- ପିସିଓଏସ୍ର କାରଣ
- ଗର୍ଭାବସ୍ଥା ଓ ଋତୁସ୍ରାବ ଉପରେ ପିସିଓଏସର ପ୍ରଭାବ
- ପିସିଓଏସ୍ର ଲକ୍ଷଣ
- ପିସିଓଏସ୍ ଯୋଗୁଁ ତ୍ୱଚା ଓ କେଶଜନିତ ସମସ୍ୟା
- ବିଭିନ୍ନ ବୟସ ଉପରେ ପିସିଓଏସ୍ର ପ୍ରଭାବ
- ପିସିଓଏସ୍କୁ ଚିହ୍ନିବେ କେମିତି?
- ପିସିଓଏସ୍ର ଚିକିତ୍ସା
- ଡାକ୍ତରଙ୍କ ଟିପ୍ସ
ପିସିଓଏସର କାରଣ କ’ଣ? ଏହା ହେଲେ ମହିଳାଙ୍କଠାରେ କେଉଁ କେଉଁ ସମସ୍ୟା ହୋଇପାରେ? ଏନେଇ ବିଶିଷ୍ଟ ସ୍ତ୍ରୀ ଓ ପ୍ରସୂତି ରୋଗ ବିଶେଷଜ୍ଞ ଡାକ୍ତର ଲିପିକା ମହାରଣା କ’ଣ କହୁଛନ୍ତି ଆସନ୍ତୁ ଜାଣିବା?
ପିସିଓଏସ୍ ବା ପଲିସିଷ୍ଟିକ୍ ଓଭାରିଆନ୍ ସିଣ୍ଡ୍ରୋମ୍ ହେଉଛି ହରମୋନ ଜନିତ ସମସ୍ୟା। ପ୍ରତ୍ୟେକ ମାସ ମହିଳାଙ୍କର ଦୁଇଟା ଯାକ ଡିମ୍ବାଶୟରୁ ଗୋଟେ ଗୋଟେ ଡିମ୍ବ ବାହାରେ। ଏହାର ୧୫ ଦିନ ପରେ ପିରିୟଡ୍ସ ହୁଏ। ଯେହେତୁ ହରମୋନ ଜନିତ ସମସ୍ୟା ଥାଏ, ଅଣ୍ଡା ଡିମ୍ବାଣୁରୁ ବାହାରେ ନାହିଁ। ସେଥିପାଇଁ ପରିୟଡ୍ସ ଠିକ୍ ସମୟରେ ହୋଇପାରେ ନାହିଁ। ଯେହେତୁ ଅଣ୍ଡା ବାହାରେନି, ତେଣୁ ଫଲିକିଲ ଫାଟେନି ଓ ସିଷ୍ଟ ତିଆରି ହୋଇଯାଏ। ମାସେ ଦୁଇ ମାସ ଏଭଳି ହେଲେ ଗୋଟେ ପରେ ଗୋଟେ ସିଷ୍ଟ ତିଆରି ହୋଇଚାଲେ। ଅଲଟ୍ରାସାଉଣ୍ଡ ଦ୍ୱାରା ଜଣାପଡ଼େ ଯେ, ଦୁଇ ପଟ ଡିମ୍ବାଶୟରେ କିମ୍ବା ଗୋଟେ ପଟ ଓଭାରିରେ ଫଲିକିଲ ନ ଜଣାପଡ଼ି ବଡ଼ ବଡ଼ ସିଷ୍ଟ ଜମା ହୋଇଯାଇଥାଏ। ତାକୁ ପଲିସିଷ୍ଟିକ୍ ଓଭାରିଆନ୍ ସିଣ୍ଡ୍ରୋମ କୁହାଯାଏ।
ପିସିଓଏସ୍ର କାରଣ (Cause of PCOS in Odia)
ପିସିଓଏସ୍ର ଦୁଇଟି ପ୍ରମୁଖ କାରଣ ହେଉଛି ଜେନେଟିକ୍ ଓ ପରିବେଶ ବା ଜୀବନଶୈଳୀ।
