ଟନ୍ସିଲାଇଟିସ୍ କ’ଣ? ସର୍ଜରିର ଆବଶ୍ୟକତା କେତେବେଳେ ଦରକାର ପଡ଼େ? ଏହାର ନିରାକରଣ ଓ ଚିକିତ୍ସାକୁ ନେଇ କର୍ଣ୍ଣ ନାଶା ଗଳା (ଇଏନଟି) ବିଶେଷଜ୍ଞ ଡାକ୍ତର ଏନ୍ ହିମାଂଶୁ ଚୌଧୁରୀ କ’ଣ କହୁଛନ୍ତି, ଜାଣନ୍ତୁ।
- ଟନ୍ସିଲାଇଟିସ୍ର ପ୍ରକାର
- ଟନ୍ସିଲାଇଟିସ୍ର ଲକ୍ଷଣ କ’ଣ?
- ଟନ୍ସିଲାଇଟିସ୍ର କାରଣ କ’ଣ?
- ଟନ୍ସିଲାଇଟିସ୍ ହେଲେ କ’ଣ ଜଟିଳତା ଦେଖାଦିଏ?
- ଟନ୍ସିଲାଇଟିସ୍ର ଚିକିତ୍ସା କ’ଣ ରହିଛି?
- ଅପରେସନ୍ର ଆବଶ୍ୟକତା କେତେବେଳେ ଦରକାର ପଡ଼େ?
- ଟନ୍ସିଲାଇଟିସ୍କୁ ରୋକିବା କିପରି?
ଟନ୍ସିଲାଇଟିସ୍ କହିଲେ ଗଳାରେ ଥିବା ଟନ୍ସିଲ୍ ଗ୍ରନ୍ଥିର ପ୍ରଦାହକୁ ବୁଝାଏ। ଭୁତାଣୁ ଓ ଜୀବାଣୁ ସଂକ୍ରମଣ ଯୋଗୁଁ ଟନ୍ସିଲାଇଟିସ୍ ରୋଗ ହୋଇଥାଏ।
ଟନ୍ସିଲାଇଟିସ୍ର ପ୍ରକାର (Types of Tonsillitis in Odia)
ଟନ୍ସିଲାଇଟିସ୍ ଦୁଇ ପ୍ରକାର। ୧- ଆକ୍ୟୁଟ୍ ଟନ୍ସିଲାଇଟିସ୍, ୨- କ୍ରୋନିକ୍ ଟନ୍ସିଲାଇଟିସ୍।
ହଠାତ୍ ଗୋଟେ ସପ୍ତାହ ପର୍ଯ୍ୟନ୍ତ ଟନ୍ସିଲର ସଂକ୍ରମଣ ହେବାକୁ ଆକ୍ୟୁଟ୍ ଟନ୍ସିଲାଇଟିସ୍ କୁହାଯାଏ। ଯେତେବେଳେ ବହୁତ ଦିନ ପର୍ଯ୍ୟନ୍ତ ଟନ୍ସିଲର ସଂକ୍ରମଣ ଲାଗି ରହେ, ତାକୁ କ୍ରୋନିକ୍ ଟନ୍ସିଲାଇଟିସ୍ ବୋଲି କୁହାଯାଏ।
ଛୁଆମାନଙ୍କଠାରେ ମୁଖ୍ୟତଃ ଆକ୍ୟୁଟ୍ ଟନ୍ସିଲାଇଟିସ୍ ହୋଇଥାଏ। ଏହା ଗୁରୁତର ମଧ୍ୟ ହୋଇପାରେ। ବାରମ୍ବାର ଆକ୍ୟୁଟ୍ ଟନ୍ସିଲାଇଟିସ୍ ହେବା ଦ୍ଵାରା ସମୟକ୍ରମେ ଏହା କ୍ରୋନିକ୍ ଟନ୍ସିଲାଇଟିସ୍ରେ ପରିଣତ ହୋଇଥାଏ।
ଟନ୍ସିଲାଇଟିସ୍ର ଲକ୍ଷଣ କ’ଣ? (Symptoms of Tonsillitis in Odia)
