ଛୋଟ ବେଳେ ପିଲା ମୋଟା ଥିଲେ ଅଭିଭାବକମାନେ ଡଉଲଡାଉଲ କହିଥାଆନ୍ତି। ହେଲେ ଏହି ମୋଟାପଣ ଧୀରେ ଧୀରେ ବିଭିନ୍ନ ରୋଗକୁ ଡାକିଆଣେ। ଛୁଆଙ୍କଠାରେ ମୋଟାପଣର କାରଣ କ’ଣ? ମେଦ ବହୁଳତା ଯୋଗୁଁ କେଉଁ କେଉଁ ସମସ୍ୟା ଦେଖାଦିଏ? ଏନେଇ ବିଶିଷ୍ଟ ଶିଶୁରୋଗ ବିଶେଷଜ୍ଞ ଡାକ୍ତର ପ୍ରଦୀପ କୁମାର ଦେ’ କ’ଣ କହୁଛନ୍ତି, ଜାଣନ୍ତୁ।
- ମୋଟାପଣ ବିଭିନ୍ନ ରୋଗର କାରଣ
- ଛୁଆଙ୍କଠାରେ ମୋଟାପଣର କାରଣ
- ମୋଟାପଣ କମେଇବା ପାଇଁ ଡାଏଟ୍
- ନିଦ୍ରାରେ ଅନିୟମିତତା ମୋଟାପଣର କାରଣ
- ଛୁଆଙ୍କ ପାଇଁ ‘ମାଇଁ ପ୍ଲେଟ୍ ରେଜିମେଣ୍ଟ’
- ପିଲାଙ୍କଠାରେ ଓବେସିଟି କମାଇବେ କିପରି?
- ମେଦ ବହୁଳତାର ଚିକିତ୍ସା
- ଅଳ୍ପ ଖାଇଲା ପରେ ବି ଓଜନ ବଢୁଛି କି?
- ଡାକ୍ତରଙ୍କ ଟିପ୍ସ
ମୋଟାପଣ ବିଭିନ୍ନ ରୋଗର କାରଣ (Obesity the cause of various diseases in Odia)
ହୃଦ୍ରୋଗର ଅନ୍ୟତମ ମୁଖ୍ୟ କାରଣ ହେଉଛି ମେଦବହୁଳତା। ଏହାଛଡ଼ା ଡାଏବେଟିସ୍, ଉଚ୍ଚ ରକ୍ତଚାପ, ଡିସ୍ଲିପିଡିମିଆ ଓ ଅନ୍ୟ ରୋଗର କାରଣ ହେଉଛି ମେଦବହୁଳତା।
ଛୁଆଙ୍କଠାରେ ମୋଟାପଣର କାରଣ (Cause of obesity in children in Odia)
ମେଦବହୁଳତାର ମୁଖ୍ୟ କାରଣ ହେଉଛି ଶାରୀରିକ ପରିଶ୍ରମର ଅଭାବ, ପୋଷଣର ଅଭାବ ଏବଂ ଶୋଇବାରେ ଅନିୟମିତତା। ଯଦି ଗୋଟେ ଛୋଟ ପିଲା ଅଧିକ କ୍ୟାଲୋରିଯୁକ୍ତ ଖାଦ୍ୟ ଖାଇବ, ତାହାହେଲେ ଛୁଆଟି ମୋଟା ହେବାରେ ଲାଗିବ। ଯଦି ଛୋଟ ପିଲାଟିଏ ଘରେ ବସି ରହେ, କୌଣସି କାର୍ଯ୍ୟ କରେ ନାହିଁ ଏବଂ ଅଧିକ କ୍ୟାଲୋରିଯୁକ୍ତ ଖାଦ୍ୟ ଖାଇବା ସହ ଫାଷ୍ଟଫୁଡ୍, ଜଙ୍କଫୁଡ୍ ଅଧିକ ମାତ୍ରାରେ ଖାଆନ୍ତି, ତେବେ ମେଦବହୁଳତାର ଶିକାର ହୋଇପାରନ୍ତି।
