ରକ୍ତହୀନତାର କାରଣ କ’ଣ? ଗର୍ଭାବସ୍ଥାରେ ରକ୍ତର ଅଭାବ ମା’ ଓ ଶିଶୁ ପାଇଁ କେତେ କ୍ଷତିକାରକ? ଏନେଇ ବିଶିଷ୍ଟ ସ୍ତ୍ରୀ ଓ ପ୍ରସୂତି ରୋଗ ବିଶେଷଜ୍ଞ ଡାକ୍ତର ସିନି ଏସ୍‌ ଭେନୁଗୋପାଲ କ’ଣ କହୁଛନ୍ତି, ଜାଣନ୍ତୁ।

ଶରୀରରେ ଲୋହିତ ରକ୍ତ କଣିକାର ଅଭାବକୁ ରକ୍ତହୀନତା ବା ଆନିମିଆ କୁହାଯାଏ। ଜଣେ ମହିଳାଙ୍କଠାରେ ହିମୋଗ୍ଲୋବିନ୍‌ ସ୍ତର ୧୨ଗ୍ରାମ୍‌ରୁ କମ୍‌ ଥିଲେ ମହିଳା ରକ୍ତହୀନତାର ଶିକାର ବୋଲି ଧରାଯାଏ। କିନ୍ତୁ, ଜଣେ ଗର୍ଭବତୀ ମହିଳାଙ୍କଠାରେ ହିମୋଗ୍ଲୋବିନ୍‌ ସ୍ତର ୧୧ ଗ୍ରାମ୍‌ ପରସେଣ୍ଟରୁ କମ୍‌ ଥିଲେ ମହିଳା ରକ୍ତହୀନତାର ଶିକାର ବୋଲି ଜାଣିବେ।

ରକ୍ତହୀନତାର କାରଣ (Causes of Anemia in Odia)

ରକ୍ତହୀନତା ହେବାର ମୁଖ୍ୟ କାରଣ ହେଉଛି, ଶରୀରରେ ରକ୍ତକଣିକା ତିଆରି ହେବା କମିଯାଇଛି କିମ୍ବା ରକ୍ତକଣିକା ତିଆରି ହେଉଛି କିନ୍ତୁ ଶୀଘ୍ର ଶରୀରରୁ ନଷ୍ଟ ହୋଇଯାଉଛି କିମ୍ବା କୌଣସି କାରଣ ଯୋଗୁଁ ରକ୍ତସ୍ରାବ ହେବା। ମାସିକ ଋତୁସ୍ରାବ ବେଳେ ଅତ୍ୟଧିକ ରକ୍ତସ୍ରାବ ଯୋଗୁଁ ରକ୍ତ କମିଯାଇପାରେ କିମ୍ବା ପ୍ରସବ ପରେ ରକ୍ତସ୍ରାବ ଯୋଗୁଁ ମଧ୍ୟ ରକ୍ତ କମିଯାଇପାରେ।

ଶରୀରରେ ଲୌହର ଅଭାବ ଯୋଗୁଁ ହିମୋଗ୍ଲୋବିନ୍‌ ତିଆରି ହୋଇ ପାରିନଥାଏ, ଫଳରେ ରକ୍ତହୀନତା ଦେଖାଦେଇଥାଏ। ଏହାଛଡ଼ା ଭିଟାମିନ୍‌ ବି-୧୨, ଫଲିକ୍‌ ଏସିଡ୍‌, ପ୍ରୋଟିନ୍‌ର ଅଭାବ ଯୋଗୁଁ ହିମୋଗ୍ଲୋବିନ୍‌ ତିଆରି ହୋଇପାରେ ନାହିଁ। ଫଳରେ ଆନିମିଆ ବା ରକ୍ତହୀନତା ହୋଇପାରେ।

ଏହାଛଡ଼ା ମଳକଣ୍ଟକ ଯୋଗୁଁ ଝାଡ଼ାରେ ରକ୍ତ ପଡ଼େ। ଅଧିକ ଦିନ ଧରି ଝାଡ଼ାରେ ରକ୍ତ ପଡ଼ିଲେ ବ୍ୟକ୍ତିଙ୍କୁ ରକ୍ତହୀନତାର ଅଭାବ ଦେଖାଦେଇଥାଏ। କୌଣସି ଦୁର୍ଘଟଣା କିମ୍ବା ସର୍ଜରି ଯୋଗୁଁ ଅତ୍ୟଧିକ ରକ୍ତସ୍ରାବ ହେଲେ ମଧ୍ୟ ରକ୍ତହୀନତା ହୋଇପାରେ।

