ଷ୍ଟିରଏଡ୍‌ ମେଡିସିନ୍‌ କ’ଣ? ଏହାର କିଭଳି କାର୍ଯ୍ୟ କରେ ଓ ଏହାର ବ୍ୟବହାର କ’ଣ? ଏନେଇ ବିଶିଷ୍ଟ ରୁମାଟୋଲୋଜିଷ୍ଟ ତଥା ଇମ୍ୟୁନୋଲୋଜିଷ୍ଟ ଡାକ୍ତର ଜ୍ୟୋତି ରଞ୍ଜନ ପରିଡ଼ା କ’ଣ କହୁଛନ୍ତି, ଜାଣନ୍ତୁ।

ଷ୍ଟିରଏଡ୍ କ’ଣ? (What is a Steroid in Odia)

ଷ୍ଟିରଏଡ୍‌ ହେଉଛି ମଣିଷ ଶରୀରରେ ନିର୍ଗତ ହେଉଥିବା ଏକ ପ୍ରକାର ହରମୋନ୍‌। ମଣିଷ ଶରୀରରେ ବହୁତ ଉପଯୋଗୀ ହରମୋନ୍‌ ହେଉଛି ଷ୍ଟିରଏଡ୍‌। ଏହି ହରମୋନ୍‌ ଯୋଗୁଁ ଜଣେ ବ୍ୟକ୍ତି ଦୈନନ୍ଦିନ ଚଳପ୍ରଚଳ କରିପାରେ ଓ ତା’ର ଇଛା ଶକ୍ତି ବୃଦ୍ଧି ହୋଇଥାଏ।

ଆମ ଶରୀରରେ ତିନି ପ୍ରକାର ଷ୍ଟିରଏଡ୍‌ ହରମୋନ୍‌ ଅଛି। ଯଥା – ଗ୍ଲୁକୋକଟିକଏଡ୍‌ (କର୍ଟିକୋଷ୍ଟିରଏଡ୍‌ ହରମୋନ୍‌), ମିନେରାଲୋକର୍ଟିକଏଡ୍‌ ହରମୋନ୍‌, ସେକ୍ସ ହରମୋନ୍‌।

ରୁମାଟଏଡ୍‌ ଆର୍ଥାଇଟିସ୍‌ ତଥା ଅନ୍ୟାନ୍ୟ ରୋଗ ପାଇଁ ଷ୍ଟିରଏଡ୍‌ ହରମୋନ୍‌ ବହୁତ ଉପଯୋଗୀ।

ଷ୍ଟିଏଡ୍ ମେଡିସିନ୍‌ର କାମ କ’ଣ? (What is the function of Steroid medicine in Odia)

ଷ୍ଟିରଏଡ୍‌ ହେଉଛି ଆଣ୍ଟି-ଇନ୍‌ଫ୍ଲାମେଟୋରି ବା ଇମ୍ୟୁନୋମୋଡୁଲେଟୋରି ଡ୍ରଗ୍‌। ଗଣ୍ଠିବାତ ରୋଗ ହେଉ ବା ଶରୀରରେ ପ୍ରଦାହ ଘଟି ଫୁଲା କିମ୍ବା ଦରଜ ହେଲେ, ଷ୍ଟିରଏଡ୍‌ ମେଡିସିନ୍‌ ଦ୍ୱାରା ପ୍ରଦାହ କମିଯିବ। ଗଣ୍ଠିବାତ ରୋଗ, ବ୍ରୋଙ୍କିଆଲ ଆଜ୍‌ମା, ଲୁପସ୍‌ ଭଳି ଅଟୋ ଇମ୍ୟୁନ୍‌ ରୋଗରେ ଷ୍ଟିରଏଡ୍‌ ଥେରାପି ଦରକାର ପଡ଼ିଥାଏ।

ଲୁପସ୍‌ ରୋଗୀ, ଯାହାର କିଡ୍‌ନି କିମ୍ବା ହାର୍ଟ ପ୍ରଭାବିତ ହୋଇଥାଏ, ତାଙ୍କୁ ଯଦି ସମୟ ଅନୁସାରେ ଷ୍ଟିରଏଡ୍‌ର ଇଞ୍ଜେକ୍‌ସନ୍‌ ଦିଆଯାଏ, ତେବେ ବ୍ୟକ୍ତି ଶୀଘ୍ର ସୁସ୍ଥ ହୋଇଥାଆନ୍ତି। ଯଦି ଠିକ୍‌ ସମୟରେ ଷ୍ଟିରଏଡ୍‌ ମେଡିସିନ୍‌ ଦିଆ ନ ଯାଏ, ବ୍ୟକ୍ତି ମୃତ୍ୟୁ ମୁଖରେ ପଡ଼ିବାର ଆଶଙ୍କା ଥାଏ।

ଷ୍ଟିରଏଡ୍‌ର ବ୍ୟବହାର (Use of Steroids in Odia)

ବହୁତଗୁଡ଼ିଏ ରୋଗ ପାଇଁ ଷ୍ଟିରଏଡ୍‌ ଥେରାପିର ବ୍ୟବହାର କରଯାଏ। ଶ୍ୱାସ ଜନିତ ରୋଗ ବା ବ୍ରୋଙ୍କିଆଲ ଆଜ୍‌ମା, ଗଣ୍ଠିବାତ ରୋଗ, ଲୁପସ୍‌ ରୋଗ, ଖାଦ୍ୟନଳୀରେ ଅଲସର ହେଲେ ଷ୍ଟିରଏଡ୍‌ ମେଡିସିନ୍‌ର ଆବଶ୍ୟକତା ପଡ଼ିଥାଏ। ଷ୍ଟିରଏଡ୍‌କୁ ସଠିକ୍‌ ଡୋଜ୍‌ରେ ସଠିକ୍‌ ସମୟ ପାଇଁ ଦେଲେ ଏହା ଉପକାରୀ ସାବ୍ୟସ୍ତ ହୋଇଥାଏ।

