- ଭର୍ଟିଗୋ କ’ଣ?
- ଭର୍ଟିଗୋ କେତେ ପ୍ରକାରର
- ମୁଣ୍ଡ କାହିଁକି ବୁଲାଏ?
- ଭର୍ଟିଗୋର ଲକ୍ଷଣ
- ଏହାର ଚିହ୍ନଟ କେମିତି କରିବେ?
- ମୁଣ୍ଡ ବୁଲାଇବାର ଚିକିତ୍ସା କେମିତି ହୁଏ?
- ଡାକ୍ତରଙ୍କ ପରାମର୍ଶ
ଆଜିକାଲି ସମସ୍ତଙ୍କଠାରେ ମୁଣ୍ଡ ବୁଲାଇବା ଭଳି ସମସ୍ୟା ଦେଖାଦେଉଛି। ବିଜ୍ଞାନ ଭାଷାରେ ଏହାକୁ ଭର୍ଟିଗୋ ବୋଲି କୁହାଯାଏ। କାହିଁକି ମୁଣ୍ଡ ବୁଲାଏ? ଏହାର କାରଣ, ଲକ୍ଷଣ ଓ ଚିକିତ୍ସା ବିଷୟରେ ବିଶିଷ୍ଟ ଶ୍ରବଣ ବିଶେଷଜ୍ଞ ଡାକ୍ତର ସ୍ବରୂପ ବିକାଶ ମିଶ୍ରଙ୍କଠାରୁ ଆସନ୍ତୁ ଜାଣିବା।
ଭର୍ଟିଗୋ କ’ଣ? (What is Vertigo in Odia)
ମୁଣ୍ଡ ବୁଲାଇବା କୌଣସି ପ୍ରକାର ରୋଗ ନୁହେଁ, ଏହା ଏକ ଲକ୍ଷଣ। କୌଣସି କାରଣରୁ ଶରୀରରେ ଥିବା ସନ୍ତୁଳନ ପ୍ରଣାଳୀ ନିୟନ୍ତ୍ରଣରେ ସମସ୍ୟା ଦେଖାଯିବା ଦ୍ୱାରା କେବଳ ରୋଗୀଙ୍କୁ ଚତୁଃପାର୍ଶ୍ୱ ଘୁରିଲା ଭଳି ଅନୁଭବ ହୁଏ, ତାହାକୁ ଭର୍ଟିଗୋ ବା ମୁଣ୍ଡବୁଲାଇବା କୁହାଯାଏ।
ଭର୍ଟିଗୋ କେତେ ପ୍ରକାରର (Types of vertigo in Odia)
ଭୋର୍ଟିଗୋ ହେଲେ ବିଭିନ୍ନ ପ୍ରକାରର ଅନୁଭୂତ ହୋଇଥାଏ – ମୁଣ୍ଡ ବୁଲାଇବା, ଚାଲିବା ବେଳେ ଗୋଡ଼ର ସନ୍ତୁଳନ ନରହିବା, ଚାରିପଟ ଜିନିଷ ହଲିବା ଭଳି ଅନୁଭବ ହେବା। ଭର୍ଟିଗୋର ୫ଟି ଶ୍ରେଣୀ ରହିଛି ଯଥା:(ହାଲୁକା ମୁଣ୍ଡ) lightheadedness, (ଅସନ୍ତୁଳନ) imbalance, (ମୁଣ୍ଡ ବୁଲାଇବା) vertigo, (ଅସ୍ଥିରତା) instability, (ମୁଣ୍ଡ ବୁଲାଇବା) dizziness
ମୁଣ୍ଡ କାହିଁକି ବୁଲାଏ? (Causes of vertigo in Odia)
ମୁଣ୍ଡ ବୁଲାଇବା ଏବଂ ଶରୀରର ସନ୍ତୁଳନ ନରହିବା ଦୁଇଟି ଭିନ୍ନ କଥା। ମଣିଷର କାନ ଉପରେ ଥିବା ସନ୍ତୁଳନ ପ୍ରଣାଳୀରେ କୌଣସି କାରଣବଶତଃ କ୍ଷତି ପହଞ୍ଚିଲେ ମୁଣ୍ଡ ବୁଲାଇଥାଏ। କାନ ଭିତରେ ଥିବା ଲିକ୍ୟୁଡ୍ ବଢ଼ିଗଲେ ବା କମିଗଲେ ବା ଶୀରରେ ସଂକ୍ରମଣ ହେଲେ, ମସ୍ତିସ୍କରେ ଟ୍ୟୁମର ଥିଲେ, ଜନ୍ମରୁ ବା କୌଣସି ଦୁର୍ଘଟଣାରେ ଶିକାର ହୋଇ କାନରେ ଥିବା କେନାଲରେ କଣା ହେଲେ, କାନ ଅପରେସନ ହୋଇ କୌଣସି କାରଣ ଯୋଗୁଁ ପେରିଲିମ୍ପ ଲିକ୍ୟୁଡ୍ ବାହାରିଆସିଲେ ମୁଣ୍ଡ ବୁଲାଇ ହୋଇଥାଏ। ଏହାସହ ବସିବା ବା ଶୋଇବା ବେଳେ ଅଧିକ ମୁଣ୍ଡ ବୁଲାଇଲେ ତାକୁ ବିନାଇନ୍ ପାରୋକ୍ସିସ୍ମାଲ୍ ପୋଜିସନାଲ୍ ଭର୍ଟିଗୋ କୁହାଯାଏ।
