ଅଧିକ ପଢ଼ନ୍ତୁ: ମାଂସପେଶୀ ଏବଂ ଆଣ୍ଠୁଗଣ୍ଠି ସମସ୍ୟାର ଉପଚାର ପାଇଁ ଆପଣାନ୍ତୁ ଫିଜିଓଥେରାପି

ଫ୍ରୋଜେନ୍ ସୋଲଡର କାହିଁକି ହୁଏ? ଏଥିରୁ କେମିତି ମୁକ୍ତି ପାଇବେ? ବିଶିଷ୍ଟ ଅସ୍ଥିଶଲ୍ୟ ବିଶେଷଜ୍ଞ ଡାକ୍ତର ସନ୍ଦୀପ ଲେଙ୍କା ଏନେଇ କ’ଣ କହୁଛନ୍ତି ଆସନ୍ତୁ ଜାଣିବା।

ଫ୍ରୋଜେନ୍ ସୋଲଡର କ’ଣ? (What is Frozen shoulder in Odia)

କାନ୍ଧରେ ଯନ୍ତ୍ରଣା ହେବାର ଏକ ପ୍ରମୁଖ କାରଣ ହେଉଛି ଫ୍ରୋଜେନ୍ ସୋଲଡର। ଫ୍ରୋଜେନ୍ ସୋଲଡର ସମସ୍ୟାକୁ ସାଧାରଣରେ ବୁଝିବାକୁ ଗଲେ, କାନ୍ଧ ଖଞ୍ଜାର ମାଂସପେଶୀରେ ଏକପ୍ରକାରର ଷ୍ଟିଫ୍‌ନେସ୍‌ ବା ଜମାଟ ବାନ୍ଧି ଯାଏ। ଫଳରେ ହାତ ଚାଳନାରେ ଅସୁବିଧା ସହିତ କଷ୍ଟ ଅନୁଭବ ହୁଏ।

ଫ୍ରୋଜେନ୍‌ ସୋଲଡରକୁ ଅନ୍ୟ ଭାଷାରେ ପେରିଆର୍ଥ୍ରାଇଟିସ୍‌ ସୋଲଡର ଏବଂ ଆଧେସିଭ୍‌ କ୍ୟାପ୍‌ସୁଲାଇଟିସ୍‌ ସୋଲଡର କୁହାଯାଏ।

୧୦୦ରେ ଦୁଇଜଣ ଫ୍ରୋଜେନ୍‌ ସୋଲଡରରେ ପ୍ରଭାବିତ। ୭୦ ପ୍ରତିଶତ କ୍ଷେତ୍ରରେ ଏହି ସମସ୍ୟା ମହିଳାଙ୍କଠାରେ ଦେଖାଦିଏ।         

ଏହି ରୋଗ ହେଲେ କାନ୍ଧର ଗଣ୍ଠିଭିତରେ ସ୍ଥାନ କମିଯାଏ। ଗଣ୍ଠିର ଚାରିପାଖରେ ଥିବା କ୍ୟାପ୍‌ସୁଲ ଓ ଲିଗାମେଣ୍ଟ କମିଯାଏ।

ଫ୍ରୋଜେନ୍‌ ସୋଲଡରର ଲକ୍ଷଣ (Symptoms of Frozen shoulder in Odia)

କାନ୍ଧ ଯନ୍ତ୍ରଣା ହେବା

ଯନ୍ତ୍ରଣା ସହ ହାତ ଚାଳନାରେ ଅସୁବିଧା ହୁଏ

କେଶ କୁଣ୍ଡାଇବା ବେଳେ ଅସୁବିଧା ହେବା

ଯେଉଁ କାନ୍ଧରେ ଯନ୍ତ୍ରଣା ହୁଏ, ତାକୁ ମାଡ଼ିକରି ଶୋଇଲେ ଅଧିକ ଯନ୍ତ୍ରଣା ହୁଏ

ଅଧିକ ପଢ଼ନ୍ତୁ: ଭଙ୍ଗା ହାଡ଼ର ଚିକିତ୍ସା କେମିତି ହୁଏ?

