ଫ୍ରୋଜନ୍ ସୋଲଡର କ’ଣ? ଏହା କାହିଁକି ହୁଏ? ଫ୍ରୋଜନ୍ ସୋଲଡରରୁ କିପରି ପାଇବେ ମୁକ୍ତି? ଏନେଇ ବିଶିଷ୍ଟ ଅସ୍ଥିଶଲ୍ୟ ବିଶେଷଜ୍ଞ ଡାକ୍ତର ସାର୍ଥକ ମହାନ୍ତି କ’ଣ କହୁଛନ୍ତି, ଜାଣନ୍ତୁ।
- ଫ୍ରୋଜନ୍ ସୋଲଡରର କାରଣ
- ଫ୍ରୋଜନ୍ ସୋଲଡରର ଲକ୍ଷଣ
- କେମିତି ଚିହ୍ନିବେ ଫ୍ରୋଜନ୍ ସୋଲଡର?
- ଫ୍ରୋଜନ୍ ସୋଲଡରର ଚିକିତ୍ସା
- ଫ୍ରୋଜନ୍ ସୋଲଡର ଏଡ଼ାଇବା କିପରି?
ଫ୍ରୋଜନ୍ ସୋଲଡର ବା କାନ୍ଧ ଜାମ୍ ହୋଇଯିବା (କିମ୍ବା କାନ୍ଧ ଅଚଳ ହୋଇଯିବା) ହେଉଛି ଏପରି ଏକ ସମସ୍ୟା ଯାହାଦ୍ୱାରା କାନ୍ଧ ଚାରିପଟେ ଥିବା ସଂଯୋଗକାରୀ ଟିସ୍ୟୁ ଫୁଲିଯିବା ସହ ଶକ୍ତ ହୋଇଯାଏ। ଯାହାଫଳରେ କି ସ୍ୱାଭାବିକ ଭାବେ କାର୍ଯ୍ୟ କରିହୁଏ ନାହିଁ ଏବଂ ଯନ୍ତ୍ରଣା ଅନୁଭୂତ ହୁଏ।
ଫ୍ରୋଜେନ୍ ସୋଲଡରକୁ ଅନ୍ୟ ଭାଷାରେ ଆଧେସିଭ୍ କ୍ୟାପ୍ସୁଲାଇଟିସ୍ ସୋଲଡର କୁହାଯାଏ। ଏଥିରେ ହାତ ଚାଳନା କରିବା ବେଳେ କଷ୍ଟ ଅନୁଭୂତ ହୁଏ। ଏହା ମୁଖ୍ୟତଃ ୫୦ରୁ ୬୦ ବର୍ଷ ବୟସର ଲୋକଙ୍କୁ ଅଧିକ ହୋଇଥାଏ। ଏହାକୁ ବୟସଜନିତ ରୋଗ କହିଲେ ଅତ୍ୟୁକ୍ତି ହେବ ନାହିଁ।
ଅଧିକ ପଢ଼ନ୍ତୁ: ଫ୍ରୋଜନ୍ ସୋଲଡର ଭଳି ସମସ୍ୟା ଦେଖାଗଲେ କ’ଣ କରିବେ?
