ରୁଟ୍ କେନାଲ କେତେବେଳେ ଦରକାର ପଡ଼େ? କେମିତି ହୁଏ ରୁଟ୍ କେନାଲ? ଏନେଇ ବିଶିଷ୍ଟ ଦନ୍ତରୋଗ ବିଶେଷଜ୍ଞ ଡାକ୍ତର ରୋସଞ୍ଜୟ ପଟ୍ଟନାୟକ କ’ଣ କହୁଛନ୍ତି, ଆସନ୍ତୁ ଜାଣିବା।
- ରୁଟ୍ କେନାଲ କ’ଣ?
- କେତେବେଳେ ଦରକାର ପଡ଼େ ରୁଟ୍ କେନାଲ?
- ରୁଟ୍ କେନାଲ କାହିଁକି କରିବେ?
- କେମିତି ହୁଏ ରୁଟ୍ କେନାଲ?
- ଡାକ୍ତରଙ୍କ ପାଖକୁ କେତେଥର ଯିବାକୁ ପଡ଼େ?
- ରୁଟ୍ କେନାଲ ଯନ୍ତ୍ରଣାଦାୟକ କି?
- ରୁଟ୍ କେନାଲର ପାର୍ଶ୍ୱ ପ୍ରତିକ୍ରିୟା ଥାଏ କି?
ରୁଟ୍ କେନାଲ କ’ଣ ? (What is a Root Canal in Odia)
ତିନୋଟି ସ୍ତରକୁ ନେଇ ଦାନ୍ତ ତିଆରି ହୋଇଛି। ପ୍ରଥମ ସ୍ତର ହେଉଛି ଏନାମେଲ, ଦ୍ୱିତୀୟ ସ୍ତର ହେଉଛି ଡେଣ୍ଟିନ୍ ଓ ତୃତୀୟ ହେଉଛି ପଲ୍ପ। ପଲ୍ପରେ ସଂକ୍ରମଣ ହେଲେ ତାକୁ କାଢ଼ିବାକୁ ପଡ଼ିଥାଏ, ଯାହାକୁ ରୁଟ୍ କେନାଲ କୁହାଯାଏ। ସମସ୍ତ ଦାନ୍ତକୁ ବିଭିନ୍ନ କେନାଲ ଯାଇଛି। କେଉଁ ଦାନ୍ତରେ ଗୋଟିଏ କେନାଲ ଯାଇଥାଏ ତ କେଉଁ ଦାନ୍ତରେ ଦୁଇଟି ବା ତିନୋଟି କେନାଲ ଯାଇଥାଏ। ଯେତେବେଳେ ଦାନ୍ତକୁ ଯାଇଥିବା କେନାଲକୁ ବାହାର କରାଯାଏ, ସେହି ପଦ୍ଧତିକୁ ରୁଟ୍ କେନାଲ କୁହାଯାଏ।
କେତେବେଳେ ଦରକାର ପଡ଼େ ରୁଟ୍ କେନାଲ? (When do you need a root canal in Odia)
ଦାନ୍ତର ଏନାମେଲ ସ୍ତର, ଡେଣ୍ଟିନ୍ ସ୍ତର ଏବଂ ପଲ୍ପ ସ୍ତର ସଂକ୍ରମଣ ହେଲେ ଦାନ୍ତ ବିନ୍ଧା ହୋଇଥାଏ। ଫଳରେ ଦାନ୍ତ ସମ୍ବେଦନଶୀଳ ହୋଇପଡ଼େ, ଥଣ୍ଡା କିମ୍ବା ଗରମ ଖାଇଲେ ଦାନ୍ତକୁ ଚାଏଁ ଚାଏଁ ଲାଗିବା ଭଳି ଅନୁଭବ ହୁଏ। ଏଥିରୁ ଦାନ୍ତକୁ ରକ୍ଷା କରିବା ପାଇଁ ରୁଟ୍ କେନାଲର ଆବଶ୍ୟକତା ପଡ଼ିଥାଏ।
ଅଧିକ ପଢ଼ନ୍ତୁ: ଦାନ୍ତରେ କ୍ଲିପ ଲଗାଇବା କେତେ ସୁରକ୍ଷିତ?
