ଗୀତା ଦାସ

ପିଲା ଖେଳ ମାଧ୍ୟମରେ ନିୟମ ଶୃଙ୍ଖଳାର ପ୍ରୟୋଜନ ନିଜେ ହୃଦୟଙ୍ଗମ କରନ୍ତି, ଲୋକ ସମ୍ପର୍କ ଶିଖନ୍ତି, ବିଚାର କରି କାର୍ଯ୍ୟପନ୍ଥା ସ୍ଥିର କରନ୍ତି ଓ ଏକୁଟିଆବାଆଁରା ହେଇ ବଢ଼ନ୍ତି ନାହିଁ। ଯିଏ ଗୋଟିକିଆ ପିଲା, ସେ ଅନ୍ୟମାନଙ୍କ ସହିତ ଖେଳି ଅନ୍ୟ ସାଙ୍ଗରେ ଚଳିବାକୁ ଶିଖେ। ଏଥିପାଇଁ ପିଲାଙ୍କର ପାଠପଢ଼ା ବୟସରେ ଓ ବଢ଼ିବା ବୟସରେ ଖେଳକୁ ଗୁରୁତ୍ଵ ଦେଲେ ପିଲାର ସୁଷମ ବୃଦ୍ଧି ହେବ।

ବର୍ତ୍ତମାନ ବାପାମାଆଙ୍କର ଓ ଶିକ୍ଷକ ଶିକ୍ଷୟିତ୍ରୀଙ୍କର ପ୍ରଥମ ଚିନ୍ତା ହେଲା, ପିଲା କେମିତି ପରୀକ୍ଷାରେ ଭଲ ନମ୍ବର ରଖି ଉଚ୍ଚକୋଟୀର ସ୍କୁଲ କଲେଜରେ ସ୍ଥାନ ପାଇ ନିଜର ଆର୍ଥିକ ଓ ସାମାଜିକ ଉନ୍ନତି କରିବେ। ଏ ବିଷୟରେ ବିଭିନ୍ନ ଲୋକଙ୍କର ଭିନ୍ନ ଭିନ୍ନ ମତ ଅଛି। ନିଜର ବ୍ୟକ୍ତିଗତ ଅଭିଜ୍ଞତା ଓ ଅନ୍ୟମାନଙ୍କର ଉନ୍ନତି ଓ ଅପାରଗତାର କାରଣ କ’ଣ ସେ ବିଷୟ ଭାବି ଏସବୁ ମତ ଗଢ଼ି ଉଠିଛି। ତେଣୁ ଯେଉଁମାନେ ଏ ବିଷୟରେ ଚର୍ଚ୍ଚା ଓ ଗବେଷଣା କରୁଛନ୍ତି ସେମାନେ କ’ଣ ଦେଖୁଛନ୍ତି ସେ ବିଷୟ ଲେଖୁଛି।

