ଅଧିକ ପଢ଼ନ୍ତୁ: ବର୍ଷା ଦିନେ କିପରି ନେବେ ପିଲାଙ୍କ ଆଖିର ଯତ୍ନ?
କ’ଣ ଏହି ରେଟିନୋପାଥି ଅଫ୍ ପ୍ରିମାଚ୍ୟୁରିଟି? ଏହାକୁ କେମିତି ଆମେ ଚିହ୍ନିବା? ଏହାର ଚିକିତ୍ସା କେମିତି ସମ୍ଭବ? ଏନେଇ ବିଶିଷ୍ଟ ଚକ୍ଷୁରୋଗ ବିଶେଷଜ୍ଞ ଡାକ୍ତର ତାପସ ରଞ୍ଜନ ପାଢ଼ୀ କ’ଣ କହୁଛନ୍ତି ଆସନ୍ତୁ ଜାଣିବା।
ରେଟିନୋପାଥି ଅଫ୍ ପ୍ରିମାଚ୍ୟୁରିଟି ବା ଆରଓପି ଏକ ଭୟଙ୍କର ଚକ୍ଷୁ ସମସ୍ୟା, ଯାହାକି ପ୍ରସବ ସମୟ ପୂର୍ବରୁ ଜନ୍ମ ହୋଇଥିବା ଶିଶୁମାନଙ୍କଠାରେ ଦେଖାଦେଇଥାଏ। ଏହାକୁ ଚିହ୍ନି ନପାରିଲେ ଶିଶୁଟି ପୁରାପୁରି ଅନ୍ଧ ହୋଇଯିବାର ଭୟ ରହିଥାଏ।
ପ୍ରସବ ସମୟ ପୂର୍ବରୁ ଜନ୍ମ ହୋଇଥିବା ଶିଶୁଠାରେ ବିଭିନ୍ନ ପ୍ରକାର ସମସ୍ୟା ଦେଖାଦିଏ। ତା’ଭିତରୁ ଗୋଟେ ସମସ୍ୟା ହେଉଛି ଚକ୍ଷୁ ସମସ୍ୟା। ପ୍ରସବ ସମୟ ପୂର୍ବରୁ ଜନ୍ମ ହୋଇଥିବା ଶିଶୁକୁ ଏନ୍ଆଇସିୟୁ (NICU) ଭିତରେ ରଖାଯାଏ। ଏହି ସମୟରେ ଶିଶୁର ଯତ୍ନ ନେବା ନିହାତି ଜରୁରୀ। ଅଳ୍ପ ଅବହେଳା ହେଲେ ଶିଶୁଠାରେ ଚକ୍ଷୁ ସମସ୍ୟା ବା ରେଟିନୋପାଥି ଅଫ୍ ପ୍ରିମାଚ୍ୟୁରିଟି ହେବାର ଆଶଙ୍କା ଥାଏ। ଏହି କ୍ଷେତ୍ରରେ ଶିଶୁର ଆଖି ଭିତରେ ପ୍ରଚୁର ରକ୍ତସ୍ରାବ ହୋଇଥାଏ। ଫଳରେ ଆଖି ଭିତରେ ଥିବା ସ୍ନାୟୁ ନଷ୍ଟ ହୋଇ ଯାଏ ଓ ଶିଶୁ ଅନ୍ଧ ହୋଇଯାଏ।
ଏହି ସମସ୍ୟା ସାଧାରଣତଃ ୭ କିମ୍ବା ୮ ମାସରୁ କମ୍ ଦିନରେ ଜନ୍ମ ହୋଇଥିବା ପିଲାଙ୍କର, ଜନ୍ମ ବେଳେ ୨ କେଜିରୁ କମ୍ ପିଲାଙ୍କଠାରେ, ଅଧିକା ଦିନ ଅକ୍ସିଜେନ୍ ପାଇଥିବା ଶିଶୁଙ୍କଠାରେ କିମ୍ବା ଶିଶୁକୁ କୌଣସି ସଂକ୍ରମଣ ହୋଇଥାଏ ବା ଯେଉଁ ଶିଶୁଙ୍କୁ ବାରମ୍ବାର ରକ୍ତ ଦିଆଯାଏ, ସେମାନଙ୍କଠାରେ ରେଟିନୋପାଥି ଅଫ୍ ପ୍ରିମାଚ୍ୟୁରିଟି ସମସ୍ୟା ଅଧିକ ଦେଖାଦିଏ।
ଓଡ଼ିଶାରେ ପ୍ରତି ୧୦୦ ଜଣ ଦୁଇ କେଜିରୁ କମ୍ ଜନ୍ମ ହେଉଥିବା ଶିଶୁଙ୍କ ଭିତରେ ୩୦ କିମ୍ବା ୪୦ ଜଣ ଶିଶୁଙ୍କୁ ଚକ୍ଷୁଜନିତ ସମସ୍ୟା ହେଉଛି।
ଅଧିକ ପଢ଼ନ୍ତୁ: ବୟସ୍କ ବ୍ୟକ୍ତି କିପରି ନେବେ ଆଖିର ଯତ୍ନ?
