ରକ୍ତ କର୍କଟର କାରଣ କ’ଣ? ରକ୍ତ କର୍କଟକୁ ଚିହ୍ନିବେ କିପରି? ଏନେଇ ବିଶିଷ୍ଟ କର୍କଟ ରୋଗ ବିଶେଷଜ୍ଞ ଡାକ୍ତର ଘନଶ୍ୟାମ ବିଶ୍ୱାସଙ୍କଠାରୁ ଅଧିକ ଜାଣନ୍ତୁ।

ରକ୍ତରେ ଲୌହ ରକ୍ତ କଣିକା, ଶ୍ୱେତ ରକ୍ତକଣିକା ଏବଂ ପ୍ଲେଟ୍‌ଲେଟ୍‌ ରହିଛି। ଶ୍ୱେତ ରକ୍ତ କଣିକା ସାଧାରଣ ସ୍ତରଠାରୁ ଅଧିକ ବୃଦ୍ଧି ପାଇଲେ ଶରୀରରେ ସଂକ୍ରମଣ ହୋଇପାରେ, ପ୍ରଦାହ ହୋଇପାରେ କିମ୍ବା ବ୍ଲଡ୍‌ କ୍ୟାନ୍‌ସର ବି ହୋଇପାରେ।

ବ୍ଲଡ୍ କ୍ୟାନସର କ? (What is blood cancer in Odia) 

ଶରୀରରେ କୌଣସି କୋଷର ଅତିରିକ୍ତ ବୃଦ୍ଧି ହେଲେ ତାକୁ କ୍ୟାନ୍‌ସର ବା କର୍କଟ ବୋଲି କୁହାଯାଏ। ମଣିଷ ଶରୀରରେ ୩ ପ୍ରକାରର ରକ୍ତ କଣିକା (ବ୍ଲଡ ସେଲ) ଥାଏ। ସେଗୁଡ଼ିକ ହେଲା ଲୋହିତ ରକ୍ତ କଣିକା (ରେଡ୍‌ ବ୍ଲଡ୍ ସେଲ), ଶ୍ଵେତ ରକ୍ତ କଣିକା (ହ୍ଵାଇଟ୍ ବ୍ଲଡ ସେଲ) ଏବଂ ପ୍ଲେଟ୍‌ଲେଟ୍‌।

ଶ୍ୱେତ ରକ୍ତ କଣିକା ହେଉଛି ଶରୀରର ପ୍ରତିରକ୍ଷା ପ୍ରଣାଳୀ। ବାହ୍ୟ ସଂକ୍ରମଣରୁ ଏହା ଶରୀରକୁ ରକ୍ଷା କରିଥାଏ। ଏହି ଶ୍ୱେତ ରକ୍ତ କଣିକାଗୁଡ଼ିକ ସାଧାରଣ ସ୍ତରରୁ ଅଧିକ ବୃଦ୍ଧି ପାଏ, ସେତେବେଳେ ସଂକ୍ରମଣ ହୋଇପାରେ, ପ୍ରଦାହ ହୋଇପାରେ କିମ୍ବା କେତେକ ଲୋକଙ୍କଠାରେ କ୍ୟାନ୍‌ସର ହୋଇପାରେ।

ଯେତେବେଳେ ଶ୍ୱେତ ରକ୍ତ କଣିକା ବଢ଼ିଯାଏ, ସେତେବେଳେ ଲୋହିତ ରକ୍ତ କଣିକା ଏବଂ ପ୍ଲେଟ୍‌ଲେଟ୍‌ଗୁଡ଼ିକର ମାତ୍ରା କମିଯାଏ। ରକ୍ତ କଣିକାର ଏହିସବୁ ଅସ୍ୱାଭାବିକ ପରିବର୍ତ୍ତନ ପାଇଁ ଶରୀରର କୋଷ ତିଆରି କାରଖାନା, ଯାହାକୁ ବୋନ୍ ମ୍ୟାରୋ କୁହାଯାଏ ତାହା କୌଣସି କାରଣବଶତଃ ଖରାପ ହେବାକୁ ଆରମ୍ଭ କରେ। ଏଥିପାଇଁ କ୍ୟାନସର ବା କର୍କଟ ଭଳି ରୋଗ ଦେଖିବାକୁ ମିଳେ।

