କେମିତି ହୁଏ କିଡ୍ନି ଡାଏଲିସିସ୍? କିଡ୍ନି ଡାଏଲିସିସ୍ କାହିଁକି ଦରକାର? ବିଶିଷ୍ଟ ୟୁରୋଲଜିଷ୍ଟ ଡାକ୍ତର ମାନସ ରଞ୍ଜନ ପ୍ରଧାନ ଏନେଇ କ’ଣ କହୁଛନ୍ତି ଆସନ୍ତୁ ଜାଣିବା।
- କିଡ୍ନି ଡାଏଲିସିସ୍ କ’ଣ?
- କିଡ୍ନି ଡାଏଲିସିସ୍ କେମିତି ହୁଏ?
- କିଡନି ଡାଏଲିସିସ୍ କାହିଁକି ଦରକାର?
- ଡାଏଲିସିସ୍ ନ କଣେ କେଉଁସବୁ ଅସୁବିଧା ହୁଏ?
- କିଡ୍ନି ଡାଏଲିସିସର ପାର୍ଶ୍ୱ ପ୍ରତିକ୍ରିୟା କ’ଣ?
- କିଡନି ଡାଏଲିସିସ୍ ବେଳେ କ’ଣ ଖାଇବେ?
- କିଡନି ଡାଏଲିସିସ୍ କେଉଁଠି କରିପାରିବେ?
- ଡାକ୍ତରଙ୍କ ପରାମର୍ଶ
କିଡ୍ନି ସମ୍ପୂର୍ଣ୍ଣ ଭାବେ ଖରାପ ହୋଇଗଲେ ଆପଣଙ୍କ ଆଗରେ ଦୁଇଟି ରାସ୍ତା ବଞ୍ଚିବ। କିଡନି ଡାଏଲିସିସ୍ କିମ୍ବା କିଡନି ଟ୍ରାନ୍ସପ୍ଲାଣ୍ଟ।
କିଡ୍ନି ଡାଏଲିସିସ୍ କ’ଣ? (What is kidney dialysis in Odia)
ଦୁଇଟିଯାକ କିଡ୍ନି ସମ୍ପୂର୍ଣ୍ଣ ଭାବେ ଖରାପ ହେଲେ ଡାଏଲିସିସ୍ କିମ୍ବା ଟ୍ରାନ୍ସପ୍ଲାଣ୍ଟ ଚିକିତ୍ସା କରିବାକୁ ପଡ଼ିଥାଏ। କିଡ୍ନି ଡାଏଲିସିସ୍ ହେଉଛି ଗୋଟେ ପ୍ରକାର ଛଣା ପ୍ରକ୍ରିୟା। ଯେଉଁଭଳି ଭାବେ କିଡ୍ନି ଅପରିଷ୍କାର ରକ୍ତରୁ ବର୍ଜ୍ୟବସ୍ତୁକୁ ଛାଣି ବାହାର କରିଥାଏ ଓ ପରିଷ୍କାର ରକ୍ତକୁ ଦେହ ଭିତରକୁ ଛାଡ଼ିଥାଏ। ସେହିଭଳି ଭାବେ ଡାଏଲିସିସ୍ ଆମ ଶରୀରର ଅପରିଷ୍କାର ରକ୍ତରୁ ବର୍ଜ୍ୟବସ୍ତୁକୁ ଛାତି ପରିଷ୍କାର ରକ୍ତକୁ ଦେହକୁ ଛାଡ଼ିଥାଏ।
କିଡ୍ନି ୨୪ ଘଣ୍ଟା କାର୍ଯ୍ୟ କରିଥାଏ। ହେଲେ କୌଣସି କାରଣରୁ କିଡ୍ନି ଖରାପ ହୋଇଗଲେ କିଡ୍ନି ତା’ର କାର୍ଯ୍ୟ କରିପାରିବ ନାହିଁ। ଫଳରେ ଅପରିଷ୍କାର ରକ୍ତ ଫିଲଟର ହୋଇପାରିବ ନାହିଁ ଓ ଶରୀରରେ ଅପରିଷ୍କାର ବସ୍ତୁ ଜମା ହେବ, ଦେହରେ ପାଣି ଜମା ହୋଇ ଦେହ ହାତ ଫୁଲିଯିବ ଏବଂ ବିଭିନ୍ନ ପ୍ରକାର ସମସ୍ୟା ଦେଖାଦେବ। ଏଭଳି କ୍ଷେତ୍ରରେ ଡାଏଲିସିସ୍ ମେସିନ୍ର ସାହାଯ୍ୟ ନେବାକୁ ପଡ଼ିଥାଏ। ଏହା ଏକ ଫିଲଟର ଭଳି କାମ କରିଥାଏ।
