ସୋରିଆସିସ୍ ରୋଗ କ’ଣ? ଏହା ଏକ ଡିଆଁ ରୋଗ କି? ଏହାର କାରଣ ଓ ଚିକିତ୍ସା ବିଷୟରେ ବିଶିଷ୍ଟ ଚର୍ମରୋଗ ବିଶେଷଜ୍ଞ ଡାକ୍ତର କିଶନ ଅଗରଓ୍ୱାଲ କ’ଣ କହୁଛନ୍ତି, ଆସନ୍ତୁ ଜାଣିବା।
- ସୋରିଆସିସ୍ ରୋଗ କ’ଣ?
- ସୋରିଆସିସ୍ କେତେ ପ୍ରକାରର?
- କେଉଁମାନଙ୍କୁ ସୋରିଆସିସ୍ ହେବାର ଆଶଙ୍କା ଅଧିକ?
- ସୋରିଆସିସ୍ ଡିଆଁ ରୋଗ କି?
- ସୋରିଆସିସ୍କୁ ନିୟନ୍ତ୍ରଣ କରିବେ କିପରି?
- ସୋରିଆସିସ୍ର ଚିକିତ୍ସା
- ଡାକ୍ତରଙ୍କ ପରାମର୍ଶ
ସୋରିଆସିସ୍ ହେଉଛି ଅଟୋ ଇମ୍ୟୁନ୍ ରୋଗ। ଚର୍ମର ଗୋଟେ ଗୋଟେ ସ୍ଥାନରେ ଚର୍ମ ବେଶୀ ତିଆରି ହୁଏ। ଫଳରେ ତ୍ଵଚାରେ କଏନ୍ ଆକୃତିର ବା ଗୋଲାକାର ଆକୃତିର ନାଲି ନାଲି ପଡ଼ିଯିବ। ସେ ସ୍ଥାନରେ ଚର୍ମ ମୋଟା ହୋଇଯିବ ଏବଂ ମାଛ କାତି ଭଳି ଚୋପା ଛାଡ଼ିବ।
ସୋରିଆସିସ୍ କ’ଣ? (What is Psoriasis in Odia)
ସୋରିଆସିସ୍ ଏକ ପ୍ରକାର ଆଲର୍ଜି ରୋଗ। ଏହା ମୁଣ୍ଡରୁ ଆରମ୍ଭ ହୋଇପାରେ। ବେଳେ ବେଳେ ମୁଣ୍ଡରେ ଗୋଲାକାର ଆକୃତିର ହୋଇ ମାଛ କାତି ଭଳି ଚୋପା ଛାଡ଼େ। ଜଣ ଜଣଙ୍କର ସୋରିଆସିସ୍ ଆଣ୍ଠୁଗଣ୍ଠି ବା କହୁଣୀରେ ହୋଇପାରେ। କହୁଣୀରେ ଚର୍ମ ମୋଟା ହୋଇ ମାଛ କାତି ଭଳି ଛାଡ଼ିଥାଏ। ବେଳେ ବେଳେ ଏତେମାତ୍ରାରେ କାତି ଛାଡ଼େ ଯେ, ଘର ସାରା ଭର୍ତ୍ତି ହୋଇଯାଏ।
ସୋରିଆସିସ୍ କେତେ ପ୍ରକାରର (Types of Psoriasis in Odia)
କ୍ରୋନିକ୍ ପ୍ଲାକ୍ ସୋରିଆସିସ୍ (Plaque Psoriasis) – ଏଥିରେ ଚର୍ମରେ କଏନ୍ ଆକୃତିର ନାଲି ପଡ଼ିଯିବ ଓ ମାଛ କାତି ଭଳି ଚୋପା ଛାଡ଼ୁଥିବ। ବେଳେ ବେଳେ ସୋରିଆସିସ୍ ହାତ ପାପୁଲି ଓ ପାଦରେ ହୋଇ ତ୍ୱଚା ଟାଣ ହୋଇଯିବ। ଫଳରେ ଚର୍ମ ଫାଟିଯାଇ ଦରଜ କରେ।
