ପାକସ୍ଥଳୀ କର୍କଟ ହେବାର କାରଣ କ’ଣ? ଏନେଇ ଡାକ୍ତର ସଂଗ୍ରାମ କେଶରୀ ପଣ୍ଡାଙ୍କଠାରୁ ଅଧିକ ଜାଣନ୍ତୁ।
ଆମ ଶରୀରର କୋଷଗୁଡ଼ିକ ଅନିୟନ୍ତ୍ରିତ ଭାବେ ବୃଦ୍ଧି ପାଇଲେ ଏହା କ୍ୟାନସର ବା କର୍କଟ ରୋଗର ରୂପ ନେଇଥାଏ। ଶରୀରର ଯେକୌଣସି ସ୍ଥାନରେ କୋଷଗୁଡ଼ିକ ବୃଦ୍ଧି ପାଇଲେ ଉକ୍ତ ଅଙ୍ଗର କ୍ୟାନସର ବୋଲି କୁହାଯାଏ। ଏହିଭଳି ଭାବେ ପାକସ୍ଥଳୀର ଯେକୌଣସି ଭାଗରେ କର୍କଟ ରୋଗ ହେଲେ ତାହାକୁ ପାକସ୍ଥଳୀ କର୍କଟ କୁହାଯାଏ।
ମନେକର, କାର୍ ଚଳାଉଥିବା ବେଳେ ବ୍ରେକ୍ କାମ ନ କଲେ ଯେମିତି ଦୁର୍ଘଟଣା ଘଟେ, ସେହିପରି ଆମ ଶରୀରରେ କୋଷର ଅନିୟନ୍ତ୍ରିତ ଭାବେ ଅଭିବୃଦ୍ଧି ଘଟିଲେ ଅର୍ଥାତ୍ କୋଷଗୁଡ଼ିକ ନିୟନ୍ତ୍ରଣ ହରାଇ ବସିଲେ, ଏହାକୁ ଟ୍ୟୁମର କହନ୍ତି। ଯେତେବେଳେ ଏହି ଟ୍ୟୁମରଗୁଡ଼ିକ ରକ୍ତ କଣିକା, ଲିମ୍ଫ ଦ୍ୱାରା ଶରୀରର ବିଭିନ୍ନ ଅଙ୍ଗକୁ ମାଡ଼ିଚାଲନ୍ତି ଓ ସେହି ଅଙ୍ଗରେ କର୍କଟ ସୃଷ୍ଟି କରନ୍ତି।
ପାକସ୍ଥଳୀ କର୍କଟ କ’ଣ? (What is Stomach cancer in Odia)
ଆମ ଶରୀରରେ ଖାଦ୍ୟ ନଳୀ ରହିଛି। ଏହା ପାଟିଠାରୁ ଆରମ୍ଭ କରି ମଳଦ୍ୱାର ପର୍ଯ୍ୟନ୍ତ ଲମ୍ବିଛି। ଆମେ ଯେଉଁ ଖାଦ୍ୟ ଖାଉଛେ ତାହା ଖାଦ୍ୟ ନଳୀ ଦେଇ ପାକସ୍ଥଳୀରେ ପହଞ୍ଚେ। ପାକସ୍ଥଳୀରେ କିଛି ଏନ୍ଞ୍ଜାଇମ୍ ଖାଦ୍ୟକୁ ହଜମ କରିବାରେ ସାହାଯ୍ୟ କରିଥା’ନ୍ତି। ପାକସ୍ଥଳୀରେ ଯଦି କର୍କଟ ହୁଏ ତାହାକୁ ପାକସ୍ଥଳୀ କର୍କଟ ବା ଗ୍ୟାଷ୍ଟ୍ରିକ୍ କ୍ୟାନ୍ସର କୁହାଯାଏ।
ପାକସ୍ଥଳୀ କର୍କଟର ଲକ୍ଷଣ (Symptoms of Stomach cancer in Odia)