କିଡ୍ନି ଡାଏଲିସିସ୍ କେମିତି ହୁଏ? (How does kidney dialysis occur in Odia)
ଡାଏଲିସିସ୍ କରିବା ପାଇଁ ରୋଗୀ ଦେହରେ ଦୁଇଟା ଛୁଞ୍ଚି ଫୋଡ଼ାଯାଏ। ଗୋଟେ ଛୁଞ୍ଚି ସାହାଯ୍ୟରେ ରୋଗୀ ଦେହରୁ ରକ୍ତ ଆସି ମେସିନ୍ ଭିତରକୁ ଯା ଓ ସେଠାରେ ଛାଣି ହୋଇ ପରିଷ୍କାର ରକ୍ତ ଦ୍ୱିତୀୟ ଛୁଞ୍ଚି ସାହାଯ୍ୟରେ ଶରୀର ଭିତରକୁ ଯାଏ। ବାକିସବୁ ବର୍ଜ୍ୟବସ୍ତୁ ମେସିନ୍ରୁ ବାହାରିଯାଏ।
ଏହିଭଳି ଭାବେ ରୋଗୀ ଦେହରୁ ଅପରିଷ୍କାର ଜିନିଷ ସଫା ହୋଇଯାଏ। ଏହାପରେ ରୋଗୀ ପୁଣି ଖିଆପିଆ କରିଥାଆନ୍ତି ଓ ତାଙ୍କ ଦେହରେ ବର୍ଜ୍ୟବସ୍ତୁ ଓ ପାଣି ଅଂଶ ଧୀରେ ଧୀରେ ବଢ଼ିଥାଏ। ଦୁଇ ତିନି ଦିନ ପରେ ପୁଣିଥରେ ଡାଏଲିସିସ୍ କରିବାକୁ ପଡ଼ିଥାଏ। ସପ୍ତାହରେ ଦୁଇ ଥର କିମ୍ବା ତିନି ଥର ରୋଗୀଙ୍କୁ ଡାଏଲିସିସ୍ ସେଣ୍ଟର ଯାଇ ଡାଏଲିସିସ୍ କରିବାକୁ ପଡ଼ିଥାଏ।
କିଡନି ଡାଏଲିସିସ୍ କାହିଁକି ଦରକାର? (Why kidney dialysis is necessary in Odia)
କିଡ୍ନି ଖରାପ ହେଲେ ଶରୀରରେ ଅପରିଷ୍କାର ଜିନିଷ ଓ ପାଣି ରହିଯାଏ। ଫଳରେ ଭୋକ ନଲାଗିବା, ଦୁର୍ବଳ ଲାଗିବା, ନିଶ୍ୱାସ ନେବାରେ ଅସୁବିଧା ହେବା, କାମ କରି ନପାରିବା ଭଳି ଲକ୍ଷଣ ଦେଖାଦିଏ। ତେଣୁ ଅପରିଷ୍କାର ବସ୍ତୁ ଓ ପାଣିକୁ ଛାଣିବା ପାଇଁ ଡାଏଲିସିସ୍ କରାଯାଏ।
କିଡ୍ନିର ଆଉ ଏକ ମୁଖ୍ୟ ଭୂମିକା ହେଉଛି ରକ୍ତ ତିଆରି କରିବା। ଯଦି କିଡ୍ନି ଖରାପ ହୁଏ, ତେବେ ଶରୀରରେ ରକ୍ତ କମିଯାଏ।
ଡାଏଲିସିସ୍ ନ କଲେ କେଉଁସବୁ ଅସୁବିଧା ହୁଏ? (What Happens If Someone Stops Dialysis in Odia)