ବର୍ତ୍ତମାନ ସମୟରେ ଲୋକେ ବାହାର ଖାଦ୍ୟ ଖାଇବାକୁ ଇଛା ପ୍ରକାଶ କରୁଛନ୍ତି। ଯେଉଁଥିରେ ମଇଦା, ତେଲ, ମସଲା, ଟ୍ରାନ୍ସ ଫ୍ୟାଟ୍ ଅଧିକ ପରିମାଣରେ ରହୁଛି। ଏହାସହ ଲୋକେ ଘଣ୍ଟା ଘଣ୍ଟା ଧରି ଲାପଟପ୍ରେ ଦେଖୁଛନ୍ତି, ଗୋଟେ ସ୍ଥାନରେ ଘଣ୍ଟା ଘଣ୍ଟା ଧରି ବସୁଛନ୍ତି, ରାତି ଅନିଦ୍ରା ରହୁଛନ୍ତି ଓ ଶାରୀରିକ ପରିଶ୍ରମ କମ୍ କରୁଛନ୍ତି। ଫଳରେ ଅଧିକାଂଶ ମହିଳାଙ୍କଠାରେ ପିସିଓଏସ୍ ସମସ୍ୟା ଦେଖିବାକୁ ମିଳୁଛି।
ଗର୍ଭାବସ୍ଥା ଓ ଋତୁସ୍ରାବ ଉପରେ ପିସିଓଏସର ପ୍ରଭାବ (Effects of PCOS on pregnancy and menstruation in Odia)
ପିସିଓଏସ୍ ଯୋଗୁଁ କେଶ ଝଡ଼ିବା, ଅତ୍ୟଧିକ କେଶ ଉଠିବା, ବ୍ରଣ ହେବା ଭଳି ସମସ୍ୟା ହୋଇଥାଏ। ଏହାଛଡ଼ା ପିସିଓଏସ୍ ଯୋଗୁଁ ଗର୍ଭଧାରଣରେ ମଧ୍ୟ ସମସ୍ୟା ଉପୁଜିପାରେ।
ପ୍ରତ୍ୟେକ ମାସକୁ ଥରେ ଦୁଇପଟ ଓଭାରି କିମ୍ବା ଗୋଟେ ପଟ ଓଭାରିରୁ ଗୋଟେ ଡିମ୍ବାଣୁ ବାହାରିଥାଏ। ତା’ର ୧୫ ଦିନ ପରେ ଗର୍ଭ ନ ରହିଲେ ପିରିୟଡ୍ସ ହୋଇଥାଏ। କିନ୍ତୁ, ହରମୋନ୍ ସମସ୍ୟା ଯୋଗୁଁ ଓଭାରିରୁ ଡିମ୍ବ ବାହାରେ ନାହିଁ। ଫଳରେ ମାସକୁ ମାସ ପିରିୟଡ୍ସ ନ ହୋଇ ଦୁଇରୁ ତିନି ମାସକୁ ଥରେ ପିରିୟଡ୍ସ ହୁଏ। ଯେହେତୁ ୩ରୁ ୪ ମାସକୁ ଥରେ ପିରିୟଡ୍ସ ହୁଏ, ତେଣୁ ବହୁ ମାତ୍ରାରେ ରକ୍ତସ୍ରାବ, ମୁଣ୍ଡା ମୁଣ୍ଡା ରକ୍ତସ୍ରାବ ହୁଏ ଏବଂ ଯନ୍ତ୍ରଣାଦାୟକ ହୋଇଥାଏ।
ପିସିଓଏସ୍ ଯୋଗୁଁ ଓଭାରିରେ ବହୁତଗୁଡ଼ିଏ ଅଣ୍ଡା ଥାଏ। କିନ୍ତୁ, ଅଣ୍ଡାର ମାନ ନମ୍ନ ଥାଏ। ତେଣୁ ପ୍ରାକୃତିକ ଉପାୟରେ ମା’ ହେବାର ସମ୍ଭାବନା କମିଯାଏ।
ପ୍ରସବ ବେଳେ ମହିଳାଙ୍କର ରକ୍ତଶର୍କରା, ଲିପିଡ୍ ପ୍ରୋଫାଇଲ, ରକ୍ତଚାପକୁ ନିୟନ୍ତ୍ରଣରେ ରଖିବାକୁ ପଡ଼ିଥାଏ।
ପିସିଓଏସ୍ର ଲକ୍ଷଣ (Symptoms of PCOS in Odia)