ଯଦି ମହିଳାଙ୍କର ଗର୍ଭରେ ଜାଆଁଳା ସନ୍ତାନ ଥାଏ, ତାହାହେଲେ ମଧ୍ୟ ମହିଳାଙ୍କୁ ଅତ୍ୟଧିକ ରକ୍ତର ଆବଶ୍ୟକତା ପଡ଼ିଥାଏ। ସେହି ଆବଶ୍ୟକତା ପୂରଣ ନ ହୋଇପାରିଲେ ବ୍ୟକ୍ତି ଆନିମିଆର ଶିକାର ବୋଲି ଧରାଯାଏ।

ଗର୍ଭାବସ୍ଥାରେ ରକ୍ତହୀନତାର ଲକ୍ଷଣ (Symptoms of Anemia during pregnancy in Odia)

ଜଣେ ସାଧାରଣ ମହିଳାଙ୍କୁ ରକ୍ତହୀନତା ହେଲେ ଯେଉଁସବୁ ଲକ୍ଷଣ ଦେଖାଦିଏ, ଗର୍ଭବତୀ ନାରୀଙ୍କୁ ମଧ୍ୟ ସେହି ଲକ୍ଷଣ ଦେଖାଦିଏ। ତେଣୁ ଗର୍ଭବତୀ ମହିଳାମାନେ ଏହାକୁ ସାଧାରଣ ଲକ୍ଷଣ ଭାବି ଏଡ଼ାଇଦେଇଥାଆନ୍ତି।

ଗର୍ଭାବସ୍ଥାରେ ରକ୍ତହୀନତାର ଲକ୍ଷଣ ଦେଖାଦେଲେ କେଉଁସବୁ ଲକ୍ଷଣ ଦେଖାଦିଏ? ଜାଣନ୍ତୁ

  • ମୁଣ୍ଡ ବୁଲାଇବା
  • କାମ ନ କଲେ ବି ହାଲିଆ ଲାଗିବା
  • ନିଶ୍ୱାସ ନେବାରେ କଷ୍ଟ ହେବ
  • ଛାତି ଧଡ୍‌ ଧଡ୍‌ ହେବା
  • କେଶ ଅଧିକ ଝଡ଼େ
  • ନଖ ଭାଙ୍ଗିଯାଏ
  • ନଖ ଓ ତ୍ୱଚାରେ ଉଜ୍ୱଳତା କମିଯାଏ
  • ତ୍ୱଚା ଶେତା ପଡ଼ିଯିବା

ଗର୍ଭାବସ୍ଥାରେ ଏହିସବୁ ଲକ୍ଷଣଗୁଡ଼ିକୁ ମହିଳାମାନେ ଗର୍ଭାବସ୍ଥା ଜନିତ ସାଧାରଣ ଲକ୍ଷଣ ଭାବି ଅଣଦେଖା କରିଥାଆନ୍ତି। ତେଣୁ ଏହିସବୁ ଲକ୍ଷଣ ଦେଖାଗଲେ ଡାକ୍ତରଙ୍କ ପରାମର୍ଶ କରି ଚିକିତ୍ସା କରିବା ଜରୁରୀ।

ରକ୍ତହୀନତାକୁ ଚିହ୍ନିବେ କିପରି? (How to recognize Anemia in Odia)

ରକ୍ତହୀନତା ଅଛି କି ନାହିଁ ଜାଣିବା ପାଇଁ ରକ୍ତ ପରୀକ୍ଷା କରାଯାଏ। ଯଦି ହିମୋଗ୍ଲୋବିନ୍‌ ସ୍ତର ୧୧ ଗ୍ରାମ୍‌ରୁ କମ୍‌ ଥାଏ, ତେବେ ଜାଣିବେ ମହିଳା ଜଣକ ରକ୍ତହୀନତାର ଶିକାର।

