ଝାଡ଼ାରେ କାହିଁକି ରକ୍ତ ପଡ଼େ? ଏହାର କାରଣ ଓ ଚିକିତ୍ସା ବିଷୟରେ ଆସନ୍ତୁ ବିଶିଷ୍ଟ ପେଟ ଓ ଯକୃତ ରୋଗ ବିଶେଷଜ୍ଞ ଡାକ୍ତର ଶକ୍ତି ପ୍ରସାଦ ଚୌଧୁରୀଙ୍କଠାରୁ ଜାଣିବା।

ଝାଡ଼ାରେ କାହିଁକି ପଡେ଼ ରକ୍ତ? (Causes of blood in the stool in Odia)

ଝାଡ଼ାରେ ରକ୍ତ ପଡ଼ିବା ଏକ ସାଧାରଣ ସମସ୍ୟା ନୁହେଁ। ଏହାକୁ ହେୟଜ୍ଞାନ କରନ୍ତୁ ନାହିଁ। ତୁରନ୍ତ ଡାକ୍ତରଙ୍କ ପରାମର୍ଶ କରି ଏହାର ଚିକିତ୍ସା କରନ୍ତୁ। କାହିଁକି ନା, ଏହା କ୍ୟାନସରର ବି ଲକ୍ଷଣ ହୋଇପାରେ।

ଝାଡ଼ାରେ ରକ୍ତ ପଡ଼ିବାର ମୁଖ୍ୟ କାରଣ ହେଉଛି ଅର୍ଶ ଓ ମଳକଣ୍ଟକ। ଯଦି ପେଟରେ କିଛି ସଂକ୍ରମଣ ହୁଏ ବା ଅଲସର ହୁଏ, ତାହାହେଲେ ମଧ୍ୟ ଝାଡ଼ାରେ ରକ୍ତ ପଡ଼େ। ଟାଇଫଏଡ୍‌ ଯୋଗୁଁ ଖାଦ୍ୟନଳୀରେ ଅଲସର ହୋଇପାରେ, ଯାହା ଫଳରେ ଝାଡ଼ାରେ ରକ୍ତ ପଡ଼ିପାରେ। ତା’ଛଡ଼ା ପେଟରେ କ୍ୟାନ୍‌ସର ହୋଇଥିଲେ ଝାଡ଼ାରୁ ରକ୍ତ ପଡ଼ିଥାଏ।

ଅଧିକ ପଢ଼ନ୍ତୁ: ନିୟମିତ ପେଟ ସଫା ହେବ କେମିତି? ଜାଣନ୍ତୁ

କୋଷ୍ଠକାଠିନ୍ୟ ଯୋଗୁଁ ଝାଡ଼ାରେ ରକ୍ତ ପଡ଼େ କି? (Do you have blood in the stool due to constipation in Odia)

କୋଷ୍ଠକାଠିନ୍ୟ ଯୋଗୁଁ ଝାଡ଼ାରେ ରକ୍ତ ପଡ଼ିବାର ଆଶଙ୍କା ଅଧିକ ଥାଏ।

ଝାଡ଼ା ବସିବା ବେଳେ କୁନ୍ଥାଇଲେ ମଳଦ୍ୱାର ପାଖରେ ଚାପ ପଡ଼େ ଓ ସେଠାରେ ରକ୍ତଶୀର ଫୁଲିଯାଏ, ଫଳରେ ପାଇଲ୍ସ ହୁଏ। ଯଦି ଟାଣ ଝାଡ଼ା ହୁଏ, ତେବେ ମଳଦ୍ୱାର ପାଖ କଟିଯାଏ, ଫଳରେ ଫିସର ହୁଏ।  ଯଦି ଝାଡ଼ା ମଳଦ୍ୱାର ଉପରେ ଜମିଯାଏ, ତାହାହେଲେ ମଳଦ୍ୱାର ପାଖରେ ଅଲସର ହୋଇଯାଏ, ଯାହାକୁ ସଲିଟାରି ରେକ୍ଟାଲ ଅଲସର ସିଣ୍ଡ୍ରୋମ୍‌ ବୋଲି କୁହାଯାଏ।

କ’ଣ ସବୁ ଲକ୍ଷଣ ଦେଖାଯାଏ? (What are the Symptoms in Odia)