ପିସିଓଏସ୍ ହେଲେ ଋତୁସ୍ରାବରେ ଅନିୟମିତତା ହୋଇଥାଏ। କେତେକ ମହିଳାଙ୍କର ଅଳ୍ପ ରକ୍ତସ୍ରାବ ହୋଇଥାଏ ଓ କେତେକଙ୍କର ଅତ୍ୟଧିକ ରକ୍ତସ୍ରାବ ହୋଇଥାଏ। କାହାର ପିରିୟଡ୍ସ ମାସେ ଗଡ଼ିଯାଇଥିବ ଓ କାହାର ମାସକୁ ଦୁଇଥର ହୋଇଥାଏ।
ଏହାଛଡ଼ା ପିସିଓଏସ୍ରେ ଓଜନ ବଢ଼ିଯିବା, ବନ୍ଧ୍ୟାଦୋଷ ଭଳି ସମସ୍ୟା ହେବାର ଆଶଙ୍କା ଥାଏ।
ପିସିଓଏସ୍ ଯୋଗୁଁ ତ୍ୱଚା ଓ କେଶଜନିତ ସମସ୍ୟା (Skin and hair problems due to PCOS in Odia)
ପିସିଓଏସ୍ ଯୋଗୁଁ ତ୍ୱଚା ଓ କେଶଜନିତ ସମସ୍ୟା ହୋଇପାରେ। ଯେପରିକି ବେକର ଚର୍ମ ମୋଟା ହୋଇ କଳା ପଡ଼ିଯାଏ, ମୁଣ୍ଡର ସାମ୍ନା ପଟୁ କେଶ ଉପୁଡ଼ିଯାଏ, ଅତ୍ୟଧିକ କେଶ ଉଠିଯାଏ, ମୁହଁରେ ବ୍ରଣ ହେବା ଭଳି ସମସ୍ୟା ଦେଖାଦିଏ।
ବିଭିନ୍ନ ବୟସ ଉପରେ ପିସିଓଏସ୍ର ପ୍ରଭାବ (Effect of PCOS on different ages in Odia)
ଯେତେବେଳେ ଝିଅମାନଙ୍କର ପ୍ରଥମ କରି ପିରିୟଡ୍ସ ଆରମ୍ଭ ହୁଏ, ବର୍ଷେ ପର୍ଯ୍ୟନ୍ତ ସେମାନଙ୍କର ଋତୁସ୍ରାବରେ ଅନିୟମିତତା ହେବା ସ୍ୱାଭାବିକ। ଯୁବାବସ୍ଥାରେ ସାଧାରଣତଃ ପିରିୟଡ୍ସରେ ଅନିୟମିତତା ହେବା ସହ ମୁହଁରେ ବ୍ରଣ ହେବା, କେଶ ଝଡ଼ିବା, ଓଜନ ବଢ଼ିବା, ଅତ୍ୟଧିକ କେଶ ହେବା ଭଳି ସମସ୍ୟା ହୋଇଥାଏ।
ମଧ୍ୟମ ବୟସ୍କ ଯୁବତୀଙ୍କଠାରେ ପସିଓଏସ୍ ସମସ୍ୟା ହେଲେ ପରିୟଡ୍ସରେ ଅନିୟମିତତା, ଗର୍ଭ ନ ରହିବା ଭଳି ସମସ୍ୟା ହୋଇଥାଏ।
ପିସିଓଏସ୍କୁ ଚିହ୍ନିବେ କେମିତି? (How to recognize PCOS in Odia)
ମହିଳାଙ୍କର ସମସ୍ୟାକୁ ଦେଖି ଜାଣିହୁଏ ଯେ ପିସିଓଏସ୍ ଅଛି କି ନାହିଁ। କିନ୍ତୁ, ପିସିଓଏସ୍ର କୌଣସି ଲକ୍ଷଣ ନାହିଁ ଏବଂ ପିସିଓଏସ୍ ଥିବା ନେଇ ଡାକ୍ତର ମନେ କରନ୍ତି, ତେବେ ଟେଷ୍ଟୋଷ୍ଟେରୋନ୍ ପରୀକ୍ଷା କରାଯାଏ। ଏହାସହ ଅଲଟ୍ରାସାଉଣ୍ଡ କରି ଓଭାରିରେ ସିଷ୍ଟ ଏବଂ ଏକାଧିକ ଫଲିକିଲ୍ ଅଛି କି ନାହିଁ ଦେଖାଯାଏ।