ପ୍ରାଥମିକ ଅବସ୍ଥାରେ ପାକସ୍ଥଳୀ କର୍କଟର ଲକ୍ଷଣ ଜଣାପଡ଼ି ନଥାଏ। ଏଥିପାଇଁ ଅଧିକାଂଶ ଲୋକ ତୃତୀୟ କିମ୍ବା ୪ର୍ଥ ପର୍ଯ୍ୟାୟରେ ଡାକ୍ତରଙ୍କ ପାଖକୁ ଯାଇଥା’ନ୍ତି। କିନ୍ତୁ, ପାକସ୍ଥଳୀ କର୍କଟ ହେଲେ ପ୍ରାଥମିକ ଅବସ୍ଥାରେ ଲୋକଙ୍କୁ ଖାଇସାରିବା ପରେ ଏସିଡିଟି ହେଲା ପରି ଲାଗେ। ଛାତି ଜ୍ୱଳାପୋଡ଼ା ହୁଏ। ଏହି ସମସ୍ୟା ବର୍ଷ ବର୍ଷ ଧରି ହେଉଥାଏ। ହେଲେ ଏହା ପାକସ୍ଥଳୀ କର୍କଟର ଲକ୍ଷଣ ମଧ୍ୟ ହୋଇପାରେ।
ତୃତୀୟ କିମ୍ବା ୪ର୍ଥ ପର୍ଯ୍ୟାୟରେ ପାକସ୍ଥଳୀ କର୍କଟର ପ୍ରକୃତ ଲକ୍ଷଣ ଜଣାପଡ଼ିଥାଏ। ଯେପରିକି:
ଭୋକ କମିଯାଏ
ଓଜନ କମିଯାଏ
ପେଟରେ ଯନ୍ତ୍ରଣା ହୁଏ
ଅଳ୍ପ ଖାଦ୍ୟ ଖାଇଲେ ବି ପେଟ ଭାରୀ ଭାରୀ ଲାଗେ
ବାନ୍ତି ଲାଗେ ବା ବାନ୍ତି ହୁଏ
ବେଳେ ବେଳେ ରକ୍ତ ବାନ୍ତି ହୋଇଥାଏ
କଳା ଝାଡ଼ା ହୁଏ
ଲଗାତାର ବାନ୍ତି ହେବା
ପାକସ୍ଥଳୀ କର୍କଟର କାରଣ (Causes of stomach cancer in Odia)
ପାକସ୍ଥଳୀ କର୍କଟ ହେବାର ପ୍ରଥମ କାରଣ ହେଲା ଡାଏଟ୍। ଅଧିକ ଲୁଣି ଜାତୀୟ ଖାଦ୍ୟ, ପୋଡ଼ା ମାଂସ ବା ମାଛ (ତନ୍ଦୁର ଚିକେନ୍) ଖାଇବା ଦ୍ଵାରା ପାକସ୍ଥଳୀ କର୍କଟ ହୋଇଥାଏ।
ଏହାସହ ଖାଦ୍ୟରେ କମ୍ ପରିବା ବା ଫଳ ଖାଇବା।
ଓବେସିଟି ବା ମୋଟା ଲୋକଙ୍କୁ କ୍ୟାନ୍ସର ହେବାର ଆଶଙ୍କା ଅଧିକ।
ବଂଶଗତ କାରଣରୁ ବି ପାକସ୍ଥଳୀ କର୍କଟ ହୋଇପାରେ।
ବ୍ୟାକ୍ଟେରିଆଲ ସଂକ୍ରମଣ ଯୋଗୁଁ ପାକସ୍ଥଳୀରେ ଏସିଡିଟି, କ୍ରୋନିକ ଅଲସର ହୁଏ। ଧୀରେ ଧୀରେ ଘା’ ବଢ଼ି ପାକସ୍ଥଳୀରେ କର୍କଟ ହେବାର ଆଶଙ୍କା ଥାଏ।
ପାକସ୍ଥଳୀ କର୍କଟକୁ ଚିହ୍ନିବା କେମିତି ? (How to diagnose Stomach cancer in Odia)