ଝାଡ଼ାରେ ରକ୍ତ ପଡ଼ିବା ହିଁ ଏକପ୍ରକାର ଲକ୍ଷଣ। ବେଳେ ବେଳେ ଝାଡ଼ା ଭିତରେ ରକ୍ତ ପଡ଼େ, ହେଲେ ଏହା ଆଖିକୁ ଦେଖାଯାଏ ନାହିଁ। ଏଭଳି କ୍ଷେତ୍ରରେ ଥକ୍କା ଲାଗିବା, ଅଳ୍ପ ଚଲାବୁଲା କରିବା ବେଳେ ଧଇଁସଇଁ ଲାଗିବା, କାମ କରିବାରେ ଇଛା ନ ହେବା, ପାଦ ଫୁଲିଯିବା ଭଳି ଲକ୍ଷଣ ଦେଖାଯାଏ। ଏହିସବୁ ଲକ୍ଷଣ ଦେଖାଗଲେ ହିମୋଗ୍ଲୋବିନ୍‌ ପରୀକ୍ଷା କରିବା ଆବଶ୍ୟକ।

ଅଧିକ ପଢ଼ନ୍ତୁ: ଅର୍ଶ, ମଳକଣ୍ଟକ ଓ ଭଗନ୍ଦର ହେବାର କାରଣ କ’ଣ?

କ’ଣ ଡାକ୍ତରୀ ପରୀକ୍ଷା କରାଯାଏ? (Diagnosis of Blood in Stool in Odia)

ପ୍ରଥମେ ରୋଗୀଙ୍କର ସମସ୍ୟା ଓ ଲକ୍ଷଣ ପଚାରି ବୁଝାଯାଏ। ଏହାଛଡ଼ା ରକ୍ତ ପରୀକ୍ଷା କରାଯାଏ। ରୋଗୀଙ୍କର ଲକ୍ଷଣକୁ ଆଧାର କରି ସିଗ୍‌ମୋଡୋସ୍କୋପି ଓ କଲୋନୋସ୍କୋପି ପରୀକ୍ଷା କରାଯାଏ। ଏହି ଦୁଇ ପରୀକ୍ଷାରୁ ଜଣାପଡ଼େ ଯେ କେଉଁ ସ୍ଥାନରୁ ରକ୍ତସ୍ରାବ ହେଉଛି।

ଝାଡ଼ାରେ ରକ୍ତ ପଡ଼ିଲେ କ’ଣ ଚିକିତ୍ସା କରାଯାଏ? (Treatment of Blood in Stool in Odia)

ଝାଡ଼ାରେ ରକ୍ତ ପଡ଼ିବାର କାରଣ ଯଦି ଅର୍ଶ ହୋଇଥାଏ, ତାହାହେଲେ କୋଷ୍ଠକାଠିନ୍ୟକୁ ଦୂର କରିବାକୁ ହେବ। ଏଥିପାଇଁ କିଛି ମେଡିସିନ୍‌ ଦିଆଯାଏ, ଯେଉଁଥିରେ ଝାଡ଼ା ପତଳା ହେବ। ଏହାଛଡ଼ା ମଳଦ୍ୱାରରେ ଲଗାଇବା ପାଇଁ ଅଏଣ୍ଟମେଣ୍ଟ ଓ ମଳଦ୍ୱାରକୁ ନଖ ଉଷୁମ ପାଣିରେ ବୁଡ଼ାଇ ରଖିବାକୁ ପରାମର୍ଶ ଦିଆଯାଏ। ସବୁଠୁ ଗୁରୁତ୍ୱପୂର୍ଣ୍ଣ କଥା ହେଉଛି ଜୀବନଶୈଳୀରେ ସୁସ୍ଥ ପରିବର୍ତ୍ତନ।

ମଳକଣ୍ଟକ ହୋଇଥିଲେ ମଧ୍ୟ ପ୍ରଥମେ କୋଷ୍ଠକାଠିନ୍ୟ ଦୂର କରିବାକୁ ହେବ, ଅଏଣ୍ଟମେଣ୍ଟ ବ୍ୟବହାର କରିବାକୁ ହେବ ଓ ଉଷୁମ ପାଣିରେ ଧୋଇବାକୁ ହେବ। ଯଦି ଏସବୁ କରିବା ପରେ ବି ସୁଫଳ ନ ମିଳେ, ତେବେ ସର୍ଜରୀ କରିବାର ଆବଶ୍ୟକତା ପଡ଼ିଥାଏ।

ଝାଡ଼ାରେ ରକ୍ତ ପଡ଼ିବା କ୍ୟାନ୍‌ସରର ଲକ୍ଷଣ କି? (Is bleeding in the stool a sign of cancer in Odia)