ଭର୍ଟିଗୋର ଲକ୍ଷଣ (Symptoms of Vertigo in Odia)
ମୁଣ୍ଡ ବୁଲାଇବାର ଅନେକ ଲକ୍ଷଣ ରହିଛି ଯେମିତିକି, ରୋଗୀଙ୍କ ଚତୁର୍ଦିଗ ଘୂରିବା ଭଳି ଅନୁଭବ ହେବା, କିଛି ସମୟ ପାଇଁ କିମ୍ବା ଗୋଟିଏ ଦିନ ଯାଏଁ ମୁଣ୍ଡ ବୁଲେଇବା, କାନରେ ଶବ୍ଦ ହେବା, ରୋଗୀଙ୍କୁ ବାନ୍ତି ହେବା ବା ବାନ୍ତି ହେବା ଭଳି ଅନୁଭବ ହେବା, କାନକୁ କମ୍ ଶୁଭାଯିବା।
ଏହାର ଚିହ୍ନଟ କେମିତି କରିବେ? (Diagnosis of Vertigo in Odia)
ମୁଣ୍ଡ ବୁଲାଇବାର କାରଣ ଜାଣିବା ପାଇଁ ପ୍ରଥମେ ତା’ର ପରୀକ୍ଷା କରାଯାଇଥାଏ। ଶ୍ରବଣ ବିଶେଷଜ୍ଞମାନେ କାନଠାରୁ ଆରମ୍ଭକରି ଶରୀରର ବିଭିନ୍ନ ଅଙ୍ଗ ପ୍ରତ୍ୟଙ୍ଗ, ଯେଉଁଠି ଶରୀରର ସନ୍ତୁଳନ ପ୍ରଣାଳୀ ସହିତ ସମ୍ପର୍କ ଅଛି ସେଗୁଡ଼ିକୁ ପରୀକ୍ଷା କରନ୍ତି। ଯେତେବେଳେ ଜଣେ ରୋଗୀର ମୁଣ୍ଡ ବୁଲେଇଥାଏ ତାଙ୍କୁ ଝାପ୍ସା ଦେଖାଯିବା ବା ଘୂରିବା ଭଳି ଦେଖାଯାଇଥାଏ, ଆଖି ସାମ୍ନାରେ ଯେଉଁ ଗତିବିଧି ହୁଏ ତାହାକୁ ନାଇଷ୍ଟାଗମସ୍ କୁହାଯାଏ। ଏହି ନାଇଷ୍ଟାଗମସକୁ ଚିହ୍ନଟ କରିବା ପାଇଁ VNG (ଭିଡିଓ ନିଷ୍ଟାଗମୋଗ୍ରାଫି) ପରୀକ୍ଷା କରାଯାଇଥାଏ।
ଶରୀରର ସନ୍ତୁଳନ ପ୍ରଣାଳୀରେ କାନଠାରୁ ପାଦତଳକୁ ବା ମେରୁଦଣ୍ଡକୁ ସଂଯୋଗ ହୋଇଛି। ଭର୍ଟିଗୋରେ ପୀଡ଼ିତ ଥିବା ବ୍ୟକ୍ତିଙ୍କର ମେରୁଦଣ୍ଡର ସନ୍ତୁଳନ ପ୍ରଣାଳୀ ଜାଣିବା ପାଇଁ ସ୍କାନିୟୋ କର୍ପୋଗ୍ରାଫି ପରୀକ୍ଷା କରାଯାଏ, ଭେଷ୍ଟି ଇଭୋକଡ ମାୟୋଜେନିକ ପୋଟେନସିଆଲ୍ ଟେଷ୍ଟ, ଆଖି ପାଇଁ କମ୍ପ୍ୟୁଟରାଇଜ୍ଡ ଡାଇନାମିକ ଭିଜୁଆଲ ଇକ୍ୟୁଟି ଟେଷ୍ଟ ଏବଂ କାନ ପାଇଁ ଶ୍ରବଣ ପରୀକ୍ଷା କରାଯାଇଥାଏ।
ମୁଣ୍ଡ ବୁଲାଇବାର ଚିକିତ୍ସା କେମିତି ହୁଏ (Treatment of Vertigo in Odia)