ଗଟେଟ୍ ସୋରିଆସିସ୍ (Guttate Psoriasis) – ବେଳେ ବେଳେ ଛୋଟ ଛୁଆଙ୍କ ଚର୍ମରେ ରିବି ରିବି ହୋଇ ଫଳିଯାଏ, ଯାହାକୁ ଗଟେଟ୍ ସୋରିଆସିସ୍ କୁହାଯାଏ।
ନେଲ୍ ସୋରିଆସିସ୍ (Nail Psoriasis) – ଜଣ ଜଣଙ୍କର ସୋରିଆସିସ୍ କେବଳ ନଖରେ ହୋଇପାରେ। ନଖରେ ସୋରିଆସିସ୍ ହେଲେ ନଖ କଣା କଣା ହୋଇଯାଏ, ନଖ ମୋଟା ହୋଇଯାଏ, ନଖ ହଳଦିଆ ପଡ଼ିଯାଏ, ନଖ ଚର୍ମରୁ ଛାଡ଼ିଯାଏ, ନଖର ଆକୃତି ବଦଳିଯାଏ।
ଫେକ୍ସୁରାଲ ସୋରିଆସିସ୍ (Flexural psoriasis) – କେତେକ କ୍ଷେତ୍ରରେ ସୋରିଆସିସ୍ ଜଙ୍ଘ ଓ କାଖରେ ହୋଇଥାଏ। ଏଥିରେ ତ୍ୱଚାରେ ଯାଦୁ ଭଳି ଗାଢ଼ ନାଲି ପଡ଼ିଯିବ, ହେଲେ ଚୋପା ବେଶୀ ଛାଡ଼ିନଥାଏ।
ପ୍ଲାମୋ ପ୍ଲାଣ୍ଟର ସୋରିଆସିସ୍ (Palmoplantar psoriasis) – ଜଣ ଜଣଙ୍କର କେବଳ ହାତ ଓ ପାଦରେ ସୋରିଆସିସ୍ ହୋଇଥାଏ, ଯାହାକୁ ପ୍ଲାମୋ ପ୍ଲାଣ୍ଟର ସୋରିଆସିସ୍ କୁହାଯାଏ। ଏଥିରେ ଚର୍ମ ଟାଣ ହୋଇ ଫାଟିଥାଏ ଓ ଦରଜ ମଧ୍ୟ ହୋଇଥାଏ।
ସୋରିଆଟିକ୍ ଆର୍ଥାଇଟିସ୍ (psoriatic arthritis) – କେତେକ ଲୋକଙ୍କର ସୋରିଆସିସ୍ କେବଳ ଗଣ୍ଠିରେ ହୋଇଥାଏ, ଯାହାକୁ ସୋରିଆଟିକ୍ ଆର୍ଥାଇଟିସ୍ କୁହାଯାଏ।
ସୋରିଆଟିକ୍ ଏରିଥ୍ରୋଡର୍ମା (Psoriatic erythroderma) – ଏହି ପ୍ରକାର ସୋରିଆସିସ୍ ହେଲେ ପୂରା ଶରୀର ଲାଲ୍ ପଡ଼ିଯିବା ସହ ଦେହରୁ କାତି ଭଳି ଛାଡ଼ିବ ଏବଂ ତ୍ୱଚା ଶୁଷ୍କ ହୋଇଯିବ। ଏହା ସବୁଠାରୁ ଗୁରୁତର ଅବସ୍ଥା।
ପଶ୍ଚୁଲାର ସୋରିଆସିସ୍ (pustular psoriasis) – ଏଥିରେ ଶରୀରରେ ପୁଜ ଭଳି ଛୋଟ ଛୋଟ ହୋଇଯାଏ। ଏହା ସାଧାରଣତଃ ପେଟରେ, ଗୋଡ଼ରେ, ପିଠିରେ, ଜଙ୍ଘରେ ଛୋଟ ଛୋଟ ପୂଜ ଭଳି ହୋଇଯାଏ।
