ପ୍ରତ୍ୟେକ ଜିନିଷ ବ୍ୟବହାରର ଗୋଟିଏ ସମୟ ଅବଧି ରହିଛି। ଅବଧି ଶେଷ ହେବା ପରେ କୌଣସି ଜିନିଷକୁ ବ୍ୟବହାର କରିବା ଶରୀର ପାଇଁ ହାନିକାରକ ହୋଇଥାଏ। ସେହିପରି ଆପଣ ନିତ୍ୟ ବ୍ୟବହାର କରୁଥିବା ଟୁଥ୍‌ ବ୍ରସ୍‌କୁ ବି ବ୍ୟବହାର କରିବାର ସମୟସୀମା ରହିଛି।

tooth brush

ଟୁଥ୍‌ ବ୍ରସ୍‌କୁ ଅତିକମ୍‌ରେ ୨ ସପ୍ତାହକୁ ଥରେ ବଦଳାଇବା ଉଚିତ। ନଚେତ୍ ଏହା ଆପଣଙ୍କ ଦାନ୍ତ ସହିତ ଦାନ୍ତ ମାଢ଼ିକୁ ବି ନଷ୍ଟ କରିଦେବ। ପ୍ରାୟ ଲୋକ ଗୋଟିଏ ବ୍ରସ୍‌କୁ ୨ ମାସରୁ ୩ ମାସ ଧରି ବ୍ୟବହାର କରିଥା’ନ୍ତି। କିନ୍ତୁ ଏହା ସମ୍ପୂର୍ଣ୍ଣ ଭୁଲ।

ବ୍ରସ୍‌ ଯଦି ଟାଣ ବା ମେଲା ହୋଇଯାଉଛି, ସେହି ବ୍ରସ୍‌କୁ ବ୍ୟବହାର ନ କରି ଆଉ ନୂଆ ବ୍ରସ୍‌ ବ୍ୟବହାର କରନ୍ତୁ। ଟାଣ ବ୍ରସ୍‌ରେ ଦାନ୍ତ ଘଷିଲେ ମାଢ଼ି ଉପରେ ପଭାବ ପଡ଼ିଥାଏ।

ଅତିକମ୍‌ରେ ୨ ଥର ଦାନ୍ତ ଘଷିବା ଆବଶ୍ୟକ।

ଦାନ୍ତ ଘଷିବା ବେଳେ ବାରମ୍ବାର ବ୍ରସ୍‌କୁ ଓଦା କରନ୍ତୁ ନାହିଁ। ଏପରି କଲେ ବ୍ରସ୍ ଶୀଘ୍ର ଖରାପ ହୋଇଯିବ ଆଉ ଦାନ୍ତ ବି ଭଲ ଭାବେ ସଫା ହେବ ନାହିଁ।

ବୃତ୍ତାକାର ଗତିରେ ବ୍ରସ୍ କରିବାକୁ ଚେଷ୍ଟା କରନ୍ତୁ। ପାଟିର ତଳ ମାଢ଼ି, ଉପର ମାଢ଼ିକୁ ଭଲ ଭାବେ ସଫା କରନ୍ତୁ। ବ୍ରସ୍‌ କରିବା ପରେ ଭଲ ଭାବେ କୁଳି କରନ୍ତୁ। ନହେଲେ ଟୁଥ୍‌ପେଷ୍ଟରେ ଥିବା ଫ୍ଲୋରାଇଡ୍ ଅଂଶ ଦାନ୍ତର କ୍ଷତି କରିବ।