kids wearing glass

ପ୍ରଥମେ ଅଙ୍କ ପରୀକ୍ଷା ବିଷୟରେ କହୁଛି। ଅନେକ ପିଲା ମନ ଦେଇ ପାଠ ପଢ଼ି ଅଙ୍କ ପରୀକ୍ଷା ପାଇଁ ପ୍ରସ୍ତୁତ ଥିଲେ। ମାତ୍ର ପରୀକ୍ଷା ହଲରେ ଉତ୍ତର ଲେଖିଲାବେଳକୁ ଯାହା ପଢ଼ିଥିଲେ ସେସବୁ ମନେ ପଡ଼ିଲାନି। କାହିଁକି ଏମିତି ହେଲା ସେ ପ୍ରଶ୍ନ ନ ପଚାରି ଶିକ୍ଷକ ଭାବିଲେ କ’ଣ କଲେ ଏହା ଭଲ ହେବ? କ୍ଲାସ୍ ପରୀକ୍ଷା ପୂର୍ବରୁ ସେ ଅଧାପିଲାଙ୍କୁ ଅଙ୍କ ଖାତା ଓ ବହିରେ ଯେଉଁ ସବୁ ଅଙ୍କ ସେମାନେ ପୂର୍ବରୁ କରିଛନ୍ତି ସେ ସବୁ ଦୋହରାଇବାକୁ କହିଲେ ଓ ଅଧେ ପିଲାଙ୍କୁ ଟ୍ରେଡମିଲରେ ଘଣ୍ଟାରେ ୪ ମାଇଲ୍ ଗତିରେ ଦୌଡ଼ିବାକୁ ଅଧଘଣ୍ଟାଏ ପାଇଁ କହିଲେ। ଦୁଇ ଦଳ ଯାକ ପରୀକ୍ଷା ଦେଲେ, ଯେଉଁ ଦଳ ପିଲା ଦୌଡ଼ିଥିଲେ ସେହି ଦଳ ପିଲା ପାଠ ପଢ଼ା ଦଳଠାରୁ ବେଶି ନମ୍ବର ରଖିଲେ। ଆମେରିକା ଓ କାନାଡାର ଏଇ ପରୀକ୍ଷା ଅନ୍ୟ ସ୍କୁଲରେ କରି ସମାନ ଫଳ ମିଳିଲା। ତେଣୁ ସବୁ ସ୍କୁଲରେ ପିଲାଙ୍କର ଖେଳ କ୍ଲାସ୍ ଉପରେ ସ୍କୁଲ୍ କର୍ତ୍ତୃପକ୍ଷ ବେଶି ଗୁରୁତ୍ଵ ଦେଉଛନ୍ତି।

ସ୍ନାୟୁ ବିଜ୍ଞାନୀମାନଙ୍କ ମତରେ ମସ୍ତିଷ୍କକୁ ରକ୍ତ ଚଳାଚଳ ବଢ଼ିଲେ ମଣିଷର ସ୍ମୃତିଶକ୍ତି, ଚିନ୍ତାଶକ୍ତି ଓ ଏକାଗ୍ରତା ବଢ଼େ ଓ ମନର ନିଷ୍କ୍ରିୟ ଓ ନିସ୍ତେଜ ଭାବ କଟିଯାଏ। ତା’ଛଡ଼ା ପିଲାମାନଙ୍କୁ ଭଗବାନ୍ ଏମିତି ଗଢ଼ିଛନ୍ତି ଯେ ସେମାନେ ଧାଇଁଲେ ବା ଦୌଡ଼ିଲେ ସେମାନଙ୍କର ବଳବିକ୍ରମ ବଢ଼େ, ସେମାନେ ଖେଳି କରି ଶିଖନ୍ତି। ମଣିଷ, ସିଂହ, ବାଘ, କୁକୁର ବା ବିଲେଇଛୁଆ ସମସ୍ତେ ଖେଳପଡ଼ିଆରେ ସ୍ଥିର ହୋଇ ଦୀର୍ଘ ସମୟ ପାଇଁ ଗୋଟାଏ ଜାଗାରେ ବସି ରହିବା ପାଇଁ ସେମାନେ ତିଆରି ହୋଇନାହାନ୍ତି।

ଆମ ଦେଶରେ ପଚାଶ ବର୍ଷ ତଳେ ପିଲାଙ୍କର ପାଠପଢ଼ା ଓ ଖେଳ ଉପରେ ବେଶି ଓ କମ୍ ଗୁରୁତ୍ଵ ଦିଆଯାଉଥିଲା। ପାଠଟା ଟିକେ ବେଶି ଓ ଖେଳଟା ଟିକେ କମ୍, ମାତ୍ର ବର୍ତ୍ତମାନ ଯେମିତି ଖେଳ ପାଇଁ ଜମାରୁ ସମୟ ନାହିଁ, ସେମିତି ନଥିଲା। ବର୍ତ୍ତମାନ ଯିଏ ଖେଳୁଛି ସେ କ୍ରିକେଟ୍ କ୍ଲବ୍, ଫୁଟବଲ କ୍ଲବ୍ ଇତ୍ୟାଦି ନିୟମ ଶୃଙ୍ଖଳାରେ ଆବଦ୍ଧ ସଙ୍ଗଠିତ ଖେଳ ଖେଳୁଛି। ଭବିଷ୍ୟତରେ ଜଣାଶୁଣା ସ୍ପୋର୍ଟସମ୍ୟାନ୍ ବା ସ୍ପୋର୍ଟସ ଉଇମ୍ୟାନ୍ ହବା ପାଇଁ, ମୁକ୍ତ ସାବଲୀଳ, ବନ୍ଧନହୀନ ଖେଳ ପାଇଁ ଖେଳପଡ଼ିଆ ପାର୍କ ବା ଛୋଟ ଜାଗା ନାହିଁ କି ସମୟ ନାହିଁ। ଫଳରେ ପିଲାଙ୍କର ଶାରୀରିକ ଓ ମାନସିକ ପୁଷ୍ଟିରେ ବାଧା ହେଉଛି।