୧୫ରୁ ୧୮ ବର୍ଷର ପିଲାଙ୍କଠାରେ ଦେଖାଯାଉଥିବା କ୍ୟାନସରକୁ ଆକ୍ୟୁଟ୍‌ ଲିମ୍ଫୋବ୍ଲାଷ୍ଟିକ ଲ୍ୟୁକୋମିଆ ବୋଲି କୁହାଯାଏ। ବୟସ୍କ ଲୋକଙ୍କ ପାଖରେ ଆକ୍ୟୁଟ୍‌ ମାଇଲଲଡ୍‌ ଲ୍ୟୁକୋମିଆ କ୍ୟାନସର ଦେଖାଯାଏ। ଏହି ଦୁଇ ପ୍ରକାର ଲିଉକୋମିଆର ଯଦି ଶୀଘ୍ର ଚିକିତ୍ସା କରାନଯାଏ ତେବେ ରୋଗୀର ମୃତ୍ୟୁ ହେବାର ଆଶଙ୍କା ଅଧିକ।

କ୍ରୋନିକ୍ ଲ୍ୟୁକୋମିଆ ରକ୍ତ କର୍କଟ ଦୁଇ ପ୍ରକାରର। ତାହାହେଲା CML ( କ୍ରୋନିକ୍ ମାଇଲଡ୍‌ ଲ୍ୟୁକୋମିଆ) ଏବଂ ଅନ୍ୟଟି CLL (କ୍ରନିକ୍ ଲିମ୍ଫାଟିକ୍ ଲ୍ୟୁକୋମିଆ)।

କ୍ରୋନିକ୍ ମାଇଲଡ ଲ୍ୟୁକୋମିଆ ଆମ ଦେଶରେ ଅଧିକ ମାତ୍ରାରେ ଦେଖିବାକୁ ମିଳିଥାଏ ଏବଂ କ୍ରନିକ୍ ଲିମ୍ଫାଟିକ୍ ଲ୍ୟୁକୋମିଆ ବାହାର ଦେଶମାନଙ୍କରେ ଦେଖିବାକୁ ମିଳିଥାଏ।  

ଅଧିକ ପଢ଼ନ୍ତୁ: ପାଟିରେ କର୍କଟ କାହିଁକି ହୁଏ?

କାହିଁକି ହୁଏ ରକ୍ତ କର୍କଟ? (Why does blood cancer occur in Odia) 

ଅନେକ ସମୟରେ ରକ୍ତ କର୍କଟର ନିର୍ଦ୍ଦିଷ୍ଟ କାରଣ ଜଣାପଡ଼ି ନଥାଏ।  କିନ୍ତୁ ଯେଉଁମାନେ କେମିକାଲ ସଂସ୍ପର୍ଶରେ ଆସନ୍ତି ସେମାନଙ୍କ ପାଖରେ ରକ୍ତ କର୍କଟ ହେବାର ଆଶଙ୍କା ଥାଏ।

ବଂଶଗତ କାରଣରୁ ମଧ୍ୟ ରକ୍ତ କର୍କଟ ହୋଇପାରେ।

ଯଦି ଜଣେ ବ୍ୟକ୍ତି ଅତୀତରେ ଅନ୍ୟ ପ୍ରକାରର କର୍କଟରେ ପୀଡ଼ିତ ଥିବେ ବା କେମୋଥେରାପି ଓ ରେଡିଓଥେରାପି ନେଇଥିବେ, ସେମାନଙ୍କୁ ଭବିଷ୍ୟତରେ ରକ୍ତ କର୍କଟ ହେବାର ଦେଖାଯାଇଛି।

ରକ୍ତ କର୍କଟର ଲକ୍ଷଣ (Symptoms of Blood cancer in Odia)

ଏହି ରୋଗ ହେବା ପୁର୍ବରୁ ଥକ୍କା ଲାଗିପାରେ, ଶରୀରରେ ପ୍ଲେଟ୍‌ଲେଟ୍‌ କମିଯିବା ଫଳରେ ଚର୍ମରେ ଘା’ ଭଳି ଫଳିଯାଇପାରେ।