କେଉଁମାନଙ୍କୁ ସୋରିଆସିସ୍ ହେବାର ଆଶଙ୍କା ଅଧିକ? (Who is more likely to have Psoriasis in Odia)
ସୋରିଆସିସ୍ ହେଉଛି ଅଟୋ ଇମ୍ୟୁନ୍ ରୋଗ। ୫ ପ୍ରତିଶତରୁ ୧୦ ପ୍ରତିଶତ କ୍ଷେତ୍ରରେ ଏହା ବଂଶଗତ କାରଣ ଯୋଗୁଁ ହୋଇଥାଏ। କିନ୍ତୁ, ୯୦-୯୫ ପ୍ରତିଶତ କ୍ଷେତ୍ରରେ ଏହା ମନକୁ ବାହାରିଥାଏ। ଛୋଟ ଛୁଆଙ୍କର ଗଳା ସଂକ୍ରମଣ ହେଲେ ବା ସ୍ଟ୍ରେପ୍ଟୋକୋକଲ ସଂକ୍ରମଣ ହେବା ପରେ ପରେ ସୋରିଆସିସ୍ ଆରମ୍ଭ ହୋଇଯାଏ।
ଏହାଛଡ଼ା ମାନସିକ ଚାପ ଯୋଗୁଁ ମଧ୍ୟ ସୋରିଆସିସ୍ ହୋଇପାରେ। ଏହା ଦେହର ଯେକୌଣସି ସ୍ଥାନରେ ଆରମ୍ଭ ହୋଇପାରେ।
ଏହାସହ ଡାଏବେଟିସ୍, କିଡ୍ନି ସମସ୍ୟା. ହୃଦ୍ରୋଗ, ଲିଭର ସମସ୍ୟା ଥିଲେ ସୋରିଆସିସ୍ ହେବାର ଆଶଙ୍କା ରହିଛି।
ସୋରିଆସିସ୍ ଡିଆଁ ରୋଗ କି? (Is Psoriasis Contagious in Odia)
ସୋରିଆସିସ୍ ଡିଆଁ ରୋଗ ନୁହେଁ। ଏହା ଜଣଙ୍କଠାରୁ ଆଉ ଜଣଙ୍କୁ ଡିଏଁ ନାହିଁ। କିନ୍ତୁ, ଏହା ବଂଶଗତ ହୋଇପାରେ। ଯଦି ମା’ କିମ୍ବା ବାପାଙ୍କର ସୋରିଆସିସ୍ ଥିଲା, ତେବେ ତାଙ୍କ ଛୁଆଙ୍କୁ ୫ରୁ ୭ ପ୍ରତିଶତ ହେବାର ଆଶଙ୍କା ଥାଏ।
ଆମ ସମାଜରେ ସୋରିଆସିସ୍କୁ ନକରାତ୍ମକ ଦୃଷ୍ଟିରେ ଦେଖନ୍ତି। କାରଣ କିଛି ବି ଚର୍ମ ରୋଗ ହେଲେ ଲୋକେ ଏହାକୁ ଡିଆଁ ରୋଗ ଭାବନ୍ତି। ଯେହେତୁ ଚର୍ମରେ ନାଲି ପଡ଼ିଯାଏ ଓ ଚୋପା ଛାଡ଼େ, ତେଣୁ ଲୋକେ ଏହାକୁ ଘୃଣା କରନ୍ତି।
ସୋରିଆସିସ୍କୁ ନିୟନ୍ତ୍ରଣ କରିବେ କିପରି? (How to control Psoriasis in Odia)
