କାହିଁକି ବଢୁଛି କ୍ୟାନସର? ଏହାର ଲକ୍ଷଣ ଓ ଚିକିତ୍ସା ବିଷୟରେ ବିଶିଷ୍ଟ କ୍ୟାନସର ରୋଗ ବିଶେଷଜ୍ଞ ଡାକ୍ତର ଆର୍ଯ୍ୟ କୁମାର ବାଣୀଦତ୍ତଙ୍କଠାରୁ ଆସନ୍ତୁ ଜାଣିବା।

ଆମ ଶରୀରର କୋଷିକାଗୁଡ଼ିକ ଅନିୟନ୍ତ୍ରିତ ଭାବେ ବଢ଼ିଚାଲିଲେ ଏହା ଟ୍ୟୁମରର ଆକାର ନେଇଥାଏ। ପରବର୍ତ୍ତି ସମୟରେ ଏହି ଟ୍ୟୁମର କର୍କଟ ରୋଗର କାରଣ ପାଲଟେ। ଓଡ଼ିଶାରେ ସ୍ତନ କର୍କଟ ରୋଗୀଙ୍କ ସଂଖ୍ୟା ସର୍ବାଧିକ। ଏହାପରେ ସର୍ଭାଇକାଲ କ୍ୟାନ୍‌ସର, ହେଡ୍‌ ଆଣ୍ଡ ନେକ୍‌ କ୍ୟାନ୍‌ସର ଅଧିକ ହୋଇଥାଏ। ସଠିକ ସମୟରେ କର୍କଟ ରୋଗକୁ ଚିହ୍ନଟ କରି ପାରିଲେ, ଏଥିରୁ ମୁକ୍ତି ପାଇବାର ସମ୍ଭାବନା ଅଧିକ।

କର୍କଟ ରୋଗର ଲକ୍ଷଣ କ’ଣ? (Symptoms of Cancer in Odia)

ଶରୀରର କେଉଁ ସ୍ଥାନରେ କର୍କଟ କୋଷ ବଢ଼ିଛି, ସେହି ଅନୁଯାୟୀ ଲକ୍ଷଣ ଭିନ୍ନ ଭିନ୍ନ ହୋଇଥାଏ। ସ୍ତନ କର୍କଟ ହୋଇଥିଲେ ସ୍ତନରେ ଫୁଲା ଭଳି ହେବା, କାଖରେ କିମ୍ବା ସ୍ତନରେ ଗୁଲି ଭଳି ହେବା, ସ୍ତନାଗ୍ରରୁ ପାଣି ସ୍ରାବ ବାହାରିବା ଭଳି ଲକ୍ଷଣ ଦେଖାଦିଏ।

ଜରାୟୁରେ କର୍କଟରେ ଋତୁସ୍ରାବରେ ଅନିୟମିତତା, ଋତୁଚକ୍ର ବେଳେ ଅତ୍ୟଧିକ ରକ୍ତସ୍ରାବ, ଅଣ୍ଟା ଯନ୍ତ୍ରଣା, ଧଳାସ୍ରାବ ହେବା ଭଳି ଲକ୍ଷଣ ଦେଖାଦେଇଥାଏ।

ମୁଖ ଗହ୍ୱର କ୍ୟନ୍‌ସର ହୋଇଥିଲେ ବେକ ପାଖରେ ଫୁଲା ରହିଥାଏ, ଜିଭରେ ଅଲସର ହୋଇପାରେ, ଖାଇବା ପିଇବା ବେଳେ କଷ୍ଟ ହେବା, ଖାଦ୍ୟ ଢୋକିବା ବେଳେ ଅସୁବିଧା ହେବା, ସ୍ଵରରେ ପରିବର୍ତ୍ତନ ହେବା ଭଳି ଲକ୍ଷଣମାନ ପରିଲିକ୍ଷିତ ହୋଇଥାଏ।

ପ୍ରୋଷ୍ଟେଟ୍‌ କ୍ୟାନ୍‌ସରରେ ବାରମ୍ବାର ପରିସ୍ରା ଲାଗିବା, ପରିସ୍ରାକୁ ରୋକି ନ ପାରିବା ଭଳି ଲକ୍ଷଣ ଦେଖାଦିଏ।

ଫୁସ୍‌ଫୁସ୍‌ କର୍କଟ ହେଲେ ଛାତିରେ ଯନ୍ତ୍ରଣା, ହେବା, କଫରେ ରକ୍ତ ପଡ଼ିବା, କାଶ ହେବା ଭଳି ଲକ୍ଷଣ ଦେଖାଦିଏ।

ସାଧାରଣତଃ ସବୁ ପ୍ରକାର କ୍ୟାନ୍‌ସରରେ ଓଜନ କମିଯାଏ, ଭୋକ କମିଯାଏ, ଦୁର୍ବଳ ଲାଗିଥାଏ।

କାହିଁକି ବଢୁଛି କର୍କଟ ରୋଗ? (Causes of Cancer in Odia)

ବର୍ତ୍ତମାନ ସମୟରେ ଜୀବନଶୈଳୀରେ ପରିବର୍ତ୍ତନ ଯୋଗୁଁ ହିଁ କ୍ୟାନ୍‌ସର ହେଉଛି। ତା’ଛଡ଼ା ଧୂମପାନ, ମଦ୍ୟପାନ, ପୋଷଣର ଅଭାବ, ବ୍ୟାୟାମ ନ କରିବା, ବିଶ୍ରାମ ନ କରିବା, ମାନସିକ ଚାପ ଯୋଗୁଁ ମଧ୍ୟ କ୍ୟାନ୍‌ସର ହୋଇପାରେ।