ଫ୍ରୋଜନ୍ ସୋଲଡର ସମସ୍ୟାର କାରଣ (Causes of Frozen Shoulder in Odia)
ପ୍ରଥମତଃ କିଛି କାରଣ ନ ଥାଇ ଫ୍ରୋଜନ୍ ସୋଲଡର ସମସ୍ୟା ହୋଇପାରେ। ଦ୍ଵିତୀୟତଃ କାନ୍ଧରେ କୌଣସି ଆଘାତ, ଅସ୍ତ୍ରୋପଚାର ହୋଇଥିଲେ କିମ୍ବା କାନ୍ଧରେ ଆଘାତ ଲାଗିବା ପରେ ଫିଜିଓଥେରାପି କରିଲେ ନାହିଁ, ଫଳରେ ବହୁତ ଦିନ ପରେ ହାତ ଚାଳନା କଲେ ହାତ ଜାମ୍ ହୋଇଯାଇଥାଏ।
ତୃତୀୟ କାରଣ ହେଉଛି ହାଇପର ଥାଇରଏଡ୍ ଥିବା ବ୍ୟକ୍ତି, ଅନିୟନ୍ତ୍ରିତ ମଧୁମେୟ ଥିବା ଲୋକଙ୍କରଠାରେ ଫ୍ରୋଜନ୍ ସୋଲଡର ହେବାର ଆଶଙ୍କା ଅଧିକ।
ଫ୍ରୋଜନ୍ ସୋଲଡରର ଲକ୍ଷଣ (Symptoms of Frozen Shoulder in Odia)
କାନ୍ଧ ଯନ୍ତ୍ରଣା ହେବା।
କାନ୍ଧ ଜାମ୍ ବା ଷ୍ଟିଫ୍ନେସ୍ ହେବା।
ପ୍ରଥମ ଷ୍ଟେଜ୍ରେ କାନ୍ଧ ଯନ୍ତ୍ରଣା ହୁଏ ଓ ଏହି ଯନ୍ତ୍ରଣା ୯ ମାସ ପର୍ଯ୍ୟନ୍ତ ଚାଲେ।
ଧୀରେ ଧୀରେ ଯନ୍ତ୍ରଣା କମେ, କିନ୍ତୁ ଷ୍ଟିଫ୍ନେସ୍ ବଢ଼ିଯାଏ। ଫଳରେ ହାତ ଚାଳନାରେ କଷ୍ଟ ଅନୁଭୂତ ହୁଏ।
କେମିତି ଚିହ୍ନିବେ ଫ୍ରୋଜନ୍ ସୋଲଡର? (How to recognize Frozen Shoulder in Odia)
ଫ୍ରୋଜନ୍ ସୋଲଡରକୁ ଚିହ୍ନିବା ପାଇଁ ଏକ୍ସରେ କରାଯାଏ। କିନ୍ତୁ, ଫ୍ରୋଜନ୍ ସୋଲଡର ନା ଆଉ କେଉଁ ସମସ୍ୟା ଜାଣିବା ପାଇଁ ଏମ୍ଆର୍ଆଇର ଆବଶ୍ୟକତା ପଡ଼ିଥାଏ।
ଫ୍ରୋଜନ୍ ସୋଲଡରର ଚିକିତ୍ସା (Treatment of Frozen Shoulder in Odia)
ଫ୍ରୋଜେନ୍ ସୋଲଡର ଜନିତ ଯନ୍ତ୍ରଣା କମାଇବା ପାଇଁ ଔଷଧ ପରାମର୍ଶ କରାଯାଏ। ଔଷଧ ଖାଇବା ଦ୍ୱାରା ଯନ୍ତ୍ରଣା କମିଥାଏ, ଫଳରେ ବ୍ୟକ୍ତି ହାତ ଚାଳନା ସହଜରେ କରିପାରିବେ।
ଫ୍ରୋଜେନ୍ ସୋଲଡରର ଚିକିତ୍ସା ପାଇଁ ଫିଜିଓଥେରାପିର ଭୂମିକା ଗୁରୁତ୍ଵପୂର୍ଣ୍ଣ। ଫିଜିଓଥେରାପିର କେତେଗୁଡ଼ିଏ ଏକ୍ସରସାଇଜ୍ କରିବା ଦ୍ୱାରା ହାତ ଚାଳନା ସହଜ ହୋଇଥାଏ।