୧୮ ବର୍ଷ ବୟସ ପର୍ଯ୍ୟନ୍ତ ପିଲାମାନେ ଗୋଟେ ଘଣ୍ଟାରୁ ଅଧିକ ସମୟ ବ୍ୟାୟାମ କରିବା ଆବଶ୍ୟକ। ୧୮ ବର୍ଷ ବୟସ ପରେ ଦିନକୁ ଅଧଘଣ୍ଟା ବ୍ୟାୟାମ କରିବା ନିହାତି ଜରୁରୀ।
ବ୍ୟାୟାମ ଯେତେ କଲେ ବି ସହଜରେ ମେଦବହୁଳତା କମେ ନାହିଁ। କାରଣ ୭ହଜାର ୭୦୦ କ୍ୟାଲୋରିରେ ଗୋଟେ କେଜି ଫ୍ୟାଟ୍ ହୁଏ ଓ ୩ରୁ ୪ ମାଇଲ୍ ଜୋରରେ ଚାଲିଲେ ୧୫୦ କ୍ୟାଲୋରି ଜଳିଥାଏ। ତେଣୁ ମୋଟାପଣ କମେଇବା ପାଇଁ ଉଭୟ ଡାଏଟ୍ ଓ ବ୍ୟାୟାମ ଉପରେ ଧ୍ୟାନ ଦେବାକୁ ପଡ଼ିଥାଏ।
ଅଧିକ ପଢ଼ନ୍ତୁ: ମେଦ ବହୁଳତା ଯୋଗୁଁ କ’ଣ ଅସୁବିଧା ହୁଏ?
ମୋଟାପଣ କମେଇବା ପାଇଁ ଡାଏଟ୍ (Diet to reduce obesity in Odia)
ଦୈନିକ ଯେତିକି କ୍ୟାଲୋରି ଦରକାର ତା’ଠାରୁ ଅଧିକ ଖାଇଲେ, ତାହା ଦେହରେ ଜମା ହୋଇ ଚାଲିବ। ଫଳରେ ଧୀରେ ଧୀରେ କରି ଶରୀରରେ ଚର୍ବି ଜମା ହୋଇଚାଲେ।
ଛୋଟ ପିଲାଙ୍କ ଓଜନକୁ ନିୟନ୍ତ୍ରଣ କରିବା ପାଇଁ ଟ୍ରାଫିକ୍ ଡାଏଟ୍ ପ୍ଲାନ୍ ନିୟମ ପାଳିବାକୁ ପଡ଼ିଥାଏ। ସେଥିରେ ନାଲି, ସବୁଜ ଓ ହଳଦିଆ ସଙ୍କେତ ଖାଦ୍ୟ ରହିଛି। ନାଲି ସଙ୍କେତ ଖାଦ୍ୟ ଯେପରିକି ମଟନ୍, ଚିନି, ମଇଦାକୁ ନ ଖାଇବାକୁ ପରାମର୍ଶ ଦିଆଯାଏ। ହଳଦିଆ ସଙ୍କେତ ଖାଦ୍ୟ ଯେପରିକି ଚିକେନ୍, ଅଣ୍ଡା, କ୍ଷୀରକୁ ଅଳ୍ପ ପରିମାଣର ଖାଇବା ଦରକାର। ସବୁଜ ଖାଦ୍ୟରେ ସବୁଜ ପନିପରିବା, ଫଳମୂଳକୁ ସାମିଲ କରିବା ଦରକାର।
ସକାଳ ଜଳଖିଆକୁ ପେଟ ପୂରା କରି ଖାଇବା ଆବଶ୍ୟକ ଏବଂ ରାତିରେ ସବୁଠାରୁ ଅଳ୍ପ ଖାଇବା ଦରାକର। ଖାଇବାର ୨ ଘଣ୍ଟା ପରେ ଶୁଅନ୍ତୁ। ଅଧିକାଂଶ ଲୋକ ରାତି ୧୦ଟା ୧୧ଟା ବେଳକୁ ପେଟ ପୂର୍ଣ୍ଣ କରି ଖାଇଥାଆନ୍ତି ଓ ସଙ୍ଗେସଙ୍ଗେ ଶୋଇଯାଆନ୍ତି। ହେଲେ ଏହାଦ୍ୱାରା ଦେହରେ ଚର୍ବି ବଢ଼ିଥାଏ। ଯଦି ଜଣେ ପତଳା ଲୋକ ଡେଯରି ରାତିରେ ଖାଇ ସଙ୍ଗେ ସଙ୍ଗେ ଶୁଅନ୍ତି, ତେବେ ସେମାନଙ୍କ ଶରୀର ପତଳା ଥିବ କିନ୍ତୁ ପେଟ ବଢ଼ିଥାଏ।
