ଡେଙ୍ଗୁ ହେଉଛି ଭୂତାଣୁଜନିତ ରୋଗ ଯାହା ଏଡିସ୍ ମଶା କାମୁଡ଼ିବା ଦ୍ୱାରା ହୋଇଥାଏ। ତେବେ ଡେଙ୍ଗୁ ରୋଗର ଲକ୍ଷଣ କ’ଣ? ଡେଙ୍ଗୁ ହେଲେ କ’ଣ କ’ଣ ଜଟିଳତା ଦେଖାଦିଏ? ଏନେଇ ଭେଷଜ ବିଶେଷଜ୍ଞ ଡାକ୍ତର ସମୀର ରଞ୍ଜନ ଜେନା କ’ଣ କହୁଛନ୍ତି, ଜାଣନ୍ତୁ।

ସାଧାରଣତଃ ଏଡିସ୍‌ ମଶାମାନେ ସ୍ଥିର ପାଣିରେ ବସବାସ କରନ୍ତି। ପାଣି ଜମିଥିବା ଜାଗାରେ ଏହି ମଶାମାନେ ରହନ୍ତି।

ଡେଙ୍ଗୁ ଜ୍ୱର ହେବାର କାରଣ କ’ଣ? (Causes of dengue fever in Odia)

ଡେଙ୍ଗୁ ଭୂତାଣୁ ଦ୍ୱାରା ଡେଙ୍ଗୁ ଜ୍ୱର ହୋଇଥାଏ। ଡେଙ୍ଗୁ ଭୂତାଣୁ ୪ ପ୍ରକାର। ଡେନ୍‌-୧, ୨, ୩ ଏବଂ ୪ ଦ୍ୱାରା ମାଇଗ୍ରେନ୍‌ ହୋଇଥାଏ। ଏହି ଭୂତାଣୁ ମଣିଷ ଶରୀରରେ ପ୍ରବେଶ କରି ତା’ର କ୍ୟାପିଲାରି, ପ୍ଲେଟ୍‌ଲେଟ୍‌କୁ ପ୍ରଭାବିତ କରିଥାଏ, ଫଳରେ ବ୍ୟକ୍ତିଙ୍କୁ ଡେଙ୍ଗୁ ଜ୍ୱର ହୋଇଥାଏ।

ଅଧିକ ପଢ଼ନ୍ତୁ: ଲକ୍ଷଣରୁ ଜାଣନ୍ତୁ ମ୍ୟାଲେରିଆ ବିଷୟରେ

ଡେଙ୍ଗୁ ଜ୍ୱରର ଲକ୍ଷଣ (What are the symptoms of dengue fever in Odia)

ଅନ୍ୟ ଭାଇରାଲ ଜ୍ୱର ଭଳି ଡେଙ୍ଗୁ ଜ୍ୱର ହେଲେ ମଧ୍ୟ ସମାନ ଲକ୍ଷଣ ଦେଖାଦିଏ। ଯେପରିକି ଜ୍ୱର ହେବା, ଦେହ ହାତ ବଥା ଲାଗିବା, ଆଖି ପୋଡ଼ିବା, ମୁଣ୍ଡ ବିନ୍ଧା ହେବା, ଝାଡ଼ା ହେବା। କେତେକ କ୍ଷେତ୍ରରେ ଦେହ ହାତ ଅଧିକ ମାତ୍ରାରେ ଘୋଳାବିନ୍ଧା ହୁଏ, ନାଲି ନାଲି ଛାଲ ଭଳି ପଡ଼ିଯାଏ।

ଡେଙ୍ଗୁ ଚିହ୍ନିବା ପାଇଁ ପରୀକ୍ଷା (Dengue fever test in Odia)

ଡେଙ୍ଗୁର ଲକ୍ଷଣମାନ ଦେଖାଦେଉଥିଲେ ରାପିଡ୍‌ ଡେଙ୍ଗୁ କିଟ୍‌ଟେଷ୍ଟ କରାଯାଏ। ଏହି ଟେଷ୍ଟ ଦ୍ୱାରା ବହୁତ ସ୍ଵଳ୍ପ ସମୟ ଭିତରେ ଡେଙ୍ଗୁ ହୋଇଛି କି ନାହିଁ ତାହା ଜଣାପଡ଼େ। ଏହି ଜ୍ଵର ହେଲେ ରକ୍ତରେ ପ୍ଲେଟ୍‌ଲେଟ୍‌, ଡବ୍ଲ୍ୟୁବିସି କମିଯାଏ।

ଡେଙ୍ଗୁ ଜ୍ୱରର ଚିକିତ୍ସା (Treatment of dengue fever in Odia)

ରୋଗୀର ଯେଉଁସବୁ ଲକ୍ଷଣ ଦେଖାଦିଏ, ସେହି ଅନୁସାରେ ଏହାର ଚିକିତ୍ସା କରାଯାଏ। ଡେଙ୍ଗୁ ଜ୍ୱର ହୋଇଥିଲେ ରୋଗୀକୁ ବହୁତ ଦୁର୍ବଳ ଅନୁଭୂତ ହୋଇଥାଏ, ତେଣୁ ରୋଗୀଙ୍କୁ ବିଶ୍ରାମ ନେବା ସହ ପ୍ରଚୁର ପରିମାଣର ପାଣି ପିଇବାକୁ ପରାମର୍ଶ ଦିଆଯାଏ। ଯେଉଁ ରୋଗୀମାନେ ପାଣି ପିଇପାରୁ ନାହାନ୍ତି କିମ୍ବା ପାଣି ପିଇଲେ ବାନ୍ତି ହୋଇଯାଉଛି, ସେମାନଙ୍କୁ ହସ୍ପିଟାଲରେ ଆଡମିଟ୍‌ କରି ଆଇଭି ଫ୍ଲୁଇଡ୍‌ ଦିଆଯାଏ।

