ପୋଷ୍ଟ କୋଭିଡ୍ ସିଣ୍ଡ୍ରୋମ୍ କ’ଣ? ଏନେଇ ଅଧିକ ଜାଣନ୍ତୁ କ୍ରିଟିକାଲ କେୟାର ମେଡିସିନ୍ ସ୍ପେଶାଲିଷ୍ଟ ଡାକ୍ତର ପ୍ରଶାନ୍ତ ରଞ୍ଜନ ବେହେରାଙ୍କଠାରୁ।
- ପୋଷ୍ଟ କୋଭିଡ୍ ସିଣ୍ଡ୍ରୋମ୍ କ’ଣ?
- କୋଭିଡ୍ରୁ ସୁସ୍ଥ ହେବା ପରର ସମସ୍ୟା ଓ ଚିକିତ୍ସା
- କୋଭିଡ୍ରୁ ସୁସ୍ଥତା ପରେ ଜୀବନଶୈଳୀ
- କୋଭିଡ୍ରୁ ସୁସ୍ଥତା ପରେ ପୁଣି ସଂକ୍ରମଣର ଆଶଙ୍କା ଅଛି କି?
- ସୁସ୍ଥ ହେବାର କେତେ ଦିନ ପରେ ଟିକା ନେବେ?
- ଡାକ୍ତରଙ୍କ ପରାମର୍ଶ
ପୋଷ୍ଟ କୋଭିଡ୍ ସିଣ୍ଡ୍ରୋମ୍ କ’ଣ? (What is Post-COVID Syndrome in Odia)
ସାଧାରଣତଃ କରୋନା ଭୂତାଣୁରେ ସଂକ୍ରମିତ ହୋଇଥିବା ବ୍ୟକ୍ତି ସୁସ୍ଥ ହେବା ପରେ ବି କିଛି ଲକ୍ଷଣ ଦେଖାଦେଉଛି, ଯାହାକୁ ପୋଷ୍ଟ କୋଭିଡ୍ ଲକ୍ଷଣ ବୋଲି କୁହାଯାଉଛି। କୋଭିଡ୍-୧୯ ହେଉଛି ଏକ ଭାଇରାଲ ସଂକ୍ରମଣ। ଯେକୌଣସି ଭାଇରାଲ ସଂକ୍ରମଣରୁ ସୁସ୍ଥ ହେବା ପରେ ବ୍ୟକ୍ତିଙ୍କୁ ଦୁର୍ବଳ ଲାଗିଥାଏ, ଥକ୍କା ଲାଗିଥାଏ, କାମରେ ମନ ଲାଗି ନଥାଏ, ସମ୍ପୂର୍ଣ୍ଣ ଶରୀର ଦରଜ ହେବା ବା ବିନ୍ଧା ହେବା ଭଳି ଲକ୍ଷଣ ଦେଖାଦିଏ। ଏହାକୁ ‘ପୋଷ୍ଟ ଭାଇରାଲ ସିଣ୍ଡ୍ରୋମ୍’ ବୋଲି କୁହାଯାଏ।
ଅଧିକ ପଢ଼ନ୍ତୁ: ହୋମ୍ ଆଇସୋଲେସନ୍ରେ ଥିଲେ କ’ଣ କରିବେ? ଜାଣିରଖନ୍ତୁ
କୋଭିଡ୍ରୁ ସୁସ୍ଥ ହେବା ପରର ସମସ୍ୟା ଓ ଚିକିତ୍ସା (Complication and treatment after recovery from COVID in Odia)
କୋଭିଡ୍-୧୯ରୁ ସୁସ୍ଥ ହେବାର ୪ ସପ୍ତାହ ପରେ ବି ଲୋକଙ୍କଠାରେ ଛାତି ଦରଜ ହେବା, ଧଇଁସଇଁ ଲାଗିବା, କାଶ ଲାଗି ରହୁଛି, ଗଣ୍ଠି ଯନ୍ତ୍ରଣା ହେବା, ଦୁର୍ବଳ ଲାଗିବା, ଥକ୍କା ଲାଗିବା, ଏଙ୍ଗଜାଇଟି ତଥା ଡିପ୍ରେସନ୍ ଦେଖାଦେଉଛି, ନିଦ ନ ହେବା ଭଳି ଲକ୍ଷଣ ଦେଖାଦେଉଛି।