୧୨୦ ଜଣ ବିଶେଷଜ୍ଞ ବ୍ରିଟିଶ୍ ସରକାରଙ୍କୁ ଅନୁରୋଧ କରି ପରାମର୍ଶ ଦେଇଛନ୍ତି ଯେ, ପାଞ୍ଚ ବର୍ଷ ବୟସର ପିଲାଙ୍କୁ ସ୍କୁଲରେ ପାଠପଢ଼ା ଆରମ୍ଭ କରିବାର ନୀତି ବଦଳାଇ ସାତ ବର୍ଷ ବୟସରେ ପ୍ରାରମ୍ଭିକ ଶିକ୍ଷା ଆରମ୍ଭ କରାଯାଉ। କାରଣ ସବୁ ପିଲାଙ୍କର ଦେହ ଓ ମନର ପୁଷ୍ଟି ସମାନ ନୁହେଁ। ଅଳ୍ପ କେତେକ ରୁହନ୍ତି ଉପରେ, ଅଧିକାଂଶ ରହନ୍ତି ମଝିରେ ଓ ଅଳ୍ପ କେତେକ ପିଲା ରୁହନ୍ତି ପଛରେ। ମାତ୍ର ସାତ ବର୍ଷ ବେଳକୁ ସେମାନେ ଶୀଘ୍ର ଓ ସହଜରେ ପାଠ ଶିଖିଯାଆନ୍ତି। ମସ୍ତିଷ୍କର ବୃଦ୍ଧି ଓ ପରିପକ୍ଵତା ଅନୁସାରେ ପିଲାର ଶିଖିବାର କ୍ଷମତା ବଢ଼େ ଓ କମେ। ତା’ ଛଡ଼ା ସ୍କୁଲ୍ ପାଠପଢ଼ା ହେଲା ଦଳଗତ ଶିକ୍ଷା କାରଣ ଜଣେ ଶିକ୍ଷକ ତ ଗୋଟିଏ ପିଲାକୁ ପଢ଼ାନ୍ତି ନାହିଁ।

SwasthyaPlus

ଏକାଠି ୩୦ରୁ ୫୦ ଯାକେ ପିଲାଙ୍କୁ ପଢ଼ାନ୍ତି। ତେଣୁ ଅନ୍ୟ ପିଲାଙ୍କ ସହିତ ଏକାଠି ହେଇ ପାଠ ପଢ଼ିବା, ଶିକ୍ଷକଙ୍କ ନିର୍ଦ୍ଦେଶ ଅନୁସାରେ କାମ କରିବା, ଅନ୍ୟମନସ୍କ ନ ହୋଇ ଏକାଗ୍ର ମନରେ ଶୁଣିବା, ଆତ୍ମନିର୍ଭରଶୀଳ ହେଇ ନିଜ ବହି ଖାତା ଓ ଦାୟିତ୍ଵ ନେଇ ଘର  ପାଠ ତୁଲାଇବା ଇତ୍ୟାଦି ସାମାଜିକ ଜ୍ଞାନ ନ ହେବା ଯାକେ ପାଠ ଆରମ୍ଭ କଲେ, ଅନେକ ପିଲା ଶାରୀରିକ ଓ ମାନସିକ ଚାପ ଯୋଗୁଁ ପାଠକୁ ଡରନ୍ତି। ଥରେ ପରୀକ୍ଷା ସରିଲେ, କୌଣସି ବହି ପଢ଼ନ୍ତି ନାହିଁ ଓ ଅନ୍ୟ ପିଲାଙ୍କ ତୁଳନାରେ କ୍ଲାସରେ ଭଲ ନ କଲେ ଶଙ୍କି ଯାଆନ୍ତି, ମନ ମାରି ରୁହନ୍ତି ଓ ନିଜର ଆତ୍ମବିଶ୍ଵାସ ବଢ଼ିବା ଅପେକ୍ଷା କମିଯାଇଥାଏ ଓ ନିଜକୁ ଅପାରଗ ବୋଲି ସେମାନେ ଭାବିଥାନ୍ତି।