୧୮ ବର୍ଷ ପର୍ଯ୍ୟନ୍ତ ଛୁଆମାନେ ଖେଳକୁଦ, ବ୍ୟାୟାମ କିମ୍ବା ଶାରୀରିକ ପରିଶ୍ରମ କରିବା ଆବଶ୍ୟକ।
ନିଦ୍ରାରେ ଅନିୟମିତତା ମୋଟାପଣର କାରଣ (Irregularities in sleep are the cause of obesity in Odia)
ଦୈନିକ ୮ ଘଣ୍ଟା ଶୋଇବା ଦରକାର। ଯେଉଁମାନେ ଆବଶ୍ୟକତାଠାରୁ କମ୍ ଶୁଅନ୍ତି, ସେମାନଙ୍କ ଶରୀରରେ ଘ୍ରେନେଲ ନାମକ ହରମୋନ୍ ବଢ଼ିଯାଏ ଓ ଲେପ୍ଟିନ୍ ହରମୋନ୍ କମିଯାଏ। ଘ୍ରେନେଲେ ହରମୋନ୍ ଭୋକ ବଢ଼େଇଦିଏ। ଯଦି ଜଣେ କମ୍ ଶୋଇବ, ତେବେ ତାଙ୍କୁ ଭୋକ ଲାଗିଥାଏ ଓ ବ୍ୟକ୍ତି ଅଧିକ ଖାଇଥାଆନ୍ତି ଫଳରେ କ୍ୟାଲୋରି ବଢ଼ିବଢ଼ି ଚାଲିଥାଏ।
ଅଧିକ ପଢ଼ନ୍ତୁ: ଚର୍ବି କମ୍ କରିବା ପାଇଁ କ’ଣ କରିବେ, କ’ଣ ନାହିଁ?
ଛୁଆଙ୍କ ପାଇଁ ‘ମାଇଁ ପ୍ଲେଟ୍ ରେଜିମେଣ୍ଟ’(‘My Plate Regiment’ for children in Odia)
ଛୁଆଙ୍କ ପାଇଁ ମାଇଁ ପ୍ଲେଟ୍ ରେଜିମେଣ୍ଟ ପ୍ରସ୍ତୁତ କରାଯାଇଛି। ଏଥିରେ ଖାଦ୍ୟର ଥାଳିକୁ ୨୫-୨୫-୨୫-୨୫ରେ ବିଭକ୍ତ କରାଏ।
ଏହି ଥାଳିରେ ପ୍ରୋଟିନ୍ ୨୫ ପ୍ରତିଶତ, ଭାତ କିମ୍ବା ରୁଟି ୨୫ ପ୍ରତିଶତ, ଫଳ ୨୫ ପ୍ରତିଶତ ଏବଂ ଆଉ ୨୫ ପ୍ରତିଶତ ସବୁଜ ପନିପରିବା ଓ ତା’ ସହିତ କ୍ଷୀର।
ସାଧାରଣତଃ ଆମ ଦେଶରେ ଲୋକେ ଭାତର ପରିମାଣ ଅଧିକ ଖାଆନ୍ତି ଏବଂ ପନିପରିବା କମ୍ ଖାଆନ୍ତି। ଫଳରେ ଶରୀରକୁ କାର୍ବୋହାଇଡ୍ରେଟ୍ ବେଶୀ ଯାଏ ଏବଂ ତାହା ଫ୍ୟାଟ୍କୁ ପରିବର୍ତ୍ତନ ହୋଇଯାଏ।
