କୋଭିଡ୍‌ ପରେ ପିଲାଙ୍କଠାରେ ପୋଷ୍ଟ କୋଭିଡ୍‌ ସିଣ୍ଡ୍ରୋମ୍‌ ଦେଖିବାକୁ ମିଳୁଛି, ଯାହାକୁ ଏମ୍ଆଇଏସ୍‌ସି କୁହାଯାଏ। ତେବେ ଏହା କ’ଣ? ପିଲାଙ୍କୁ ଏହା ହେଲେ କ’ଣସବୁ ଜଟିଳତା ଦେଖାଦିଏ? ଏନେଇ ବିଶିଷ୍ଟ ଶିଶୁ ରୋଗ ବିଶେଷଜ୍ଞ ଡାକ୍ତର ରଞ୍ଜିତ କୁମାର ଜୋଶୀ କ’ଣ କହୁଛନ୍ତି, ଆସନ୍ତୁ ଜାଣିବା।


ବର୍ତ୍ତମାନ ସମୟରେ ପୋଷ୍ଟ କୋଭିଡ୍‌ ସିଣ୍ଡ୍ରୋମ୍‌ କିମ୍ବା ଏମ୍‌ଆଇଏସ୍‌ସି (Multisystem inflammatory syndrome in children) ଅଧିକ ମାତ୍ରାରେ ପିଲାଙ୍କଠାରେ ଦେଖିବାକୁ ମିଳୁଛି। ଯେଉଁ ପିଲାମାନେ କୌଣସି ନା କୌଣସି ସମୟରେ କୋଭିଡ୍‌ ଦ୍ୱାରା ଆକ୍ରାନ୍ତ ହୋଇଥିବେ କିମ୍ବା ପରିବାରରେ କେହି ବୟସ୍କ ଲୋକ କୋଭିଡ୍‌ ପଜିଟିଭ୍‌ ହୋଇଛନ୍ତି ଏବଂ ଛୁଆର ଟେଷ୍ଟ କରାଯାଇନାହିଁ କିନ୍ତୁ ପିଲାର ଜ୍ୱର, ଥଣ୍ଡା ଭଳି ଲକ୍ଷଣ ଦେଖାଦେଇଥିବ ଓ କିଛି ଦିନ ପରେ ଜ୍ୱର ଛାଡ଼ିଯାଇଥିବ। ସେହି ପିଲାମାନଙ୍କୁ ମାସେ କିମ୍ବା ଦେଢ଼ ମାସ ପରେ ପ୍ରବଳ ଜ୍ୱର, ଆଖି ଲାଲ ହେବା, ଜିଭ ନାଲି ପଡ଼ିଯିବା ଭଳି ଲକ୍ଷଣ ଦେଖାଦେଉଛି, ଯାହାକୁ ଏମ୍‌ଆଇଏସ୍‌ସି କୁହାଯାଉଛି।

କେଉଁ ଛୁଆଙ୍କୁ ହେବାର ଆଶଙ୍କା ଅଧିକ? (Which child is more at risk in Odia)

ସବୁ କୋଭିଡ୍‌ ପଜିଟିଭ୍‌ ଛୁଆଙ୍କୁ ଏମ୍‌ଆଇଏସ୍‌ସି ହେବ ତାହା ନୁହେଁ। ବର୍ତ୍ତମାନ ଯେହେତୁ କୋଭିହ୍‌ ସମୟ ଚାଲିଛି, ତେଣୁ ଏହି ସମୟରେ ପିଲାଙ୍କର ଯଦି ହାଇଗ୍ରେଡ୍‌ ଜ୍ୱର ହୁଏ ଓ ତାହା ସହ ଜିଭ ଲାଲ ପଡ଼ିଯିବା, ପାଟି ଭିତରେ ଘା’ ହେବା, ଆଖି ଲାଲ ହେବା, ହାତରେ ନାଲି ନାଲି ଦାଗ ଭଳି ହେବା, ଓଠ ଫାଟିବା, ନଖ ମୂଳରୁ ଚୋପା ଛାଡ଼ିବା ଭଳି ଲକ୍ଷଣ ଦେଖାଦେଲେ, ଏମ୍‌ଆଇଏସ୍‌ ବୋଲି ସନ୍ଦେହ କରିବା।

viral fever

ଅଧିକ ପଢ଼ନ୍ତୁ: ବୟସ ଅନୁଯାୟୀ ଶିଶୁର ବିକାଶରେ ସମସ୍ୟା ହେଲେ କ’ଣ କରିବେ?