ମାନସିକ ସ୍ଵାସ୍ଥ୍ୟ ଭଙ୍ଗୁର ଅବସ୍ଥାରେ ରହିଲେ ଯେକୌଣସି ବାଧାବିଘ୍ନ ପିଲାକୁ ଅଳ୍ପକରେ କାତର କରେ। ମାନସିକ ଚାପ ଯୋଗୁଁ ଯିଏ ପାଠରେ ପାରଙ୍ଗମ ହୋଇ ନ ପାରିଲେ ସେ ଅନ୍ୟ ଦିଗରେ ଅନ୍ୟ ପିଲାଙ୍କୁ ହଇରାଣ କରି, ମାରିପିଟି ଓ ଶିକ୍ଷକଙ୍କୁ ବେଖାତିର କରି ଦାଦାଗିରି ଆରମ୍ଭ କରେ ଓ ବିପଥରେ ଯାଇ ନିଜର ପାରଙ୍ଗମପଣ ସାବ୍ୟସ୍ତ କରେ। ସବୁପ୍ରକାର ଗଣ୍ଡଗୋଳରେ ମିଶି ନେତାଗିରି କରେ। ପ୍ରଫେସର ହୋୟାଲଟ୍ ହେଡଙ୍କ କହିବା କଥା ହେଲା ଯେ କେବଳ ଅଳ୍ପସଂଖ୍ୟକ  ଅତି ବୁଦ୍ଧିମାନ୍ ପିଲାଙ୍କ ପାରିବାପଣ ଅନୁସାରେ ଶିକ୍ଷାନୀତି ଆଧାରିତ କଲେ, ବହୁସଂଖ୍ୟକ ପିଲା ପଛରେ ପଡ଼ିରହିବେ। ତେଣୁ କେବଳ ବଛା ବଛା ପିଲାଙ୍କୁ ଭଲ ସ୍କୁଲରେ ନେଲେ ଓ କେବଳ ସେମାନଙ୍କ ପାଠପଢ଼ା ଉପରେ ଦୃଷ୍ଟି ନ ଦେଲେ, ଅଧିକାଂଶ ପିଲାଙ୍କର କ୍ଷତି ହେବ। ଅପରିଣତ ବୟସରେ ପିଲାଙ୍କୁ ପାଠ ପଢ଼ାଇଲାରୁ ଯିଏ ପଛେଇ ଯାଉଛି, ସିଏ ପରିପକ୍ଵ ବୟସରେ ପିଲାଙ୍କୁ ପଢ଼ା ଆରମ୍ଭ କଲେ ଭଲ ପାଠ ପଢ଼ିବ।

