କାହିଁକି ହୁଏ ଫୁସଫୁସ କର୍କଟ? ଏହାକୁ କିପରି ରୋକିହେବ? ଏନେଇ ବିଶିଷ୍ଟ ଫୁସ୍‌ଫୁସ୍‌ ରୋଗ ବିଶେଷଜ୍ଞ ଡାକ୍ତର ସମ୍ପତ ଦାସ କ’ଣ କହୁଛନ୍ତି ଆସନ୍ତୁ ଜାଣିବା।

ଫୁସ୍‌ଫୁସ୍ କ୍ୟାନସର କ’ଣ? (What is lung cancer in Odia)

ଫୁସ୍‌ଫୁସ୍‌ରେ କୌଣସି କୋଷ ଅନିୟନ୍ତ୍ରିତ ଭାବେ ବଢ଼ି ଚାଲିଲେ, ଏହା ଟ୍ୟୁମର ରୂପ ନେଇଥାଏ। ଏହି ଟ୍ୟୁମର ଶେଷରେ କ୍ୟାନସର ସୃଷ୍ଟି କରିଥାଏ, ଯାହାକୁ ଫୁସ୍‌ଫୁସ୍‌ କର୍କଟ କୁହାଯାଏ।

ଭାରତରେ ଫୁସ୍‌ଫୁସ୍‌ କର୍କଟ ରୋଗୀଙ୍କ ସଂଖ୍ୟା ଅନ୍ୟ କର୍କଟ ରୋଗ ତୁଳନାରେ ଅଧିକ ଦେଖିବାକୁ ମିଳୁଛି। ତେଣୁ ଫୁସ୍‌ଫୁସ୍‌ କର୍କଟର ଲକ୍ଷଣ କ’ଣ, କେଉଁମାନଙ୍କଠାରେ ଏହି ରୋଗ ହେବାର ଆଶଙ୍କା ଅଧିକ? ସେ ବିଷୟରେ ସମସ୍ତେ ଜାଣିବା ଜରୁରୀ। ଯଦି ସେହିଭଳି କିଛି ଲକ୍ଷଣ ରହିଛି ତେବେ ତୁରନ୍ତ ଡାକ୍ତରଙ୍କୁ ପରାମର୍ଶ କରନ୍ତୁ।

ଅଧିକ ପଢ଼ନ୍ତୁ: ପୁଣି କାହିଁକି ବଢୁଛି କରୋନା?

ଫୁସଫୁସ୍ କର୍କଟର କାରଣ (Causes of lung cancer in Odia)

ଫୁସଫୁସ୍ କର୍କଟର ଦୁଇଟି କାରଣ।

ଏହା ବଂଶଗତ କାରଣରୁ ହୋଇପାରେ। ମହିଳାଙ୍କ ଅପେକ୍ଷା ପୁରୁଷଙ୍କଠାରେ ଏହି କର୍କଟ ଅଧିକ ଦେଖାଦିଏ।

ଏହାଛଡ଼ା ପରିବର୍ତ୍ତିତ ଜୀବନଶୈଳୀ ଯେପରିକି ସିଗାରେଟ୍ ବା ବିଡ଼ି ଟାଣିବା ଦ୍ୱାରା, କାଠ ଚୁଲି ବା ଗୋବର ଘଷି ଜାଳିଲେ ଯେଉଁ ଧୂଆଁ ବାହାରେ ଏବଂ ଯେଉଁମାନେ ଧୂଳିରେ, କୋଇଲା, ଏବଂ ବାଲିରେ କାମ କରୁଛନ୍ତି ସେମାନଙ୍କୁ ଫୁସଫୁସ୍ କର୍କଟ ହେବାର ଆଶଙ୍କା ଅଧିକ ଥାଏ।

ଅଧିକ ପଢ଼ନ୍ତୁ: ମହିଳାଙ୍କ ପାଇଁ ଧୂମପାନ କେତେ କ୍ଷତିକାରକ?