ଫ୍ରୋଜେନ୍‌ ସୋଲଡରର ଆଶଙ୍କା କାହାକୁ ଅଧିକ (Who is at risk of Frozen shoulder in Odia)

୪୦ରୁ ୭୦ ବର୍ଷ ବୟସର ଲୋକଙ୍କଠାରେ ଫ୍ରୋଜେନ୍‌ ସୋଲଡର ସମସ୍ୟା ଅଧିକ ଦେଖାଯାଏ। ଏହାସହ ୭୦ ପ୍ରତିଶତ ମହିଳା ଫ୍ରୋଜେନ୍‌ ସୋଲଡର ସମସ୍ୟାରେ ପୀଡ଼ିତ। ଏହାଛଡ଼ା ଡାଏବେଟିସ୍‌, ଥାଇରଏଡ୍‌, କାର୍ଡିଆକ୍‌ ସମସ୍ୟା ଥିଲେ, ହୃଦ୍‌ରୋଗ ଥିଲେ, ସର୍ଭାଇକାଲ ସ୍ପଣ୍ଡିଲୋସିସ୍‌ ଭଳି ସମସ୍ୟା ଥିବା ଲୋକଙ୍କଠାରେ ଫ୍ରୋଜେନ୍‌ ସୋଲଡର ହେବାର ଆଶଙ୍କା ଅଧିକ।

କୌଣସି କାରଣ ନଥାଇ ଫ୍ରୋଜେନ୍‌ ସୋଲଡର ହେଲେ ତାକୁ ଇଡିଓପାଥିକ୍‌ ବା ପ୍ରାଇମେରୀ ଫ୍ରୋଜେନ୍‌ ସୋଲଡର କୁହାଯାଏ।

ପୂର୍ବରୁ କୌଣସି ସମସ୍ୟା ଯେପରିକି ଫ୍ରାକ୍ଚର, ଟ୍ରୋମା ବା ସର୍ଜରୀ ହୋଇଥିବ, ତା’ର ତିନିମାସ ଓ ଛଅମାସ ପରେ ସୋଲଡରରେ ଷ୍ଟିଫ୍‌ନେସ୍ ହୋଇଥାଏ, ଯାହାକୁ ସେକେଣ୍ଡାରୀ ଫ୍ରୋଜେନ୍‌ ସୋଲଡର କୁହାଯାଏ।

କାହିଁକି ହୁଏ ଫ୍ରୋଜେନ୍‌ ସୋଲଡର (Causes of Frozen shoulder in Odia)

ଡାଏବେଟିସ୍‌ ଯୋଗୁଁ ଫ୍ରୋଜେନ୍‌ ସୋଲଡର ହେବାର ଆଶଙ୍କା ପାଞ୍ଚଗୁଣା ଅଧିକ। ଯାହାର ହୃଦ୍‌ରୋଗ ଥିବ ବା କାର୍ଡିଆକ୍‌ ସର୍ଜରୀ ହୋଇଥିବ, ତାଙ୍କଠାରେ ଫ୍ରୋଜେନ୍‌ ସୋଲଡର ହୋଇପାରେ। ଏହାଛଡ଼ା ହାଇପର ଥାଇରଏଡ୍‌ ଥିବା ବ୍ୟକ୍ତି, କୋଲେଷ୍ଟ୍ରୋଲ ଅଧିକ ଥିବା ବ୍ୟକ୍ତି ଏବଂ ଶାରୀରିକ ପରିଶ୍ରମ କରୁନଥିବା ବ୍ୟକ୍ତିଙ୍କଠାରେ ଫ୍ରୋଜେନ୍‌ ସୋଲଡର ହେବାର ଆଶଙ୍କା ଅଧିକ।

ଅଧିକ ପଢ଼ନ୍ତୁ: ଆର୍ଥ୍ରାଇଟିସ୍ ସମସ୍ୟା କ’ଣ? କେମିତି କରିବେ ଚିକିତ୍ସା

ଫ୍ରୋଜେନ୍ ସୋଲଡରର ପରୀକ୍ଷଣ (Diagnosis of Frozen shoulder in Odia)

ଫ୍ରୋଜନ୍ ସୋଲଡରର ଲକ୍ଷଣକୁ ୩ ଭାଗରେ ବିଭକ୍ତ କରାଯାଇପାରିବ। ପ୍ରଥମଟି ହେଲା ଫ୍ରିଜିଂ ଅବସ୍ଥା। ଏହି ସମୟରେ କାନ୍ଧର ଜଏଣ୍ଟ ସ୍ଥାନରେ ଯନ୍ତ୍ରଣା ଅନୁଭବ ହୋଇଥାଏ।

କାନ୍ଧକୁ ଅଳ୍ପ କିଛି ମାତ୍ରାରେ ଏପଟ ସେପଟ କରିହୁଏ, ଫଳରେ ଦୈନନ୍ଦିନର ଜୀବନଚର୍ଯ୍ୟା କଷ୍ଟକର ହୋଇଥାଏ।

ଦ୍ୱିତୀୟ ପର୍ଯ୍ୟାୟରେ ଷ୍ଟିଫ୍‌ନେସ୍‌ ହୁଏ, ଏହା ଫ୍ରୋଜେନ୍‌ ସୋଲଡର ଆରମ୍ଭ ହେବାର ୪ମାସରୁ ୧୨ ମାସ ମଧ୍ୟରେ ହୁଏ। ତୃତୀୟ ପର୍ଯ୍ୟାୟରେ ଯନ୍ତ୍ରଣା କମିଯିବ ହେଲେ ହାତ ଚାଳନାରେ କଷ୍ଟ ଅନୁଭବ ହୁଏ।