ପିଲାଙ୍କଠାରେ ଓବେସିଟି କମାଇବେ କିପରି? (How to reduce obesity in children in Odia)
ମୋଟାପଣ କମେଇବାକୁ ହେଲେ ଖାଦ୍ୟରେ ପରିବର୍ତ୍ତନ ଆଣିବା ଦରକାର। ଶରୀରକୁ ଯେତିକି କ୍ୟାଲୋରି ଆବଶ୍ୟକ ସେତିକି ଖାଦ୍ୟ ଖାଆନ୍ତୁ।
ଫାଷ୍ଟଫୁଡ୍, ଜଙ୍କଫୁଡ୍, ଚର୍ବି ଖାଇବା ବନ୍ଦ କରନ୍ତୁ।
ସୋରିଷ ତେଲରେ ମନୋ ଅନ୍ସାଚୁରେଟେଡ୍ ଫ୍ୟାଟି ଏସିଡ୍ ବା ମୁଫାର ମାତ୍ରା ବେଶୀ ଅଛି। ଖାଦ୍ୟରେ ସୋରିଷ ତେଲ ବ୍ୟବହାର କଲେ ଏହା ଶରୀରରେ HDL ସ୍ତର ବଢ଼ାଏ ଓ LDL ସ୍ତର କମ୍ କରିଥାଏ, ଯାହାକି ହୃଦୟକୁ ସୁସ୍ଥ ରଖିଥାଏ। ଯଦି ସାଚୁରେଟେଡ୍ ଫ୍ୟାଟି ଏସିଡ୍ ଖାଇବା, ଯାହା ମଟନ୍, ବଟର କିମ୍ବା ଡାଲଡା ଘିଅରେ ଥାଏ, ତାକୁ ଖାଇବା ଦ୍ୱାରା ଚର୍ବି ବଢ଼ିଥାଏ।
ମେଦ ବହୁଳତାର ଚିକିତ୍ସା (Treatment for Obesity in Odia)
ବର୍ତ୍ତମାନ ମୋଟାପଣ କମେଇବା ପାଇଁ କିଛି ଔଷଧ ଦିଆଯାଉଛି, ଯାହା ଭୋକ କମେଇବା ସହ ମୋଟାପଣ କମେଇବାରେ ସାହାଯ୍ୟ କରିଥାଏ। ଯଦି ଜଣେ ବ୍ୟକ୍ତି ମୋଟାପଣ କମେଇବା ପାଇଁ ଚାହୁଁଛନ୍ତି, ତେବେ ପ୍ରଥମ ଛଅମାସ ଡାଏଟ୍ ନିୟନ୍ତ୍ରଣ କରିବା ସହ ଶାରୀରିକ ପରିଶ୍ରମ ଓ ଜୀବନଶୈଳୀରେ ପରିବର୍ତ୍ତନ କରିବାକୁ ପରାମର୍ଶ ଦିଆଯାଏ। ଯଦି ଛଅ ମାସ ଭିତରେ ନ କମେ ତେବେ ଔଷଧ ଆରମ୍ଭ କରାଯାଏ। ଯଦି ମୋଟାପଣ ଯୋଗୁଁ ଅନ୍ୟସବୁ ଜଟିଳତା ଥାଏ, ତାହାହେଲେ ବାରିଆଟିକ୍ ସର୍ଜରି କରିବାକୁ ପଡ଼େ। ଏହି ସର୍ଜରି କରିବା ପରେ ବି ପୁଣି ଥରେ ଚର୍ବି ଜମିବାର ଆଶଙ୍କା ଥାଏ। ତେଣୁ ଲାଇଫ୍ଷ୍ଟାଇଲ୍ ପରିବର୍ତ୍ତନ କରିବା ସବୁଠୁ ଗୁରୁତ୍ୱପୂର୍ଣ୍ଣ।
ଅଧିକ ପଢ଼ନ୍ତୁ: ପିଲାଙ୍କ ମୋଟାପଣକୁ କେମିତି କରିବେ ନିୟନ୍ତ୍ରଣ?
