ଆଜିକାଲି ଅଧିକାଂଶ ଶିଶୁମାନଙ୍କ କ୍ଷେତ୍ରରେ ମେଦବୃଦ୍ଧି ଏକ ବିରାଟ ସମସ୍ୟା ଭାବେ ମୁଣ୍ଡ ଟେକିଛି। ବଦଳୁଥିବା ଜୀବନଶୈଳୀ, ଖାଦ୍ୟପେୟ ହିଁ ଶିଶୁମାନଙ୍କ ମେଦବୃଦ୍ଧିର ମୁଖ୍ୟ କାରଣ ସାଜୁଛି।
ପିଲାମାନଙ୍କ ମୋଟାପା ବୃଦ୍ଧି ନାନାଦି ସ୍ୱାସ୍ଥ୍ୟ ସମସ୍ୟା ଡାକି ଆଣିଥାଏ। କେବଳ ସେତିକି ନୁହେଁ ସେମାନଙ୍କର ପାଠ ପଢ଼ା ପ୍ରତି ବି କମ ଆଗ୍ରହ ଦେଖାଦେଇଥାଏ। ଏଥି ସହ ଖେଳକୁଦ ପାଇଁ ବି ସେମାନେ ଆଗ୍ରହୀ ହୋଇ ନ ଥାନ୍ତି। ତେବେ କେଉଁ ସବୁ କାରଣରୁ ପିଲାମାନଙ୍କ ନିକଟରେ ଦେଖାଦେଇଥାଏ ମେଦବୃଦ୍ଧି।
ମୋବାଇଲ ଓ ଟିଭିର ପ୍ରଭାବ
ଆଜିକାଲି ପିଲାମାନେ ମୋବାଇଲରେ ଖୁବ୍ ଅଭ୍ୟସ୍ତ। ଖୁବ୍ ସାନ ବେଳରୁ ସେମାନେ ମୋବୋଇଲରେ ବିଭିନ୍ନ ରାଇମସ୍ କାର୍ଟୁନ ଇତ୍ୟାଦି ଦେଖିବାକୁ ଖୁବ୍ ଭଲ ପାଇଥାନ୍ତି। ଏପରିକି ସେତିକି ସମୟ ସେମାନେ ଚୁପଚାପ ଗୋଟିଏ ସ୍ଥାନରେ ବସୁଥିବାରୁ ମାଆମାନେ ମୋବାଇଲ ଧରାଇ ଦେଇ ଅନ୍ୟ କାମଦାମ ସାରିଦିଅନ୍ତି। ବିଶେଷ କରି ଖାଇବା ସମୟରେ ମୋବାଇଲରେ ଭିଡିଓ ନ ଦେଖିଲେ ସେମାନେ ଖାଇବା ଥାଳି ପାଖରେ ବସନ୍ତି ନାହିଁ। ଅନ୍ୟ ପଟରେ ମୋବାଇଲ ଦେଖିବା ଭିତରେ ସେମାନେ କେତେ ଖାଆନ୍ତି ତାହା ଜାଣି ପାରନ୍ତି ନାହିଁ। ସେହିପରି କିଛି ପିଲା ଟିଭି ଦେଖି ଦେଖି ଖାଦ୍ୟ ଖାଇଥାନ୍ତି। ଏହା ଅନ୍ୟ ପକ୍ଷରେ ମୋଟାପଣ ବୃଦ୍ଧି କରିଥାଏ।
ଜଙ୍କ ଫୁଡ୍
ବଦଳୁଥିବା ଜୀବନଶୈଳୀ ପ୍ରଭାବରେ ଆଜିକାଲି ପିଲା ଘର ତିଆରି ଖାଦ୍ୟ ଅପେକ୍ଷା ବାହାରର ଜଙ୍କ ଫୁଡ୍କୁ ବେଶୀ ପସନ୍ଦ କରୁଛନ୍ତି। ପିଜା, ବର୍ଗର, ସ୍ୟାଣ୍ଡଓ୍ୱିଚ ଖାଇବା ସହ କୋଲଡ ଡ୍ରିଙ୍କସ୍ରେ ଖୁସି ହେଉଛନ୍ତି। କିନ୍ତୁ ଏଥିରୁ ଅଧିକ କ୍ୟାଲୋରୀ ଓ କମ୍ ପୋଷକ ତ ତ୍ତ୍ୱ ପିଲାଙ୍କୁ ମିଳିଥାଏ। ଯାହା ଶରୀରର ଓଜନ ବଢ଼ାଇବା ସହ ପୃଥୁଳତା ବୃଦ୍ଧି କରିଥାଏ।