କଥାରେ କୁହନ୍ତି- “କଞ୍ଚା ଆମ୍ବକୁ କ’ଣ ବିଧା ମାରିଲେ ସେ ପାଚିବ, ପାଚିବା ବେଳ ହେଲେ ଯାଇ ଆମ୍ବ ପାଚିବ।’ ଆମେ ବର୍ତ୍ତମାନ କଞ୍ଚା ଆମ୍ବକୁ ବିଧା ମାରି ସହଳ ପାଚିବ ଭାବି କାମ କଲାଭଳି ପିଲାଙ୍କୁ ଅତି ସାନ ବୟସରୁ ପଢ଼ାଉଛୁ, ଯେମିତି ସେ ବର୍ତ୍ତମାନର ପ୍ରତିଯୋଗିତାମୂଳକ ସମାଜରେ ଆଗେଇପାରିବେ, ଆମେ ଦେଖୁଛୁ ଅନେକ ପିଲା ପାଠରେ ଭଲ କଲାରୁ, ଭଲ ଚାକିରିଟିଏ ପାଇ ନିଜର ଆର୍ଥିକ ସ୍ଥିତି ଓ ସାମାଜିକ ପ୍ରତିଷ୍ଠା ଅର୍ଜନ କରିପାରିଛନ୍ତି। ତେଣୁ ବାପା ମାଆ ନିଜ ପେଟରୁ କାଟି ଭଲ ଟିଉସନ୍ ମାଷ୍ଟ୍ର ରଖୁଛନ୍ତି। ଭଲ ସ୍କୁଲରେ ପଢ଼ାଉଛନ୍ତି। ଆଶା ହେଲା ପିଲାଟି ପାରିଗଲେ ଆମ ଦୁଃଖ ଓ ଅଭାବ କମିବ। କଥା ହେଲା ବାପାମାଆଙ୍କର ଆଶା ଆକାଂକ୍ଷା ଯୋଗୁଁ ପିଲା ଉପରେ ଯେତେ ଚାପ ପଡ଼ୁଛି, ପିଲା ତାକୁ ସମ୍ଭାଳି ପାରୁଛି କି ନାହିଁ ଦେଖିବା କଥା।

ଯାହାକୁ ପାଠ ସହଜ ଲାଗିଲା ଓ ଯିଏ ଚାପ ସହିପାରିଲା, ସେଭଳି ପିଲାଙ୍କୁ ଆଗତୁରା ପାଠ ପଢ଼ାଇବା ଭଲ କି ଖରାପ ସେ ବିଷୟରେ ଅଯଥା ଯୁକ୍ତିତର୍କ ନ କରି, ଯେଉଁମାନେ ଦେହ ଓ ମନର ଅପରିଣତ ଅବସ୍ଥା ଯୋଗୁଁ ପାରୁନାହାନ୍ତି, ସେମାନେ କେମିତି ଭଲ କରିବେ ସେ ବିଷୟ ପ୍ରତି ଶିକ୍ଷା ପରିଚାଳକଙ୍କର ଧ୍ୟାନ ଦେବା କଥା। କ’ଣ କଲେ ପିଲା ଶାରୀରିକ ଓ ମାନସିକ ଶକ୍ତିର ସୁଷମ ବୃଦ୍ଧି ହେବ ତା ପ୍ରତି ନଜର ଦେବା କଥା। ଖେଳ, ବ୍ୟାୟାମ, କୁସ୍ତିକସରତ ଯୋଗୁଁ ଶରୀର ତେଜ, ବଳ  ଓ ସାମର୍ଥ୍ୟ ବଢ଼େ ବୋଲି ସମସ୍ତେ ଜାଣନ୍ତି। କିନ୍ତୁ ଖେଳ ଦ୍ଵାରା ଯେ ମାନସିକ କ୍ଷମତା ବଢ଼େ ଓ ପିଲା ଖେଳ ମାଧ୍ୟମରେ ନିୟମ ଶୃଙ୍ଖଳା ଶିଖନ୍ତି, ଭାବିଚିନ୍ତି କାମ କରନ୍ତି, ହାରିଗଲେ  ନିଜର ରାଗ ଓ କ୍ଷୋଭ ଦମନ କରିବାକୁ ଶିଖନ୍ତି ଓ ପ୍ରତିଦ୍ଵନ୍ଦ୍ଵୀ ସହିତ ଭଦ୍ର ବ୍ୟବହାର  କରିବାକୁ ଶିଖନ୍ତି ଓ ବଡ଼ କଥା ହେଲା ନିଜ ଦଳ ସହିତ ପ୍ରତିଯୋଗିତା କରି ଅନ୍ୟ ଦଳ ସହିତ ପ୍ରତିଯୋଗିତା କରନ୍ତି ଏସବୁ ବିଷୟ ଆମେ ଜାଣୁ, ମାତ୍ର ଏ ସବୁ ଶିକ୍ଷା ଉପରେ ଆମେ ଗୁରୁତ୍ଵ ଦେଉନା। ପାଠଟା ଆଗ। ଦରକାର ପଡ଼ିଲେ ପିଲା ଆପେ ଆପେ ଏସବୁ ଶିଖିଯିବ। ତେଣୁ ଆମ ପିଲାଙ୍କ ଜୀବନରେ ପାଠ ଓ ଖେଳର ସହାବସ୍ଥାନ ନାହିଁ। ପିଲାଙ୍କ ପାଇଁ ଉପଦେଶ ହେଲା-‘ଖେଳ ଛାଡ଼, ପାଠ ପଢ଼’। ଯଦି ଖେଳିବ ତାହାହେଲେ ସଚିନ୍ ତେନ୍ଦୁଲକର ପରି ହେବ।