ଅଧିକାଂଶ ଲୋକଙ୍କର ଧାରଣ ଅଛି ଯେ, ଡାଏଲିସିସ୍ ଥରେ ଆରମ୍ଭ କଲେ ଜୀବନସାରା କରିବାକୁ ପଡ଼ିବ।
କେତେକ ରୋଗୀଙ୍କର କିଡ୍ନିରେ ସମସ୍ୟା ହୋଇ କିଡ୍ନି ଖରାପ ହୋଇଥାଏ। ସେଭଳି କ୍ଷେତ୍ରରେ କିଡ୍ନି ଡାଏଲିସିସ୍ କଲା ପରେ ରୋଗୀ ସୁସ୍ଥ ହୋଇଯାଆନ୍ତି। ଯଦି ଜଣେ ରୋଗୀଙ୍କୁ ଡାଏଲିସିସ୍ କରିବାର ଆବଶ୍ୟକତା ଅଛି, ତାହାହେଲେ ସେମାନେ ଡାଏଲିସିସ୍ କରିବା ଉଚିତ। ଯଦି ଜଣେ ଡାଏଲିସିସ୍ କରୁ ନାହାନ୍ତି, ତେବେ ଶରୀରରେ ୟୁରିଆ, କ୍ରିଏଟିନିନ୍ ଭଳି ବର୍ଜ୍ୟବସ୍ତୁ ଧୀରେ ଧୀରେ ବୃଦ୍ଧି ପାଇବ। ଆପଣ ପିଉଥିବା ପାଣି ନ ବାହାରି ଦେହରେ ବୃଦ୍ଧି ପାଇବ।
କିଡ୍ନି ଖରାପ ହେଲେ ଏହା ଶରୀରର ବିଭିନ୍ନ ଅଙ୍ଗକୁ ଧୀରେ ଧୀରେ ପ୍ରଭାବିତ କରିଥାଏ। ଶରୀରର ପ୍ରତ୍ୟେକ ଅଙ୍ଗ କାର୍ଯ୍ୟ କରିବା ପାଇଁ ରକ୍ତ ପରିଷ୍କାର ହେବାର ଆବଶ୍ୟକତା ରହିଛି। ଯଦି ଶରୀରର ବିଭିନ୍ନ ଅଙ୍ଗକୁ ଅପରିଷ୍କାର ରକ୍ତ ସଞ୍ଚାଳିତ ହୁଏ, ତେବେ ଶରୀର ଉପରେ କୁପ୍ରଭାବ ପଡ଼ିଥାଏ। ଫଳରେ ବ୍ୟକ୍ତି ଦୁର୍ବଳ ହୋଇଯିବେ, ଓଜନ କମିଯିବ ଭଳି ସମସ୍ୟା ଉପୁଜିଥାଏ। କେତେକ କ୍ଷେତ୍ରରେ ରୋଗୀ ଡାଏଲିସିସ୍ ନ କଲେ, ଏହା ପ୍ରାଣଘାତକ ହୋଇପାରେ।
କିଡ୍ନି ଡାଏଲିସିସର ପାର୍ଶ୍ୱ ପ୍ରତିକ୍ରିୟା କ’ଣ? (Side effects of kidney dialysis in Odia)
ଦୁଇଟିଯାକ କିଡ୍ନି ସମ୍ପୂର୍ଣ୍ଣ ଖରାପ ହୋଇଯାଇଥିଲେ କିଡ୍ନି ଡାଏଲିସିସ୍ ଏବଂ କିଡ୍ନି ପ୍ରତିରୋପଣ ଚିକିତ୍ସାର ସାହାଯ୍ୟ ନେବାକୁ ପଡ଼ିଥାଏ। କିଡ୍ନି ଡାଏଲିସିସ୍ ତୁଳନାରେ କିଡ୍ନି ପ୍ରତିରୋପଣ ସବୁଠୁ ଭଲ ଚିକିତ୍ସା। ହେଲେ ଆପାତତଃ କିଡ୍ନି ଡୋନର ମିଳିନଥାଏ। ଫଳରେ ଡାଏଲିସିସ୍ କରିବାକୁ ପଡ଼ିଥାଏ।