ଏମ୍ଆଇଏସ୍‌ସିର ଚିକିତ୍ସା (Treatment of MIS-C in Odia)

ଏମ୍‌ଆଇଏସ୍‌ସିର ଲକ୍ଷଣ ହେଉଛି ଜ୍ୱର ହେବା ସହ ପେଟ ଯନ୍ତ୍ରଣା ହେବା, ପତଳା ଝାଡ଼ା ହେବ, ଜ୍ୱର ସାଙ୍ଗରେ ବାନ୍ତି ହେବ। ସେହି ଛୁଆମାନଙ୍କୁ ଯଦି ଆମେ କୋଭିଡ୍‌ ସନ୍ଦେହ କରି କୋଭିଡ୍‌ ଟେଷ୍ଟ କରାଯାଏ, ତେବେ କୋଭିଡ୍‌ ରିପୋର୍ଟ ନେଗେଟିଭ୍‌ ଆସିଥାଏ। କିନ୍ତୁ, ଏହି କ୍ଷେତ୍ରରେ ଆମେ ଏମ୍‌ଆଇଏସ୍‌ସି ସନ୍ଦେହ କରି କୋଭିଡ୍‌ ଆଣ୍ଟିବଡି ଟେଷ୍ଟ କରିବୁ, ଯାହାର ରିପୋର୍ଟ ପଜିଟିଭ୍‌ ଆସେ। ଏହାର ଅର୍ଥ ହେଉଛି କୌଣସି ନା କୌଣସି ସମୟରେ ଛୁଆକୁ କୋଭିଡ୍‌ ପଜିଟିଭ୍‌ ହୋଇଥିଲା।

ଏଥିପାଇଁ ରକ୍ତପରୀକ୍ଷା, ଇସିଜି, ଇକୋ, ଟ୍ରପୋନିନ୍‌ ଟି, ଟ୍ରପୋନିନ୍‌- ଆଇ ପରୀକ୍ଷା କରାଯାଏ।

କେତେକ ପିଲାଙ୍କୁ ତୁରନ୍ତ ଆଇସିୟୁରେ ଭର୍ତ୍ତି କରି ଚିକିତ୍ସା ଆରମ୍ଭ କରିବାକୁ ପଡ଼ିଥାଏ। ଯେତେବେଳେ ଏମ୍‌ଆଇଏସ୍‌ସିରେ ଛୁଆର ଅବସ୍ଥା ଗୁରୁତର ହେଉଛି, ସେତେବେଳେ ଇମ୍ୟୁନୋଗ୍ଲୋବିନ୍‌ ଚିକିତ୍ସା କରିବା ସହ ଷ୍ଟିରୋଏଡ୍‌ ଦେବାକୁ ପଡ଼ିଥାଏ। ଏହାଦ୍ୱାରା ଛୁଆ ସମ୍ପୂର୍ଣ୍ଣ ରୂପେ ଭଲ ହୋଇଯିବେ।

mask

ଅଧିକ ପଢ଼ନ୍ତୁ: ନବଜାତ ଶିଶୁର ସମ୍ପୂର୍ଣ୍ଣ ଯତ୍ନ କେମିତି ନେବେ?

ଡାକ୍ତରଙ୍କ ପରାମର୍ଶ (Doctor’s Advice in Odia)

ଏମ୍‌ଆଇଏସ୍‌ସି ନ ହେବା ପାଇଁ ହେଲେ ପିଲାଙ୍କୁ କୋଭିଡ୍‌ରୁ ସୁରକ୍ଷିତ ରଖିବାକୁ ହେବ। ବଡ଼ ଲୋକଙ୍କ ଭଳି ପିଲାମାନଙ୍କୁ ମଧ୍ୟ ମାସ୍କ, ସାନିଟାଇଜର ଓ ସାମାଜିକ ଦୂରତା ପାଳନ କରିବାକୁ ଶିଖାଇବାକୁ ହେବ। ଏହାଛଡ଼ା ବଡ଼ ଲୋକମାନେ ବାହାରକୁ ଯିବାବେଳେ ମାସ୍କ ଓ ସାନିଟାଇଜର ବ୍ୟବହାର କରିବା ଆବଶ୍ୟକ। ବଡ଼ ଲୋକ କୋଭିଡ୍‌ରୁ ସୁରକ୍ଷିତ ରହିଲେ ଆମେ ଛୋଟ ପିଲାଙ୍କୁ ଏଥିରୁ ସୁରକ୍ଷିତ ରଖିପାରିବା।

(ସ୍ୱାସ୍ଥ୍ୟ ଓ ଜୀବନଶୈଳୀ ଉପରେ ଆଧାରିତ ଓଡ଼ିଆ ଡିଜିଟାଲ୍‌ ପ୍ଲାଟଫର୍ମ ‘ସ୍ୱାସ୍ଥ୍ୟ ପ୍ଲସ୍’ ସହିତ ଡାକ୍ତର ରଞ୍ଜିତ କୁମାର ଜୋଶୀଙ୍କ ସ୍ୱତନ୍ତ୍ର ସାକ୍ଷାତକାରକୁ ନେଇ ପ୍ରସ୍ତୁତ।)

Note: This information on Post-COVID Syndrome (MISC), in Odia language, is based on an extensive interview with Paediatrician Dr Ranjit Kumar Joshi.