ଏଇ ପ୍ରସଙ୍ଗରେ ପେସାଦାରୀ ଖେଳ ଓ ପିଲାଙ୍କର ସ୍ଵତଃସ୍ଫୁର୍ତ୍ତ ସାବଲୀଳ ଖେଳ ସହିତ ଯେଉଁ ତୁଳନାତ୍ମକ ଗବେଷଣା ହେଉଛି ସେ ବିଷୟରେ କହୁଛି।

ଏବେକାର ପିଲାଙ୍କର ଖେଳ ସାଧାରଣତଃ ତିନି ପ୍ରକାରର-

  • ୧- ଭିଡ଼ିଓ ଗେମ୍, ଲୁଡୋ, କ୍ୟାରମ୍, ତାସ୍ ଇତ୍ୟାଦି  ପିଲା ଗୋଟାଏ ଜାଗାରେ ବସି ଖେଳନ୍ତି।
  • ୨. ପିଲା କବାଡ଼ି, ଫୁଟବଲ, କ୍ରିକେଟ୍, ଭଲିବଲ ପରି ଖେଳ ଖେଳୁଥିଲେ ଦୌଡ଼ାଦୌଡ଼ି କରି ପେଲାପେଲି ହେଇ ଖେଳନ୍ତି। ଅନେକ ବ୍ୟାୟାମ ଓ କୁସ୍ତି କସରତ କରନ୍ତି।
  • ୩. ପିଲା ମନଗଢ଼ା ଖେଳ ଘର ବାହାରେ, ଗାଆଁ ପଡ଼ିଆରେ ବା ବରଗଛ ମୂଳେ କିମ୍ବା ଧାନଖଳାରେ ଖେଳନ୍ତି। ସେମାନେ ଖେଳର ନିୟମ ସ୍ଥିର କରନ୍ତି, ନିୟମ ବଦଳାନ୍ତି ଅନ୍ୟ ଖେଳୁଆଡମାନଙ୍କ ମନ ନେବାପାଇଁ, ଜିତିଲେ ବା ହାରିଲେ ସାମୟିକ ଭାବରେ ଖୁସି ହୁଅନ୍ତି କିମ୍ବା ମନଦୁଃଖ କରନ୍ତି, ମାତ୍ର ରାଗ ରଖି ଶତ୍ରୁତା କରନ୍ତି ନାହିଁ। ପୁଣି ସାଙ୍ଗ ହୁଅନ୍ତି। ପୁଣି ହୋହା ହୋଇ ଉଦବାର୍ଯ୍ୟ ହେଇ ଖେଳନ୍ତି।

