ଅଗିଆବାତ କ’ଣ? ଏହା ହେବାର କାରଣ ଓ ଲକ୍ଷଣ ବିଷୟରେ ବିଶିଷ୍ଟ ଚର୍ମରୋଗ ବିଶେଷଜ୍ଞ ଡାକ୍ତର ମାନଗୋବିନ୍ଦ ଶ୍ରୀଚନ୍ଦନ କ’ଣ କହୁଛନ୍ତି ଆସନ୍ତୁ ଜାଣିବା।
- ଅଗିଆବାତ ବା ହାଇଭ୍ସ କ’ଣ?
- ଦେହରେ କେତେ ଦିନ ଲାଗି ରହେ ଅଗିଆବାତ?
- ଅଗିଆବାତ ହେବାର କାରଣ
- ଅଗିଆବାତକୁ ଚିହ୍ନିବେ କିପରି?
- ଅଗିଆବାତର ଚିକିତ୍ସା
- ଡାକ୍ତରଙ୍କ ପରାମର୍ଶ
ଅଗିଆବାତ ବା ହାଇଭ୍ସ କ’ଣ? (What is Hives or Urticaria in Odia)
ଅଗିଆବାତ, ଯାହାକୁ ସାଧାରଣ ଭାଷାରେ ଲୋକେ ଆଲର୍ଜି ବୋଲି କହିଥା’ନ୍ତି। ଏହା ହେଲେ ଦେହ କୁଣ୍ଡାଇ ହେବା ସହ ଦେହରେ ଫଳି ଫଳି ଯାଇଥାଏ। ଅଗିଆବାତ ହେଲେ ଚର୍ମ କୁଣ୍ଡେଇ ହେବ, ଫୁଲି ଫୁଲି ଯିବ ଏବଂ ନାଲି ପଡ଼ିଯିବ। ମଶା କାମୁଡ଼ିଲେ ଯେଉଁଭଳି ଭାବେ ଫୁଲିଯାଏ, ଅଗିଆବାତ ହେଲେ ସେହିଭଳି ଭାବେ ଦେହରେ ଫଳି ଫଳି ଯାଏ। ୧୦୦ରେ ତିନିରୁ ଚାରି ଜଣ ରୋଗୀ କୌଣସି ଖାଦ୍ୟ ଖାଇବା ଯୋଗୁଁ ବା କୌଣସି ମେଡିସିନ୍ର ପାର୍ଶ୍ୱପ୍ରତିକ୍ରିୟା କିମ୍ବା କିଛି ଗୋଟେ ତାଙ୍କ ଦେହରେ ଲାଗିଯିବା ଯୋଗୁଁ ଆଲର୍ଜି ହୋଇଥାଏ। ବାକି ୯୬ରୁ ୯୭ ଭାଗ ରୋଗୀଙ୍କର ବିନା କୌଣସି ଆଲର୍ଜିରେ ଫଳି ଯାଇଥାଏ, ଯାହାକୁ ଅଗିଆବାତ ଏବଂ ମେଡିକାଲ ଭାଷାରେ ଅର୍ଟିକାରିଆ (urticaria) କୁହାଯାଏ।
ଦେହରେ କେତେ ଦିନ ଲାଗି ରହେ ଅଗିଆବାତ? (How long does it last in Odia)
ଅଗିଆବାତ ବା ଅଟିକ୍ଆରିଆ ଦୁଇ ପ୍ରକାରର। ୧- ସ୍ୱଳ୍ପକାଳୀନ (ଆକ୍ୟୁଟ୍ ଅଟିକ୍ଆରିଆ), ୨- ଦୀର୍ଘକାଳୀନ (କ୍ରୋନିକ୍ ଅଟିକ୍ଆରିଆ)।
ସ୍ୱଳ୍ପକାଳୀନ ଅଗିଆବାତ ଦିନେ କିମ୍ବା ଦୁଇଦିନ କିମ୍ବା ସପ୍ତାହେ ଭିତରେ ଭଲ ହୋଇଯାଇଥାଏ। ଯଦି ଅଗିଆବାତ ଛଅ ସପ୍ତାହରୁ ଅଧିକ ଦିନ ଧରି ଦେହରେ ଲାଗି ରହେ, ତେବେ ତାକୁ କ୍ରୋନିକ୍ ଅଟିକ୍ଆରିଆ ବା ପୁରାତନ ଅଗିଆବାତ ବୋଲି କହିଥାଉ।
ଶତକଡ଼ା ୫୦ ଭାଗ ରୋଗୀ, ଯେଉଁମାନଙ୍କ ଦେହରେ କ୍ରୋନିକ୍ ଅଟିକ୍ଆରିଆ ହୁଏ, ସେମାନଙ୍କର ବର୍ଷେ ଭିତରେ ଉପଶମ ହୋଇଯାଇଥାଏ। ଆଉ ଶତକଡ଼ା ୫୦ ଭାଗ ରୋଗୀଙ୍କର ବର୍ଷେରୁ ଅଧିକ ସମୟ ଧରି କ୍ରୋନିକ୍ ଅଗିଆବାତ ଲାଗିରହେ। ଦେଖିବାକୁ ଗଲେ ତିନି ବର୍ଷ ଭିତରେ ୭୫ରୁ ୯୦ ଭାଗ ରୋଗୀଙ୍କର ଅଗିଆବାତ ଛାଡ଼ିଯାଏ। ଅଗିଆବାତ ଦେହରେ ରହିବାର ସମୟସୀମା କିଛି ନାହିଁ। ରୋଗୀଙ୍କଠାରେ ପାଞ୍ଚ ବର୍ଷ, ଦଶ ବର୍ଷ, ପନ୍ଦର ବର୍ଷ ତଥା ୩୦ ବର୍ଷ ଧରି ମଧ୍ୟ ଅଗିଆବାତ ଦେହରେ ଲାଗିରହେ।
ଅଧିକ ପଢ଼ନ୍ତୁ: କେମିତି ଭଲ ହେବ ଯାଦୁ?