ଝାଡ଼ାରେ ରକ୍ତ ପଡ଼ିବାର ପ୍ରମୁଖ କାରଣ ହେଉଛି ଅର୍ଶ ଏବଂ ମଳକଣ୍ଟକ।

ଅଧିକ ପଢ଼ନ୍ତୁ: କୋଷ୍ଠକାଠିନ୍ୟ ସମସ୍ୟା ଥିଲେ ଆପଣାନ୍ତୁ ଏହି ଟିପ୍ସ

ଝାଡ଼ାରେ ରକ୍ତ ପଡ଼ିବାକୁ କେମିତି ରୋକିବେ? (How to prevent bleeding in the stool in Odia)

ଅର୍ଶ, ମଳକଣ୍ଟକ ଓ ଭଗନ୍ଦର ଯୋଗୁଁ ଝାଡ଼ାରେ ରକ୍ତ ପଡ଼ିଥାଏ। କୋଷ୍ଠକାଠିନ୍ୟ ବେଶୀ ଦିନ ଲାଗି ରହିଲେ ଅର୍ଶ, ମଳକଣ୍ଟକ ଓ ଭଗନ୍ଦର ଭଳି ସମସ୍ୟା ହୁଏ। ତେଣୁ ପ୍ରଥମେ କୋଷ୍ଠକାଠିନ୍ୟ ସମସ୍ୟାକୁ ରୋକିବାକୁ ହେବ। ଏଥିପାଇଁ ଉଚ୍ଚ ଫାଇବରଯୁକ୍ତ ଖାଦ୍ୟ ଖାଇବା ଜରୁରୀ। ଯେପରିକି କାକୁଡ଼ି, ଗାଜର, ସବୁଜ ପନିପରିବା, ଫଳମୂଳ ଆଦି ଖାଦ୍ୟକୁ ପ୍ରଚୁର ପରିମାଣରେ ସାମିଲ କରନ୍ତୁ। ଏହାଛଡ଼ା ଭାତ କମ୍‌ ତରକାରି ବେଶୀ ଖାଆନ୍ତୁ, ତେଲ ମସଲାଯୁକ୍ତ ଖାଦ୍ୟ ଓ ଫାଷ୍ଟଫୁଡ୍ ଭଳି ଖାଦ୍ୟ କମ୍‌ କରନ୍ତୁ। ମଟନ୍‌ ବା ଲାଲମାଂସ ଖାଆନ୍ତୁ ନାହିଁ। ଏହା କୋଷ୍ଠକାଠିନ୍ୟ ଓ କ୍ୟାନ୍‌ସର କରିଥାଏ। ଏହାଛଡ଼ା ଶାରୀରିକ ପରିଶ୍ରମ, ବ୍ୟାୟାମ, ଯୋଗ ଆଦି କରନ୍ତୁ।

ଡାକ୍ତରଙ୍କ ପରାମର୍ଶ (Doctor’s Advice in Odia)

ଯେକୌଣସି ସମସ୍ୟା ହେଉନା କାହିଁକି ଏହାର ପ୍ରାଥମିକ ଅବସ୍ଥାରୁ ଚିକିତ୍ସା କରାଗଲେ ଭଲ ହେବାର ସମ୍ଭାବନା ଅଧିକ। ଛୋଟ ବିମାରୀ ବଢ଼ିବା ଆଗରୁ ଏହାର ଚିକିତ୍ସା କରିବା ଆବଶ୍ୟକ। ତେଣୁ ଝାଡ଼ାରେ ରକ୍ତ ପଡ଼ୁଥିଲେ ଡେରି ନ କରି ତୁରନ୍ତ ଡାକ୍ତରଙ୍କ ପରାମର୍ଶ କରନ୍ତୁ। ଫଳରେ ଆପଣ ବଡ଼ ସମସ୍ୟାକୁ ରୋକିପାରିବେ।

(ସ୍ୱାସ୍ଥ୍ୟ ଓ ଜୀବନଶୈଳୀ ଉପରେ ଆଧାରିତ ଓଡ଼ିଆ ଡିଜିଟାଲ୍‌ ପ୍ଲାଟଫର୍ମ ‘ସ୍ୱାସ୍ଥ୍ୟ ପ୍ଲସ୍’ ସହିତ ଡାକ୍ତର ଶକ୍ତି ପ୍ରସାଦ ଚୌଧୁରୀଙ୍କ ସ୍ୱତନ୍ତ୍ର ସାକ୍ଷାତକାରକୁ ନେଇ ପ୍ରସ୍ତୁତ।)

Note: This information on Blood in Stool, in Odia language, is based on an extensive interview with Gastroenterologist Dr Shakti Prasad Choudhury.