ସେହିପରି ହିମୋଗ୍ଲୋବିନ୍ କମିଗଲେ ଦୁର୍ବଳତା ଭଳି ଲକ୍ଷଣ ଦେଖିବାକୁ ମିଳିଥାଏ।

ଏମିତି ବି କେତେକ ରୋଗୀ ଅଛନ୍ତି ଯେଉଁମାନେ ଦାନ୍ତ ଚିକିତ୍ସା ପାଇଁ ଡାକ୍ତରଙ୍କ ପାଖକୁ ଯାଇଥାଆନ୍ତି, କିନ୍ତୁ ବିନା ପରୀକ୍ଷାରେ ଯେତେବେଳେ ଦାନ୍ତ ଉପାଡ଼ନ୍ତି ସେତେବେଳେ ଦେଖାଯାଏ ଯେ ରକ୍ତସ୍ରାବ କମୁନି। ରକ୍ତ ପରୀକ୍ଷା ପରେ ଜଣାଯାଏ ଯେ, ରକ୍ତ କର୍କଟ ହୋଇଛି।

ଆମ ଦେଶରେ ଅଧିକ ଦେଖାଦେଉଥିବା କ୍ରୋନିକ ମାଇଲଡ୍‌ ଲ୍ୟୁକୋମିଆ କ୍ୟାନସରରେ ପୀଡ଼ିତ ହୋଇଥିବା ୨୦ ପ୍ରତିଶତ ରୋଗୀମାନଙ୍କ କ୍ଷେତ୍ରରେ କୌଣସି ଲକ୍ଷଣ ଜଣାପଡ଼ିନଥାଏ। ପ୍ରାୟତଃ ସାଧାରଣ ରୋଗ ପାଇଁ ହୋଇଥିବା ପରିକ୍ଷା ପରେ ବ୍ୟକ୍ତି କ୍ୟାନ୍‌ସରରେ ପୀଡ଼ିତ ବୋଲି ଜଣାପଡ଼ିଥାଏ।

ରକ୍ତ କର୍କଟରେ ସାଧାରଣତଃ ‘ବି’ ସେଲ୍ ଏବଂ ‘ଟି’ ସେଲ୍ ରହିଥାଏ। ଅନ୍ୟ ପ୍ରକାର କ୍ୟାନସରରେ ଯେଉଁଭଳି ପ୍ରଥମରୁ ଅଷ୍ଟମ ପର୍ଯ୍ୟାୟର କ୍ୟାନସର ଥାଏ, ସେହିଭଳି ମାଇଲଡ୍‌ ଲ୍ୟୁକୋମିଆରେ ମଧ୍ୟ ଏମ୍‌-୦ରୁ ଏମ୍-୮ ପର୍ଯ୍ୟନ୍ତ ପର୍ଯ୍ୟାୟ ରହିଥାଏ। ଏମ୍-୦ରୁ ଏମ୍‌-୪ ପର୍ଯ୍ୟନ୍ତ ପୀଡ଼ିତ ଥିବା ରୋଗୀମାନେ ସୁସ୍ଥ ହେବାର ସମ୍ଭାବନା ଅଧିକ।

ସେହିପରି କ୍ରୋନିକ୍ ଲିମ୍ଫାଟିକ୍ ଲ୍ୟୁକୋମିଆ କ୍ୟାନସରରେ ୩ଟି ପର୍ଯ୍ୟାୟ ରହିଥାଏ। ପ୍ରଥମ ପର୍ଯ୍ୟାୟ ହେଉଛି କ୍ରୋନିକ୍‌ ପର୍ଯ୍ୟାୟ, ଯେଉଁଥିରେ ୬୫ରୁ ୭୦ ପ୍ରତିଶତ ରୋଗୀ ସୁସ୍ଥ ହୋଇଥାଆନ୍ତି। ଦିତ୍ୱୀୟ ପର୍ଯ୍ୟାୟ ହେଉଛି ଆକ୍ସେଲେଟେଡ୍ ଫେଜ୍, ଯେଉଁଥିରେ ୫୦ ପ୍ରତିଶତ ରୋଗୀ ସୁସ୍ଥ ହେବାର ସମ୍ଭାବନା ଅଧିକ। ତୃତୀୟ ପର୍ଯ୍ୟାୟ ବା ବ୍ଲାସ୍ ଫେଜ୍ କ୍ୟାନସରରେ ପୀଡ଼ିତ ଥିବା ୫ରୁ ୧୦ ପ୍ରତିଶତ ରୋଗୀ ସୁସ୍ଥ ହୋଇଥା’ନ୍ତି।  