ଏହିଭଳି ସ୍ଵତଃପ୍ରବୃତ୍ତ ଉଦ୍ଦାମ ଖେଳ ଖେଳି ଯେଉଁମାନେ ବଢ଼ିଛନ୍ତି ସେମାନଙ୍କର ମସ୍ତିଷ୍କର ପୁଷ୍ଟି କେବଳ ବସିକରି ଖେଳୁଥିବା ପିଲାଙ୍କ ତୁଳନାରେ ବେଶି ଭଲ ହେଉଛି। ଯେଉଁମାନେ ନିୟମ ଶୃଙ୍ଖଳା ଅନୁସାରେ ବଡ଼ମାନଙ୍କର ତଦାରଖରେ ଦୌଡ଼ିଧାଇଁ ଖେଳୁଛନ୍ତି ସେମାନେ ମଧ୍ୟ ମସ୍ତିଷ୍କର ପୁଷ୍ଟି ଓ ବୃଦ୍ଧି ଯୋଗୁଁ ଉପକୃତ ହେଉଛନ୍ତି।

ଯେଉଁମାନେ କେବଳ ପିଲାଦିନରୁ ବସିକରି ଖେଳୁଛନ୍ତି, ସେମାନେ ଖେଳକୌଶଳ ଭଲ ଶିଖୁଛନ୍ତି ଓ ଖେଳ ଅନୁସାରେ  ଦକ୍ଷତା ହାସଲ କରୁଛନ୍ତି, ମାତ୍ର ମସ୍ତିଷ୍କର ବୁଦ୍ଧି ଓ ପୁଷ୍ଟି ବ୍ୟାହତ ହେଉଛି। କାରଣ ମସ୍ତିଷ୍କର ବୃଦ୍ଧି ସମ୍ପୂର୍ଣ୍ଣ ନ ହେବା ପୂର୍ବରୁ ଏସବୁ ଖେଳ ଖେଳି ବଡ଼ପିଲାମାନେ ଯେତେ ଲାଭ ପାଆନ୍ତି, ସେମାନେ ସେତେ ଲାଭ ପାଉନାହାନ୍ତି। ଏସବୁ ଖେଳ ହେଲା ବୁଦ୍ଧିର ଖେଳ ଓ ବୁଦ୍ଧି ବହୁ ଅଂଶରେ ମସ୍ତିଷ୍କର ପୁଷ୍ଟି ଓ ବୃଦ୍ଧି ଉପରେ ନିର୍ଭର କରେ। ୪ ମାସର ପିଲା ହାଡ କଅଁଳ ଥିବାରୁ ସେ ଚାଲିପାରେ ନାହିଁ। ମାତ୍ର ବର୍ଷ ପୂରିଲା ବେଳକୁ ଚାଲିବା ଆରମ୍ଭ କରେ। ହାଡ ଟାଣ ନ ହେଲେ ଯେମିତି ପିଲା ଚାଲିପାରେ ନାହିଁ, ସେମିତି ମୁଣ୍ଡ ଟାଣ ହେଲା ପୂର୍ବରୁ ତାକୁ ବୁଦ୍ଧିର ଖେଳ ଶିଖାଇଲେ, କି ପଣକିଆ ଘୋଷାଇଲେ, ସେ କହିପାରିବ କିନ୍ତୁ ବୁଝିପାରିବ ନାହିଁ।

