ସାଧାରଣତଃ କୌଣସି ବ୍ୟକ୍ତିଙ୍କ ନିକଟରେ ଷ୍ଟ୍ରୋକର ଲକ୍ଷଣ ଦେଖାଗଲେ ପରିବାର ଲୋକ ତାଙ୍କୁ ତୁରନ୍ତ ଡାକ୍ତରଙ୍କ ପାଖକୁ ନେଇଥାନ୍ତି। କିନ୍ତୁ ସାଇଲେଣ୍ଟ ଷ୍ଟ୍ରୋକରେ ଏପରି ହୋଇନଥାଏ। ଏହି ସମୟରେ ସେପରି କିଛି ବଡ଼ ଧରଣର ଲକ୍ଷଣ ଦେଖାଯାଉଥିବାରୁ ଏହା ଅଧିକ ଘାତକ ହୋଇଥାଏ।
ସାଇଲେଣ୍ଟ ଷ୍ଟ୍ରୋକ୍ ମସ୍ତିଷ୍କର ଏକ ଛୋଟ ଅଂଶକୁ ପ୍ରଭାବିତ କରିଥାଏ ଯାହାଦ୍ୱାରାକି ସେହି ସ୍ଥାନର କୋଷିକାଗୁଡ଼ିକ କାମ କରିବା ବନ୍ଦ କରିଦିଏ। ଏହାଯୋଗୁ ବ୍ୟକ୍ତିଜଣକ ସ୍ମୃତିଶକ୍ତି ହରାଇବାର ଆଶଙ୍କା ଥାଏ। ସେ ଚାଲବୁଲ କରିବାରେ ସମସ୍ୟା ଭୋଗିଥାନ୍ତି। କେବଳ ସେତିକି ନୁହେଁ, ଭବିଷ୍ୟତରେ ଏହାଯୋଗୁ ବ୍ରେନ ଷ୍ଟ୍ରୋକ୍ ହେବାର ଆଶଙ୍କା ବଢ଼ିଯାଏ। ରକ୍ତ ଜମାଟ ବାନ୍ଧିବା, ମଧୁମେହ, ଉଚ୍ଚ ରକ୍ତଚାପ, କୋଲେଷ୍ଟେରୋଲର ପରିମାଣ ବୃଦ୍ଧି ପାଇବା, ରକ୍ତପ୍ରବାହୀ ନଳୀ ସଙ୍କୁଚିତ ହୋଇଯିବା, ଔଷଧର ପାର୍ଶ୍ୱ ପ୍ରତିକ୍ରିୟା ଇତ୍ୟାଦି ଏହାର କାରଣ ହୋଇଥାଏ।
କିଭଳି ଜଣାପଡ଼େ: ସାଇଲେଣ୍ଟ ଷ୍ଟ୍ରୋକ୍ ହୋଇଥିବାର ସନ୍ଦେହ ହେଲେ ଡାକ୍ତର ରୋଗୀଙ୍କର ସିଟି ସ୍କାନ କିମ୍ବା ଏମ୍ଆର୍ଆଇ କରିଥାନ୍ତି। ସେଥିରୁ ମସ୍ତିଷ୍କର ଗୋଟିଏ ଅଂଶରେ ଧଳା ଚିହ୍ନ ହୋଇଥିବାର ଦେଖାଯାଏ। ତାକୁ ଦେଖି ବ୍ୟକ୍ତିଜଣକ ସାଇଲେଣ୍ଟ ଷ୍ଟ୍ରୋକ ଦ୍ୱାରା ପ୍ରଭାବିତ ହୋଇଥିବାର ଡାକ୍ତର ଆକଳନ କରନ୍ତି। ଏହାଛଡ଼ା ଅନ୍ୟ କିଛି ଲକ୍ଷଣରୁ ମଧ୍ୟ ଏହା ଜଣାପଡ଼େ।
ଲକ୍ଷଣ: ଶରୀରର ନିୟନ୍ତ୍ରଣ ବଜାୟ ରଖିବାରେ କ୍ଷମତା ବାରମ୍ବାର ତଳେ ପଡ଼ିଯିବା, ବାରମ୍ବାର ପରିସ୍ରା ହେବା, ମୁଡ୍ ପରିବର୍ତ୍ତନ ହେବା, ଚିନ୍ତା କରିବାର ଶକ୍ତି କମିବା।
କିଭଳି ରକ୍ଷା ପାଇବେ: ନିୟମିତ ଭାବେ ବ୍ୟାୟାମ କରନ୍ତୁ। ଏକ ଗବେଷଣାରୁ ଜଣାପଡ଼ିଛି ଯେ ଯେଉଁମାନେ ଦିନକୁ ୩୦ ମିନିଟ ଧରି ବ୍ୟାୟାମ କରନ୍ତି ସେମାନଙ୍କୁ ସାଇଲେଣ୍ଟ ଷ୍ଟ୍ରୋକ ହେବାର ଆଶଙ୍କା ୪୦ ପ୍ରତିଶତ କମିଯାଏ। ରକ୍ତଚାପକୁ ନିୟନ୍ତ୍ରଣରେ ରଖିବାକୁ ଉଦ୍ୟମ କରନ୍ତୁ। ଅଧିକ କୋଲେଷ୍ଟେରୋଲ ଯୁକ୍ତ ଖାଦ୍ୟକୁ ଏଡ଼ାଇ ଯାଆନ୍ତୁ। ଖାଦ୍ୟରେ ସବୁଜ ପନିପରିବା, ଲେମ୍ବୁ ଓ ଫଳକୁ ସାମିଲ କରନ୍ତୁ। ସୁଗରର ସ୍ତର ମଧ୍ୟ ନିୟନ୍ତ୍ରଣରେ ରହିବା ଆବଶ୍ୟକ। ତେଣୁ ନିୟମିତ ଭାବେ ସୁଗାରକୁ ଯାଞ୍ଚ କରିବାକୁ ଭୁଲନ୍ତୁ ନାହିଁ।