ପାକସ୍ଥଳୀ କର୍କଟର କୌଣସି ବି ଲକ୍ଷଣ ଜଣାପଡ଼ିଲେ ତୁରନ୍ତ କର୍କଟ ବିଶେଷଜ୍ଞଙ୍କ ସହ ପରାମର୍ଶ କରନ୍ତୁ। ଡାକ୍ତର ପ୍ରଥମେ ରୋଗୀଙ୍କର ଇତିହାସ ପଚାରି ବୁଝିବେ। ଏହାପରେ ‘ଅପର ଜିଆଇ ଏଣ୍ଡୋସ୍କୋପି ପ୍ରୋସିଜର’ ମାଧ୍ୟମରେ ପରୀକ୍ଷା କରାଯାଏ ଯେ ପାକସ୍ଥଳୀର କେଉଁ ଅଂଶରେ ଘା’ ହୋଇଛି। ସେଠାରୁ ମାଂସ ନେଇ କର୍କଟ ହୋଇଛି କି ନାହିଁ ଦେଖାଯାଏ। ଯଦି କର୍କଟ ହୋଇଛି, ତାହା କେଉଁ ଅଙ୍ଗକୁ ମାଡ଼ିଛି ଦେଖିବାକୁ ପଡ଼ିଥାଏ। ଏଥିପାଇଁ ସିଟିସ୍କାନ୍ କରିବାକୁ ପଡ଼େ।
ପାକସ୍ଥଳୀ କର୍କଟର ଚିକିତ୍ସା (Treatment of Stomach cancer in Odia)
ସାଧାରଣତଃ କର୍କଟର ଚିକିତ୍ସା ସର୍ଜରୀ, କେମୋଥେରାପି ଓ ରେଡିଓଥେରାପି ମାଧ୍ୟମରେ କରାଯାଏ। ପାକସ୍ଥଳୀ କର୍କଟରେ ପ୍ରଥମେ ସର୍ଜରୀ କରାଯାଏ, ତାହାପରେ କେମୋଥେରାପି ଦିଆଯାଏ ଓ ରେଡିଓଥେରାପି ବହୁତ କମ୍ ଦିଆଯାଏ।
କର୍କଟ କେବଳ ପାକସ୍ଥଳୀରେ ହୋଇଥିଲେ ସର୍ଜରୀ ଦ୍ୱାରା ପାକସ୍ଥଳୀରେ କିଛି ଅଂଶ କାଢ଼ି ଦିଆଯାଏ। ଯଦି ପାକସ୍ଥଳୀର ତଳ ଅଂଶରେ କର୍କଟ ହୋଇଛି, ତେବେ ପାକସ୍ଥଳୀର ତଳ ଅଂଶ କାଢ଼ିଦିଆଯାଏ। ଯଦି ପାକସ୍ଥଳୀର ଉପର ଭାଗରେ ବା ପୂରା ପାକସ୍ଥଳୀରେ କର୍କଟ ହୋଇଛି, ତେବେ ସମ୍ପୂର୍ଣ୍ଣ ପାକସ୍ଥଳୀକୁ କାଢ଼ି ଦିଆଯାଏ। ସେହି ପାକସ୍ଥଳୀ ସ୍ଥାନରେ ଗୋଟେ କ୍ଷୁଦ୍ର ଅନ୍ତ୍ରନଳୀ ନେଇ ରାସ୍ତା ବନାଯାଏ। ଯାହାଦ୍ୱାରା ଖାଦ୍ୟ ତଳକୁ ଯାଇପାରିବ।
ଯେହେତୁ ପାକସ୍ଥଳୀ କାଢ଼ିଦିଆଯାଏ, ଖାଦ୍ୟ ସଗୃହିତ କରିବାକୁ ସ୍ଥାନ ନଥାଏ। ଏଭଳି କ୍ଷେତ୍ରରେ ରୋଗୀ କମ୍ କମ୍ କରି ଅଧିକ ଥର ଖାଇବାକୁ ପରାମର୍ଶ ଦିଆଯାଇଥାଏ। ଅଧିକ ପ୍ରୋଟିନ୍ଯୁକ୍ତ ଖାଦ୍ୟ ଓ କମ୍ କାର୍ବୋହାଇଡ୍ରେଟ୍ଯୁକ୍ତ ଖାଦ୍ୟ ଖାଇବାକୁ ରୋଗୀଙ୍କୁ ପରାମର୍ଶ ଦିଆଯାଏ।
ଓପନ ସର୍ଜରୀ, ଲାପ୍ରୋସ୍କୋପି ସର୍ଜରୀ ଓ ରୋବୋଟିକ୍ ସର୍ଜରୀ ମାଧ୍ୟମରେ ପାକସ୍ଥଳୀ କର୍କଟର ଚିକିତ୍ସା କରାଯାଏ। ହେଲେ ଓଡ଼ିଶାରେ କେବଳ ଓପନ ଓ ଲାପ୍ରୋସ୍କୋପି ସର୍ଜରୀ କରାଯାଉଛି।