ଚୁଲି ଧୂଆଁ ହୋଇପାରେ କ୍ଷତିକାରକ (Smoke is bad for the lungs)

ସାଧାରଣତଃ ଗାଁ ଗହଳିରେ ଚୁଲି ବା ଗୋବର ଘଷିରେ ରୋଷେଇ କରିଥା’ନ୍ତି। ଏହାଦ୍ୱାରା ଯେଉଁ ଧୂଆଁ ବାହାରେ ସେଥିରେ ବହୁତ ପ୍ରକାରର କେମିକାଲ ଥାଏ, ଯାହା ଫୁସଫୁସ୍ କ୍ୟାନସରର କାରଣ ହୋଇଥାଏ। ଯେଉଁ ମହିଳାମାନେ ଏହି ଧୂଆଁ ସଂସ୍ପର୍ଶରେ ଆସିଥାଆନ୍ତି ସେମାନଙ୍କୁ ଏହି କ୍ୟାନସର ହେବାର ଆଶଙ୍କା ଅଧିକ ରହିଛି। 

ଫୁସଫୁସ୍ କର୍କଟର ଲକ୍ଷଣ (Symptoms of lung cancer in Odia)

ଏହି କର୍କଟର ପ୍ରଥମ ଲକ୍ଷଣ ହେଉଛି କାଶ ହେବା। ଗୋଟିଏ ମାସରୁ ଦୁଇ ମାସ ପର୍ଯ୍ୟନ୍ତ କାଶ ଲାଗିରହିବା, କାଶରେ ରକ୍ତ ପଡ଼ିବା, ଛାତି ଯନ୍ତ୍ରଣା ହେବା, କାଶ ହେବା ବେଳେ ନିଶ୍ୱାସ ନେବାରେ କଷ୍ଟ ଅନୁଭବ ହେବା ଏବଂ ଓଜନ କମିଯିବା ଭଳି ଲକ୍ଷଣ ଦେଖିବାକୁ ମିଳିଥାଏ। ଏହି ସବୁ ଲକ୍ଷଣ ଦେଖାଗଲେ ତୁରନ୍ତ ଡାକ୍ତରଙ୍କ ପରାମର୍ଶ ନିଅନ୍ତୁ।

ଫୁସଫୁସ୍ କର୍କଟକୁ ଚିହ୍ନିବେ କିପରି? (How to diagnose lung cancer in Odia)

କୌଣସି ରୋଗର ଜଟିଳତାକୁ ରୋକିବାକୁ ହେଲେ ଏହାର ଶୀଘ୍ର ଚିହ୍ନଟ ଓ ଚିକିତ୍ସା କରିବା ଜରୁରୀ। ଜଣକଠାରେ ଫୁସ୍‌ଫୁସ୍‌ କର୍କଟର କୌଣସି ଲକ୍ଷଣ ଜଣାପଡ଼ିଲେ ରେଡିଓଲୋଜି ଚିକିତ୍ସା ଯଥା- ସିଟି ସ୍କାନ କରାଯାଏ। ସିଟି ସ୍କାନରେ କ୍ୟାନ୍‌ସର ଥିବା ନେଇ ସନ୍ଦେହ ହେଲେ ବ୍ରୋଙ୍କୋସ୍କୋନି, ଥୋରାକୋସ୍କୋପିକ୍‌ ଭଳି ପରୀକ୍ଷା କରାଯାଏ। କର୍କଟ ଅଛି କି ନାହିଁ, କେଉଁ ପ୍ରକାର କର୍କଟ ଅଛି, ତାହା ଏହି ପରୀକ୍ଷା ମାଧ୍ୟମରେ ଜଣାପଡ଼ିଥାଏ।

ଅଧିକ ପଢ଼ନ୍ତୁ: ସୁସ୍ଥ ଫୁସ୍‌ଫୁସ୍‌ ପାଇଁ ଆପଣାନ୍ତୁ ଏହିସବୁ ଖାଦ୍ୟ

ଫୁସଫୁସ୍ କର୍କଟର ଚିକିତ୍ସା (Treatment of lung cancer in Odia)

