ପିଲାଙ୍କ ମଧ୍ୟରେ ଝଗଡ଼ା ହେଲେ କିପରି କରିବେ ସମାଧାନ? କେତେବେଳେ ସେମାନଙ୍କର ଝଗଡ଼ାର ସମାଧାନ ପାଇଁ ଉଦ୍ୟମ କରିବା ଦରକାର, ଆସନ୍ତୁ ଜାଣିବା ସେ ବିଷୟରେ
ପାଖାପାଖି ବୟସର ପିଲାମାନେ ପରସ୍ପର ସହ ଝଗଡ଼ା କରିବା ସ୍ୱାଭାବିକ କଥା। କିଛି ସମୟ ପରେ ସେମାନଙ୍କ ମଧ୍ୟରେ ସବୁକିଛି ସ୍ୱାଭାବିକ ହୋଇଯାଇଥାଏ। କିନ୍ତୁ ଯଦି ଦୀର୍ଘ ସମୟ ଧରି ସେମାନେ ପରସ୍ପର ମଧ୍ୟରେ କଥାବାର୍ତ୍ତା କରୁନଥାନ୍ତି, କିମ୍ବା ରାଗରଖି ପରେ ମାଡ଼ପିଟ କରୁଥାନ୍ତି ତା’ ହେଲେ ଏଥିପ୍ରତି ଦୃଷ୍ଟି ଦେବା ଆବଶ୍ୟକ।
କାରଣ କ’ଣ:
ବାପା ମା’ଙ୍କ ବ୍ୟବହାର ଅନେକ ସମୟରେ ପିଲାମାନଙ୍କର ଝଗଡ଼ାର କାରଣ ପାଲଟିଥାଏ। ବଡ଼ ପିଲାଟିକୁ ସବୁବେଳେ ଛୋଟ ପିଲାର ଧ୍ୟାନ ରଖିବାକୁ କୁହାଯାଇଥାଏ। ଏହାଯୋଗୁ ସେ ନିଜେ ଠିକ ଭାବେ ଖେଳିପାରେନାହିଁ। ସ୍ୱାଭାବିକ ଭାବେ ତାର କାମ କରିପାରେନାହିଁ। ତେଣୁ ସେ ଚିଡଚିଡ ହୋଇଯାଇଥାଏ। ତେଣୁ ବଡ଼ ପିଲା ଉପରେ ସବୁବେଳେ ଏତେ ଦାୟିତ୍ୱ ଦିଅନ୍ତୁ ନାହିଁ ଯେପରିକି ସେ ତାର ନିଜ ପିଲାଦିନକୁ ହରାଇ ବସିବ। ଏହାଯୋଗୁ ହିଁ ସେ ଛୋଟ ଭାଇ ବା ଭଉଣୀକୁ ଘୃଣା କରିବା ଆରମ୍ଭ କରିବ।
ଅନେକ ସମୟରେ ବାପା ମା’ ଝିଅ ବାହାହୋଇ ପରଘରକୁ ଚାଲିଯିବ ବୋଲି ମନେକରି ତାକୁ ଟିକେ ଅଧିକ ଶ୍ରଦ୍ଧା କରିଥାନ୍ତି। ଏହାକୁ ପୁଅମାନେ କିନ୍ତୁ ବୁଝିପାରନ୍ତି ନାହିଁ। ତେଣୁ ମନେ ମନେ ସେମାନେ ଭଉଣୀକୁ ଇର୍ଷା କରିବା ଆରମ୍ଭ କରିଦିଅନ୍ତି। ଏଭଳି କ୍ଷେତ୍ରରେ ଉଭୟ ସନ୍ତାନକୁ ସମାନ ଗୁରୁତ୍ୱ ଦିଅନ୍ତୁ। ୧୦-୧୩ ବର୍ଷ ମଧ୍ୟରେ ଭାଇ-ଭଉଣୀଙ୍କର ସ୍ୱଭାବ, ପସନ୍ଦ, ନାପସନ୍ଦରେ ଅନେକ ପରିବର୍ତ୍ତନ ଆସିଯାଇଥାଏ। କଥାକଥାରେ ସେମାନେ ଝଗଡ଼ା କରିବା ଆରମ୍ଭ କରିଦିଅନ୍ତି। ଏହି ସମୟରେ ବାପା ମା’ ସେମାନଙ୍କ ମଧ୍ୟରେ ବନ୍ଧୁତା ସ୍ଥାପନ ପାଇଁ ଉଦ୍ୟମ କରିବା ଆବଶ୍ୟକ।