ରୁଟ୍ କେନାଲ କାହିଁକି କରିବେ? (Why do root canals in Odia)
ରୁଟ୍ କେନାଲ କରିବା ନିହାତି ଦରକାର। କାରଣ ଏହାଦ୍ୱାରା ଦାନ୍ତ ନଷ୍ଟ ହେବାରୁ ରକ୍ଷା ପାଇଥାଏ। ଫଳରେ ବ୍ୟକ୍ତି ସହଜରେ ଖାଇପାରିବେ। ପୂର୍ବରୁ ରୁଟ୍ କେନାଲ ଚିକିତ୍ସା ନଥିଲା, ଫଳରେ ଦାନ୍ତକୁ ଓପାଡ଼ି ଦିଆଯାଉଥିଲା, ଯାହା ଫଳରେ ବ୍ୟକ୍ତିଙ୍କୁ ଖାଇବାରେ ଅସୁବିଧା ହେଉଥିଲା। କିନ୍ତୁ, ବର୍ତ୍ତମାନ ରୁଟ୍ କେନାଲ କରିବା ଯୋଗୁଁ ଦାନ୍ତ ଅଧିକ ବୟସ ଯାଏଁ ସୁରକ୍ଷିତ ହୋଇ ରହିପାରୁଛି, ଫଳରେ ବ୍ୟକ୍ତି ଭଲ ଭାବରେ ଖାଇବା ପିଇବା କରିପାରନ୍ତି।
କେମିତି ହୁଏ ରୁଟ୍ କେନାଲ? (How root canal takes place in Odia)
ରୁଟ୍ କେନାଲ କରିବା ପୂର୍ବରୁ ପ୍ରଥମେ ଆନାସ୍ଥେସିଆ ଦିଆଯାଏ। ଏହାପରେ ରୁଟ୍ କେନାଲ ଫାଇଲ୍ସକୁ ବ୍ୟବହାର କରି ଦାନ୍ତର ସ୍ନାୟୁକୁ କାଢ଼ିଦେଉ। ଏହାପରେ ସେହି ସ୍ଥାନକୁ ପାଣିରେ ଭଲ ଭାବରେ ଧୋଇଥାଉ। ଯଦି ସଠିକ ଭାବରେ ଧୁଆ ନଯାଏ ତେବେ ସ୍ନାୟୁ ଦାନ୍ତରେ ରହି ପୁଣି ଦାନ୍ତକୁ ସଂକ୍ରମଣ କରିଦେଇପାରେ। ଏହି ପଦ୍ଧତି ସରିବା ପରେ କେନାଲକୁ ବନ୍ଦ କରି କ୍ୟାପିଙ୍ଗ କରାଯାଇଥାଏ। କ୍ୟାପ୍ କରିବା ଦ୍ୱାରା ଦାନ୍ତରେ ଖାଦ୍ୟ ଚୋବାଇଲେ ବି ଦାନ୍ତ ମୂଳରେ ଚାପ ପଡ଼େ ନାହିଁ। ଯାହା ଦ୍ୱାରା ଖାଇବା ପିଇବାରେ ଅସୁବିଧା ହୁଏ ନାହିଁ।
ଡାକ୍ତରଙ୍କ ପାଖକୁ କେତେ ଥର ଯିବାକୁ ପଡ଼େ? (How often do I have to go to the doctor in Odia)
ରୁଟ୍ କେନାଲ କରିବା ପରେ ଯଦି ଦାନ୍ତରେ ପୂଜ ବା ଅନ୍ୟ କୌଣସି ସଂକ୍ରମଣ ନାହିଁ ତେବେ ଗୋଟିଏ ବା ଦୁଇଥର ଆସିଲେ ରୁଟ୍ କେନାଲ ହୋଇଯାଇଥାଏ। କିନ୍ତୁ ଯଦି ରୋଗୀଙ୍କର ଦାନ୍ତ ତଳେ ପୂଜ ରହେ, ତା’ହେଲେ ୩ରୁ ୪ଥର ଡାକ୍ତରଖାନାକୁ ଆସିବାକୁ ପଡ଼େ।
ଅଧିକ ପଢ଼ନ୍ତୁ: କିପରି ନେବେ ଛୋଟ ପିଲାଙ୍କ ଦାନ୍ତର ଯତ୍ନ?