ଶରୀରର ଗୋଟିଏ ସ୍ଥାନରେ ସୋରିଆସିସ୍ ହେଲେ, ଏହା ବିଭିନ୍ନ ଅଂଶକୁ ମାଡ଼ି ମାଡ଼ି ଯାଏ। ସୋରିଆସିସ୍ ମାଡ଼ିବାର ପ୍ରଥମ କାରଣ ହେଲା ମାନସିକ ଚାପ। ତେଣୁ, ଜୀବନଶୈଳୀରେ ପରିବର୍ତ୍ତନ ଆଣିବାକୁ ହେବ। ଯୋଗ, ପ୍ରାଣାୟାମ କରିବା ଦରକାର। ଏହାଦ୍ୱାରା ମାନସିକ ଚାପ କମେ ଓ ମାନସିକ ଶାନ୍ତି ବଜାୟ ରହେ। ରାତି ଅନିଦ୍ରା ହୁଅନ୍ତୁ ନାହିଁ। ଠିକ୍ ସମୟରେ ଶୁଅନ୍ତୁ, ଠିକ୍ ସମୟରେ ଉଠନ୍ତୁ। ପୂର୍ବରୁ ସୋରିଆସିସ୍ ଏତେମାତ୍ରାରେ ନଥିଲା କାରଣ ପୂର୍ବରୁ ଲୋକମାନେ ରାତି ଅନିଦ୍ରା ବେଶୀ ହେଉନଥିଲେ, ସେମାନେ ସୁସ୍ଥ ଜୀବନଶୈଳୀ ଅତିବାହିତ କରୁଥିଲେ। ହେଲେ ବର୍ତ୍ତମାନ ବ୍ୟସ୍ତ ଜୀବନଶୈଳୀରେ କାମର ଚାପ ଓ ବିଭିନ୍ନ କାରଣ ପାଇଁ ଲୋକେ ରାତି ଅନିଦ୍ରା ରହୁଛନ୍ତି। ଫଳରେ ସୋରିଆସିସ୍ ବଢ଼ିବାରେ ଲାଗିଛି। ପ୍ରଚୁର ପରିମାଣରେ ପାଣି ପିଅନ୍ତୁ। ପ୍ରୋଟିନ୍ ଯୁକ୍ତ ଖାଦ୍ୟ ଅଧିକ ଖାଇବେ ଏବଂ ଉଚ୍ଚ କ୍ୟାଲୋରିଯୁକ୍ତ ଖାଦ୍ୟ କମ୍ କରିବା ଦରକାର। ଖାଦ୍ୟରେ ପ୍ରଚୁର ପରିମାଣର ଫଳ, ସାଲାଡ ରହିବା ଦରକାର।
ଡାକ୍ତରମାନେ ସୋରିଆସିସ୍ ରୋଗୀଙ୍କୁ ଚାପ ମୁକ୍ତ ହେବା ପାଇଁ ଏବଂ ୭ରୁ ୮ ଘଣ୍ଟା ଶୋଇବା ପାଇଁ ପରାମର୍ଶ ଦେଇଥା’ନ୍ତି। ଧୂମପାନ ଓ ମଦ୍ୟପାନ ସୋରିଆସିସ୍କୁ ବଢ଼ାଇଥାଏ। ତେଣୁ ଏଥିରୁ ନିବୃତ୍ତ ରହନ୍ତୁ।
ଅଧିକାଂଶ ଚର୍ମ ରୋଗୀ ଡାକ୍ତରଙ୍କୁ ପରାମର୍ଶ ନକରି ସିଧାସଳଖ ଔଷଧ ଦୋକାନ ଯାଇ ଔଷଧ ଆଣି ଖାଇଥା’ନ୍ତି। ହେଲେ ଏସବୁ ଦ୍ୱାରା ଚର୍ମରେ ପାର୍ଶ୍ୱପ୍ରତିକ୍ରିୟା ଦେଖାଦେଇଥାଏ। ତେଣୁ ଚର୍ମରେ କୌଣସି ସମସ୍ୟା ହେଲେ ଚର୍ମ ଡାକ୍ତରଙ୍କ ସହ ପରାମର୍ଶ କରି ଔଷଧ ଖାଆନ୍ତୁ।
ସୋରିଆସିସ୍ର ଚିକିତ୍ସା (Treatment of Psoriasis in Odia)