ଅଧିକ ପଢ଼ନ୍ତୁ: କର୍କଟ ରୋଗକୁ ରୋକିପାରିବା କି? ଜାଣନ୍ତୁ ଡାକ୍ତରଙ୍କ ଉତ୍ତର

ରକ୍ତ କର୍କଟକୁ ଚିହ୍ନିବେ କିପରି? (How to diagnose blood cancer in Odia)

ଡାକ୍ତରଙ୍କ ପରାମର୍ଶକ୍ରମେ ସିବିସି (Complete Blood Count) ପରୀକ୍ଷା କରାଯାଏ। ଏହି ପରୀକ୍ଷା ଦ୍ୱାରା WBC ଏବଂ RBC ସିରିଜରେ କ’ଣ ରହିଛି ଏବଂ ଅଦରକାରୀ ସେଲ୍ ହୋଇଛି କି ନାହିଁ ଜଣାପଡ଼େ। 

ଅଦରକାରୀ ସେଲ୍ ବିଷୟରେ ଜାଣିବା ପରେ ୟୁରିକ ଏସିଡ୍‌, ଏଲ୍.ଏଫ.ଟି, ଏକ୍ସ-ରେ, ଅଲଟ୍ରାଉଣ୍ଡ ଏବଂ ଏହା ପରେ ବୋନ୍ ମ୍ୟାରୋ ଟେଷ୍ଟ କରିବାକୁ ପଡ଼େ। ବୋନ୍ ମ୍ୟାରୋରେ ଆସ୍ପିରେସନ ଏବଂ ବାୟୋପ୍ସି ପରୀକ୍ଷା କରିବାକୁ ପଡ଼େ। ଏହାପରେ ଫ୍ଲୋ-ସାଇଟୋମେଟ୍ରି ପରୀକ୍ଷା କରାଯାଏ।

ସବୁ କ୍ୟାନସର ରୋଗୀଙ୍କୁ ଏକା ପ୍ରକାରର ଚିକିତ୍ସା କରାଯାଏ ନାହିଁ।

ରକ୍ତ କର୍କଟର ଚିକିତ୍ସା (Treatments of Blood cancer in Odia)

ଆଧୁନିକ ଚିକିତ୍ସା ପ୍ରଣାଳୀରେ ଶିଶୁ କର୍କଟ ରୋଗୀଙ୍କର ସୁସ୍ଥ ହେବାର ସମ୍ଭାବନା ଅଧିକ ରହିଛି। ମଧ୍ୟମ ବୟସର ବ୍ୟକ୍ତିଙ୍କ ପାଇଁ ପାଖାପାଖି ଦୁଇରୁ ଅଢ଼େଇ ବର୍ଷ ପର୍ଯ୍ୟନ୍ତ ଚିକିତ୍ସା କରାଯାଏ। ସେହିପରି କିଶୋର କିଶୋରୀମାନଙ୍କ କ୍ଷେତ୍ରରେ ୬ ମାସ ଚିକିତ୍ସା କରାଯାଏ।  