ଲମ୍ବା ସମୟ ଧରି ଡାଏଲିସିସ୍ କରିବା ଦ୍ୱାରା ବିଭିନ୍ନ ପାର୍ଶ୍ଵ ପ୍ରତିକ୍ରିୟା ଦେଖାଦେଇଥାଏ। ଏହାଦ୍ୱାରା ତ୍ୱଚାର ରଙ୍ଗରେ, କାର୍ଯ୍ୟ କରିବାର କ୍ଷମତାରେ ପ୍ରଭାବ ପଡ଼ିଥାଏ। ଲୋକଙ୍କର ଧାରଣା ଥାଏ ଯେ, ଡାଏଲିସିସ୍ କରି ବେଶୀ ବର୍ଷ ସୁସ୍ଥ ଜୀବନଯାପନ କରିହେବ। ହେଲେ ଏହା ଭୁଲ। ଡାଏଲିସିସ୍ ଅପେକ୍ଷା ଟ୍ରାନ୍ସପ୍ଲାଣ୍ଟ ସବୁଠୁ ଭଲ ବିକଳ୍ପ।
ଗୋଟେ ବର୍ଷର ଡାଏଲିସିସ୍ ପାଇଁ ଯେତିକି ଖର୍ଚ୍ଚାନ୍ତ ହେବାକୁ ପଡ଼ିବ, ସେହି ଖର୍ଚ୍ଚରେ ପ୍ରତିରୋପଣ କରାଯାଇପାରିବ। କିଡ୍ନି ପ୍ରତିରୋପଣ ପରେ ରୋଗୀ ସାଧାରଣ ଲୋକଙ୍କ ଭଳି କାମ କାର୍ଯ୍ୟ କରିପାରିବେ ହେଲେ ଡାଏଲିସିସ୍ ରୋଗୀ ସାଧାରଣ ଲୋକଙ୍କ ଭଳି କାର୍ଯ୍ୟ କରିପାରନ୍ତି ନାହିଁ।
କିଡନି ଡାଏଲିସିସ୍ ବେଳେ କ’ଣ ଖାଇବେ? (What to eat during kidney dialysis in Odia)
କିଡ୍ନି ରୋଗୀମାନେ ସେମାନଙ୍କର ଖାଦ୍ୟଶୈଳୀ ଉପରେ ବେଶୀ ଧ୍ୟାନ ଦେବା ଉଚିତ। ଯଦି ଆପଣଙ୍କର କିଡ୍ନି ଠିକ୍ ଭାବରେ କାମ କରୁନି, ତେବେ ଅତ୍ୟଧିକ ପାଣି ପିଇବେ ନାହିଁ।
ଅଧିକାଂଶ ଲୋକ ଭାବନ୍ତି କିଡ୍ନି ଖରାପ ହୋଇଗଲେ ପରିସ୍ରା ହେବ ନାହିଁ। ହେଲେ ଏହା ଜାଣି ରଖନ୍ତୁ, ପରିସ୍ରା ହେବା ସହ କିଡ୍ନି ଖରାପ ହେବାର କୌଣସି ସମ୍ପର୍କ ନାହିଁ। ଜଣେ ସାଧାରଣ ଲୋକର ଦୁଇରୁ ତିନି ଲିଟର ପରିସ୍ରା ହେଲା ପରେ ବି କିଡ୍ନି ଖରାପ ହେବାର ଆଶଙ୍କା ରହିଛି। ତେଣୁ ପରିସ୍ରାକୁ ଦେଖି ରୋଗୀଙ୍କୁ କେତେ ମାତ୍ରାରେ ପାଣି ପିଇବା ଦରକାର ପରାମର୍ଶ କରାଯାଏ।
ଜଣେ ୬୦ କିଲୋଗ୍ରାମ୍ର ସୁସ୍ଥ ବ୍ୟକ୍ତିଙ୍କୁ ଦୈନିକ ୬୦ଗ୍ରାମ୍ର ପ୍ରୋଟିନ୍ ଖାଇବାର ଆବଶ୍ୟକତା ରହିଛି। ହେଲେ କିଡ୍ନି ଖରାପ ଥିବା ବ୍ୟକ୍ତିଙ୍କୁ ଦୈନିକ ୩୦ ଗ୍ରାମ୍ ପ୍ରୋଟିନ୍ ଖାଇବା ଦରକାର।