ଆକ୍ୟୁଟ୍ ଟନ୍ସିଲାଇଟିସ୍ର ଲକ୍ଷଣ – ଆକ୍ୟୁଟ୍ ଟନ୍ସିଲାଇଟିସ୍ ହେଲେ ମୁଖ୍ୟତଃ ଗଳା ଯନ୍ତ୍ରଣା ହୁଏ, ଖାଇବାରେ କଷ୍ଟ ହୁଏ, ଜ୍ୱର ଆସିବା, କାନ ବଥା ହେବା ଭଳି ଲକ୍ଷଣ ଦେଖାଦିଏ।
ଛୋଟ ଛୁଆଙ୍କର ଟନ୍ସିଲାଇଟିସ୍ ହେଲେ ସେମାନେ ଜାଣି ପାରନ୍ତି ନାହିଁ ବା କହିପାରନ୍ତି ନାହିଁ। ସେଭଳି କ୍ଷେତ୍ରରେ ସେମାନେ ଖାଇବାକୁ ମନା କରନ୍ତି। ଏହାଛଡ଼ା ଛୁଆଙ୍କର ଟନ୍ସିଲ ସହ ଏଡେନାଇଟିସ୍ ଗ୍ରନ୍ଥି ମଧ୍ୟ ବଢ଼ିଥାଏ। ଯେତେବେଳେ ଏହି ଦୁଇଟି ଗ୍ରନ୍ଥି ମିଶିକି ବଢ଼ିଥାଏ, ସେତେବେଳେ ଛୁଆଙ୍କର ନିଶ୍ୱାସ ନେବାରେ ଅସୁବିଧା ହୁଏ, ଧଇଁ ସଇଁ ହୁଏ, ରାତିରେ ପାଟି ଖୋଲି କରି ଶୁଏ। ଯଦି ଆକ୍ୟୁଟ୍ ଟନ୍ସିଲାଇଟିସ୍ ବର୍ଷକୁ ୫ ଥର କିମ୍ବା ୭ ଥର ହୁଏ କିମ୍ବା ଦୁଇ ବର୍ଷ ଲଗାତାର ଧରି ହୁଏ, ତେବେ ଏହା କ୍ରୋନିକ୍ ଟନ୍ସିଲାଇଟିସ୍ରେ ପରିଣତ ହୁଏ।
କ୍ରୋନିକ୍ ଟନ୍ସିଲାଇଟିସ୍ ଲକ୍ଷଣ – ଏଥିରେ ପିଲା ଶୋଇଥିବା ବେଳେ ଘୁଙ୍ଗୁଡ଼ି ମାରେ, ପିଲାର ଶାରୀରିକ ବୃଦ୍ଧି ହୁଏ ନାହିଁ, ବାରମ୍ବାର ଟନ୍ସିଲ ସଂକ୍ରମଣ ଯୋଗୁଁ ପିଲା ସ୍କୁଲରୁ ଛୁଟି ନିଏ, ଶରୀର ଦରଜ ହୁଏ, ଥକ୍କା ଲାଗିବା ଭଳି ଲକ୍ଷଣ ଦେଖାଦିଏ।
ଟନ୍ସିଲ୍ର ଆକାର ବହୁତ ବଢ଼ିଗଲେ ବା ଗ୍ରେଡ୍-୪ ହେଲେ ପିଲା ଖାଦ୍ୟ ଗିଳିବାରେ କଷ୍ଟ ହୁଏ।
ଟନ୍ସିଲାଇଟିସ୍ର କାରଣ କ’ଣ? (Cause of Tonsillitis in Odia)
ଗଳାରେ ଥିବା ଟନ୍ସିଲ୍ ଗ୍ରନ୍ଥିରେ ସଂକ୍ରମଣ ହେଲେ ଟନ୍ସିଲାଇଟିସ୍ ହୋଇଥାଏ। ଟନ୍ସିଲାଇଟିସ୍ ହେବାର ମୁଖ୍ୟ କାରଣ ହେଉଛି ଭୂତାଣୁ ସଂକ୍ରମଣ ହେବା। ଆଡିନୋ ଭାଇରସ୍, ରାଇନୋଭାଇରସ୍, ଇନଫ୍ଲୁଏଞ୍ଜା ଭାଇରସ୍, ଏଚ୍ ଇନଫ୍ଲୁଏଞ୍ଜା ଭାଇରସ୍ ଓ ରେସ୍ପିରେଟରି ସିନ୍ସିଟିଆଲ ଭାଇରସ୍ ଯୋଗୁଁ ଟନ୍ସିଲାଇଟିସ୍ ସମସ୍ୟା ହୋଇଥାଏ।