ସବୁ ପିଲା ସ୍ୱତନ୍ତ୍ର ବ୍ୟକ୍ତିତ୍ୱର ହୋଇଥାନ୍ତି। ତେଣୁ କାହାରି ତୁଳନା କାହା ସହ କରନ୍ତୁ ନାହିଁ। ଏହି ତୁଳନା ସେମାନଙ୍କ ମଧ୍ୟରେ ଦୂରତା ଆଣିଥାଏ।
ବାପା ମା’ କ’ଣ କରିବା ଆବଶ୍ୟକ:
ପିଲାମାନଙ୍କ ମଧ୍ୟରେ ସମନ୍ୱୟ ଆଣିବା ଲାଗି ବାପା ମା’ଙ୍କର ଭୂମିକା ଖୁବ ଜରୁରୀ। ପିଲାମାନଙ୍କର ରାଗକୁ ବାପା ମା’ ବୁଝିବା ଆବଶ୍ୟକ। ସେମାନଙ୍କୁ ଖରାପ ବ୍ୟବହାର ପାଇଁ ମାରପିଟ କରିବା ବଦଳରେ ନିଜ ନିଜର ସୀମା ବୁଝାଇବା ଦରକାର। ପରସ୍ପର ମଧ୍ୟରେ ମାରପିଟ କରିବା, ପରସ୍ପରକୁ ନୀଚ୍ଚା ଦେଖାଇବା, ଭୁଲ ନାଁରେ ଡକାଡକି କରିବା ଇତ୍ୟାଦି ଚଳିବ ନାହିଁ ବୋଲି ବୁଝାନ୍ତୁ। ଯଦି ସେମାନେ ତାକୁ ନ ମାନୁଛନ୍ତି ତାହେଲେ ସେମାନଙ୍କ ପ୍ରତି ଶକ୍ତ ହୁଅନ୍ତୁ।
ଯେପର୍ଯ୍ୟନ୍ତ ସମ୍ଭବପର ପିଲାମାନଙ୍କୁ ନିଜ ନିଜର ଝଗଡ଼ାକୁ ନିଜେ ସମାଧାନ କରିବାକୁ ଦିଅନ୍ତୁ। ଅନେକ ସମୟରେ ଭୁଲ ଯାହାର ହୋଇଥାଉନା କାହିଁକି ବାପା ମା’ ମାନେ ଉଭୟ ପିଲାକୁ ଦଣ୍ଡ ଦେଇଥାନ୍ତି। ଏପରି କରିବା ଅନୁଚିତ। ଏହାଦ୍ୱାରା ଭୁଲ କରିନଥିବା ପିଲା ବିଦ୍ରୋହୀ ହୋଇଯାଇଥାନ୍ତି। ଛୋଟ ପିଲାଙ୍କୁ ଘରକାମ କରିବା ଶିଖାନ୍ତୁ। ଏହାଦ୍ୱାରା ସେମାନଙ୍କ ମଧ୍ୟରେ ଦାୟିତ୍ୱବୋଧ ବଢ଼ିବ।
ସେହିପରି ସେମାନଙ୍କ ମଧ୍ୟରେ କେଉଁ କଥାକୁ ନେଇ ଝଗଡ଼ା ହେଉଛି ତାକୁ ଲକ୍ଷ୍ୟ କରନ୍ତୁ। ଆବଶ୍ୟକସ୍ଥଳେ ସେହି କଥାକୁ କିଏ କରିବ ତାହା ବଣ୍ଟନ କରିଦିଅନ୍ତୁ। ଯେପରିକି ଲିଫ୍ଟର ବଟନ କିଏ ଚିପିବ, ହୋଟେଲରେ ଡିନର ପାଇଁ ଅର୍ଡର କରିବା ଲାଗି ଏଥରକ କାହାର ପାଳି, ଟିଭିରେ କେଉଁ ସମୟରେ କାହାର ପ୍ରିୟ କାର୍ଯ୍ୟକ୍ରମ ଲାଗିବ ତାହା ସ୍ଥିର କରନ୍ତୁ।
ଅନେକ ସମୟରେ କୋଠରୀ ପରିଷ୍କାର କରିବାକୁ ନେଇ ମଧ୍ୟ ପିଲାଙ୍କ ମଧ୍ୟରେ ଝଗଡ଼ା ଲାଗିଥାଏ। ଏପରିସ୍ଥଳେ ସେମାନଙ୍କୁ ପାଳି କରି କୋଠରୀ ପରିଷ୍କାର କରାଇବା ଅଭ୍ୟାସ କରନ୍ତୁ।