କେତେକ କ୍ଷେତ୍ରରେ ଔଷଧ ଏବଂ ଫିଜିଓଥେରାପି କରିବା ପରେ ବି ସୁଫଳ ମିଳିନଥାଏ। ଏହି କ୍ଷେତ୍ରରେ କାନ୍ଧରେ ଷ୍ଟିରୋଏଡ୍ ଇଞ୍ଜେକ୍ସନ୍ ଦେଇ ଯନ୍ତ୍ରଣା କମ୍ କରାଯାଏ। ଏହିସବୁ ଚିକିତ୍ସା ଦ୍ଵାରା ହାରାହାରି ୯୦ ପ୍ରତିଶତରୁ ଅଧିକ ରୋଗୀ ଫ୍ରୋଜନ୍ ସୋଲଡର ସମସ୍ୟାରୁ ଭଲ ହୋଇଯାଆନ୍ତି।
ଯଦି ଏସବୁ ଚିକିତ୍ସା କରିବା ପରେ ବି ଭଲ ହୋଇନଥାଏ, ତେବେ ସର୍ଜରୀ ଦରକାର ପଡ଼ିଥାଏ। ଗୋଟେ ପ୍ରକାର ସର୍ଜରୀରେ ନିଶା ଦେଇ କାନ୍ଧକୁ ଚଳପ୍ରଚଳ କରାଯାଏ। ଅନ୍ୟଟିରେ ଆର୍ଥ୍ରୋସ୍କୋପିକ୍ ସର୍ଜରୀ କରାଯାଏ।
ଫ୍ରୋଜନ୍ ସୋଲଡର ଏଡ଼ାଇବା କିପରି? (How to avoid Frozen Shoulder in Odia)
ଅଧିକ ଦିନ ଧରି କାନ୍ଧର ବ୍ୟବହାର ନ କଲେ ବା କାନ୍ଧ ଚଳପ୍ରଚଳ ନ କଲେ ଫ୍ରୋଜନ୍ ସୋଲଡର ସମସ୍ୟା ହୋଇପାରେ। ମନେକର, ଜଣଙ୍କର କାନ୍ଧରେ ଆଘାତ ଲାଗିବା ହେତୁ ପ୍ଲାଷ୍ଟର କରାଯାଇଛି ଏବଂ ପ୍ଲାଷ୍ଟର କାଢ଼ିବା ପରେ ଡାକ୍ତର କାନ୍ଧ ଚାଳନା କରିବା ପାଇଁ ତଥା ଫିଜିଓଥେରାପି କରିବା ପାଇଁ ପରାମର୍ଶ ଦେଇଥାଆନ୍ତି। ହେଲେ ରୋଗୀ ଡରିକରି କାନ୍ଧ ଚାଳନା କରିନଥାଆନ୍ତି। ଫଳରେ କାନ୍ଧ ଷ୍ଟିଫ୍ ହୋଇଯାଏ। ଏହାଛଡ଼ା ଡାଏବେଟିସ୍, ଥାଇରଏଡ୍କୁ ନିୟନ୍ତ୍ରଣରେ ରଖନ୍ତୁ। ଏଥିସହ ଯଦି ଆପଣଙ୍କର ଫ୍ରିଜିଂ ହେବା ଆରମ୍ଭ ହେଉଛି, ତେବେ ପ୍ରାଥମିକ ଅବସ୍ଥାରୁ ଚିକିତ୍ସା ଏବଂ ଫିଜିଓଥେରାପି କରନ୍ତୁ।
(ସ୍ୱାସ୍ଥ୍ୟ ଓ ଜୀବନଶୈଳୀ ଉପରେ ଆଧାରିତ ଓଡ଼ିଆ ଡିଜିଟାଲ୍ ପ୍ଲାଟଫର୍ମ ‘ସ୍ୱାସ୍ଥ୍ୟ ପ୍ଲସ୍’ ସହିତ ଡାକ୍ତର ସାର୍ଥକ ମହାନ୍ତିଙ୍କ ସ୍ୱତନ୍ତ୍ର ସାକ୍ଷାତକାରକୁ ନେଇ ପ୍ରସ୍ତୁତ।)
Note: This information on Frozen Shoulder, in Odia language, is based on an extensive interview with a Orthopedic Surgeon Dr Sarthak Mohanty.