ସୋରିଆସିସ୍ ଚିକିତ୍ସା କରିବା ପୂର୍ବରୁ ପ୍ରଥମେ କେଉଁ ଜାଗାରେ ହୋଇଛି ତାହା ଦେଖିବା ଦରକାର। ସୋରିଆସିସ୍ ମୁଣ୍ଡରେ ହୋଇଥିଲେ ରୋଗୀଙ୍କୁ ନଖ ମାରିବାକୁ ଓ ସେଥିରୁ ଚୋପା ଛଡ଼ାଇବାକୁ ମନା କରାଯାଇଥାଏ। ଏଥିପାଇଁ କଲ୍ତାର, ସାଲିସାଇକ୍ଲିକ୍ ଏସିଡ୍, କିଟୋକୋନାଜଲ ଉପାଦାନ ଥିବା ସାମ୍ପୁ ବ୍ୟବହାର କରିବାକୁ କୁହାଯାଏ। ଏହାଛଡ଼ା ମୁଣ୍ଡରେ ଲଗାଇବା ପାଇଁ ଲୋସନ ଏବଂ ଖାଇବା ପାଇଁ ଔଷଧ ପରାମର୍ଶ କରିଥାଉ। ଏହାଛଡ଼ା ମୁଣ୍ଡରେ ସୋରିଆସିସ୍ ହେଲେ ଲାଇଟ୍ ଥେରାପି ଦିଆଯାଏ।
ଯଦି ଦେହରେ ସୋରିଆସିସ୍ ହୋଇଥାଏ ରୋଗୀଙ୍କୁ ସାବୁନ ଲଗାଇବାକୁ ବାରଣ କରାଯାଏ। କାରଣ ସାବୁନ ଲଗାଇବା ଦ୍ୱାରା ତ୍ୱଚା ଅଧିକ ଶୁଷ୍କ ହୋଇଯାଏ। ଦେହରେ ସୋରିଆସିସ୍ ଥିଲେ ତ୍ୱଚାକୁ ନରମ ରଖିବା ସହ ମଇଶ୍ଚରାଇଜର ଲଗାଇବା ଜରୁରୀ। ଏଥିପାଇଁ ଡାକ୍ତର ତେଲ ଓ ଲୋସନ୍ ଲଗାଇବାକୁ ପରାମର୍ଶ ଦେଇଥା’ନ୍ତି। ରୋଗର ପ୍ରକାର ଦେଖି ଚିକିତ୍ସା ଭିନ୍ନ ଭିନ୍ନ କରାଯାଏ।
କେତେକ ଲୋକଙ୍କର ସୋରିଆସିସ୍ ଦେହ ଯାକ ହୋଇଯାଏ ଓ ଯାହା ଔଷଧ ଖାଇଲେ ବି ଭଲ ହୋଇନଥାଏ। ଏଭଳି କ୍ଷେତ୍ରରେ ବାଇଲୋଜିକ୍ସ ଦିଆଯାଏ। ଏହା ସୋରିଆସିସ୍ର ସବୁଠୁ ଭଲ ଚିକିତ୍ସା। ସାଧାରଣତଃ ଇଟାନରସେପ୍ଟ, ଆଡାଲିମୁମବ୍, ସିକୁକିନୁମବ୍ ଭଳି ବାୟୋଲୋଜିକ୍ସ ବ୍ୟବହାର କରାଯାଇଥାଏ।
ହାତ ଓ ପାଦରେ ସୋରିଆସିସ୍ ହୋଇଥିଲେ କ୍ରିମ୍ ଲଗାଇବାକୁ ପରାମର୍ଶ ଦିଆଯାଏ। ଏହାଛଡ଼ା ଚପଲ ପିନ୍ଧିବାକୁ କୁହାଯାଏ, ଯେପରି ଧୂଳି, ମାଟି ବାଜିବା ନାହିଁ। ସୋରିଆସିସ୍ ହୋଇଥିବା ସ୍ଥାନକୁ କୁଣ୍ଡାଇବେ ନାହିଁ।