ଫ୍ରୋଜେନ୍‌ ସୋଲଡର ଜାଣିବା ପାଇଁ ଏକ୍ସରେ, ଏମ୍‌ଆର୍‌ଆଇ କରାଯାଏ।

ଫ୍ରୋଜେନ୍ ସୋଲଡରର ଚିକିତ୍ସା (Treatment of Frozen shoulder in Odia)

ଫ୍ରୋଜେନ୍ ସୋଲଡରର ଚିକିତ୍ସା ପାଇଁ ଫିଜିଓଥେରାପିର ଭୂମିକା ଗୁରୁତ୍ଵପୂର୍ଣ୍ଣ। ସଠିକ୍‌ ଭାବେ ଫିଜିଓଥେରାପି ନେଲେ ୨ରୁ ୩ମାସ ଭିତରେ ସୁସ୍ଥ ହେବାର ସମ୍ଭାବନା ରହିଛି। କେତେକ ରୋଗୀଙ୍କୁ ଇଣ୍ଟ୍ରା ଆର୍ଟିକୁଲାର ଷ୍ଟିରୋଏଡ୍‌ ଇଞ୍ଜେକ୍‌ସନ୍‌ ଦିଆଯାଏ। ଯଦି ମେଡିସିନ୍‌ କିମ୍ବା ଇଞ୍ଜେକ୍‌ସନ୍‌ ନେବା ପରେ ବି କୌଣସି ସୁଫଳ ମିଳିନଥାଏ, ତେବେ ସର୍ଜରୀ ଦରକାର ପଡ଼ିଥାଏ। ଗୋଟେ ସର୍ଜରୀରେ ନିଶା ଦେଇ କାନ୍ଧକୁ ଚଳପ୍ରଚଳ କରାଯାଏ। ଏହି ସର୍ଜରୀରେ ଫ୍ରାକ୍ଚର ହେବାର ଆଶଙ୍କା ଥାଏ।

ବତ୍ତର୍ମାନ ଆର୍ଥ୍ରୋସ୍କୋପିକ୍‌ ସୁପ୍ରାସ୍କାପୁଲାର ରିଲିଜ୍‌ ମାଧ୍ୟମରେ ସର୍ଜରୀ କରାଯାଏ। ଏହି ସର୍ଜରୀରେ କାନ୍ଧର ଚାରିପାଖରେ ଯେତେ କ୍ୟାପ୍‌ସୁଲ ରହିଛି, ତାକୁ ରିଲିଜ୍‌ କରାଯାଏ ଓ ଏହାପରେ ଫିଜିଓଥେରାପି ଦିଆଯାଏ। ଏହି ସର୍ଜରୀ ଦ୍ଵାରା ପାଖାପାଖି ୯୦ରୁ ୧୦୦ ଭାଗ ରୋଗୀ ଫ୍ରୋଜେନ୍‌ ସୋଲଡର ସମସ୍ୟାରୁ ମୁକ୍ତି ପାଇପାରିବେ।

ଫ୍ରୋଜେନ୍ ସୋଲଡର ପାଇଁ ଫିଜିଓଥେରାପି (Physiotherapy for Frozen shoulder in Odia)

କାନ୍ଧର ମୁଭ୍‌ମେଣ୍ଟ କରାଇବା – ଏହି ପ୍ରକାର ଫିଜିଓଥେରାପି ଦୈନିକ ଦୁଇରୁ ତିନିଥର ପାଇଁ ଦୁଇରୁ ତିନିମାସ ଯାଏଁ କରିବେ। ଏହାର ମାସେ ପରେ ମାଂସପେଶୀ ଷ୍ଟ୍ରେନ୍ଥନିଙ୍ଗ୍ ବ୍ୟାୟାମ କରାଯାଏ।

(ସ୍ୱାସ୍ଥ୍ୟ ଓ ଜୀବନଶୈଳୀ ଉପରେ ଆଧାରିତ ଓଡ଼ିଆ ଡିଜିଟାଲ୍‌ ପ୍ଲାଟଫର୍ମ ‘ସ୍ୱାସ୍ଥ୍ୟ ପ୍ଲସ୍’ ସହିତ ଡାକ୍ତର ସନ୍ଦୀପ ଲେଙ୍କାଙ୍କ ସ୍ୱତନ୍ତ୍ର ସାକ୍ଷାତକାରକୁ ନେଇ ପ୍ରସ୍ତୁତ।)

Note: This information on Frozen Shoulder , in Odia language, is based on an extensive interview with a Orthopedic Surgeon Dr Sandeep Lenka.