ରେଟିନୋପାଥି ଅଫ୍ ପ୍ରିମାଚ୍ୟୁରିଟି ହେବାର କାରଣ କ’ଣ? (What is the reason for ROP in Odia)
ପ୍ରସବ ସମୟ ପୂର୍ବରୁ ଜନ୍ମ ହୋଇଥିବା ଶିଶୁଙ୍କ ଆଖିରେ ରକ୍ତବାହୀ ନଳୀ ସଠିକ୍ ଭାବେ ତିଆରି ହୋଇନଥାଏ। ଶିଶୁ ଜନ୍ମ ହେବା ପରେ ତା’ର ଆଖିର ରକ୍ତବାହୀ ନଳୀ ଅସ୍ୱାଭାବିକ ଭାବେ ବଢ଼ିଚାଲେ। ସେହି ରକ୍ତବାହୀ ନଳୀ ଫାଟିଯାଇ ରକ୍ତସ୍ରାବ କରାଏ ଓ ଏହା ଆଖିର ପଛପଟ ପରଦାକୁ ଟାଣିଦିଏ। ଏସବୁ ସମସ୍ୟା ପିଲା ଜନ୍ମ ହେବାର ମାସେ କିମ୍ବା ଦେଢ଼ମାସରେ ହୋଇଥାଏ। ଯେହେତୁ ଏସବୁ ସମସ୍ୟା ଆଖିରେ ହୁଏ, ବାହାରକୁ କୌଣସି ଲକ୍ଷଣ ଜଣାପଡ଼ି ନଥାଏ। ତେଣୁ ଶିଶୁ ଜନ୍ମ ହେବାର ମାସେ ଭିତରେ ଥରେ ଆଖି ପରୀକ୍ଷା କରାଇନେବା ଜରୁରୀ।
ରେଟିନୋପାଥି ଅଫ୍ ପ୍ରିମାଚ୍ୟୁରିଟିକୁ କେମିତି ଚିହ୍ନିବେ?
ଜନ୍ମ ବେଳେ ୨ କେଜିରୁ କମ୍ କିମ୍ବା ୩୪ ସପ୍ତାହ ଆଗରୁ ଜନ୍ମ ହୋଇଥିବା ଶିଶୁଙ୍କର ୩ରୁ ୪ ସପ୍ତାହ ମଧ୍ୟରେ ଆଖି ପରୀକ୍ଷା କରିବା ଆବଶ୍ୟକ। ଏହି ସମସ୍ୟା ଦିନେ ବା ଦୁଇଦିନ ଭିତରେ ଆଖିକୁ ଖରାପ କରି ନଥାଏ। ତେଣୁ ଶିଶୁ ଜନ୍ମ ହେହବାର ମାସେ ଭିତରେ ରୋଗକୁ ପରୀକ୍ଷା କରି ଚିକିତ୍ସା କରାଗଲେ ଶିଶୁର ଆଖି ସମ୍ପୂର୍ଣ୍ଣ ଭାବେ ଭଲ ହୋଇପାରିବ। ଯଦି ଚିକିତ୍ସା କରିବା ନାହିଁ ଓ ରୋଗଟି ବଢ଼ିଚାଲିଲା, ତେବେ ଯାଇ ଚିକିତ୍ସା କଲେ ସୁଫଳ ମିଳିବା କଷ୍ଟକର।
ରେଟିନୋପାଥି ଅଫ୍ ପ୍ରିମାଚ୍ୟୁରିଟିର ଚିକିତ୍ସା (Treatment of Retinopathy of prematurity in Odia)
ଆଖିର ଅବସ୍ଥା, ରୋଗର ପରିମାଣ ଓ କେଉଁ ସମୟରେ ରୋଗ ଚିହ୍ନଟ ହେଉଛି, ତାହାକୁ ଦୃଷ୍ଟିରେ ରଖି ଚିକିତ୍ସା ଭିନ୍ନ ଭିନ୍ନ କରାଯାଏ। ପ୍ରାରମ୍ଭିକ ଅବସ୍ଥାରେ ଲେଜର ପଦ୍ଧତି ମାଧ୍ୟମରେ ଚିକିତ୍ସା କରାଯାଏ। ଲେଜର ମାଧ୍ୟମରେ ଏକ ପ୍ରକାର ରଞ୍ଜନ ରଶ୍ମୀ ଆଖି ଭିତରକୁ ଛଡ଼ାଯାଇ ଅସ୍ୱାଭାବିକ ଭାବେ ବଢ଼ୁଥିବା ରକ୍ତବାହୀ ନଳୀକୁ ନଷ୍ଟ କରିଦିଆଯାଏ। ଫଳରେ ନୂଆ ରକ୍ତବାହୀ ନଳୀ ସୃଷ୍ଟି ହୋଇପାରିବ ଏବଂ ରେଟିନାରେ କୌଣସି ଅସୁବିଧା ହୁଏ ନାହିଁ ଓ ଶିଶୁର ଦୃଷ୍ଟି ଶକ୍ତି ଭଲ ରହେ।