ପିସିଓଏସ୍ର ଚିକିତ୍ସା (Treatment of PCOS in Odia)
ପଲିସିଷ୍ଟିକ୍ ଓଭାରିଆନ୍ ସିଣ୍ଡ୍ରୋମ୍ର ପ୍ରଥମ ଚିକିତ୍ସା ହେଉଛି ଜୀବନଶୈଳୀରେ ପରିବର୍ତ୍ତନ। ଖାଦ୍ୟରେ କାର୍ବୋହାଇଡ୍ରେଟ୍ ଯେପରିକି ଭାତ, ରୁଟି, ମଇଦା, ଆଳୁ, ଚିନି ଓ କ୍ଷୀର ଓ କ୍ଷୀର ତିଆରି ଖାଦ୍ୟ କମ୍ କରିବା ଜରୁରୀ।
ରାତି ୧୦ଟା ପରେ ମୋବାଇଲ, ଲାପଟପ୍, ଟିଭି ଦେଖିବା ବନ୍ଦ କରିବାକୁ ହେବ। କାରଣ ଯେତେ ସମୟ ରାତି ଅନିଦ୍ରା ରହିବା, ହରମୋନ୍ରେ ଅସନ୍ତୁଳନ ବଢ଼ିବ ଓ ପିସିଓଏସ୍ ସମସ୍ୟା ବୃଦ୍ଧି ପାଇବ।
ପ୍ରଚୁର ପରିମାଣରେ ଶୋଇବା ନିହାତି ଜରୁରୀ। ରାତିରେ ସଠିକ୍ ସମୟରେ ଶୋଇବେ ଓ ସଠିକ୍ ସମୟରେ ଉଠିବା ଦରକାର।
ଯୋଗ, ପ୍ରାଣାୟାମ, ଚାଲିବା, ଜଗିଂ କରିବା ଜରୁରୀ।
ଏହାସହ କିଛି ଔଷଧ ଖାଇବାକୁ ପରାମର୍ଶ ଦିଆଯାଏ।
ଡାକ୍ତରଙ୍କ ଟିପ୍ସ (Doctor’s advice in Odia)
ପିସିଓଏସ୍ ଥରେ ହେଲା ମାନେ ଏହା ଜୀବନସାରା ରହିଲା। ଯେମିତି ଡାଏବେଟିସ୍ ସମ୍ପୂର୍ଣ୍ଣ ଭାବେ ଭଲ ହେବ ନାହିଁ କିନ୍ତୁ, ଆମେ ତାକୁ ନିୟନ୍ତ୍ରଣରେ ରଖିପାରିବା। ସେହିପରି ପିସିଓଏସ୍କୁ ନିୟନ୍ତ୍ରଣରେ ରଖିବା ଆମ ହାତରେ ଅଛି।
ପିସିଓଏସ୍କୁ ନିୟନ୍ତ୍ରଣରେ ରଖିବାକୁ ହେଲେ ଜୀବନଶୈଳୀରେ ପରିବର୍ତ୍ତନ କରିବା ନିହାତି ଜରୁରୀ।
(ସ୍ୱାସ୍ଥ୍ୟ ଓ ଜୀବନଶୈଳୀ ଉପରେ ଆଧାରିତ ଓଡ଼ିଆ ଡିଜିଟାଲ୍ ପ୍ଲାଟଫର୍ମ ‘ସ୍ୱାସ୍ଥ୍ୟ ପ୍ଲସ୍’ ସହିତ ଡାକ୍ତର ଲିପିକା ମହାରଣାଙ୍କ ସ୍ୱତନ୍ତ୍ର ସାକ୍ଷାତକାରକୁ ନେଇ ପ୍ରସ୍ତୁତ।)
Note: This information on PCOS, in Odia language, is based on an extensive interview with a Gynaecologist, Infertility & PCOS specialist Dr Lipika Moharana.