ଅଗିଆବାତ ହେବାର କାରଣ (Cause of the Hives in Odia)
ଶିଶୁମାନଙ୍କ ଦେହରେ କୌଣସି ବାହ୍ୟ ସଂକ୍ରମଣ ହେଲେ ଆକ୍ୟୁଟ୍ ଅଗିଆବାତ କରିପାରେ। ଛୋଟ ପିଲା ହୁଅନ୍ତୁ ବା ବଡ଼ ଯଦି ଖାଦ୍ୟ ପ୍ରତି ଆଲର୍ଜି ଥାଏ ବା କେତେକ ଔଷଧ ପ୍ରତି ଆଲର୍ଜି ଥାଏ, ତାହାହେଲେ ଅଗିଆବାତ ହୋଇପାରେ। ଏଭଳି କ୍ଷେତ୍ରରେ ଡାକ୍ତରଙ୍କୁ ଜଣାଇବେ କେଉଁ ଔଷଧ ଖାଇବା ଯୋଗୁଁ ଅଗିଆବାତ ହୋଇଛି।
କ୍ରୋନିକ୍ ଅଗିଆବାତ ହେବାର କୌଣସି କାରଣ ଜଣାପଡ଼ି ନାହିଁ। ଏହା ଅଟୋ ଇମ୍ୟୁନ୍ ଡିଜିଜ୍।
ବେଳେ ବେଳେ କିଛି ନ ଖାଇ ବା କୌଣସି ଜିନିଷ ଦେହରେ ନ ବାଜି ଆପେ ଆପେ ଦେହ ଯାକ ଫଳିଯାଇଥାଏ, ଏହାକୁ ସ୍ପୋଣ୍ଟାନିୟସ୍ ଅଟିକାରିଆ କୁହାଯାଏ। ବେଳେବେଳେ ସାୟା ଟାଇଟ୍ କରି ପିନ୍ଧିଲେ ବା ଟାଇଢ଼ଟ୍ ଇଲାଷ୍ଟିକ ଚଡ଼ି ପିନ୍ଧିଲେ ଉକ୍ତ ସ୍ଥାନରେ ଫଳିଯାଏ, ଯାହାକୁ ପ୍ରେସର ଅଟିକାରିଆ କୁହାଯାଏ।
କେତେକ ଲୋକ ବାଇକ୍ରେ ଯାଉଥିବେ, ଯେଉଁ ସ୍ଥାନରେ ପବନ ବାଜୁଥିବ , ତାହା ଫୁଲିଯିବ ଏବଂ କୁଣ୍ଡାଇ ହେବା ଆରମ୍ଭ କରିବ, ଯାହାକୁ କୋଲ୍ଡ ଅଟିକାରିଆ କହିଥାଉ। କେତେକ କ୍ଷେତ୍ରରେ ଲୋକ ଅଧିକ ଖରାରେ ରହିଲେ ଦେହ, ହାତ ଫୁଲିଯାଏ। ଏହାକୁ ଇଣ୍ଡିଉସେବଲ ଅଟିକ୍ଆରିଆ କୁହାଯାଏ।
କେତେକ ଖାଦ୍ୟ ଖାଇଲେ ମଧ୍ୟ ଅଗିଆବାତ ହୋଇପାରେ। ଯେପରିକି ଅଣ୍ଡା, ଚିଙ୍ଗୁଡ଼ି, କଙ୍କଡ଼ା ଆଦି ଖାଇଲେ ବହୁତ ଲୋକଙ୍କର ଆଲର୍ଜି ହୁଏ। ଏହାସହ ବାଦାମ, ଚିନାବାଦାମ, ଟମାଟୋ ଭଳି ଖାଦ୍ୟ ଖାଇଲେ ମଧ୍ୟ କେତେକ ଲୋକଙ୍କର ଆଲର୍ଜି ହୋଇଥାଏ।
ବର୍ତ୍ତମାନ ସମୟରେ ଅଧିକାଂଶ ଲୋକ ବାହାରେ ମିଳୁଥିବା ଖାଦ୍ୟ କିଣି ଖାଉଛନ୍ତି। ଯେଉଁ ଖାଦ୍ୟକୁ ଅଧିକ ଲୋଭନୀୟ କରିବା ପାଇଁ ସେଥିରେ ରଙ୍ଗ ଓ ଅଧିକ ଦିନ ରହିବା ପାଇଁ ପ୍ରିଜରଭେଟିଭ୍ କେମିକାଲ ମିଶାଉଛନ୍ତି। ବେଳେ ବେଳେ ଖାଦ୍ୟରେ ମିଶୁଥିବା ରଙ୍ଗ ଓ କେମିକାଲ ଯୋଗୁଁ ମଧ୍ୟ ଆଲର୍ଜି ହୋଇପାରେ।