ଅଧିକାଂଶ ସୋରିଆସିସ୍ ରୋଗୀ ଔଷଧକୁ ଅଧାରୁ ବନ୍ଦ କରିଦିଅନ୍ତି। କିନ୍ତୁ, ଏହା ରୋଗକୁ ସମ୍ପୂର୍ଣ୍ଣ ଭଲ କରିନଥାଏ। ତେଣୁ, ଡାକ୍ତରଙ୍କ ପରାମର୍ଶ ଅନୁଯାୟୀ ଔଷଧ ସେବନ କରିବା ଦରକାର।
ଡାକ୍ତରଙ୍କ ପରାମର୍ଶ (Doctor’s Advice in Odia)
ଚର୍ମ ରୋଗକୁ ହେଳା କରନ୍ତୁ ନାହିଁ – ଆମ ସମାଜରେ ଚର୍ମ ରୋଗକୁ ଏତେ ଗୁରୁତ୍ୱର ସହ ନିଅନ୍ତି ନାହିଁ। ଚର୍ମରେ କିଛି ହେଲେ ଘରୋଇ ଚିକିତ୍ସା ବା ମେଡିସିନ୍ ଷ୍ଟୋରରୁ କିଛି ମେଡିସିନ୍ ଆଣି ବ୍ୟବହାର କରିଦିଅନ୍ତି। କିନ୍ତୁ, ଏହା ସମ୍ପୂର୍ଣ୍ଣ ଭୁଲ। ଯଦି ଚର୍ମ ରୋଗର ଚିକିତ୍ସା ପ୍ରାଥମିକ ଅବସ୍ଥାରେ କରାଯାଏ, ତେବେ ଏହା ବ୍ୟାପିବ ନାହିଁ। ଯଦି ହେଳା କରିବେ, ତେବେ ରୋଗ ବଢ଼ି ବଢ଼ି ଚାଲିବ ଏବଂ ଯେଉଁ ରୋଗ ପାଇଁ ଅଳ୍ପ ଖର୍ଚ୍ଚ ହୋଇଥାଆନ୍ତା, ସେଥିପାଇଁ ଅଧିକ ଖର୍ଚ୍ଚାନ୍ତ ହେବାକୁ ପଡ଼ିଥାଏ।
ଜୀବନଶୈଳୀରେ ପରିବର୍ତ୍ତନ ଆଣନ୍ତୁ – ଚର୍ମ ରୋଗକୁ ନିୟନ୍ତ୍ରଣ କରିବାକୁ ହେଲେ ସୁସ୍ଥ ଜୀବନଶୈଳୀ ଆପଣେଇବାକୁ ହେବ। ପ୍ରଚୁର ପରିମାଣରେ ପାଣି ପିଇବା ଜରୁରୀ, ସଠିକ୍ ପରିମାଣରେ ଶୋଇବା ଜରୁରୀ, ଯୋଗ , ପ୍ରାଣାୟାମ, ବ୍ୟାୟାମ କରିବା ଜରୁରୀ ଏବଂ ମାନସିକ ଚାପରୁ ମୁକ୍ତି ରହିବା ଆବଶ୍ୟକ। ଏହାଦ୍ୱାରା ଚର୍ମ ରୋଗ କେତେକାଂଶରେ ନିୟନ୍ତ୍ରଣ ରହିବ।
(ସ୍ୱାସ୍ଥ୍ୟ ଓ ଜୀବନଶୈଳୀ ଉପରେ ଆଧାରିତ ଓଡ଼ିଆ ଡିଜିଟାଲ୍ ପ୍ଲାଟଫର୍ମ ‘ସ୍ୱାସ୍ଥ୍ୟ ପ୍ଲସ୍’ ସହିତ ଡାକ୍ତର କିଶନ ଅଗରୱାଲଙ୍କ ସ୍ୱତନ୍ତ୍ର ସାକ୍ଷାତକାରକୁ ନେଇ ପ୍ରସ୍ତୁତ।)
Note: This information on Psoriasis, in Odia language, is based on an extensive interview with Dermatologist and Cosmetic Surgeon Dr Kishan Agarwal.