କ୍ୟାନ୍‌ସରର ପ୍ରକାର ଅନୁଯାୟୀ ଏହାର କାରଣ ମଧ୍ୟ ଭିନ୍ନ। ଯେପରିକି ଶୀଘ୍ର ଋତୁସ୍ରାବ ହୋଇ ଡେରିରେ ମେନୋପଜ୍‌ ହେବା ଯୋଗୁଁ, ଡେରିରେ ବିବାହ ଓ ଡେରିରେ ପ୍ରସବ ଯୋଗୁଁ, ସ୍ତନ୍ୟପାନ ନ କରିବା ସ୍ତନ କର୍କଟର କାରଣ ହୋଇଥାଏ।

ତା’ଛଡ଼ା କର୍କଟ ସୃଷ୍ଟି କରୁଥିବା କେମିକାଲର ବ୍ୟବହାର ଯୋଗୁଁ କର୍କଟ ହେଉଛି। ହ୍ୟୁମାନ ପାପିଲୋମା ଭାଇରସ୍‌ ଯୋଗୁଁ ସର୍ଭାଇକାଲ କ୍ୟାନ୍‌ସର ହୋଇଥାଏ।

ବିଆର୍‌ସିଏ-୧, ବିଆର୍‌ସିଏ-୨ ଜିନ୍‌ ଯୋଗୁଁ ସ୍ତନ କର୍କଟ, ପାନ୍‌କ୍ରିୟାଜ୍‌, ଓଭାରିଆନ୍‌ କର୍କଟ ପାଇଁ ଦାୟୀ।

ପ୍ରାରମ୍ଭିକ ଅବସ୍ଥାରୁ କ୍ୟାନସରକୁ ଚିହ୍ନନ୍ତୁ (Recognize cancer from an early stage in Odia)

ପ୍ରାଥମିକ ଅବସ୍ଥାରୁ କ୍ୟାନ୍‌ସରକୁ ଚିହ୍ନିପାରି ଏହାର ଚିକିତ୍ସା କରାଗଲେ ସୁଫଳ ମିଳିଥାଏ। ତେଣୁ ନିୟମିତ ବ୍ୟବଧାନରେ ସ୍କ୍ରିନିଂ କରିବା ଆବଶ୍ୟକ। ସ୍ତନ କର୍କଟ ପାଇଁ ସ୍କ୍ରିନିଂ ମମୋଗ୍ରାମ୍‌ କରିବା ଦରକାର। ଏହାଛଡ଼ା ନିୟମିତ ବ୍ୟବଧାନରେ ସେଲ୍‌ଫ ବ୍ରେଷ୍ଟ ଏକ୍‌ଜାମିନେସନ୍‌ କରିବା ଦରକାର। ଏହାଦ୍ୱାରା ଷ୍ଟେଜ୍‌ ୧ କିମ୍ବା ୨ରେ କର୍କଟକୁ ଜାଣିପାରିଲେ ଏହାର ଚିକିତ୍ସା କରିବା ସମ୍ଭବପର ହୋଇଥାଏ।

କର୍କଟ ରୋଗର ଚିକିତ୍ସା କେମିତି ହୁଏ? (Treatment of Cancer in Odia)

କ୍ୟନ୍‌ସର ଟିସ୍ୟୁର ବାୟୋପ୍ସି କରିବା ଦରକାର। ବାୟୋପ୍ସିରୁ କର୍କଟ ହୋଇଛି କି ନାହିଁ ଜାଣିହୁଏ। କେଉଁ ପ୍ରକାରର କ୍ୟାନ୍‌ସର ଅଛି ତାହା ଜାଣିବା ପାଇଁ ଇମ୍ୟୁନୋହିଷ୍ଟୋକେମେଷ୍ଟ୍ରି କରାଯାଏ।

ରୋଗୀର କ୍ୟାନ୍‌ସରର ଷ୍ଟେଜ୍‌କୁ ଦେଖି ଚିକିତ୍ସା ନିର୍ଭର କରୁଛି।

କର୍କଟକୁ ରୋକିପାରିବା କି? (Prevention of Cancer in Odia)

ଜୀବନଶୈଳୀରେ ପରିବର୍ତ୍ତନ କଲେ କର୍କଟକୁ ରୋକିପାରିବା।

ନିୟମିତ ବ୍ୟାୟାମ, ସଠିକ୍‌ ପରିମାଣରେ ଶୋଇବା, ମୋଟାପଣକୁ ନିୟନ୍ତ୍ରଣରେ ରଖିବା, ସନ୍ତୁଳିତ ଖାଦ୍ୟ ଖାଇବା ଯୋଗୁଁ କର୍କଟକୁ ରୋକାଯାଇପାରିବ।

ଏହାଛଡ଼ା ଧୂମପାନ, ତମାଖୁ ସେବନ ଓ ମଦ୍ୟପାନରୁ ଦୂରେଇ ରହନ୍ତୁ।

(ସ୍ାସ୍ଥ୍ୟ ଓ ଜୀବନଶୈଳୀ ଉପରେ ଆଧାରିତ ଓଡ଼ିଆ ଡିଜିଟାଲ ପ୍ଲାଟ୍‌ଫର୍ମ ସ୍ାସ୍ଥ୍ୟ ପ୍ଲସ୍‌ସହିତ ଡାକ୍ତର ଆର୍ଯ୍ୟ କୁମାର ବାଣୀଦତ୍ତଙ୍କ ସ୍ତନ୍ତ୍ର ସାକ୍ଷାତକାରକୁ ନେଇ ପ୍ରସ୍ତୁତ।)

Note: This information on Cancer, in Odia language, is based on an extensive interview with a Radiation Oncologist Dr Arya Kumar Banidutta.