change your tooth brush

ଶୋଇବା ସମୟରେ ଆମ ପାଟିରେ ଅଧିକ ଜୀବାଣୁ ସୃଷ୍ଟି ହୋଇଥା’ନ୍ତି। ଏଥିପାଇଁ ଶୋଇବା ସମୟରେ ହିଁ ଦାନ୍ତ ରୋଗ ହେବାର ଆଶଙ୍କା ଅଧିକ। ତେଣୁ ଶୋଇବା ପୂର୍ବରୁ ପାଟି ଓ ଦାନ୍ତକୁ ଭଲ ଭାବରେ ସଫା କରି ଶୋଇବା ଭଲ। ଖାଇ ସାରିବା ପରେ ସଠିକ୍‌ ଭାବେ କୁଳକୁଜା କରିବା ଦରକାର। କୁଳକୁଜା କରିବା ଫଳରେ ୫୦ ପ୍ରତିଶତ ଖାଦ୍ୟକଣିକା ଦାନ୍ତରୁ ବାହାରି ଯାଏ। ଏହାସହ ଭଲ ଭାବେ ଦାନ୍ତକୁ ଘଷିବା ଆବଶ୍ୟକ। କିନ୍ତୁ ବ୍ରସ୍‌କୁ ମାଢ଼ିରେ ଜୋରରେ ଘଷନ୍ତୁ ନାହିଁ କାରଣ ଏହା ଦ୍ୱାରା ଦନ୍ତ କ୍ଷୟ ହେବାର ଅଧିକ ଆଶଙ୍କା ଥାଏ, ମାଢ଼ି ଫୁଲିପାରେ ଓ ଦାନ୍ତରୁ ରକ୍ତ ମଧ୍ୟ ପଡ଼ିଥାଏ।

ବାଥ୍‌ରୁମ୍‌ରେ ଟୁଥ୍‌ବ୍ରସ୍‌ ରଖନ୍ତୁ ନାହିଁ। ବାଥ୍‌ରୁମ୍‌ରେ ଥିବା ଅସରପା, ଟଇଲେଟ୍‌ରେ ଥିବା ଘାତକ ଜୀବାଣୁ ଟୁଥ୍‌ବ୍ରସ୍‌ରେ ରହି ବିଭିନ୍ନ ପ୍ରକାର  ରୋଗ ହୁଏ।

ଟୁଥ୍‌ବ୍ରସ୍‌ର ରଖୁଥିବା ହୋଲ୍‌ଡର୍‌କୁ ସପ୍ତାହକୁ ଥରେ ସଫା କରନ୍ତୁ। ଖାମଖିଆଲିରେ ବହୁତ ଜଣ ଏହାକୁ ସଫା କରିବା ଭୁଲି ଯାଆନ୍ତି। ତେବେ ଏହା ପେଟ ସମ୍ବନ୍ଧୀୟ ରୋଗର କାରଣ ହୋଇପାରେ। ଗୋଟିଏ ବ୍ରସ୍‌ ହୋଲ୍‌ଡର୍‌ରେ ସମସ୍ତଙ୍କ ବ୍ରସ୍ ମିଶାଇ ରଖିବା ବି ଉଚିତ୍ ନୁହେଁ।

ଅନ୍ୟ କାହାର ବ୍ରସ୍‌ରେ ଦାନ୍ତ ଘଷନ୍ତୁ ନାହିଁ। ଅନ୍ୟର ଦାନ୍ତରେ ଥିବା ବିଷାକ୍ତ ରୋଗ ଜୀବାଣୁ ଆପଣଙ୍କ ଶରୀରକୁ ଯାଇପାରେ।

ଦାନ୍ତ ଘଷିବା ପରେ ଟୁଥ୍‌ବ୍ରସ୍‌କୁ ସିଧା କରି ରଖନ୍ତୁ। ବ୍ରସ୍‌ରେ ଥିବା ପାଣି ନିଗିଡ଼ିଗଲେ ବ୍ରସ୍‌ରେ ଜୀବାଣୁ ରହିବା ସମ୍ଭାବନା ରହେ ନାହିଁ। ଓଦା ବ୍ରସ୍‌ରେ ଜୀବାଣୁ ରହିପାରନ୍ତି। ନଚେତ୍ ବଜାରରେ ମିଳୁଥିବା ବ୍ରସ୍ କଭର୍‌ ଆଣି ଦାନ୍ତ ଘଷିବା ପରେ ରଖନ୍ତୁ।