୪୦ରୁ ୫୦ ପ୍ରତିଶତ ରୋଗୀମାନଙ୍କର ସାଇଟୋ-ଜେନେଟିକ ଭଲ ନାହିଁ ସେମାନଙ୍କର ବୋନ୍‌ ମ୍ୟାରୋ ଟ୍ରାନ୍ସପ୍ଲାଣ୍ଟ କରାଯାଏ। ଦୀର୍ଘ ଦଶ ବର୍ଷ ହେବ, ୬୦ ବର୍ଷରୁ ଅଧିକ ବୟସର ରୋଗୀମାନଙ୍କୁ କେମୋଥେରାପି ଦିଆଯାଉନାହିଁ। କାରଣ ଭାରତରେ ଅଧିକାଂଶ ପରିଣତ ବୟସର କ୍ୟାନ୍‌ସର ରୋଗୀଙ୍କଠାରେ ଡାଏବେଟିସ୍‌, ଉଚ୍ଚ ରକ୍ତଚାପ ଭଳି ସମସ୍ୟା ଥାଏ। ଫଳରେ ସେମାନେ କେମୋଥେରାପି ସହ୍ୟ କରିପାରନ୍ତି ନାହିଁ। ଏହି ନିର୍ଦ୍ଦିଷ୍ଟ ବୟସର ବ୍ୟକ୍ତିମାନଙ୍କୁ ହାଇପୋ ମିଥାଲେଟିକ୍ ଏଜେଣ୍ଟ ଔଷଧ ଦିଆଯାଇଥାଏ।

ପ୍ଲାଷ୍ଟିକର ବ୍ୟବହାର କର୍କଟର କାରଣ କି? (Is the use of plastic a cause of cancer in Odia)

ସାଧାରଣତଃ ପ୍ଲାଷ୍ଟିକ୍ ମାଟିରେ ମିଶିନଥାଏ। ଏହା ପାଞ୍ଚଶହ ବର୍ଷରୁ ଅଧିକ ବର୍ଷ ପର୍ଯ୍ୟନ୍ତ ମାଟିରେ ନମିଶି ରହିପାରେ। ପ୍ଲାଷ୍ଟିକ୍‌ ବ୍ୟବହାର ଦ୍ୱାରା କର୍କଟ ସହିତ ଅନ୍ୟ ରୋଗ ମଧ୍ୟ ହୋଇଥାଏ। ଦୈନନ୍ଦିନ ଜୀବନରେ ବ୍ୟବହାର ହେଉଥିବା ପ୍ଲାଷ୍ଟିକ ଯେପରିକି ପ୍ଲାଷ୍ଟିକ ବ୍ୟାଗ୍‌, ଟି-ବ୍ୟାଗ୍‌ ଆଦି କ୍ୟାନସରକୁ ବଢ଼ାଉଛି। 

ଡାକ୍ତରଙ୍କ ଟିପ୍ସ (Doctor’s Tips in Odia)

ନିୟମିତ ବ୍ୟାୟାମ କରିବା ଦରକାର।

କ୍ୟାନସର ପ୍ରତି ସଚେତନ ହେବା ଦରକାର।

ନିଶା ସେବନଠାରୁ ଦୂରେଇ ରହିବା ଦରକାର।

ଯଦି କୌଣସି ବ୍ୟକ୍ତି କ୍ୟାନସରରେ ପୀଡ଼ିତ ହେଉଛନ୍ତି, ତେବେ ୩ଟି ଫର୍ମୂଲାକୁ ମାନି ଚଳନ୍ତୁ। ୩ଟି ଶବ୍ଦ ହେଉଛି – ଫେସ୍ ଇଟ୍ (ସାମ୍ନା କର), ଫାଇଟ୍ ଇଟ୍ (ଲଢ଼େଇ କର), ଫିନିସ୍ ଇଟ୍ (ଡାକ୍ତରଙ୍କ ଦ୍ୱାରା କରାଯାଉଥିବା ଚିକିତ୍ସା କରି କ୍ୟାନ୍‌ସରକୁ ସମାପ୍ତ କର)  

(ସ୍ୱାସ୍ଥ୍ୟ ଓ ଜୀବନଶୈଳୀ ଉପରେ ଆଧାରିତ ଓଡ଼ିଆ ଡିଜିଟାଲ୍‌ ପ୍ଲାଟଫର୍ମ ‘ସ୍ୱାସ୍ଥ୍ୟ ପ୍ଲସ୍’ ସହିତ ଡାକ୍ତର ଘନଶ୍ୟାମ ବିଶ୍ୱାସଙ୍କ ସ୍ୱତନ୍ତ୍ର ସାକ୍ଷାତକାରକୁ ନେଇ ପ୍ରସ୍ତୁତ।)

Note: This information on Blood Cancer in Odia language, is based on an extensive interview with a Oncologist Dr Ghanshyam Biswas.