ପ୍ରୋଟିନ୍ଯୁକ୍ତ ଖାଦ୍ୟ ଯେପରିକି ଆମିଷ ଖାଇବାକୁ ବାରଣ କରାଯାଏ। ସପ୍ତାହକୁ ଥରେ ଚୂନା ମାଛ ଖାଇପାରିବେ। ଶାକାହାରୀ ଲୋକ ପନିର, ଛେନା, ସୋୟାବିନ୍, ଡାଲିଜାତୀୟ ଖାଦ୍ୟ, ବିରି, ବେସନ, ମିକ୍ସଚର, ପେନ୍କିଲର ଓ ବିଭିନ୍ନ ପ୍ରକାର ଫଳ ଖାଇବାକୁ ବାରଣ କରାଯାଏ। ପଇଡ଼ ପାଣି ଆଦୌ ପିଇବା ଉଚିତ ନୁହେଁ କାରଣ ଏଥିରେ ପୋଟାସିୟମ୍ ମାତ୍ରା ଅଧିକ ଥାଏ।
ଯଦି କିଡ୍ନି ସମସ୍ୟା ଶେଷ ପର୍ଯ୍ୟାୟରେ ଥାଏ, ତେବେ ରୋଷେଇ କରିବା ବେଳେ ପ୍ରଥମେ ପରିବାକୁ ପାଣି ଦେଇ ସିଝାଯାଏ ଓ ସେହି ପାଣିକୁ ଫୋପାଡ଼ା ଯାଏ। ଫଳରେ ସେଥିରୁ ଶାର ଅଂଶ ଚାଲିଯାଏ। ଏହାପରେ କମ୍ ତେଲ, କମ୍ ଲୁଣ ଓ ଅଳ୍ପ ମସଲା ଦେଇ ପୁନଃ ରାନ୍ଧି ଖାଇବାକୁ ପରାମର୍ଶ ଦିଆଯାଏ।
କିଡନି ଡାଏଲିସିସ୍ କେଉଁଠି କରିପାରିବେ? (Where can you do kidney dialysis in Odia)
କିଡ୍ନି ଡାଏଲିସିସ୍ ହେଉଛି ଖର୍ଚ୍ଚ ସାପେକ୍ଷ ଚିକିତ୍ସା। ବର୍ତ୍ତମାନ ପ୍ରାୟ ସବୁ ଜିଲ୍ଲା ଚିକିତ୍ସାଳୟରେ ଡାଏଲିସିସ୍ ସେଣ୍ଟର ହୋଇଯାଇଛି, ଯେଉଁଠାରେ ମାଗଣାରେ ଡାଏଲିସିସ୍ କରାଯାଉଛି।
ଡାକ୍ତରଙ୍କ ପରାମର୍ଶ (Doctor’s Advice in Odia)
ଯେଉଁ ଲୋକଙ୍କର କିଡ୍ନି ଖରାପ ହୋଇଛି ଏବଂ ଡାକ୍ତର ତାଙ୍କୁ ଡାଏଲିସିସ୍ ପାଇଁ ପରାମର୍ଶ ଦେଇଛନ୍ତି, ତେବେ ନିହାତି ଭାବେ ଡାଏଲିସିସ୍ କରାନ୍ତୁ। ନିୟମିତ ବ୍ୟବଧାନରେ ଡାକ୍ତରଙ୍କ ସହ ପରାମର୍ଶ କରନ୍ତୁ। ଯଦି ସମ୍ଭବ ହେଉଛି କିଡ୍ନି ପ୍ରତିରୋପଣ ପାଇଁ ଚେଷ୍ଟା କରନ୍ତୁ।
(ସ୍ୱାସ୍ଥ୍ୟ ଓ ଜୀବନଶୈଳୀ ଉପରେ ଆଧାରିତ ଓଡ଼ିଆ ଡିଜିଟାଲ୍ ପ୍ଲାଟଫର୍ମ ‘ସ୍ୱାସ୍ଥ୍ୟ ପ୍ଲସ୍’ ସହିତ ଡାକ୍ତର ମାନସ ରଞ୍ଜନ ପ୍ରଧାନଙ୍କ ସ୍ୱତନ୍ତ୍ର ସାକ୍ଷାତକାରକୁ ନେଇ ପ୍ରସ୍ତୁତ।)
Note: This information on Kidney Dialysis, in Odia language, is based on an extensive interview with Urologist Dr Manas Ranjan Pradhan.