କରିନିଅନ୍ତୁ।
ଗତ ଏକ ମାସ ତଳେ କୋଭିଡ୍ରୁ ସୁସ୍ଥ ହୋଇ ଫେରିଥିବା ବ୍ୟକ୍ତି କେବେ ଟିକା ନେଇ ପାରିବେ?
କୋଭିଡ୍ରୁ ସୁସ୍ଥ ହେବାର ତିନି ମାସ ପରେ କିମ୍ବା ୬ ସପ୍ତାହ ପରେ ଆପଣ ଟିକା ନେଇ ପାରିବେ।
କୋଭିଡ୍ ରୋଗୀଙ୍କୁ ସେବା କରୁଥିବା ସହାୟିକା ଏବଂ ରୋଗୀଙ୍କ ପରିବାର ବ୍ୟକ୍ତି କେମିତି ସତର୍କ ରହିବେ?
ଯିଏ ସେବା କରୁଛନ୍ତି, ସେ ହିଁ କେବଳ ରୋଗୀର ଦେଖାଶୁଣା କରିବେ। ଅନ୍ୟମାନେ ତାଙ୍କଠାରୁ ଦୂରେଇ ରହିବେ। ପରେ ସେବାକାରୀ ଜଣଙ୍କ ଲକ୍ଷଣ ଦେଖି ନିଜର ଟେଷ୍ଟ କରିବା ସହ ଡାକ୍ତରଙ୍କ ପରାମର୍ଶ ନେବେ।
ପରିବାରର ଜଣେ ସଦସ୍ୟ ପଜିଟିଭ୍ ଚିହ୍ନଟ ହୋଇ ଆଇସୋଲେସନରେ ରହିବାର ୧୪ ଦିନ ପରେ ସେହି ପରିବାରର ଆଉ ଜଣେ ପଜିଟିଭ୍ ଚିହ୍ନଟ ହୋଇଛନ୍ତି। ସେହି କ୍ଷେତ୍ରରେ ପ୍ରଥମ ରୋଗୀ ଜଣଙ୍କର ଆଇସୋଲେସନର ଅବଧି ବଢ଼ାଯିବ କି?
ପ୍ରଥମ ଆକ୍ରାନ୍ତ ଜଣଙ୍କ ନିଜକୁ ଆଇସୋଲେସନରେ ରଖିବା ଭଲ। ଏଥିସହ ନିଜ ଶରୀର ଉପରେ ବେଶି ଗୁରୁତ୍ୱ ଦେବେ। ପରିବାରର ଅନ୍ୟ ସଦସ୍ୟମାନେ ହୋମ୍ କ୍ୱାରେଣ୍ଟାଇନରେ ରହିବେ।
ଦ୍ୱିତୀୟ ବ୍ୟକ୍ତି କୋଭିଡ ଚିହ୍ନଟ ହେବା ପରେ ପରିବାରର ଅନ୍ୟ ସଦସ୍ୟମାନେ ଆଉ କେତେ ଦିନ କ୍ୱାରେଣ୍ଟାଇନରେ ରହିବେ?
ସେମାନେ ପୁଣିଥରେ ଆଉ ୧୪ଦିନ ନିଜକୁ ସଙ୍ଗରୋଧରେ ରଖିବେ। ଲକ୍ଷଣ ଅନୁସାରେ ନିଜର ପରୀକ୍ଷା କରାଇନେବା ଜରୁରୀ।