ରକ୍ତହୀନତା ଦୂର କରିବା ପାଇଁ ଆଇରନ୍‌ ଔଷଧ ଖାଇବାକୁ ପରାମର୍ଶ ଦିଆଯାଏ। ମାସେରୁ ଦୁଇ ମାସ ଆଇରନ୍‌ ବଟିକା ଖାଇବା ପରେ ବି ଯଦି ହିମୋଗ୍ଲୋବିନ୍‌ ସ୍ତର ବୃଦ୍ଧି ପାଉନି, ତାହାହେଲେ କେଉଁ କାରଣ ପାଇଁ ରକ୍ତହୀନତା ସମସ୍ୟା ହେଉଛି, ତାହା ଜାଣିବା ପାଇଁ ପୁଣି ଥରେ ରକ୍ତ ପରୀକ୍ଷା ଦ୍ଵାରା ସିରମ୍‌ ଫଲିକ୍‌ ଏସିଡ୍‌, ଭିଟାମିନ୍‌ ବି-୧୨, ସିରମ୍‌ ଫେରିଟିନ୍‌ ଭଳି ଅନ୍ୟସବୁ ପରୀକ୍ଷା କରାଯାଏ।

ଗର୍ଭାବସ୍ଥାରେ ରକ୍ତହୀନତା ମା’ ଶିଶୁ ପାଇଁ କ୍ଷତିକାରକ (Anemia during pregnancy is harmful for both mother & baby in Odia)

ଗର୍ଭାବସ୍ଥାରେ ରକ୍ତହୀନତା ହେଲେ ମା’ମାନଙ୍କୁ ଦୁର୍ବଳ ଲାଗିଥାଏ, ହାଲିଆ ଲାଗିଥାଏ। ଏହାଛଡ଼ା ଗର୍ଭାବସ୍ଥାରେ ପାଦ ଫୁଲିବା ସାଧାରଣ ସମସ୍ୟା। କିନ୍ତୁ, ଆନିମିଆ ଥିଲେ ପାଦ ଫୁଲିବା ସହିତ ଚାଲିବା ବେଳେ କଷ୍ଟ ଅନୁଭୂତ ହୁଏ। ଏହାଛଡ଼ା ଗର୍ଭସ୍ଥ ଶିଶୁର ଓଜନ କମିଯାଏ।

ଗର୍ଭବତୀ ମହିଳାଙ୍କର ପ୍ରିଏକ୍ଲାମ୍ପସିଆ (Pre-eclampsia) ବୋଲି ଏକ ଅବସ୍ଥା ଥାଏ, ଯେଉଁଥିରେ ପରିସ୍ରାରେ ପ୍ରୋଟିନ୍‌ ଯାଏ, ମହିଳାଙ୍କୁ ଫିଟ୍ସ ମାରିପାରେ।

ଆନିମିଆ ଥିଲେ ଗର୍ଭବତୀ ମହିଳାଙ୍କର ସଂକ୍ରମଣ ହୋଇପାରେ କିମ୍ବା ସମୟ ପୂର୍ବରୁ ପ୍ରସବ ହୋଇପାରେ। ସମୟ ପୂର୍ବରୁ ପ୍ରସବ ହେଲେ ପିଲାର ମଧ୍ୟ ବିଭିନ୍ନ ସମସ୍ୟା ହୋଇପାରେ। ଏହାଛଡ଼ା ପ୍ରିମାଚ୍ୟୁର ଶିଶୁଙ୍କର ବିକାଶରେ ଡେରି ହୋଇଥାଏ। ଏହାସହ ଲେବର ପେନ୍‌ ସମୟରେ ହାର୍ଟ ଫେଲ୍‌ ବି ହୋଇପାରେ।

ଆନିମିଆର ଚିକିତ୍ସା (Treatment of Anemia in Odia)

 ବର୍ତ୍ତମାନ ସରକାରଙ୍କ ତରଫରୁ ରକ୍ତହୀନତାର ନିରାକରଣ ପାଇଁ ସଚେତନ କରାଯାଉଛି। ସବୁ ଗର୍ଭବତୀ ମହିଳାଙ୍କୁ ନିହାତି ଆଇରନ୍‌ ବଟିକା ଦିଆଯାଉଛି। ଯଦି ଗର୍ଭବତୀ ମହିଳାଙ୍କର ଅନିମିଆ ଅଛି, ତେବେ ଗୋଟେ ଆଇରନ୍‌ ବଟିକା ବଦଳରେ ଦୁଇଟା ଡୋଜ୍‌ ଦିଆଯାଏ। ତା’ ସହିତ ଗର୍ଭବତୀ ମହିଳାଙ୍କୁ ମଲ୍ଟି ଭିଟାମିନ୍‌, ବି କମ୍ପ୍ଲେକ୍ସ ଭିଟାମିନ୍‌, ଫଲିକ୍‌ ଏସିଡ୍‌, ପ୍ରୋଟିନ୍‌ ପାଉଡର ଆଦି ଖାଇବାକୁ ପରାମର୍ଶ ଦିଆଯାଏ। ଏସବୁ ବାଦ୍‌ ଯଦି ମହିଳାଙ୍କର ହିମୋଗ୍ଲୋବିନ୍‌ ସ୍ତରରେ ଉନ୍ନତି ଆସୁନି, ତେବେ ଅନ୍ୟ କିଛି ପରୀକ୍ଷା କରିବାକୁ ଡାକ୍ତର ପରାମର୍ଶ ଦେଇଥାଆନ୍ତି।