ଅଗିଆବାତକୁ ଚିହ୍ନିବେ କିପରି? (How to recognize Hives in Odia)
ଅଗିଆବାତକୁ ଜାଣିବା ପାଇଁ କୌଣସି ଏକ୍ସରେ ବା ରକ୍ତ ପରୀକ୍ଷା କରିବାର ଆବଶ୍ୟକତା ପଡ଼େ ନାହିଁ। ଆପଣଙ୍କର ଦେହରେ ହୋଇଥିବା ସମସ୍ୟାକୁ ଦେଖି ଡାକ୍ତର ଜାଣିପାରିବେ। ଆପଣଙ୍କ ସମସ୍ୟାକୁ ଦେଖି ଡାକ୍ତର ମଧୁମେହ, ଥାଇରଏଡ୍ ପାଇଁ କିଛିଟା ପରୀକ୍ଷା କରିବା ପାଇଁ ପରାମର୍ଶ ଦେଇପାରନ୍ତି।
ଅଗିଆବାତର ଚିକିତ୍ସା (Treatment for Hives in Odia)
ଅଗିଆବାତର ଚିକିତ୍ସା ବହୁତ ସରଳ। ଆଲର୍ଜି ପାଇଁ ଆଭିଲ, ଲିଭୋସେଟ୍ରିଜିନ୍, ସେଟିରିଜିନ୍, ଲୋରାଟାଡିନ୍, ଫେକ୍ସୋଫେନାଡିନ୍, ବିଲାଷ୍ଟିନ୍ ଆଦି ଔଷଧ ଆଣ୍ଟି ହିଷ୍ଟାମିନ୍। ହିଷ୍ଟାମିନ୍ ବିରୋଧରେ ଯିଏ କାମ କରେ, ତାକୁ ଆଣ୍ଟି ହିଷ୍ଟାମିନ୍ କୁହାଯାଏ। ହିଷ୍ଟାମିନ୍ ବିଛୁଆତି ପତ୍ରର ଡାଙ୍ଗରେ ଥାଏ। ଫଳରେ ବିଛୁଆତି ପତ୍ର ମଣିଷ ଦେହରେ ଲାଗିଗଲେ କୁଣ୍ଡାଇ ହୁଏ, ନାଲି କରିଦିଏ ଏବଂ ଚର୍ମ ଫୁଲିଯାଏ।
ଡାକ୍ତରଙ୍କ ପରାମର୍ଶ (Doctor’s Advice in Odia)
ଯଦି ଜଣେ ବ୍ୟକ୍ତିଙ୍କର କୌଣସି ଖାଦ୍ୟ ପ୍ରତି ଆଲର୍ଜି ଥାଏ, ତେବେ ତାକୁ ଖାଆନ୍ତୁ ନାହିଁ। ଗରମରେ ପରିବେଶରେ ରହନ୍ତୁ ନାହିଁ ଓ ଟାଇଟ୍ ପୋଷାକ ପିନ୍ଧନ୍ତୁ ନାହିଁ।
ବାହାର ଖାଦ୍ୟ, ପ୍ୟାକେଟ୍ ଫୁଡ୍ ଖାଇବେ ନାହିଁ।
ମଦ୍ୟପାନ ମଧ୍ୟ ଅଗିଆବାତକୁ ବଢ଼ାଇ ଦେଇପାରେ। ତେଣୁ ଏସବୁରୁ ନିବୃତ୍ତ ରହନ୍ତୁ।
(ସ୍ୱାସ୍ଥ୍ୟ ଓ ଜୀବନଶୈଳୀ ଉପରେ ଆଧାରିତ ଓଡ଼ିଆ ଡିଜିଟାଲ୍ ପ୍ଲାଟଫର୍ମ ‘ସ୍ୱାସ୍ଥ୍ୟ ପ୍ଲସ୍’ ସହିତ ଡାକ୍ତର ମାନଗୋବିନ୍ଦ ଶ୍ରୀଚନ୍ଦନଙ୍କ ସ୍ୱତନ୍ତ୍ର ସାକ୍ଷାତକାରକୁ ନେଇ ପ୍ରସ୍ତୁତ।)
Note: This information on Hives, in Odia language, is based on an extensive interview with an Dermatologist Dr Mangobind Srichandan.