ପାକସ୍ଥଳୀ କର୍କଟର ନିରାକରଣ (Prevention of Stomach Cancer in Odia)
ଯେଉଁ କାରଣରୁ ପାକସ୍ଥଳୀ କର୍କଟ ହେଉଛି, ତାହାକୁ ଜଗିବାକୁ ପଡ଼ିବ। ଯେପରିକି ଆମ ଡାଏଟ୍। ଆମକୁ ଅଧିକ ଫଳ, ପନିପରିବା ଜାତୀୟ ଖାଦ୍ୟ ଖାଇବାକୁ ପଡ଼ିବ। ସ୍ମୋକି ଓ ଲୁଣି ଖାଦ୍ୟକୁ ଖାଇବା କମ୍ କରିବାକୁ ପଡ଼ିବ।
ଓବେସିଟିକୁ କମ୍ କରିବାକୁ ପଡ଼ିବ। ପ୍ରତିଦିନ ବ୍ୟାୟାମ କରିବାକୁ ପଡ଼ିବ ଫଳରେ ମୋଟାପଣ କମିବ ଓ କର୍କଟର ଆଶଙ୍କା ବି କମିବ।
ପାକସ୍ଥଳୀରେ ଏଚ୍ ପାଇଲୋରି ହେଲେ କର୍କଟ ହେବାର ଆଶଙ୍କା ଥାଏ। ତେଣୁ ବାରମ୍ବାର ଏସିଡିଟି ହେଲେ ଡାକ୍ତରଙ୍କର ପରାମର୍ଶ କରନ୍ତୁ। ଡାକ୍ତର ଏଚ୍ ପାଇଲୋରି ପରୀକ୍ଷା କରି ସେହି ଅନୁଯାୟୀ ଔଷଧ ପରାମର୍ଶ କରିବେ। ଫଳରେ ଏଚ୍ ପାଇଲୋରି ନିୟନ୍ତ୍ରଣରେ ରହିଥାଏ ଓ କର୍କଟ ହେବାର ଆଶଙ୍କାକୁ ରୋକି ହୋଇପାରିବ।
ପାକସ୍ଥଳୀ କର୍କଟର କିଛି ବି ଲକ୍ଷଣ ଜଣାପଡ଼ିଲେ କର୍କଟ ବିଶେଷଜ୍ଞ ସହ ଯୋଗାଯୋଗ କରନ୍ତୁ। ଯେତେ ଜଲଦି ରୋଗ ଜାଣିବେ, ସେତେ ଜଲଦି ରୋଗ ଭଲ ହୋଇପାରିବ।
(ସ୍ୱାସ୍ଥ୍ୟ ଓ ଜୀବନଶୈଳୀ ଉପରେ ଆଧାରିତ ଓଡ଼ିଆ ଡିଜିଟାଲ୍ ପ୍ଲାଟଫର୍ମ ‘ସ୍ୱାସ୍ଥ୍ୟ ପ୍ଲସ୍’ ସହିତ ଡାକ୍ତର ସଂଗ୍ରାମ କେଶରୀ ପଣ୍ଡାଙ୍କ ସ୍ୱତନ୍ତ୍ର ସାକ୍ଷାତକାରକୁ ନେଇ ପ୍ରସ୍ତୁତ।)
Note: This information on Stomach cancer with their causes, symptoms, prevention & treatment, in Odia language, is based on an extensive interview with Surgical Oncologist Dr Sangram Keshari Panda.