ଖେଳକୁଦର ଅଭାବ
ଆଜିକାଲି ପିଲାମାନଙ୍କର ଖେଳକୁଦ ନାହିଁ କହିଲେ ଚଳେ। ସେମାନେ ବେଶୀ ଘରେ ମୋବାଇଲ କିମ୍ବା କମ୍ପ୍ୟୁଟରରେ ଭିଡିଓ ଗେମ୍ ଖେଳିବାକୁ ପସନ୍ଦ କରୁଛନ୍ତି। ଏପରିକି ଶତକଡା ୪୦ ଭାଗ ପିଲା ଦିନକୁ ୪ରୁ ୫ ଘଣ୍ଟା ଟିଭି ଦେଖୁଥିବା ଏକ ସର୍ଭେରୁ ଜଣାପଡିଛି। ଫଳରେ ଶାରୀରିକ ଶ୍ରମ କମିଯାଉଛି। ଯାହା ଶିଶୁମାନଙ୍କର ମେଦବୃଦ୍ଧିର କାରଣ ହୋଇଛି।
ବଂଶାନୁକ୍ରମିକ
ଯଦି ବାପା ମାଆ ମେଦବହୁଳତାର ଶିକାର ହୋଇଥାନ୍ତି ପିଲାମାନେ ବି ଏହାର ଶିକାର ହୋଇଥାନ୍ତି। ତେଣୁ ଏହି ଶିଶୁମାନଙ୍କ ଖାଦ୍ୟପେୟ ପ୍ରତି ବିଶେଷ ଦୃଷ୍ଟି ଦେବାର ଆବଶ୍ୟକତା ରହିଛି। ଏଥି ସହ ନିୟମିତ ବ୍ୟାୟାମ କରିବା ଦରକାର।
ଜୀବନଶୈଳୀ
ଆଜିକାଲି ବାପାମାଆ ଉଭୟ ଚାକିରି କରୁଛନ୍ତି। ଫଳରେ ପିଲାମାନଙ୍କ ରୁଟିନ ଲାଇଫରେ ବହୁ ପରିବର୍ତ୍ତନ ଦେଖିବାକୁ ମିଳୁଛି। ଗୋଧୋଇବା, ଖାଇବା, ଶୋଇବାର ସମୟ ଠିକ୍ ରହୁନାହିଁ। ଏପରିକି ଭୋଜନ ଓ ପାନୀୟରେ ଦୈନିକ ହାରାହାରି କ୍ୟାଲୋରୀ ପରିମାଣରେ ଅତ୍ୟଧିକ ବୃଦ୍ଧି ହୋଇଛି। ଅଥଚ ସ୍ୱାସ୍ଥ୍ୟ ପାଇଁ ଅତ୍ୟାବଶ୍ୟକ ପୋଷଣ କମିଯାଉଛି।
ଏସବୁ ଦିଗ ପ୍ରତି ଧ୍ୟାନ ଦେଇ ବେଳ ଥାଉ ଥାଉ ସତର୍କ ହେଲେ ପିଲାମାନଙ୍କୁ ମେଦବହୁଳତାଠାରୁ ଦୂରେଇ ରଖିହେବ। ଫଳରେ ଦେଖାଯାଉଥିବା ବିଭିନ୍ନ ସ୍ୱାସ୍ଥ୍ୟୟ ସମସ୍ୟାକୁ ଏଡାଇହେବ।
ସ୍ୱାସ୍ଥ୍ୟ ପ୍ଲସ୍ ହେଲଥ କ୍ଲବ୍ ଫେସବୁକ୍ ଗ୍ରୁପରେ ଜଏନ କରନ୍ତୁ, ମାଗଣାରେ ଉପାଦେୟ ସ୍ୱାସ୍ଥ୍ୟ ସୂଚନା ଓ ପରାମର୍ଶ ଲାଭ କରନ୍ତୁ ଏବଂ ଅନ୍ୟମାନଙ୍କ ସହିତ ଭାବର ଆଦାନପ୍ରଦାନ କରନ୍ତୁ! www.facebook.com/groups/swasthyaplus