କେତେକ ମହିଳାଙ୍କର ଆଇରନ୍‌ ବଟିକା ଖାଇବା ଯୋଗୁଁ ବାନ୍ତି ହୋଇଥାଏ। ଏଭଳି କ୍ଷେତ୍ରରେ ଆଇରନ୍‌ ଇଞ୍ଜେକ୍‌ସନ୍‌ ଦିଆଯାଏ। କେତେକ କ୍ଷେତ୍ରରେ ହିମୋଗ୍ଲୋବିନ୍‌ ସ୍ତର ବୃଦ୍ଧି ପାଇଁ ବ୍ଲଡ୍‌ ଟ୍ରାନ୍ସଫ୍ୟୁଜନ୍‌ ଦେବାକୁ ପଡ଼ିଥାଏ। ଏହାଦ୍ୱାରା ଦୁଇରୁ ତିନି ଦିନ ମଧ୍ୟରେ ହିମୋଗ୍ଲୋବିନ୍‌ ସ୍ତର ବୃଦ୍ଧି ପାଇଥାଏ।

ଗର୍ଭାବସ୍ଥାରେ ଯତ୍ନବାନ ହୁଅନ୍ତୁ (Taking care during pregnancy in Odia)

ଗର୍ଭାବସ୍ଥାରେ ଆନିମିଆ ହେଲେ ଡାକ୍ତରଙ୍କ ପରାମର୍ଶରେ ଔଷଧ ଖାଆନ୍ତୁ। କେତେକ ମହିଳାଙ୍କୁ ଆଇରନ୍‌ ବଟିକା ଖାଇଲେ ଗ୍ୟାସ୍‌, ଏସିଡିଟି ଓ ବାନ୍ତି ଭଳି ସମସ୍ୟା ହୋଇପାରେ। ଏଭଳି କ୍ଷେତ୍ରରେ ଡାକ୍ତରଙ୍କୁ ପରାମର୍ଶ କରି ଇଞ୍ଜେକ୍‌ସନ୍‌ ନେଇପାରିବେ।

ଏହାଛଡ଼ା ଖାଦ୍ୟରେ ଆଇରନ୍‌ଯୁକ୍ତ ଖାଦ୍ୟ ଯେପରିକି ସବୁଜ ପନିପରିବା, ଶାଗ, ପାଳଙ୍ଗ ଶାଗ, ସଜନା ଶାଗ, ଖଜୁରୀ, କାଜୁ, ସେଓ, ଡାଳିମ୍ବ, ଓ କଦଳୀ ଭଳି ଖାଦ୍ୟକୁ ସାମିଲ କରନ୍ତୁ। ଆମିଷ ଖାଉଥିବା ମହିଳାମାନେ ମାଛ, ମାଂସ, କଲିଜା, ଅଣ୍ଡା, କ୍ଷୀର, ଦହି, ଛେନା, ପନିର ଆଦି ଖାଇପାରିବେ।

ଭିଟାମିନ୍‌ ସି’ ଯୁକ୍ତ ଖାଦ୍ୟ ଯେପରିକି ଲେମ୍ବୁ, କମଳା ଭଳି ଖାଦ୍ୟ ଖାଇବା ଦରକାର।

(ସ୍ୱାସ୍ଥ୍ୟ ଓ ଜୀବନଶୈଳୀ ଉପରେ ଆଧାରିତ ଓଡ଼ିଆ ଡିଜିଟାଲ୍‌ ପ୍ଲାଟଫର୍ମ ‘ସ୍ୱାସ୍ଥ୍ୟ ପ୍ଲସ୍’ ସହିତ ଡାକ୍ତର ସିନି ଏସ୍‌ ଭେନୁଗୋପାଲଙ୍କ ସ୍ୱତନ୍ତ୍ର ସାକ୍ଷାତକାରକୁ ନେଇ ପ୍ରସ୍ତୁତ।)

Note: This information on Anemia, in Odia language, is based on an extensive interview with a Gynecologist Dr Sini Venugopal.