କ୍ୟାନସର ରୋଗର ଚିକିତ୍ସା ଦୁଇ ପ୍ରକାର। ଗୋଟିଏ ଅପରେସନ ଏବଂ ଅନ୍ୟଟି ଔଷଧ ଦ୍ୱାରା ଚିକିତ୍ସା କରାଯାଇଥାଏ। ଏହି ଚିକିତ୍ସା କରିବାକୁ ହେଲେ ପ୍ରଥମେ କ୍ୟାନସର କେଉଁ ପର୍ଯ୍ୟାୟରେ ରହିଛି ତାକୁ ଜାଣିବାକୁ ପଡ଼ିବ।

କର୍କଟ ପ୍ରାରମ୍ଭିକ ପର୍ଯ୍ୟାୟରେ ଥିଲେ ଅପରେସନ କରି ସେହି କ୍ୟାନସରକୁ ବାହାର କରିଦିଆଯାଏ। କିନ୍ତୁ ଶେଷ ପର୍ଯ୍ୟାୟରେ କର୍କଟ ଥିଲେ, ତେବେ ତାହାର ଚିକିତ୍ସା କରିବା ପାଇଁ ରୋଗୀଙ୍କ ସ୍ଵାସ୍ଥ୍ୟାବସ୍ଥା ଦେଖିବାକୁ ପଡ଼ିଥାଏ। ଯଦି ରୋଗୀଙ୍କ ଅବସ୍ଥା ଭଲ ଅଛି ତାହେଲେ କେମୋଥେରାପି ଏବଂ ରେଡିଓଥେରାପି ଦ୍ୱାରା ତାହାକୁ ଅଟକାଇ ଦିଆଯାଇ ପାରିବ।

କୋଭିଡ୍‌ ବେଳେ କର୍କଟ ରୋଗୀଙ୍କ ଯତ୍ନ (Care of Lungs during Covid Pandemic in Odia)

ବର୍ତ୍ତମାନର କୋଭିଡ୍ ପରିସ୍ଥିତି ପାଇଁ ବହୁତ ରୋଗୀଙ୍କ ଡର ଯେ ସେମାନେ ହସ୍ପିଟାଲ ଗଲେ କାଳେ କୋଭିଡ ହୋଇଯିବ। ତେଣୁ ଯେଉଁ ରୋଗ ପୂର୍ବରୁ ଚିହ୍ନଟ ହୋଇପାରିଥା’ନ୍ତା ତାହା ବିଳମ୍ଭ ହୋଇଯାଇଥାଏ। ଯଦି ଫୁସଫୁସ୍ ଜନିତ ଲକ୍ଷଣ ଦେଖାଯାଉଛି ଏବଂ ଆପଣଙ୍କର କ୍ୟାନସରର ବିପଦ ରହିଛି ତେବେ କୋଭିଡ୍‌ ଭୂତାଣୁକୁ ନଡରି ହସ୍ପିଟାଲ ଯାଇ ଡାକ୍ତରଙ୍କ ପରାମର୍ଶ ନେଇ ଚିକିତ୍ସିତ ହେବା ଜରୁରୀ। 

(ସ୍ୱାସ୍ଥ୍ୟ ଓ ଜୀବନଶୈଳୀ ଉପରେ ଆଧାରିତ ଓଡ଼ିଆ ଡିଜିଟାଲ୍‌ ପ୍ଲାଟଫର୍ମ ‘ସ୍ୱାସ୍ଥ୍ୟ ପ୍ଲସ୍’ ସହିତ ଡାକ୍ତର ସମ୍ପତ ଦାଶଙ୍କ ସ୍ୱତନ୍ତ୍ର ସାକ୍ଷାତକାରକୁ ନେଇ ପ୍ରସ୍ତୁତ।)

Note: This information on Lungs Cancer in Odia language, is based on an extensive interview with a Pulmonologist Dr Sampath Dash.