ଦେଶରେ କରୋନା ସ୍ଥିତି ଗମ୍ଭୀର ଥିଲାବେଳେ କୋଭିଡ୍‌ର ଟ୍ରିପଲ ମ୍ୟୁଟାଣ୍ଟ ଏବେ ସମସ୍ତଙ୍କ ଚିନ୍ତା ବଢ଼ାଇଛି। କାରଣ କୋଭିଡ୍‌ର ଏହି ଭାରିଏଣ୍ଟ ପୂର୍ବ ଅପେକ୍ଷା ଅଧିକ ସଂକ୍ରାମକ ବୋଲି ସ୍ୱାସ୍ଥ୍ୟ ବିଶେଷଜ୍ଞମାନେ ମତ ପ୍ରକାଶ କରିଛନ୍ତି। ପୂର୍ବରୁ ଦେଶରେ ବିଭିନ୍ନ ପ୍ରକାରର ଷ୍ଟ୍ରେନ ଚିହ୍ନଟ ହୋଇଥିଲେ ବି ଏହି ନୂଆ ଷ୍ଟ୍ରେନ ଅଧିକ ପ୍ରଭାବଶାଳୀ ବୋଲି କୁହାଯାଉଛି। କୋଭିଡର ଏହି ଟ୍ରିପଲ ମ୍ୟୁଟାଣ୍ଟ କ’ଣ, ଏହା କାହିଁକି ଅଧିକ ସଂକ୍ରାମକ?

ଟ୍ରିପଲ୍‌ ମ୍ୟୁଟାଣ୍ଟ କ’ଣ?

ବିଶେଷଜ୍ଞଙ୍କ କହିବା ଅନୁସାରେ ୩ଟି ଭିନ୍ନ ଭିନ୍ନ ଷ୍ଟ୍ରେନ ମିଶି ଏହି ନୂଆ ଷ୍ଟ୍ରେନ ବା ଟ୍ରିପଲ ମ୍ୟୁଟାଣ୍ଟ ଷ୍ଟ୍ରେନ ସୃଷ୍ଟି ହୋଇଛି। ଏହାର ଦକ୍ଷିଣ ଆଫ୍ରିକା ଓ ବ୍ରାଜିଲରେ ଦେଖାଯାଇଥିବା ଭୂତାଣୁ ସହିତ ସାମଞ୍ଜସ୍ୟ ରହିଛି। ଏହାର ନାଁ ‘ବି ୧୬୧୮’ ରଖାଯାଇଛି। ସବୁଠୁ ଗୁରୁତ୍ୱପୂର୍ଣ୍ଣ କଥା ଯେ, ଏହି ଷ୍ଟ୍ରେନ ଜଣେ ବ୍ୟକ୍ତିର ରୋଗ ପ୍ରତିରୋଧକ ଶକ୍ତିକୁ ଦୁର୍ବଳ କରିପାରେ। ଏହାଛଡ଼ା ଏହି ଷ୍ଟ୍ରେନ ପୂର୍ବରୁ ସଂକ୍ରମିତ ହୋଇଥିବା ବ୍ୟକ୍ତି  ଏବଂ ଟିକା ନେଇଥିବା ବ୍ୟକ୍ତିଙ୍କୁ ମଧ୍ୟ ସଂକ୍ରମିତ କରିପାରେ। ସେଥିପାଇଁ ବିଶେଷଜ୍ଞମାନେ ଅଧିକ ସତର୍କ ରହିବାକୁ ପରାମର୍ଶ ଦେଉଛନ୍ତି। ପଶ୍ଚିମବଙ୍ଗ, ମହାରାଷ୍ଟ୍ର, ଛତିଶଗଡ଼, ଦିଲ୍ଲୀରେ ଏହି ଭାରିଏଣ୍ଟ ଚିହ୍ନଟ ହୋଇଛି। ଟ୍ରିପଲ ମ୍ୟୁଟାଣ୍ଟ ୩ଟି ଷ୍ଟ୍ରେନର ମିଶ୍ରଣ ହୋଇଥିବାରୁ ଏହା ଅଧିକ ସଂକ୍ରମକ ହେଉଛି ବୋଲି କୁହାଯାଉଛି। ଏହି ମ୍ୟୁଟାଣ୍ଟକୁ ନେଇ ଅଧ୍ୟୟନ ଜାରି ରହିଛି।

ଏଯାଏଁ ଚିହ୍ନଟ ହେଲାଣି କୋଭିଡର ୪ ଭାରିଏଣ୍ଟ

କରୋନା ବ୍ୟାପିବାଠାରୁ ଏଯାଏଁ ଭୂତାଣୁର ୪ଟି ଭାରିଏଣ୍ଟ ଚିହ୍ନଟ ହୋଇଛି। ପ୍ରଥମ ମ୍ୟୁଟେଡ୍‌ ଭାଇରସ ‘ବି.୬୧୭’ ଥିଲା, ଯାହାକୁ ବ୍ରିଟେନ ଷ୍ଟ୍ରେନ ବୋଲି କୁହାଯାଉଥିଲା। ଏହା ପରେ ବ୍ରାଜିଲରେ ଭୂତାଣୁର ନୂଆ ଭାରିଏଣ୍ଟ ଚିହ୍ନଟ ହୋଇଥିଲା। ଏହାର ନାଁ ‘ଇ.୪.୮୪କେ’ ଥିଲା। ସାଉଥ ଆଫିକ୍ରାନ ଷ୍ଟ୍ରେନ ଭାବେ କରୋନାର ଆଉ ଏକ ଭାରିଏଣ୍ଟ ଚିହ୍ନଟ ହୋଇଥିଲା, ଯାହାର ନାଁ ‘ବି. ୧.୩୫୧’ ଥିଲା। ସେହିପରି ଭୂତାଣୁର ଆଉ ଏକ ଭାରିଏଣ୍ଟର ନାଁ ହେଉଛି ‘ଏନ୍.‌୫୦୧’।

ସୌଜନ୍ୟ: ଓଡ଼ିଶାଲାଇଭ୍‌