ଯଦି ପିଲା ଅଧିକ ଅସୁସ୍ଥ ଥାଏ, ତେବେ ଲେଜର ଚିକିତ୍ସା କରିହୁଏ ନାହିଁ। ଏଭଳି କ୍ଷେତ୍ରରେ ଶିଶୁର ଆଖିରେ ଇଞ୍ଜେକ୍ସନ୍ ଦେଇ ରୋଗଟିକୁ ମାସେରୁ ଦୁଇମାସ ପର୍ଯ୍ୟନ୍ତ ଅଟକେଇ ଦିଆଯାଇପାରେ। ଶିଶୁଟି ଭଲ ହେବା ପରେ ଯାଇ ଲେଜର ଚିକିତ୍ସା କରିହୁଏ।
ଶିଶୁଙ୍କଠାରେ ରୋଗଟି ଅଧିକ ବଢ଼ିଯାଇଥିଲେ ସର୍ଜରୀ ମାଧ୍ୟମରେ ହିଁ ଚିକିତ୍ସା କରାଯାଇପାରେ। ଶିଶୁ ଯେଉଁ ମେଡିକାଲରେ ଅଛି, ସେଠାରେ ଏ ମସସ୍ତ ଚିକିତ୍ସା ହୋଇପାରିବ। କିନ୍ତୁ, ସର୍ଜରୀ କରିବାକୁ ହେଲେ ଚକ୍ଷୁ ପ୍ରତିଷ୍ଠାନରେ ହିଁ କରାଯାଏ।
ଏଭଳି ଚିକିତ୍ସା ସଠିକ୍ ଭାବେ ହୋଇଗଲେ ପିଲାର ଚକ୍ଷୁ ଜୀବନସାରା ପାଇଁ ଠିକ୍ ହୋଇଯିବ ଓ ଏହାର ଚିକିତ୍ସା ବାରମ୍ବାର କରାଯାଏ ନାହିଁ। କିଛି କିଛି ପିଲାଙ୍କର ଚିକିତ୍ସା କରିସାରିବା ପରେ ଚଷମା ଦରକାର ପଡ଼ିଥାଏ। ଚଷମା ଦ୍ୱାରା ସେମାନଙ୍କର ଦୃଷ୍ଟିଶକ୍ତିକୁ ଠିକ୍ କରାଯାଏ।
ଓଡ଼ିଶାରେ ରେଟିନୋପାଥି ଅଫ୍ ପ୍ରିମାଚ୍ୟୁରିଟି ଲାଗି ଚିକିତ୍ସା ବ୍ୟବସ୍ଥା
ରେଟିନୋପାଥି ଅଫ୍ ପ୍ରିମାଚ୍ୟୁରିଟିର ଚିକିତ୍ସା ଓଡ଼ିଶାରେ ହୋଇପାରୁଛି। ଓଡ଼ିଶାର ୮ଟି ଜିଲ୍ଲାରେ ଏହି ରୋଗର ନିଦାନ କରିବା ପାଇଁ ଡାକ୍ତର ରହିଛନ୍ତି।
ଅଧିକ ପଢ଼ନ୍ତୁ: କେମିତି ନେବେ ଆଖିର ଯତ୍ନ?
(ସ୍ୱାସ୍ଥ୍ୟ ଓ ଜୀବନଶୈଳୀ ଉପରେ ଆଧାରିତ ଓଡ଼ିଆ ଡିଜିଟାଲ୍ ପ୍ଲାଟଫର୍ମ ‘ସ୍ୱାସ୍ଥ୍ୟ ପ୍ଲସ୍’ ସହିତ ଡାକ୍ତର ତାପସ ରଞ୍ଜନ ପାଢ଼ୀଙ୍କ ସ୍ୱତନ୍ତ୍ର ସାକ୍ଷାତକାରକୁ ନେଇ ପ୍ରସ୍ତୁତ।)
Note: A brief medical advice, in Odia language, on Retinopathy of prematurity based on the interview with Dr. Tapas Ranjan Padhi, Ophthalmologist.