ଷ୍ଟିରଏଡ୍‌କୁ ମେଡିସିନ୍‌, ଇଞ୍ଜେକ୍‌ସନ୍‌, ଡ୍ରପ୍‌ ଆକାରରେ ଦିଆଯାଏ।

କିନ୍ତୁ, ଡାକ୍ତରଙ୍କ ବିନା ପରାମର୍ଶରେ ଷ୍ଟିରଏଡ୍‌କୁ ବର୍ଷ ବର୍ଷ ଧରି ଅଧିକ ଡୋଜ୍‌ରେ ଖାଇବା ଯୋଗୁଁ କ୍ଷଣସ୍ଥାୟୀ ତଥା ଦୀର୍ଘସ୍ଥାୟୀ ପାର୍ଶ୍ୱପ୍ରତିକ୍ରିୟା ଦେଖାଯାଏ।

ମନଇଛା ଷ୍ଟିରଏଡ୍ ନିଅନ୍ତୁ ନାହିଁ (Do not take Steroids at will)

ଅଧିକ ଡୋଜ୍‌ରେ ଷ୍ଟିରଏଡ୍‌ ଖାଇବା ଦ୍ୱାରା ଗ୍ୟାଷ୍ଟ୍ରିକ୍‌ ସମସ୍ୟା ବା ଛାତି ଜ୍ୱଳାପୋଡ଼ା ହୋଇପାରେ, ବଦ୍‌ହଜମି, ଓଜନ ବୃଦ୍ଧି ପାଇପାରେ, ଫଙ୍ଗାଲ ସଂକ୍ରମଣ ହୋଇପାରେ। କେତେକ ଲୋକଙ୍କର ଷ୍ଟିରଏଡ୍‌ ନେବା ଯୋଗୁଁ ଭୋକ ବଢ଼ିଯାଇଥାଏ, ଯାହାକି ଓଜନ ବୃଦ୍ଧିର କାରଣ ହୋଇପାରେ। ଏହା ହେଉଛି ଷ୍ଟିରଏଡ୍‌ ନେବାର କ୍ଷଣସ୍ଥାୟୀ ଲକ୍ଷଣ, ଯାହା ମାରାତ୍ମକ ହୋଇନପାରେ। କିନ୍ତୁ, ଡାକ୍ତରଙ୍କ ବିନା ପରାମର୍ଶରେ ଅଧିକ ଡୋଜ୍‌ର ଷ୍ଟିରଏଡ୍‌ ମାସ ମାସ ଧରି ସେବନ କଲେ, ତା’ହେଲେ ଦୀର୍ଘସ୍ଥାୟୀ ପାର୍ଶ୍ୱ ପ୍ରତିକ୍ରିୟାର ସମ୍ମୁଖୀନ ହୋଇପାରନ୍ତି।

ଯଦି ଜଣେ ଡାଏବେଟିସ୍‌ ରୋଗୀ ଅଧିକ ଡୋଜ୍‌ର ଷ୍ଟିରଏଡ୍‌ ନିଅନ୍ତି, ତେବେ ଶର୍କରା ସ୍ତର ବଢ଼ିଯିବାର ଆଶଙ୍କା ରହିଥାଏ , ଯାହାକି ଅନ୍ୟସବୁ ଜଟିଳତାକୁ ଟାଣିଆଣେ।

ଦୀର୍ଘ ଦିନ ଧରି ଷ୍ଟିରଏଡ୍‌ ନେବା ଦ୍ୱାରା ଅଷ୍ଟିଓପୋରସିସ୍‌ ବା ଅସ୍ଥି କ୍ଷୟ ହୋଇପାରେ, ରକ୍ତ ନଳୀ ଭିତରେ କୋଲେଷ୍ଟ୍ରୋଲ ଜମା ହୋଇ ରକ୍ତ ଚଳପ୍ରଚଳରେ ସମସ୍ୟା ହୋଇପାରେ ବା ଆଥେରୋସ୍କ୍ଲୋରୋସିସ୍‌ ହୋଇପାରେ। ଏହାଛଡ଼ା ଷ୍ଟିରଏଡ୍‌ ମେଡିସିନ୍‌ ଖାଇବା ଦ୍ୱାରା ଅଯଥା କେଶ ମଧ୍ୟ ହୋଇପାରେ। ତେଣୁ ଷ୍ଟିରଏଡ୍‌ ଖାଇବାକୁ ଭୟ କରନ୍ତୁ ନାହିଁ କିନ୍ତୁ, ବିନା ଡାକ୍ତରଙ୍କ ପରାମର୍ଶରେ ମନଇଛା ଷ୍ଟିରଏଡ୍‌ ମେଡିସିନ୍‌ ଖାଆନ୍ତୁ ନାହିଁ।

(ସ୍ୱାସ୍ଥ୍ୟ ଓ ଜୀବନଶୈଳୀ ଉପରେ ଆଧାରିତ ଓଡ଼ିଆ ଡିଜିଟାଲ୍‌ ପ୍ଲାଟଫର୍ମ ‘ସ୍ୱାସ୍ଥ୍ୟ ପ୍ଲସ୍’ ସହିତ ଡାକ୍ତର ଜ୍ୟୋତି ରଞ୍ଜନ ପରିଡ଼ାଙ୍କ ସ୍ୱତନ୍ତ୍ର ସାକ୍ଷାତକାରକୁ ନେଇ ପ୍ରସ୍ତୁତ।)

Note: This information on Steroid, in Odia language, is based on an extensive interview with Rheumatologist Dr Jyoti Ranjan Parida.