ଆର କଥା ହେଲା ପିଲାଙ୍କର କଳ୍ପନାଶକ୍ତି ନୂଆ ପ୍ରକାର ଖେଳ ଭାବି ଖେଳିଲେ ବଢ଼େ। ସୃଜନ ଶକ୍ତି ଓ ଉଦ୍ଭାବନ ଶକ୍ତିର ମୂଳ ହେଲା କଳ୍ପନାଶକ୍ତି। ଏକ ସମୟରେ ମହାକାଶରେ ଯିବା ଆସିବା କରିବାଟା ମଣିଷର କଳ୍ପନାରେ ଥିଲା। ଦୂରଦେଶରେ କ’ଣ ହେଉଛି ସେକଥା ବର୍ତ୍ତମାନ ଆମେ ଟେଲିଭିଜନରେ ଦେଖୁଛେ ମାତ୍ର ଆମେ ଜେଜେବାପା ଓ ଜେଜେମା’ଙ୍କ ଅମଳରେ ଏଭଳି ଯନ୍ତ୍ର ସମ୍ଭାବନା କେବଳ କଳ୍ପନାରେ ଥିଲା। କାଳ୍ପନିକ ବସ୍ତୁକୁ ଆକାର ଦେଇ ଯନ୍ତ୍ରରେ ପରିଣତ କରିବାଟା ଆମ ଯୁଗର ଗୋଟାଏ ବଡ଼କଥା। ଯାହା କେବେ ନଥିଲା, ସେ କଥା କଳ୍ପନା କରିନପାରିଲେ ତାକୁ ବାସ୍ତବ ରୂପ ଦେବା ସମ୍ଭବ ନୁହେଁ। ତେଣୁ ବୈଜ୍ଞାନିକ, ଇଞ୍ଜିନିୟର, ବିଶେଷଜ୍ଞ, କଳାକାର ଏ ସମସ୍ତଙ୍କର ପ୍ରଖର କଳ୍ପନାଶକ୍ତି ଦରକାର। ଆମେ ବୁଦ୍ଧି ଓ ଶିଖିବା ଶକ୍ତି ଉପରେ ବେଶି  ଗୁରୁତ୍ଵ ଦେଉ ଓ ପିଲାର କଳ୍ପନା ବା ଚିନ୍ତା ଶକ୍ତିର ବୃଦ୍ଧି କ’ଣ କଲେ ହେବ ସେକଥା ସେତେ ଭାବୁନା। ପିଲାଙ୍କର ଖେଳ ପାଠ ପରି ଚିନ୍ତାଶକ୍ତି ଓ କଳ୍ପନାଶକ୍ତି ବଢ଼ାଏ।

ପିଲା ଖେଳ ମାଧ୍ୟମରେ ନିୟମ ଶୃଙ୍ଖଳାର ପ୍ରୟୋଜନ ନିଜେ ହୃଦୟଙ୍ଗମ କରନ୍ତି, ଲୋକ ସମ୍ପର୍କ ଶିଖନ୍ତି, ବିଚାର କରି କାର୍ଯ୍ୟପନ୍ଥା ସ୍ଥିର କରନ୍ତି ଓ ଏକୁଟିଆବାଆଁରା ହେଇ ବଢ଼ନ୍ତି ନାହିଁ। ଯିଏ ଗୋଟିକିଆ ପିଲା, ସେ ଅନ୍ୟମାନଙ୍କ ସହିତ ଖେଳି ଅନ୍ୟ ସାଙ୍ଗରେ ଚଳିବାକୁ ଶିଖେ। ଏଥିପାଇଁ ପିଲାଙ୍କର ପାଠପଢ଼ା ବୟସରେ ଓ ବଢ଼ିବା ବୟସରେ ଖେଳକୁ ଗୁରୁତ୍ଵ ଦେଲେ ପିଲାର ସୁଷମ ବୃଦ୍ଧି ହେବ।

ଆମ ଦେଶରେ ଭଲ ସ୍କୁଲରେ ପିଲାଙ୍କ ପାଇଁ ଜିମ୍ ବା ଖେଳଘର ଅଛି, ଖେଳପଡ଼ିଆ ଅଛି ଓ ଖେଳଶିକ୍ଷକ ମଧ୍ୟ ଅଛନ୍ତି। ତେଣୁ ଏଇ ଆଦର୍ଶ ଅନୁସରଣ କରି ଖେଳର ପ୍ରସାର ପାଇଁ ଶିକ୍ଷାବିତ୍ ଓ ଅଭିଭାବକମାନେ ତତ୍ପର ହେଲେ ପିଲାଙ୍କର ଭଲ ହେବ।

(ଗୀତା ଦାସ ଜଣେ ଜଣାଶୁଣା ମନୋବିଜ୍ଞାନୀ ଓ ଲେଖିକା। ଦୀର୍ଘ ବର୍ଷରୁ ସେ କାନାଡାର ଆଲବର୍ଟା ସହରରେ ରହୁଛନ୍ତି। ତାଙ୍କର ବିଭିନ୍ନ ଓଡ଼ିଆ ବହି ଭିତରେ ‘ଆଜିର ଶିଶୁ କାଲିର ମଣିଷ’ ଏକ ଲୋକପ୍ରିୟ କୃତି।)