ଯଦି ପୋଷ୍ଟ କୋଭିଡ୍ରେ ଧଇଁସଇଁ ଲାଗୁଛି, ତେବେ ନିୟମିତ ବ୍ୟବଧାନରେ ଅକ୍ସିଜେନ୍ ସାଚୁରେସନ୍କୁ ପରୀକ୍ଷା କରନ୍ତୁ। ଯଦି ଅକ୍ସିଜେନ୍ ସ୍ତର ୯୪ରୁ ଅଧିକ ରହୁଛି, ସେତେବେଳେ ବ୍ରିଦିଙ୍ଗ ଏକ୍ସରସାଇଜ୍ କରିପାରିବେ। ଯଦି ଅକ୍ସିଜେନ୍ ସାଚୁରେସନ୍ ୯୪ ପ୍ରତିଶତରୁ କମ୍ ରହୁଛି, ତା’ହେଲେ ତୁରନ୍ତୁ ଡାକ୍ତରଙ୍କୁ ପରାମର୍ଶ କରନ୍ତୁ। ଏହାପରେ ଡାକ୍ତର ସିଟି ସ୍କାନ, ପଲମୋନାରି ଫଙ୍କସନ୍ ଟେଷ୍ଟ, ହାର୍ଟ ପାଇଁ ୨-ଡି ଇକୋକର୍ଡିଓଗ୍ରାଫି କରିଥାଆନ୍ତି।। କାରଣ କୋଭିଡ୍-୧୯ ଫୁସ୍ଫୁସ୍ ସହିତ ହୃଦୟକୁ ମଧ୍ୟ ପ୍ରଭାବିତ କରିଥାଏ।
କୋଭିଡ୍ରୁ ସୁସ୍ଥତା ପରେ ଜୀବନଶୈଳୀ (Lifestyle after recovery from COVID in Odia)
କୋଭିଡ୍ରୁ ସୁସ୍ଥ ହୋଇ ହସ୍ପିଟାଲରୁ ଡିସ୍ଚାର୍ଜ ହେବା ପରେ ବି ବିଭିନ୍ନ ସମସ୍ୟା ଲାଗିରହୁଛି। ତେଣୁ, କୋଭିଡ୍ରୁ ସୁସ୍ଥ ହେବା ପରେ ମଧ୍ୟ ସ୍ୱାସ୍ଥ୍ୟର ଯତ୍ନ ନେବା ଜରୁରୀ। କୋଭିଡ୍ରୁ ସୁସ୍ଥ ହେବାର ତୁରନ୍ତ ପରେ ବ୍ୟାୟାମ କରନ୍ତୁ ନାହିଁ। ଶରୀରକୁ କିଛି ଦିନ ବିଶ୍ରାମ ଦିଅନ୍ତୁ। ହାଲୁକା ବ୍ୟାୟାମ, ଯୋଗ, ପ୍ରାଣାୟାମ କିମ୍ବା ଚାଲନ୍ତୁ। ରୋଗ ପ୍ରତିରୋଧକ ଶକ୍ତି ବୃଦ୍ଧି ପାଇଁ ଅନୁଲୋମ ବିଲୋମ ବା ଦୀର୍ଘ ନିଶ୍ୱାସ ପ୍ରଶ୍ୱାସ ନେବା ଭଳି ବ୍ୟାୟାମ କରନ୍ତୁ।
କୋଭିଡ୍ରୁ ସୁସ୍ଥ ହେବା ପରେ ଶରୀରକୁ ଉଚ୍ଚ ପ୍ରୋଟିନ୍ ଖାଦ୍ୟ ଖାଇବା ଜରୁରୀ। କାରଣ କୋଭିଡ୍ରେ ପୀଡ଼ିତ ଥିବା ବେଳେ ଶରୀରରେ ନେଗେଟିଭ୍ ନାଇଟ୍ରୋଜେନ୍ ବାଲାନ୍ସ ବଢ଼ିଥାଏ। ତେଣୁ ସୁସ୍ଥ ହେବା ପରେ ପ୍ରୋଟିନ୍ ଯୁକ୍ତ ଖାଦ୍ୟ ଖାଇବା ଆବଶ୍ୟକ। ଏହାଛଡ଼ା ତେଲ ମସଲା, ଛଣାଛଣି ଖାଇବା କମ୍ କରନ୍ତୁ।
ଅଧିକ ପଢ଼ନ୍ତୁ: କୋଭିଡ୍ରୁ ସୁସ୍ଥ ରହିବାକୁ ହେଲେ ମାସ୍କ ହିଁ ଏକମାତ୍ର ଅସ୍ତ୍ର
କୋଭିଡ୍ରୁ ସୁସ୍ଥତା ପରେ ପୁଣି ସଂକ୍ରମଣର ଆଶଙ୍କା ଅଛି କି? (Is there a risk of infection again after recovery from COVID in Odia)