ରୁଟ୍ କେନାଲ ଯନ୍ତ୍ରଣାଦାୟକ କି? (Is root canal painful in Odia)
କେତେକ ଲୋକ କହନ୍ତି ଯେ, ରୁଟ୍ କେନାଲ କରିବା ଦ୍ୱାରା ଅଧିକ ଯନ୍ତ୍ରଣା ହୋଇଥାଏ। କିନ୍ତୁ ଯଦି ସଠିକ ଭାବରେ ଆନାସ୍ଥେସିଆ ଦିଆଯାଏ ତେବେ ଅଧିକ ଯନ୍ତ୍ରଣା ହୁଏ ନାହିଁ। ରୁଟ୍ କେନାଲ କରିବା ପରେ ସ୍ୱଳ୍ପ ମାତ୍ରାରେ ଯନ୍ତ୍ରଣା ହୋଇଥାଏ। ଯେଉଁଥିପାଇଁ ଡାକ୍ତର ପେନ୍ କିଲର ଦେଇଥା’ନ୍ତି।
ରୁଟ୍ କେନାଲର ପାର୍ଶ୍ୱପ୍ରତିକ୍ରିୟା ଅଛି କି? (Are there any side effects of root canals in Odia)
ରୁଟ୍ କେନାଲର ପାର୍ଶ୍ୱପ୍ରତିକ୍ରିୟା ବହୁତ କମ୍। ଯଦି ରୁଟ୍ କେନାଲ କରିବା ବେଳେ ଭଲଭାବରେ ଧୁଆ ହେଇନଥିବ ବା କିଛି ସ୍ନାୟୁ ଦାନ୍ତରେ ଅଟକି ରହିଥିବ ତାହା ହେଲେ ପୂଜ ବାହାରିଥାଏ।
ଏହାଛଡ଼ା ରୁଟ୍ କେନାଲ ହେବା ପରେ ବହୁତ ବ୍ୟକ୍ତି ବିନା କ୍ୟାପ୍ରେ ରହିଯାଆନ୍ତି, ଯାହା ଫଳରେ ଦାନ୍ତ ଭାଙ୍ଗି ଯିବାର ସମ୍ଭାବନା ମଧ୍ୟ ରହିଥାଏ।
ସୁସ୍ଥ ଦାନ୍ତ ପାଇଁ ବର୍ଷକୁ ଥରେ ଯେକୌଣସି ଦନ୍ତ ବିଶେଷଜ୍ଞଙ୍କୁ ଦେଖାନ୍ତୁ।
(ସ୍ୱାସ୍ଥ୍ୟ ଓ ଜୀବନଶୈଳୀ ଉପରେ ଆଧାରିତ ଓଡ଼ିଆ ଡିଜିଟାଲ୍ ପ୍ଲାଟଫର୍ମ ‘ସ୍ୱାସ୍ଥ୍ୟ ପ୍ଲସ୍’ ସହିତ ଡାକ୍ତର ରୋସଞ୍ଜୟ ପଟ୍ଟନାୟକଙ୍କ ସ୍ୱତନ୍ତ୍ର ସାକ୍ଷାତକାରକୁ ନେଇ ପ୍ରସ୍ତୁତ।)
Note: This information on Root Canal Treatment, in Odia language, is based on an extensive interview with Dental Surgeon Dr Rosanjaya Pattnaik.