ଅଳ୍ପ ଖାଇଲା ପରେ ବି ଓଜନ ବଢୁଛି କି? (Do you gain weight even after eating less in Odia)
ଅଧିକାଂଶ ଲୋକଙ୍କ ଅଭିଯୋଗ ଥାଏ ଯେ, ମୋ ପିଲା କମ୍ ଖାଉଛି ହେଲେ ମୋଟା ହୋଇଯାଉଛି। ହେଲେ ଜାଣିରଖନ୍ତୁ, ୬୦୦ରୁ ଅଧିକ ଜିନ୍ ରହୁଛି, ଯାହା ମୋଟାପଣ କରାଇବାରେ ଦାୟୀ। ତେଣୁ, ବଂଶରେ ଅଧିକାଂଶ ଲୋକଙ୍କର ମେଦବହୁଳତା ସମସ୍ୟା ରହିଛି, ତେବେ ଚେଷ୍ଟା କରନ୍ତୁ ଛୁଆ ବେଳୁ ପିଲାଙ୍କୁ ମୋଟା ହେବାକୁ ଦିଅନ୍ତୁ ନାହିଁ, ସେମାନଙ୍କର ଖାଦ୍ୟଶୈଳୀରେ ପରିବର୍ତ୍ତନ ଆଣିବା ସହ ବ୍ୟାୟାମ ଉପରେ ଗୁରୁତ୍ୱ ଦିଅନ୍ତୁ।
ଡାକ୍ତରଙ୍କ ଟିପ୍ସ (Doctor’s Advice in Odia)
ପୂର୍ବରୁ ଅଭିଭାବକମାନେ ଛୁଆମାନଙ୍କ ମୋଟାପଣକୁ ସୁନ୍ଦରତା ବା ଡଉଲଡାଉଲ ବୋଲି କହିଥାଆନ୍ତି। ହେଲେ ଛୁଆବେଳୁ ମୋଟା ହେଲେ ବଡ଼ ବେଳେ ବହୁତ ଶାରୀରିକ ସମସ୍ୟା ହେବାର ଆଶଙ୍କା ଥାଏ। ବର୍ତ୍ତମାନ ଘରେ ଘରେ ମଧୁମେହ ରୋଗୀ। ମଧୁମେହ ଅନିୟନ୍ତ୍ରିତ ଅବସ୍ଥାରେ ରହିଲେ ତାହା ହୃଦ୍ରୋଗର କାରଣ ପାଲଟୁଛି। ତେଣୁ ମୋଟାପା କମ୍ କରନ୍ତୁ ଏବଂ ସୁସ୍ଥ ରହନ୍ତୁ।
(ସ୍ୱାସ୍ଥ୍ୟ ଓ ଜୀବନଶୈଳୀ ଉପରେ ଆଧାରିତ ଓଡ଼ିଆ ଡିଜିଟାଲ୍ ପ୍ଲାଟଫର୍ମ ‘ସ୍ୱାସ୍ଥ୍ୟ ପ୍ଲସ୍’ ସହିତ ଡାକ୍ତର ପ୍ରଦୀପ କୁମାର ଦେ’ଙ୍କ ସ୍ୱତନ୍ତ୍ର ସାକ୍ଷାତକାରକୁ ନେଇ ପ୍ରସ୍ତୁତ।)
Note: This information on Childhood Obesity, in Odia language, is based on an extensive interview with a Pediatrician Dr Pradeep Kumar Dey.