କୋଭିଡ୍ରୁ ସୁସ୍ଥ ହେବା ପରେ ହଜାରରୁ ୪ ଜଣ ଲୋକଙ୍କୁ ପୁନଃ କୋଭିଡ୍ ହେବାର ଆଶଙ୍କା ରହିଛି। ତେଣୁ କୋଭିଡ୍ରୁ ସୁସ୍ଥ ହେବା ପରେ ମାସ୍କ ପିନ୍ଧନ୍ତୁ, ସାନିଟାଇଜର ଲଗାନ୍ତୁ ଏବଂ ସାମାଜିକ ଦୂରତା ଅବଲମ୍ବନ କରନ୍ତୁ। କୋଭିଡ୍ରୁ ସୁସ୍ଥ ହେବା ପରେ ପୁଣି କୋଭିଡ୍ ହେଲେ ତା’ର ଭୟାବହତା ବହୁତ କମ୍। କିନ୍ତୁ କେତେକ କ୍ଷେତ୍ରରେ ପୁଣି ଥରେ କୋଭିଡ୍ ହେଲେ ଭୟାବହତା ଆଶଙ୍କା ଅଧିକ।
ସୁସ୍ଥ ହେବାର କେତେ ଦିନ ପରେ ଟିକା ନେବେ? (How many days it will take to get a vaccine after recovery in Odia)
ସାଧାରଣତଃ କୋଭିଡ୍-୧୯ରୁ ସୁସ୍ଥ ହେବାର ୩ ମାସ ପରେ କୋଭିଡ୍ ଟିକା ନେଇପାରିବେ। ଏହାଛଡ଼ା ଜଣେ ଯଦି ପ୍ରଥମ ଡୋଜ୍ ଟିକା ନେଇଥିବେ ଓ ତାଙ୍କୁ କୋଭିଡ୍ ହୁଏ, ତେବେ ସୁସ୍ଥ ହେବାର ୩ ମାସ ପରେ ଦ୍ଵିତୀୟ ଡୋଜ୍ ଟିକା ନେଇପାରିବେ।
ଡାକ୍ତରଙ୍କ ପରାମର୍ଶ (Doctor’s Advice in Odia)
ପୋଷ୍ଟ କୋଭିଡ୍-୧୯ ସିଣ୍ଡ୍ରୋମ୍ ଅଧିକାଂଶ ଲୋକଙ୍କୁ ହେବାର ଦେଖାଦେଉଛି। କିନ୍ତୁ, କୋଭିଡ୍ରୁ ସୁସ୍ଥ ହେବା ପରେ ମାନସିକ ଚାପରୁ ଦୂରେଇ ରହିବାକୁ ହେବ। କାରଣ ଅଧିକାଂଶ କ୍ଷେତ୍ରରେ ଲୋକଙ୍କ ପାଖରେ କୋଭିଡ୍ର ଲକ୍ଷଣ ଦେଖାଦେଉ ନାହିଁ, କିନ୍ତୁ ଷ୍ଟ୍ରେସ୍ ଯୋଗୁଁ ସମସ୍ୟା ବଢ଼ିଯାଇପାରେ। ତେଣୁ ମାନସିକ ଚାପରୁ ଦୂରେଇ ରହନ୍ତୁ, ଯୋଗ ପ୍ରାଣାୟାମ କରନ୍ତୁ, ରାତିରେ ଶୋଇବା ପୂର୍ବରୁ ଟିଭି କିମ୍ବା ମୋବାଇଲ ବ୍ୟବହାର କରନ୍ତୁ ନାହିଁ ଏବଂ ଡାକ୍ତରଙ୍କ ପରାମର୍ଶ ଅନୁଯାୟୀ ଔଷଧ ସେବନ କରନ୍ତୁ।
(ସ୍ୱାସ୍ଥ୍ୟ ଓ ଜୀବନଶୈଳୀ ଉପରେ ଆଧାରିତ ଓଡ଼ିଆ ଡିଜିଟାଲ୍ ପ୍ଲାଟଫର୍ମ ‘ସ୍ୱାସ୍ଥ୍ୟ ପ୍ଲସ୍’ ସହିତ ଡାକ୍ତର ପ୍ରଶାନ୍ତ ରଞ୍ଜନ ବେହେରାଙ୍କ ସ୍ୱତନ୍ତ୍ର ସାକ୍ଷାତକାରକୁ ନେଇ ପ୍ରସ୍ତୁତ।)
Note: This information on Post COVID Syndrome, in Odia language, is based on an extensive interview with Critical Care Medicine Dr Prashanta Ranjan Behera.