ଯେତେବେଳେ ପିଲାମାନେ ପରିଚ୍ଛନତା ପାଳନ କରନ୍ତି ନାହିଁ, ବାହାର ଖାଦ୍ୟ ବା ପାଣି ପିଇଥା’ନ୍ତି, ସେତେବେଳେ ଟନ୍ସିଲାଇଟିସ୍ ହୋଇଥାଏ।
ସାଧାରଣତଃ ରୋଗ ପ୍ରତିରୋଧକ ଶକ୍ତି ଦୁର୍ବଳ ଥିଲେ ଟନ୍ସିଲାଇଟିସ୍ ବାରମ୍ବାର ହୋଇଥାଏ। କିନ୍ତୁ, ବାରମ୍ବାର ଟନ୍ସିଲାଇଟିସ୍ ହେଲେ ଟନ୍ସିଲର ଆକାର ବଢ଼ିଯାଇଥାଏ ଓ ଏହା କଷ୍ଟଦାୟକ ହୋଇଥାଏ।
ଟନ୍ସିଲାଇଟିସ୍ ହେଲେ କ’ଣ ଜଟିଳତା ଦେଖାଦିଏ? (Complications of Tonsillitis in Odia)
ଟନ୍ସିଲର ଆକାର ବଡ଼ ହୋଇଗଲେ ଖାଦ୍ୟ ଢୋକିବାରେ ଅସୁବିଧା ହୁଏ, ନିଶ୍ୱାସ ନେବାରେ ଅସୁବିଧା ହୁଏ, ଶୋଇଥିବା ବେଳେ ଘୁଙ୍ଗୁଡ଼ି ମାରେ, ପାଟି ଖୋଲି ଶୁଏ। ଟନ୍ସିଲ୍ ବେଶି ମାତ୍ରାରେ ସଂକ୍ରମଣ ହେଲେ ଟନ୍ସିଲ ପାଖରେ ପୂଜ ହୋଇଯାଏ, ସେତେବେଳେ ଅଧିକ ମାତ୍ରାରେ କଷ୍ଟ ହୁଏ, ପିଲାମାନେ ଖାଇ ପାରନ୍ତି ନାହିଁ, କଥା କହିପାରନ୍ତି ନାହିଁ, ଛେପ ଢୋକି ପାରନ୍ତି ନାହିଁ। ଏଭଳି କ୍ଷେତ୍ରରେ ଇଞ୍ଜେକ୍ସନ୍ ଦେଇ ପୂଜକୁ ବାହାର କରିବାକୁ ପଡ଼େ।
ବାରମ୍ବାର ଟନ୍ସିଲ ସଂକ୍ରମଣ ହେଲେ ଗଳା ପାଖରେ ଗ୍ରନ୍ଥିଗୁଡ଼ିକ ବଢ଼ିଯାଏ, ଯାହାକୁ ଲିମ୍ଫାଡିନାଇଟିସ୍ କୁହାଯାଏ।
ଟନ୍ସିଲାଇଟିସ୍ର ଚିକିତ୍ସା କ’ଣ ରହିଛି? (Treatment of Tonsillitis in Odia)
ଟନ୍ସିଲାଇଟିସ୍ ପାଇଁ ଡାକ୍ତର ୫ରୁ ୭ ଦିନ ପାଇଁ ମେଡିସିନ୍ ଦେଇଥାଆନ୍ତି। ଏହି ଆଣ୍ଟିବାୟୋଟିକ୍ ଖାଇବା ଦ୍ୱାରା ଯନ୍ତ୍ରଣା କମିଯାଏ, ଜ୍ୱର କମିଯାଏ ଓ ଟନ୍ସିଲ ସଂକ୍ରମଣ ମଧ୍ୟ କମିଯାଏ।
ଅପରେସନ୍ର ଆବଶ୍ୟକତା କେତେବେଳେ ଦରକାର ପଡ଼େ? (When do you need an operation in Odia)