ଆଜିକାଲି ଜୀବନଶୈଳୀ ଏବଂ ଖାଦ୍ୟପେୟରେ ଅନିୟମିତତା କାରଣରୁ ପ୍ରାୟ ସମସ୍ତଙ୍କ ପାଖରେ ମାଇଗ୍ରେନ୍ ମୁଣ୍ଡବିନ୍ଧା ଦେଖିବାକୁ ମିଳୁଛି। ଏହି ରୋଗୀମାନେ ଡାକ୍ତରଙ୍କୁ ପରାମର୍ଶ କରି ଔଷଧ ଖାଇଥା’ନ୍ତି, ଏହି ପ୍ରକ୍ରିୟାରେ ଅନେକ ବ୍ୟକ୍ତି ସୁସ୍ଥ ମଧ୍ୟ ହୋଇଯାଆନ୍ତି। ଔଷଧ ଦ୍ୱାରା ଭଲ ହୋଇପାରୁନଥିବା ବ୍ୟକ୍ତି ନ୍ୟୁରୋଲୋଜିଷ୍ଟଙ୍କଠାରୁ ପରାମର୍ଶ ନିଅନ୍ତି, ଏହି ପ୍ରକ୍ରିୟାରେ ସିଟି, ଏମ୍.ଆର୍.ଆଇ ଆଦି ପରୀକ୍ଷା ହୁଏ ଏବଂ ଏହା ପରେ ଔଷଧରେ ଚିକିତ୍ସିତ ହୁଅନ୍ତି। କିଛି ଲୋକ କାନରେ ଶବ୍ଦ ହେଉଛି ବୋଲି ENT ବିଭାଗରେ ଚିକିତ୍ସା କରନ୍ତି।
ଶିଶୁଠାରୁ ବୃଦ୍ଧ ସମସ୍ତଙ୍କୁ ଏହି ସମସ୍ୟା ହୋଇପାରେ କିନ୍ତୁ ଠିକ ସମୟରେ ଚିହ୍ନଟ କରି ଚିକିତ୍ସା କରିବା ଜରୁରୀ। ଏହି ରୋଗର ଚିକିତ୍ସା ବିଭିନ୍ନ ପ୍ରକାରର ଥେରାପି ଦ୍ୱାରା ମଧ୍ୟ ହୋଇଥାଏ। ଏହି ଥେରାପିରେ ରୋଗୀଙ୍କ ଜୀବନଶୈଳୀ ପରିବର୍ତ୍ତନ କରିବାକୁ କୁହାଯାଏ, ଚିନ୍ତାରୁ ମୁକ୍ତ ହେବା ପାଇଁ କୁହାଯାଏ। କେତେକ ରୋଗୀଙ୍କୁ ଅତି ଦରକାର ପଡ଼ିଲେ ଅପରେସନ କରାଯାଇଥାଏ ଏବଂ କେତେକ ରୋଗୀଙ୍କର ଜୀବନଶୈଳୀର ପରିବର୍ତ୍ତନ କଲେ ବିନା ଔଷଧରେ ମଧ୍ୟ ସୁସ୍ଥ ହୋଇଯାଇଥାନ୍ତି।
ଡାକ୍ତରଙ୍କ ପରାମର୍ଶ (Doctor’s advice in Odia)
ନିଜର ସମସ୍ୟା କ’ଣ ଆଗ ଜାଣିବାକୁ ଚେଷ୍ଟା କରନ୍ତୁ। ଲକ୍ଷଣକୁ ମନେ ରଖନ୍ତୁ ଯେମିତିକି କେତେ ସମୟ ପର୍ଯ୍ୟନ୍ତ ମୁଣ୍ଡ ବୁଲେଇଲା, ସେହି ତଥ୍ୟ ସଠିକ ଭାବରେ ଜଣାଇଲେ ଚିକିତ୍ସା କରିବାରେ ସହଜ ହୋଇଥାଏ। ଆପଣଙ୍କ ଶରୀରର କେଉଁ ସ୍ଥାନରେ ଅନୁଭବ ହେଉଛି ତାହାକୁ ଚିହ୍ନନ୍ତୁ ଏବଂ ସଠିକ ଭାବରେ ଡାକ୍ତରଙ୍କୁ ନିଜ ସମସ୍ୟାକୁ କହନ୍ତୁ।
(ସ୍ୱାସ୍ଥ୍ୟ ଓ ଜୀବନଶୈଳୀ ଉପରେ ଆଧାରିତ ଓଡ଼ିଆ ଡିଜିଟାଲ୍ ପ୍ଲାଟଫର୍ମ ‘ସ୍ୱାସ୍ଥ୍ୟ ପ୍ଲସ୍’ ସହିତ ଡାକ୍ତର ସ୍ୱରୂପ ବିକାଶ ମିଶ୍ରଙ୍କ ସ୍ୱତନ୍ତ୍ର ସାକ୍ଷାତକାରକୁ ନେଇ ପ୍ରସ୍ତୁତ।)
Note: This information on Vertigo in Odia, is based on an extensive interview with Audio-Vestibular Specialist Dr Swarup Bikash Mishra.