ଯେଉଁ ଡେଙ୍ଗୁ ରୋଗୀମାନଙ୍କୁ ବହୁତ ଜ୍ୱର ଆସେ ଓ ମୁଣ୍ଡ ବିନ୍ଧା ହୁଏ, ସେମାନଙ୍କୁ ଦେହ ହାତ ପୋଛା ପୋଛି କରିବାକୁ କୁହାଯାଏ, ତାସହ କେତେକ ଔଷଧ ଖାଇବାକୁ ପରାମର୍ଶ ଦିଆଯାଏ। କେତେକ ଲୋକ ଡେଙ୍ଗୁ ଜ୍ୱର ହେଲେ ପାଖ ମେଡିସିନ୍‌ ଷ୍ଟୋର ଯାଇ ମେଡିସିନ୍‌ କିଣି ଖାଇଦିଅନ୍ତି। କିନ୍ତୁ, ଏସବୁ ମେଡିସିନ୍‌ ଖାଇବା କ୍ଷତିକାରକ।

ଅଧିକାଂଶ ଲୋକଙ୍କର ଧାରଣା ଅଛି ଯେ, ଡେଙ୍ଗୁ ରୋଗୀଙ୍କୁ ପ୍ଲେଟ୍‌ଲେଟ୍‌ ଦିଆଯାଏ। ହେଲେ, ସମସ୍ତ ଡେଙ୍ଗୁ ରୋଗୀଙ୍କୁ ପ୍ଲେଟ୍‌ଲେଟ୍‌ ଦିଆଯାଏ ନାହିଁ। ରୋଗୀଙ୍କର ଅବସ୍ଥା ଦେଖି ପ୍ଲେଟ୍‌ଲେଟ୍‌ ଦିଆଯାଇଥାଏ।

ଅଧିକ ପଢ଼ନ୍ତୁ: ଡେଙ୍ଗୁର ଲକ୍ଷଣ ଦେଖାଦେଲେ ସରକାରୀ ଡାକ୍ତରଖାନାରେ କରନ୍ତୁ ପରୀକ୍ଷା

ଡେଙ୍ଗୁ ରୋଗର ଜଟିଳତା (Dengue fever risks and complications in Odia)

ସାଧାରଣତଃ ଡେଙ୍ଗୁ ଜ୍ୱର ୩ରୁ ୪ ଦିନ ଧରି ଲାଗି ରହେ। ଜ୍ୱର ଛାଡ଼ିଗଲେ ଜଟିଳତା ସବୁ ଆରମ୍ଭ ହୁଏ, ଯେପରିକି ଶରୀରରେ ପ୍ଲେଟ୍‌ଲେଟ୍‌ କମିବା ଆରମ୍ଭ ହୁଏ, ଶରୀରର ବିଭିନ୍ନ ଅଙ୍ଗ ପ୍ରତ୍ୟେଙ୍ଗରେ ପାଣି ଜମିଯାଏ।

ଡେଙ୍ଗୁ ରୋଗୀଙ୍କୁ ସୁସ୍ଥ ହେବା ପାଇଁ ୭ରୁ ୧୦ ଦିନ ସମୟ ଲାଗିଥାଏ।

୧୦୦ରୁ ୮୫ ପ୍ରତିଶତ ଡେଙ୍ଗୁ ରୋଗୀଙ୍କର କୌଣସି ଜଟିଳତା ଦେଖାଦେଇ ନଥାଏ। ସାଧାରଣ ଚିକିତ୍ସା ପଦ୍ଧତିରେ ସେମାନେ ଭଲ ହୋଇଯାଇଥା’ନ୍ତି। ବାକି ୧୫ ପ୍ରତିଶତ ରୋଗୀଙ୍କଠାରେ ଡେଙ୍ଗୁ ହେମୋରେଜିକ୍‌ ଫିଭର ହୋଇପାରେ।

ଡେଙ୍ଗୁକୁ କିପରି ରୋକିବା (How to prevent dengue in Odia)

ସାଧାରଣତଃ ଏଡିସ୍‌ ମଶା ଦିନ ବେଳେ କାମୁଡ଼ିଥା’ନ୍ତି। ଏହି ମଶାମାନେ ସ୍ଥିର ପାଣିରେ ବଂଶବିସ୍ତାର କରିଥାଆନ୍ତି। ଏହି ମଶାଗୁଡ଼ିକ ମଧ୍ୟାହ୍ନ ୨ଟା ବା ୩ଟା ବେଳେ କାମୁଡ଼ିଥା’ନ୍ତି। ତେଣୁ ନିଜ ଆଖପାଖ ଅଞ୍ଚଳ ସଫା କରିବା, ବାହାରକୁ ଗଲା ବେଳେ ଫୁଲହାତ ପୋଷାକ ପିନ୍ଧିବା ଏବଂ ମଶାରୀ ଟାଣି ଶୋଇବା ଜରୁରୀ।

(ସ୍ୱାସ୍ଥ୍ୟ ଓ ଜୀବନଶୈଳୀ ଉପରେ ଆଧାରିତ ଓଡ଼ିଆ ଡିଜିଟାଲ୍‌ ପ୍ଲାଟଫର୍ମ ‘ସ୍ୱାସ୍ଥ୍ୟ ପ୍ଲସ୍’ ସହିତ ଡାକ୍ତର ସମୀର ରଞ୍ଜନ ଜେନାଙ୍କ ସ୍ୱତନ୍ତ୍ର ସାକ୍ଷାତକାରକୁ ନେଇ ପ୍ରସ୍ତୁତ।)

Note: This information on Dengue, in Odia language, is based on an extensive interview with Medicine Specialist Dr Samir Ranjan Jena.