ଯଦି ବର୍ଷକୁ ୫ରୁ ୭ ଥର ସଂକ୍ରମଣ ହୁଏ, ଲଗାତାର ଦୁଇ ବର୍ଷ ଧରି ୫ ଥର ସଂକ୍ରମଣ ହୁଏ, ୩ ବର୍ଷ ଧରି ୩ ଥର ସଂକ୍ରମଣ ହୁଏ ଏବଂ ଏହା ମେଡିସିନ୍ରେ କମ୍ ନ ହୁଏ ଓ ପିଲାର ଘୁଙ୍ଗୁଡ଼ି ହୁଏ, କାନରେ ଯନ୍ତ୍ରଣା ହୁଏ, ଖାଇବାରେ ଅସୁବିଧା ହୁଏ, ସେତେବେଳେ ସର୍ଜରିର ଆବଶ୍ୟକତା ପଡ଼ିଥାଏ।
ସର୍ଜରିରେ ଟନ୍ସିଲ୍ ଦୁଇଟାକୁ କାଢ଼ିଦିଆଯାଏ। ଲୋକଙ୍କ ମନରେ ପ୍ରଶ୍ନ ଆସେ ଯେ, ଟନ୍ସିଲ ବାହାର କରିବା ପରେ ରୋଗ ପ୍ରତିରୋଧକ ଶକ୍ତି କମିଯାଏ। କିନ୍ତୁ, ଏହା ଭୁଲ। ପିଲା ବଡ଼ ହେବା ପରେ ଟନ୍ସିଲର କୌଣସି କାମ ନଥାଏ। ତେଣୁ ଟନ୍ସିଲ ବାହାର କରିବା ପରେ କୌଣସି ସମସ୍ୟା ହୁଏ ନାହିଁ।
ଟନ୍ସିଲାଇଟିସ୍କୁ ରୋକିବା କିପରି? (Prevention of Tonsillitis in Odia)
ଟନ୍ସିଲାଇଟିସ୍କୁ ରୋକିବାକୁ ହେଲେ ହାଇଜିନ୍ ପାଳନ କରିବା ଜରୁରୀ। ବାହାର ଖାଦ୍ୟ ଓ ପାଣି ପିଅନ୍ତୁ ନାହିଁ। ଖାଇ ସାରିବା ପରେ ଭଲକରି କୁଳକୁଜା କରନ୍ତୁ। ଏହାଛଡ଼ା ଶରୀରର ରୋଗ ପ୍ରତିରୋଧକ ଶକ୍ତିକୁ ମଜଭୁତ କରିବାକୁ ହେବ। ଏଥିପାଇଁ ସନ୍ତୁଳିତ ଖାଦ୍ୟ, ଯଥେଷ୍ଟ ବିଶ୍ରାମ, ନିୟମିତ ବ୍ୟାୟାମ କରିବା ନିହାତି ଆବଶ୍ୟକ।
(ସ୍ୱାସ୍ଥ୍ୟ ଓ ଜୀବନଶୈଳୀ ଉପରେ ଆଧାରିତ ଓଡ଼ିଆ ଡିଜିଟାଲ୍ ପ୍ଲାଟଫର୍ମ ‘ସ୍ୱାସ୍ଥ୍ୟ ପ୍ଲସ୍’ ସହିତ ଡାକ୍ତର ଏନ୍ ହିମାଂଶୁ ଚୌଧୁରୀଙ୍କ ସ୍ୱତନ୍ତ୍ର ସାକ୍ଷାତକାରକୁ ନେଇ ପ୍ରସ୍ତୁତ।)
Note: This information on Tonsillitis, in Odia language, is based on an extensive interview with ENT Specialist Dr N Himansu Choudhury.